ବଳିପ୍ରଥା
ବଳିପ୍ରଥା
ହୃଦୟେ ବହିଛ
ଅମୂଲ୍ୟ ଜୀବନ
ବୁଦ୍ଧି ବିବେକକୁ
ସାଥିରେ ନେଇ,
କହି କି ପାରିବ
କେଉଁ ସ୍ଵାର୍ଥେ ତୁମେ
ନିରୀହ ପ୍ରାଣୀକୁ
ସଂହାର ଯାଇ |
ଏ ଧରା ପୃଷ୍ଠରେ
ଜନମ ଲଭିଲେ
ଦିନେ ନା ଦିନେ ସେ
ନିଶ୍ଚେ ମରଇ,
ପ୍ରାଣୀ ହତ୍ୟା
ମହା ପାପ ବୋଲି ଜାଣି
ତଥାପି ମାରୁଛ
ଦାନଵ ହୋଇ |
କାହିଁ ଗଲା ତୁମ
ବିଚାର ବିବେକ
ଭୁଲି ଗଲ ବୋଧେ
ଏ କାର୍ଯ୍ୟ ପାଇଁ,
କି ନେଇ ଆସିଛ
ଏ ମହୀ ମଣ୍ଡଳେ
ଗଲାବେଳେ ଯିବ
ସାଥିରେ ନେଇ ?
ତୁମେ ତ ଦେଖୁଛ
ଖାଲି ହାତେ ଆସି
ଏକା ଫେରିଯିବା
ଲଙ୍ଗଳା ହୋଇ,
କିବା ଭାବ ତୁମେ
ଜୀବନ ନେବାକୁ
ଯେବେ ପାରିବନି
ଜୀବନ ଦେଇ |
ଦାନ ଧର୍ମ ପୁଣ୍ୟ
କରିଥିଲେ ତୁମେ
ଶେଷବେଳେ ଯିବ
ସମ୍ମାନ ପାଇ,
ପ୍ରତି ପ୍ରାଣୀ ଏଠି
କର୍ମ କରି ଯାଏ
ନୂଆ ପୃଥଵୀର
ସନ୍ଧାନ ପାଇଁ |
ତୁମେ ହିଁ ନିଜକୁ
ନିଜେ ପ୍ରଶ୍ନ କର
ଜୀବନ ଲଭିଛି
ମୁଁ କାହିଁ ପାଇଁ ?
ସୁନ୍ଦର ସୃଷ୍ଟିରେ
ଜୀବ ହତ୍ୟା କଲେ
ମହୀରେ ରହିବି
ଅମର ହୋଇ ?
