ଅନୁରାଗ ବୁଣି ଆସିଛି ଶୀତ
ଅନୁରାଗ ବୁଣି ଆସିଛି ଶୀତ
ଅନୁରାଗ ବୁଣି ଆସିଛି ଶୀତ
ମନେ ଶୁଭ ଭାବନା ହୁଏ ଜାତ,
ସ୍ଵର୍ଣ୍ଣମୟ ଦିଶେ ଧାନର କ୍ଷେତ
ହୃଦୟକୁ କରେ ସେ ଉଲ୍ଲସିତ।
ପରିବେଶ ଲାଗେ ସ୍ଵଚ୍ଛ ସୁନ୍ଦର
ହସି ଉଠେ ସବୁ ଅଗଣା ଘର,
ପରିପୂର୍ଣ୍ଣ ଲାଗେ ସାରା ସଂସାର
ପ୍ରାଣେ ପୁଲକେ ଆନନ୍ଦ ଅପାର।
କମି କମି ଯାଏ ଧରାରେ ତାତି
କଅଁଳ ଖରା ଲାଗେ ମିଠା ଅତି,
ଶିଶିର ଭିଜା ଭିଜା ମଧୁ ରାତି
ବଢାଇ ଦିଏ ହୃଦେ ଭାବ ପ୍ରୀତି।
ସୁଲୁ ସୁଲିଆ ଶୀତଳ ପବନ
ସଂକୁଚିତ କରେ ପ୍ରାଣୀ ଜୀବନ,
ସଭିଙ୍କୁ କରଇ ସେ ସଚେତନ
ମଣିଷ ରହେ ହୋଇ ସାବଧାନ।
ଶୀତ ବସ୍ତ୍ରର ବଢ଼ି ଯାଏ ମାନ
ସର୍ବେ ନିଅନ୍ତି ଦେହର ଯତନ,
ଏ ସମୟରେ ଛୋଟ ହୁଏ ଦିନ
ସଦା ପ୍ରଫୁଲ୍ଲ ରହିଥାଏ ମନ।
ଉଷୁମ ଶେଜରେ କରି ଶୟନ
ବିତି ଯାଏ ରାତି ଦେଖି ସପନ,
ରହେ ନାହିଁ ଅଭାବ ଅନାଟନ
ମାଆ ଲକ୍ଷ୍ମୀ ହୋଇଥାନ୍ତି ପ୍ରସନ୍ନ।
ଗୁରୁବାର ଓଷା ମା' ଲକ୍ଷ୍ମୀ ପୂଜା
ମାର୍ଗଶିର ମାସର ସାଜସଜ୍ଜା,
ମାଣବସା ଝୋଟି ଲେଖାର ସଜା
ବୁଲାବୁଲି ବଣଭୋଜିର ମଜା।
ସୁବିଧାରେ ମିଳେ ପନି ପରିବା
ରୁଚିକର ହୁଏ ସବୁ ଖାଇବା,
ମଜା ଲାଗଇ ପରବ ପାଳିବା
ଲାଗି ରହି ଥାଏ ଯିବା ଆସିବା।
ଅନୁରାଗ ବୁଣି ଆସିଛି ଶୀତ
ହୋଇଛି ପରା ସେ ଆମରି ମିତ,
ମନ ଆନନ୍ଦେ ଚାଷି ଗାଏ ଗୀତ
ତା' କଠିନ ଶ୍ରମରେ ହୋଇ ପ୍ରୀତ।
ମହକେ ଫୁଲ ଫୁଟି ଜାତି ଜାତି
ହସ ଖୁସିରେ ଦିନ ଯାଏ ବିତି,
ଶୀତ ଦିଏ ନିଆରା ଅନୁଭୂତି
ଅଭୁଲା ଅପାଶୋରା ତାର ସ୍ମୃତି।
ଶୀତ ଆସେ ଯାଏ ଅତିଥି ପରି
ହୋଇଥାଏ ସବୁରି ଉପକାରୀ,
ଦେଇ ଦୁଃଖ ସୁଖ ଆଣେ ଓଟାରି
ତା' ଅନୁରାଗେ ଥାଏ ଶାନ୍ତି ଭରି।
