ଦଣ୍ଡଯାତ୍ରା
ଦଣ୍ଡଯାତ୍ରା
ଆଞ୍ଚଳିକ ଗତ ଲୋକକଳା ନୃତ୍ୟ
ଦଣ୍ଡୁଆ ଖେଳଇ ଦଣ୍ଡ
ଦଣ୍ଡ ନାୟକର ଦଣ୍ଡ ଅନୁଯାୟୀ
ଦଣ୍ଡ ଭୋଗେ ଭକ୍ତ ପିଣ୍ଡ |
ଦଣ୍ଡୁଆ ଦଣ୍ଡକ କରି ଆକର୍ଷିତ
ଭକ୍ତିରେ ଭାଙ୍ଗନ୍ତି ଦଣ୍ଡ
ବିଶ୍ୱାସେ ଭକତ କରେ ଦଣ୍ଡବତ
ଦୁଃଖ ହେବେପାଇଁ ପଣ୍ଡ |
ମଧ୍ୟାହ୍ନ ସମୟେ ଦାଣ୍ଡରେ ଦଣ୍ଡକ
ନଚାଏ ଭିଆଇ କାଣ୍ଡ
ଶେଷରେ ସଭିଙ୍କୁ ଉଦ୍ଧାର କରଇ
ପିଠିରେ ପକାଇ ଦଣ୍ଡ |
ଜ୍ଞାନୀ ଗୁଣୀ ଜନ ଅଧମ ଅକ୍ଷମ
ଅବା ଅକାଳକୁଷ୍ମାଣ୍ତ
ସମସ୍ତ ମାନବ ନୁଆଇଣ ମୁଣ୍ଡ
ଖାଉଥାନ୍ତି ବେତଦଣ୍ଡ |
ନ ହୋଇ ଦୁର୍ଦ୍ଦଣ୍ଡ କରେ ମାନସିକ
ଯାତ୍ରା ମଧ୍ୟରେ ପ୍ରକାଣ୍ଡ
ଘେନିଣ ଶିଖଣ୍ଡ ବାନା ଆଉ ଦଣ୍ଡ
ବଜାଇ ବାଜା ପ୍ରଚଣ୍ଡ |
ସାରି ଧୂଳିଦଣ୍ଡ ଜଳ ଦଣ୍ଡ ପାଇଁ
ପୋଖରୀରେ ହୋଇ ରୁଣ୍ଡ
ଝୁଣା ଧୂପ ଦେଇ ଅଗ୍ନିଦଣ୍ଡ ପରେ
ଭକ୍ଷଣ କରନ୍ତି ଚଣ୍ଡ |
କାଳୀ ମାତା ସାଥେ ନଗର ଭ୍ରମଣ
ଚାଲନ୍ତି ଖାଲି ପହଣ୍ଡ
ବେତ୍ରଦଣ୍ଡ ପରେ ଝାଡ଼ି ଶିଖଣ୍ଡରେ
ପାପ ନାଶେ ପଣା ଭାଣ୍ଡ |
ରାତ୍ରିକାଳେ ପୁଣି ପରଭାରେ ଆସି
ଠାକୁର ଖେଳନ୍ତି ଦଣ୍ଡ
ରାତ୍ରୀଦଣ୍ଡ ସାରି ଉଜାଗର ରହି
ଭରନ୍ତି ପେଟ ଚାଖଣ୍ଡ |
ଏ ମାଟି ଭକତ ହୁଏ ଆତଯାତ
ପୁରପଲ୍ଲୀ ରାଜଦାଣ୍ଡ
ଗଞ୍ଜାମର ଜାତ ବିଶ୍ୱରେ ବିଖ୍ୟାତ
ଦେଖୁଛି ଆଜି ବ୍ରହ୍ମାଣ୍ଡ |
