ଅପାତ୍ରରେ ଦାନ
ଅପାତ୍ରରେ ଦାନ
ମହତ ଜ୍ଞାନୀ ଗୁଣୀଜନ କରିଥାନ୍ତି ଦାନ
ଦେଖି ସେମାନେ ଉଚିତ ସ୍ଥାନ କାଳ ପାତ୍ର
ସେ ଦାନର ମୂଲ୍ୟ କରେ ଯେ ହୃଦବୋଧ
ସନ୍ତୁଷ୍ଟରେ ତାହା କରିଥାଏ ଉପଯୋଗ
ଦାନ ଦକ୍ଷିଣାର ଅଟଇ ଏହା ମୂଳସୂତ୍ର
ଧନ ଜ୍ଞାନ ମାନ ତଥା ଯେତେ ଦ୍ରବ୍ୟମାନ
ପୂଣ୍ୟ ଅର୍ଥରେ ପ୍ରଦାନ କରିବା ହିଁ ଦାନ
ତା'ର ମହତ୍ଵ ଗୁରୁତ୍ଵ ବୁଝି ଦୂରଦର୍ଶୀ
ସଂସାରରେ ହୁଏ ଅନ୍ୟର ପ୍ରିୟ ଭାଜନ
ଷଣ୍ଢକୁ ଭାଗବତ ଅନ୍ଧକୁ ଦର୍ପଣ
ଦାନ ମୂଲ୍ୟହୀନ ହୁଏ ତାହା ଅକାରଣ
ତଦ୍ରୁପ ବେଙ୍ଗ ପାଟିରେ ଦେଲେ ଘିଅ
ଘୁଷୁରୀକୁ କଦଳୀ ପାଚିଲା ହୁଏ ଅରୁଚ
ସବୁ ଲାଗେ ଅପାତ୍ରକୁ ଦେଲା ପରି ଦାନ
ଲକ୍ଷ ଉଦ୍ଦେଶ୍ୟ ପୂରଣ ହୁଏ ଅପହଞ୍ଚ
ଶିର ନାସ୍ତି ଶିର ପିଡ଼ା ବୋଲି ତାକୁ ଜାଣ
ସମାଜରେ ଯିଏ ଦୁଃଖି ରଙ୍କି ଅକିଞ୍ଚନ
ଅସହାୟ ଭିନ୍ନକ୍ଷମ ଅନାଥ ରୁଗୁଣ
ତାଙ୍କୁ ଅନ୍ନ ବସ୍ତ୍ର ଦେଲେ ହୁଏ ଧର୍ମ
କଲ୍ୟାଣ କରେ ସେ ବୁଝି ଦାନର ମର୍ମ
ତେଲିଆ ମୁଣ୍ଡରେ ତେଲ ମାରୁଥିଲେ
ହୁଏ ତାହା ତୋଷାମଦିଆର ସ୍ୱାର୍ଥପରତା
ଭଣ୍ଡ ଠକ ପ୍ରତାରକ ଅଳସୁଆ କର୍ମକୁଣ୍ଠ
ବ୍ୟକ୍ତିଙ୍କୁ ଦାନ କରିବା ସର୍ବଦା ନିଷିଦ୍ଧ
ବିଜ୍ଞ ଗୁଣୀଜନେ ବୂଝନ୍ତି ତା'ର ଯଥାର୍ଥତା
କ୍ଷୁଧାର୍ତ୍ତ ବୁଝେ କ୍ଷୁଧାରେ କି ଉତ୍ପିଡ଼ନ
ତୃଷାର୍ତ୍ତ ଜାଣେ ତୃଷାରେ ଛଟପଟ ପ୍ରାଣ
ଅନୁଭବୀ ନହେଲେ ବୁଝେନା ଦାନ ଅର୍ଥ
ମାଗଣାରେ ପାଇଲେ କରେ ସେ କଦର୍ଥ
ଦାନ କରାଯାଏ ନାହିଁ ମନେ ରଖି ସ୍ଵାର୍ଥ
କରେ ଯିଏ ହୁଅଇ ତାହା ସଂପୂର୍ଣ୍ଣ ବ୍ୟର୍ଥ
ମୂଲ୍ୟବାନ ଅଟେ ପ୍ରତିଟି ପ୍ରାଣୀର ଜୀବନ
ଭାବି ଏହା ଅପାତ୍ରରେ କରାଯାଏନା ଦାନ।
