ଅଭିମାନୀ ପ୍ରିୟା
ଅଭିମାନୀ ପ୍ରିୟା
ଭଲ ପାଇବାର
ପ୍ରତିଶ୍ରୁତି ଦେଇ
ନିରବେ ସାଉଁଟେ ନିତି
କିଛି କିଛି କହି
କିଛି ବି ନ କହି
ଦେଇଥାଏ ସହମତି ।
ଥିରି ଥିରି ତାର
ଅଳତା ପାଦରେ
ଚାଲେ ସେ ଘୁଙ୍ଗୁର ନାଇ
ଅଳ୍ପ ଦେଖି ମୋତେ
ନ ଦେଖିଲା ପରି
ଚାଲି ଯାଏ ହସି ଦେଇ ।
ଭାବନା ତାହାର
ନଦୀଠୁ ଗଭୀର
ଜାଣିବାକୁ ଚାହେଁ ମୁହିଁ
ଜାଣିବା ଆଗରୁ
ଅଥଳ ସାଗରେ
ଲୀନ ହୋଇଯାଏ ସେହି ।
ଚାହାଣୀରେ ତାର
ଗୋପନ କାହାଣୀ
ଯେବେ ଦିଏ ମୋତେ ଚାହିଁ
ସେ କାହାଣୀ ପଢ଼ି
ଅଭିନୟ ପାଇଁ
ଜମା ଭାବିପାରୁ ନାହିଁ ।
ମୋ ମନର ସିଏ
ଲାବଣ୍ୟ ନାୟୀକା
କହି ପାରୁ ନାହିଁ ମୁହିଁ
କହିବା ପୂର୍ବରୁ
ନିଜକୁ ପରଖେ
ନାୟକ ମୁଁ ତାର ରହି ।
ଗୋଲାପି ବେଳାର
ସ୍ମୃତି ପଟ କେତେ
ରଖିଛି ହୃଦେ ସାଇତି
ସେ ସ୍ମୃତି ମନ୍ଥନେ
ଦିନ କାଳ କାଟେ
ଅଚିହ୍ନା ପରି ଯେମିତି ।
ନ ଚିହ୍ନି ନ କହି
ନ ପଢ଼ି ନ ଦେଖି
ଗଢ଼ିତୋଳେ ସବୁ ସେଇ
ମାନ ଅଭିମାନେ
ରହିଛି ମୋ ପାଇଁ
ଅଭିମାନୀ ପ୍ରିୟା ହୋଇ ।

