STORYMIRROR

Prasanna Kumar Madala

Inspirational Others

3  

Prasanna Kumar Madala

Inspirational Others

ଅନାଥ

ଅନାଥ

3 mins
13.5K


ବଙ୍ଗ ସିନ୍ଧୁ ବେଳା ପରେ କେହିଜଣେ କିଶୋର ବାଳକ

ଦୂରୁ ଦେଖି ଲାଗୁଥିଲା ସତେ କି ସେ କଇଁଛ ପାଳକ ।

କୁନିକୁନି ହାତେ ତାର ଶାବକଙ୍କୁ ଧରି କଉଶଳେ

ଆସ୍ତେ ଆସ୍ତେ ଛାଡୁଥିଲା ଢେଉମୟ ସମୁଦ୍ରର ଜଳେ ।

ଚୁପିଚୁପି କାନେ ତାଙ୍କ ଆଳାପଇ ଅନ୍ତରର କଥା

ଆଚମ୍ବିତ ତଟସ୍ଥ ମୁଁ ଦେଖୁ ଦେଖୁ ସାଉଁଳଇ ମଥା ।

ପଚାରିଲି ସ୍ନେହ ଭରେ କହିବୁ କି କେମନ୍ତ ଏ ଭାଷା

କଥା ତୋର ବୁଝିବେ କି ସେ କଇଁଛ ନାହିଁ ମୋର ଆଶା ।

ବଲବଲ ଅନାଇ ସେ ମୋତେ ଦେଖି ଅଳ୍ପ ଦେଲା ହସି

କହିଗଲା ମାତା ତାଙ୍କ ଡିମ୍ବ ଦେଇ ଜଳେ ଗଲେ ପଶି ।

ଛେଉଁଣ୍ଡ ଏ ମୋର ସମ ଦେଖ ଏଠି କେଡେ ବେସାହାରା

ଶ୍ଵାନ ଶ୍ୟେନ ପଞ୍ଝା ତଳେ ନିରବଧି ଜିଜୀବିଷା ଭାରା ।

ସୁରକ୍ଷିତ ଛାଡେ ତାଙ୍କୁ ଖୋଜିବାକୁ ପିତାମାତା ଜଳେ

କହିଦିଏ ମୋର ବାପା ବୋଉ ଠାବ କରିବାକୁ ଥଳେ ।

ଅନାଥର ଜୀବନକୁ ନିକଟରୁ ଦେଖିଅଛି ନିଜେ

ଧୂଳିଘର ଖେଳ ଛାଡି ସେଥିପାଇଁ ହୋଇଅଛି ବିଜେ ।

କୁନିକୁନି ବେସାହାରା କଇଁଛ ଏ ବେଳାଭୂମି ପରେ

ଦେଖ ଏଠି ପଡିଉଠି ଥରହର ଶିକାରୀଙ୍କ ଡରେ ।

ଦିନ ଥିଲା ସମୁଦ୍ରର ଏହି ତଟେ ମୁହିଁ ମଧ୍ୟ ଥରହର ହୋଇ

କ୍ଷୁଧାତୁରେ ବିବଶ ମୁଁ କାନ୍ଦୁ କାନ୍ଦୁ ପଡିଥିଲି ଶୋଇ ।

ନୋଳିଆଣୀ ମାଆ ଜଣେ ଦେଖିଥିଲା ବାଟେ ଯାଉଯାଉ

ଦୟାବଶେ ହାତେ ତୋଳି ଘେନିଗଲା କି କହିବି ଆଉ ।

ସିମେଣ୍ଟ ଓ ବାଲି ବୋଳା ସମାଜରେ ଅନାଥଟେ ବୋଲି

ସରଳା ସେ ଦାଣ୍ଡ ଲୋକେ ପରିଚୟ କରାଇଲା ଖୋଲି ।

ଛୋଟରୁ ତ ବଡ କଲା ପାଳି ପୋଷି ନିଜ ବେଉସାରେ

ତା'ଛଡା କେ ଅଛି ମୋର ସାଙ୍ଗ ଆଉ ବିଶାଳ ସଂସାରେ ?

ସାଥୀଟିଏ ସାଜିଛି ମୁଁ ଭୋଗେ ଯେଣୁ ଏହି ସମଦଶା

ଜଗିଥାଏ ପ୍ରତିବର୍ଷ ଦୂରେ ଦୂରେ ଖୋଜି ତାଙ୍କ ବସା ।

ଆଖି ମୋର ଛଳଛଳ ଦେଖି ତା'ର ନିଷ୍କପଟ ଭାବ

ସୀମାହୀନ ସଂସାରରେ ଉବୁଟୁବୁ ତା' ଜୀବନ ନାବ ।

ଅଲକ୍ଷ୍ୟରେ ହୃଦୟେ ମୋ ତାହା ପ୍ରତି ସ୍ନେହ ହେଲା ଜାତ

ମୋ ଭିତର ମଣିଷଟା ତତକ୍ଷଣେ ବଢାଇଲା ହାତ ।

ନିଜ ହାତେ ବାଟବଣା ଶାବକଙ୍କୁ ଯତନରେ ଧରି

ଧୀରେ ନେଇ ସିନ୍ଧୁ ଜଳେ ଛାଡୁଥାଏ ମନେ ସ୍ନେହ ଭରି ।

ତା' ସାଥିରେ ଅବିରତ ଧାଉଁ ଧାଉଁ ଭୁଲିଗଲି କ୍ଳାନ୍ତି

ଅପୂର୍ବ ସେ ଅନୁଭୂତି ଅନ୍ତରରେ ଲଭେ କେତେ ଶାନ୍ତି ।

ନିଶ୍ଵାସଟେ ଛାଡି ଯେବେ ବସିଗଲି ସେ ବାଳକ ପାଶେ

ଅଜାଣତ ଅନୁରାଗେ ସାଙ୍ଗ କହି ଉଚ୍ଚାରେ ମୁଁ ଭାଷେ ।

ଚାହୁଁ ଚାହୁଁ କହିଲା ସେ ଏଥିପାଇଁ ସର୍ତ୍ତ ମୋର ଜାଣ

ସେହି ସର୍ତ୍ତ ରଖିବାକୁ ଆଗ ତୁମେ ଖାଅ ଏକ ରାଣ ।

ଭାବୁଥିଲି କଇଁଛଙ୍କ ରାଣ ବଳେ ଜିତିବି କି ମନ

କେଉଁ ଅବା ଅଧିକାରେ ନିରୀହଙ୍କୁ ମଣେ ନିଜ ଧନ ।

ହୃଦୟରେ ବାଳଭାବ ଜାଗିଥିଲା କି କରନ୍ତି ଆନ

ନିରୁପାୟ ହୋଇ ଶେଷେ ତାହା ଆଗେ ନେଲି ନିଜ ରାଣ ।

ସେ ବାଳକ କହେ ଏବେ ଶୁଣ ସାଙ୍ଗ ସର୍ତ୍ତ ଅଛି ଯାହା

ମୋର ବାପା ମାଆଙ୍କୁ ତ ଖୋଜିବାରେ ହେବ ଟିକେ ସାହା ।

କଥା ଦେଲି ସେହି କ୍ଷଣି ଖୋଜିବାର କାମ ଛଡା ଭିନ୍ନ

ଅନ୍ୟ କାମ ଆଉ ନାହିଁ ଟିକେ ରହ ଅଳ୍ପ କିଛି ଦିନ।

ହେଲେ ମୋତେ ଆଉ ଭଲ ଲାଗୁନାହିଁ ତୁମର ସେ ନାମ

ବନ୍ଧୁ ତୁମେ ଆଜିଠାରୁ ପ୍ରାଣୀ ହିତେ କର ଯେଣୁ କାମ ।

ଆଚ୍ଛା ବନ୍ଧୁ କହିବ କି ଏ ଥାନରେ ଲାଗୁନି କି ଡର

ଲାଗିଅଛ ଏକୁଟିଆ ଛାଡି ନିଜ ଖେଳ ବାଲିଘର ।

କହିଲା ସେ ଏଠି ନାହିଁ ତିଳେ ହେଲେ ଅବିଶ୍ୱାସ ବିଷ

ଆଦରର ପାତ୍ର ଏହି ଜୀବଗଣ କରନ୍ତେ ବା କିସ ?

ସରକାରୀ ତଟରକ୍ଷୀ ଜାଣିଛନ୍ତି ମୋତେ ସିଧାସାଧା

କେବେ ହେଲେ ଆଜିଯାଏଁ ଏହି କାମେ ଦିଅନ୍ତିନି ବାଧା ।

ପଚାରିଲି ମିଳିଗଲେ ବାପାମାଆ ମନ କରି ଊଣା

ସେମାନଙ୍କ କାମ ପାଇଁ କରିବ କି କେବେ ହେଲେ ଘୃଣା ।

କହିଲା ସେ ଏହା ଶୁଣି ଲାଗୁଅଛି ଭାରି ମନ ବ୍ୟଥା

ଆଲୋକ ଯେ ଦେଖାଇଲେ ତାଙ୍କ ପାଦେ ଝୁଙ୍କାଇବି ମଥା ।

ସେହି ଆମ ଭଗବାନ ବୋଲି କିବା ଜାଣିନ କିପାଇଁ

ଏତକ ହିଁ ଶୁଣୁ ଶୁଣୁ ଲୁହ ପୋଛି ପଳାଇଲି ଧାଇଁ ।

ପଛେ ପଛେ ଅନୁସରି ବନ୍ଧୁ ସେହି ଆସୁଥିଲା ଖରେ

ଧଇଁସଇଁ ହୋଇ ଘରେ ପହଞ୍ଚିଲି ଆସି ଏକାଥରେ ।

ସିଧା ଯାଇ ବାପାଙ୍କର ଗୋଡ ତଳେ ମାଗିଲି ମୁଁ କ୍ଷମା

କହିଥିଲି ମୋର ଦୋଷ ଥିଲେ ରୋଷ କରିବନି ଜମା ।

ଜରାଶ୍ରମେ ଯିବ ବୋଲି ଆଉଥରେ କହିବନି କେବେ

ଅନାଥ ଏ ବନ୍ଧୁ ମୋର ଖୋଲିଦେଲା ଆଖି ଏବେ ଏବେ ।

ସବୁ ଶୁଣି କହିଲେ ସେ ନାତି ହୋଇ ଥାଉ ଆମ ଘରେ

ଭାର୍ଯ୍ୟା ମୋର ଧାଇଁ ଆସି କୋଳାଇଲା ତାକୁ ସ୍ନେହ ଭରେ ।

ପ୍ରସନ୍ନ କୁମାର ମାଦଳା ( ସମାପ୍ତ )


ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Inspirational