ଅଜପା
ଅଜପା
ବିଶ୍ୱାସ ଅବିଶ୍ବାସ ଜ୍ଞାତ ଅଜ୍ଞାତ
ଜାଗ୍ରତ ଅବା ନିଦ୍ରିତ
ଅହରହ ଅଜପା ଜପ ହେଉଛି
ପ୍ରାୟତଃ ସ୍ବତଃ ପ୍ରବୃତଃ
ଅନବରତ ନିଃଶ୍ୱାସ ଓ ପ୍ରଶ୍ୱାସ
ଜାରି ରହିଛି ପ୍ରକ୍ରିୟା
ଅଜପା ନାମରେ ସାଧକ ବିଦିତ
ନିଃଶ୍ୱାସ ପ୍ରଶ୍ୱାସ କ୍ରିୟା
ମଣିଷର ନିଃଶ୍ୱାସ ପ୍ରଶ୍ୱାସ ବେଳେ
ହଂ - ସ , ଧ୍ଵନୀ ହୁଏ ଜାତ
ଅସ୍ପଷ୍ଟ ଆକାରେ ଅନାହତ ନାଦ
ଅଜପା ନାମେ କଥିତ
ପ୍ରାଣବାୟୁ ରୂପେ ଗମନାଗମନ
ହଂ - ସ, ଧ୍ଵନୀ ସହିତ
ହ - ବର୍ଣ୍ଣ ପୂରକ, ସ - ବର୍ଣ୍ଣ ରେଚକ
ସବୁବେଳେ କାର୍ଯ୍ୟରତ
ଆତ୍ମା ଓ ପରମାତ୍ମାଙ୍କର ସଂଯୋଗ
ହୁଏ " ହଂ - ସ " ମାଧ୍ୟମରେ
ହଂ - ସ ବିହୁନେ ତକ୍ତାଳ ବିଚ୍ଛେଦ
ପ୍ରାଣ ନ ରହେ ପିଣ୍ଡ ରେ
ନିଃଶ୍ୱାସ ନେବାକୁ ସ୍ୱ-ହ ରୂପେ ବ୍ୟକ୍ତ
ପ୍ରଶ୍ୱାସ ରୂପେ ଅହମ୍
ଉଭୟ ଶବ୍ଦର ଯୋଗରେ ଉତ୍ପତ୍ତି
"ସେଇ ହିଁ ମୁଁ" "ସ୍ୱ ଅହମ୍ "
ଗାୟତ୍ରୀ ଛନ୍ଦ ମନ୍ତ୍ର ଜପ ରୂପରେ
"ସ୍ୱ ଅହମ୍" ପରିଚିତ
ରହସ୍ୟମୟ ତତ୍ତ୍ଵ ସାଧକ ବୁଝି
କରିଥାଏ ନିୟନ୍ତ୍ରିତ ।
ରଥ ବିନା ଶ୍ରୀରାମ ଯୁଦ୍ଧ କ୍ଷେତ୍ରରେ
ହୋଇଥିଲେ ଅବତୀର୍ଣ୍ଣ
ରଥ କାହିଁ ଶୁଣି ବିଭୀଷଣ ମୁଖେ
ଶ୍ରୀରାମ କଲେ ବର୍ଣ୍ଣନ
ରଥର ପରିକଳ୍ପନା ଓ ରହସ୍ୟ
ଶରୀରକୁ ରଥ ସମ
କିପରି ଶରୀର ହୋଇ ପାରେ ରଥ
ବୁଝାଇଥିଲେ ଶ୍ରୀରାମ
ଶରୀର ରୂପକ ରଥରେ ରହିଛି
ଶୋର୍ଯ୍ୟ ଧୈର୍ଯ୍ୟ ଦୁଇ ଚକ
ସତ୍ୟ ଓ ସଦାଚାର ଧ୍ଵଜା - ପତାକା
କେବଳ ଜାଣେ ସାଧକ
ବଳ,ବିବେକ,ଦମ( ଇନ୍ଦ୍ରିୟ ଦମନ)ପରୋପକାର
ଚାରୋଟି ଅଶ୍ୱ ରହିଛି
କ୍ଷମା,ଦୟା, ଆଉ ସମତା ରଜ୍ଜୁରେ
ଅଶ୍ୱ ଯୋଚା ହୋଇ ଅଛି
ଈଶ୍ୱର ଭଜନ ରଥର ସାରଥି
ଅଜପା ମନ୍ତ୍ର ରୂପରେ
ଅହରହ କାର୍ଯ୍ୟରତ ଶରୀରରେ
ଯୋଗୀ ଅନୁଭବ କରେ
ନିର୍ମଳ(ନିଷ୍ପାପ)ଅଚଳ(ସ୍ଥିର) ମନ ହିଁ ତୁଣୀର
ବୁଦ୍ଧି ପ୍ରଚଣ୍ଡ ଶକ୍ତିର
ବୈରାଗ୍ୟ -ଢାଲ ,ସନ୍ତୋଷ ହିଁ ଖଡଗ୍
ଦାନ - ଫାର୍ଶା ,ଜ୍ଞାନ ଧନୁ ର
ବାଣ ଆକାରରେ ଯମ(ଅହିଂସା)ଓ ନିୟମ(ଶୌଚ
ଏକ ସାଧକ-ଯୋଦ୍ଧା ର
ବ୍ରାହ୍ମଣ( ଜ୍ଞାନୀ) ତଥା ଗୁରୁଙ୍କର ପୂଜନ
ଅଭେଦ୍ୟ କବଚ ତା'ର
ବିଜୟ ସାଧନ ହେବ ସୁନିଶ୍ଚିତ
ଜୀବନ ଯୁଦ୍ଧ ଯାତ୍ରାରେ
ଜନ୍ମ ମୃତ୍ୟୁ ରୂପୀ ସଂସାରକୁ ଜୟ
ଅବଶ୍ୟ ହୁଏ ଅଚିରେ
ପ୍ରାଚୁର୍ଯ୍ୟ ରେ ରହିଥିବା ଅହଙ୍କାର(ରାବଣ)
ଯଦି କରି ହୁଏ ହତ
ଶରୀର ରୂପୀ ରଥର ଗଉରବ
ସର୍ବତ୍ର ହେବ କଥିତ
ସୃଷ୍ଟିର ସମଗ୍ର ତତ୍ତ୍ଵ ସମାହିତ
ଓଁକାର ଧ୍ଵନୀ ନାଦରେ
ବ୍ରହ୍ମାଙ୍କ ମୁଖ ନିସୃତ ବାଣୀ ଅଟେ
ଓଁକାର ବେଦ ରୂପରେ
ଶ୍ରୀକୃଷ୍ଣଙ୍କର ମଧୁର ବଂଶୀସ୍ୱନ
ମଧ୍ୟେ ବଳୟ ଓଁକାର
ଶିବଙ୍କ ଉଗ୍ର ତାଣ୍ଡବ ରୁ ନିର୍ଗତ
କମ୍ପନ ଅଟେ ଓଁକାର
ପିଣ୍ଡ ବ୍ରହ୍ମାଣ୍ଡର ଆଧାର ଓଁକାର
ସର୍ବ ଧର୍ମେ ଉପଯୋଗ
ଓଁ ଅଟଇ ସାର୍ବଭୌମ ତତ୍ତ୍ଵ ରୂପୀ
ଆଧ୍ୟାତ୍ମିକ ଯୋଗାଯୋଗ
ସତ୍ୟରେ ତପି,ପୁଣି ତ୍ରେତା ରେ କପି
ଦ୍ଵାପରେ କେବଳ ଗୋପୀ
କଳିରେ ଅଜପା ଜପି ପାରି ହେବ
ଅଜପା ଗାୟତ୍ରୀ ରୂପୀ
ଅଜପା ସୂତ୍ରରେ ଗୁନ୍ଥି ହୋଇଥିଲେ
ଟଳିବ ନାହିଁ ସେ ଧ୍ୟାନ
ସ୍ଵୟଂ ନିରାକାର ହୋଇବେ ପ୍ରସନ୍ନ
ଜୀବନ ହୋଇବ ଧନ୍ୟ ।
