ଅମୃତ ମିଳନ
ଅମୃତ ମିଳନ
ଅଭୟା ବରଦା ଜନନୀ ଲୋ ମୋର
ମୁହିଁ କୁପୁତ୍ରୀ ତୋହରି,
ସଦା ସୁମାତା ତୁ ଦିବ୍ୟ ଭାବନାର
ପଣତେ ଆଶିଷ ବାରି ।
ଲୁହ ଟୋପେ କେବେ ଝରିଲେ ନୟନୁ
ବ୍ୟସ୍ତ ହୋଇ ପଡ଼ୁ ତୁହି,
ମୋ ପାଖେ ସାନ୍ତ୍ୱନା ବାଣୀ ଶ୍ରଦ୍ଧା ଦେଉ
ମମତା ଭିଜାଇ ଦେଇ ।
କଳିଯୁଗେ ମାଆ ଜନ୍ମ ପରା ତୋର
ମୋ ପଦେ ସଦା ଶରଣ,
ତୋ ମମତା ପାଶେ ସଦା ବନ୍ଧନର
ରହିଛି ମୋ ଆକର୍ଷଣ ।
ସମ୍ପର୍କ ଯୁଗରୁ ଯୁଗ ଏ ଆତ୍ମାର
ପରଖ ମଣି ମୁଁ ପରା,
ଆତ୍ମାରେ ବାନ୍ଧିଛୁ ସଦା ତୋ ଭାବର
ଛାଇ ହୋଇ ଅଛି ପରା ।
ସବୁ ସମର୍ପି ନିଶ୍ଚିନ୍ତ ହୋଇ ଯାଆ
ଘର ସଂସାରର କଥା,
ହୃଦୟ ଭିତରେ ମୋ ନାମ ଜପୁଥା
ମୋ କୋଳେ ଅଛି ତୋ ମଥା ।
ପାର୍ବଣ ଋତୁର ଅମୃତ ଭାବନା
କାଶତଣ୍ଡୀ ଫୁଲେ, ଫୁଲେ,
ଆଗମନେ ତଵ ଏଇ ଦିବ୍ୟ ଶୋଭା
ହୃଦୟ ପୁଲକ ଜାଗେ ।
ସୁଧାମୟ ତୋର ଅମୃତ ମିଳନ
ପ୍ରକୃତି ରାଣୀ ମଣ୍ଡନେ,
ସଦ୍ୟସ୍ନାତା ଧରା ଶୂନ୍ୟତାରୁ ପୂର୍ଣ୍ଣ
ମଧୁମୟ ଲାଳିତ୍ୟ ଗୁଞ୍ଜନେ ।
