ମାଟି ଓ ସବୁଜ ସପନ
ମାଟି ଓ ସବୁଜ ସପନ


ଵରଷା ଗୋ ତୁମେ ଆସ
ମୋ ଅସୁମାରୀ ଆଶାର
ଅଭିଷେକ ପାଇଁ ,
ଢାଙ୍କି ନିଅ ମୋତେ ,
ତୁମ କଳା ମେଘି
ପାଟ ପଣତ ତଳେ ।
ତୁମ ପ୍ରୀତି ପଣତର ମଧୁର ପରଶେ ,
ଆଖି ବୁଜି ଦେଖିବି ମୁଁ ,
କୁଢ଼ କୁଢ଼ ସଵୁଜ ସପନ କ୍ଷେତ ପରେ କ୍ଷେତ ,
ସୁନା ରଙ୍ଗୀ ଶସ୍ୟ ଭାରେ ଆନତ ,
ଗୋଡ଼ ଘାଲି ଶୋଇ ଥିବେ ମୋ ଆଖିର ପରିଧିରେ
ଦିଗନ୍ତ ଵିସ୍ତାରି ।
ନିଅ ନିଅ ଢାଙ୍କି ନିଅ ମୋତେ ,
ରିମ୍ ଝିମ୍ ସୁରେ
ସମ୍ମୋହିତ ରାଗିଣୀ ତୋଳି ,
ଗାଇ ଯାଅ ମେଘ ମହ୍ଲାର ।
ଉଦ୍ ଵେଗ ଅଧିର ମୁଁ ,
ତୁମ ଆସିବା
ନ ଆସିବାର
ଆଶଙ୍କାଗ୍ରସ୍ତ ପ୍ରତୀକ୍ଷାରେ ,
କ୍ଷୋଭ ଓ ବିଦ୍ରୋହରେ
ଭିଜୁଛି ସହ
ସ୍ର ବାର ,
ଆକାଶକୁ ଚାହିଁ ଚାହିଁ ,
ମୋ ନିଜ ନୟନର
ଲୁଣିଆ ଲୁହରେ ।
ତୁମରି ପରଶେ
ବତୁରି ଯାଉ ଟାଙ୍ଗରା ଭୂଇଁ ,
ଅଙ୍କୁରି ଉଠୁ ତୃଣ
ସିକ୍ତ ହେଉ ବସୁମତୀ
ସୃଷ୍ଟି କାରିଣୀ ଭୃଣ
ଜୀଵନ ଟେ ଜୀଇଁବା ପାଇଁ
ଚାହେଁ ଶୁଣିବାକୁ ତୁମ
ନୁପୁର ନିକ୍ୱଣ ,
ରିମ୍ ଝିମ୍ ପ୍ରୀତିର ପାର୍ବଣ ।
ତୁମ ଆଗମନ ଆଶେ
ନାଚେ ଦେଖ କେକି
ବିସ୍ତାରେ ମୋ ବାହୁ ଫାଶ
ଆସ ଆସ ସଖୀ ।
କୃଷି ଜୀବି ମୁହିଁ
ଚିର ସାଥୀ ଅଭାଵ କଷଣ
କରମ କଷଣେ
ଦେହ ମୋ କଠିନ ,
ଦିଅ ଗୋ ତୁମ
କୋମଳ ଆଲିଙ୍ଗନ
ଲିଭି ଯାଉ ନୀଖିଳ ଜୀଵନୁ
ବୁଭୁକ୍ଷାର
ଚରମ ଦହନ ।