ଅଭିଶପ୍ତା
ଅଭିଶପ୍ତା
ନୟନର ପରିଧିରେ
କୁଢ କୁଢ଼ ଜମାଟ ଵନ୍ଧା ଅନ୍ଧାର ,
ବିସ୍ମୃତ ଅତୀତ ,
ବିସ୍ମୃତ ପରିଚୟ ନେଇ ,
ଗାଉଥାଏ ଜୀବନ ଗୀତି
ହୋଇ ଛନ୍ଦହରା ବେତାନ
ପଥ ପ୍ରାନ୍ତେ
ହାଟ ପଡିଆ ,
ବରଗଛ ତଳେ ,
ପୂତି ଗନ୍ଧମୟ ନର୍ଦ୍ଦମାରେ ,
ଖୋଜୁ ଥାଏ ଜୀଵନର ପରିଚୟ ଅହରହ
ବୁଲା କୁକୁର ମେଳରେ ,
ନର୍ଦ୍ଦମାର ଲାଙ୍ଗୁଡିଆ ପୋକ ଗହଣରେ ।
ସ୍ୱାଦ ହୀନ ଗନ୍ଧ ହୀନ,
ରୂପ ହୀନ ରସ ହୀନ,
ମାୟା ହୀନ ମୋହ ହୀନ ,
ଆଶା ହୀନ ଦିଶା ହୀନ ,
ସମ୍ପର୍କ ଆସକ୍ତି ହୀନ ,
ବିତସ୍ପୃହ ଭୋଜନେ ମୈଥୁନେ ,
ଜଡ ନୁହେଁଜୀବ ନୁହେଁ
ଏକ ଵୈଚିତ୍ର ମୟମନମୟୀ ,
ପୃଥିବୀର ସାମ୍ରାଜ୍ଞୀ ସେ
"ପାଗଳୀ" ଟିଏ !!!
ହେ ବିଧାତା !
ସେ କେବେ ଲୋଡି ଥିଲା କି ସତେ ,
ରାଜ ଐଶର୍ଯ୍ୟ ଭୋଗ ,
ଚୁନା ଚୁନା ତାରା ଫୁଲ
ଅବା
ଆକାଶର ପୁନେଇ ଜହ୍ନ ?
ହୁଏତ ସେ ଦିନେ
ପାଣି କାଚରୁଣୁ ଝୁଣୁ ହାତେ
ମାଠିମୁଠି ଗଢି ଥିଲା ,
ସୁନାର ସଂସାର
କାହା ଅଙ୍କ ଲକ୍ଷ୍ମୀ ଥିଲା ,
ଅବା ମନର ମାନସୀ ପ୍ରୀୟା ,
ଜାୟା ଜନନୀ କନ୍ୟାରୂପେ ,
କଳ କଳ ନିନାଦିନୀ ମମତାର ଝର
ମମତାସିକ୍ତ ହସ୍ତେ ,
ପରଶି ଦେଉଥିଲା
ସୁମିଷ୍ଟ ଆତ୍ମୀୟତା ଅନାବିଳ ।
ଲୋଡି ଥିଲେ ଲୋଡି ଥିବ ନିଜ ପାଇଁ
ମୁଠାଏ ଭାତ ଟୋପାଏ ତୋରାଣୀ ,
ଆଉ ଲୋଡି ଥିଲେ ଲୋଡି ଥିବ ,
କାଣିଚାଏ ସ୍ନେହ ,
ଉଷୁମ ଆଞ୍ଜୁଳାଏ ପ୍ରେମ ସ୍ନେହ
ଓ ନିରୁତା ବିଶ୍ୱାସ ଟିଏ ।
ହେ ଦାତା !
ଶୁନ୍ୟ କି ପଡିଗଲା
ସାଗର ତନୟାର ଅସରନ୍ତି ଲକ୍ଷ୍ମୀ ଭଣ୍ଡାର?
ଏଇ କଣ ତାର ପ୍ରାପ୍ତି ,
ସଂସାର ସୁଖର ,
ଇନ୍ଦ୍ରିୟ ଉପଲବ୍ଧିର ,
ଭୋଗର ଵାସନାର ,
ଆଶାର ଅଭିଳାଷର
ପରି ସମାପ୍ତି ?
ଶ୍ରାନ୍ତ କ୍ଳାନ୍ତ ପରାହତା ନାୟିକା ଟିଏ ସେ
ଜୀବନ ସଂଗ୍ରାମେ ।
କାହିଁକି ?
କାହିଁକି ଵରି ନିଏ ମଣିଷ
ଏ ଆତ୍ମସ୍ଥ ଵୈରାଗ୍ୟ ,
ନିର୍ବାସନ ନିଏ କାମନାରୁ ,
ଜୀବନର ଆସୁମାରୀ
ସୁଖ ପ୍ରାପ୍ତିରୁ ।
ହେ ଦରଦୀ ବନ୍ଧୁ ,
ହୁଏତ ମଣିଷର ସ୍ୱ।ର୍ଥ ପରତା ,
ଵିଶ୍ୱ।ସ ଘାତକତା ,
ପ୍ରେମ ପ୍ରତିଦାନେ ପ୍ରତାରଣା ପାଇଁ ,
ନିମଗ୍ନ ସେ ବିତୃଷ୍ଣାରେ
କେଉଁ ଏକ ଅନ୍ଧାରୀ ଇଲାକାରେ
ଫେରାଇ ଦିଅ ତାକୁ
ହଜିଲା ସମ୍ପର୍କର ଖିଅ ,
ବଢାଇ ଦିଅ ଅକୁଣ୍ଠିତ
ସ୍ନେହ ସୌହାର୍ଦ୍ୟର ହାତ
ଦରଦୀ ପଣରେ ,
ଉକୁଟୀ ଉଠୁ ତା ମୁହଁରେ
ପୁନର୍ବାର ପ୍ରାଣ ପ୍ରାଚୁର୍ଯ୍ୟର
ନଵ ହସ ବିଭା ।
