ଆଉ କେତେ ଦିନ
ଆଉ କେତେ ଦିନ
ଆଉ କେତେଦିନ ନୀରବ ରହିଣ
ଦେଖିବା ହୋଇ ଦର୍ଶକ
ଗରିବ କଲ୍ୟାଣ ଯୋଜନା କରିଣ
ପ୍ରଗତି ହେବ ସାର୍ଥକ ll
କର ଦେଇ ଦେଇ ହତାଶ ହୋଇକି
ଜନତା ଶୋଇକି ରୁହେ
ମାଗଣା ଖାଦ୍ୟରେ ରଖିକି ମନରେ
ଅଣଚାଶ ତାର ବହେ ll
ମାଲିକ ଜନତା ବାଛି ତାର ନେତା
ଶାସନରେ ସରକାର
ଆଦେଶ ପାଳନ ଚାକର ରହିଣ
ଚାକିରିଆ କାର୍ଯ୍ୟଭାର ll
ଏଠାରେ ଜନତା ସାଥି ଦରିଦ୍ରତା
ସେବକ ଯେ କୋଟିପତି
ଚାକର ଦରମା ଲଙ୍ଘି ସବୁ ସୀମା
ଅଣାୟତ୍ତ ଅର୍ଥ ନୀତି ll
ସେବା କରିବାକୁ ତ୍ୟାଗ ସ୍ୱୀକାରକୁ
ନାମକୁ କଳଙ୍କ କରି
ନେତା ଲୁଟେ ଧନ ପାଏ ସନମାନ
ଦରମା କୁ ବୃଦ୍ଧି କରି ll
ଚାକିରି କରିକି ଦରମା ପାଇକି
ସେବା ନାମେ ଲାଞ୍ଚ ନେଇ
ଲୁଟେ ସମାଜକୁ ଧରିକି ସ୍ୱାର୍ଥକୁ
ଭାତୃତ୍ୱ ଗୁଣ ହଜାଇ ll
ପ୍ରତିଭା ଥାଇକି ପାଏନା ଚାକିରୀ
କାଳ ବିଷ ସଂରକ୍ଷଣ
ଅଯୋଗ୍ୟ ଏଠାରେ ରହି ପଦବୀରେ
ସମାଜ କରେ ଲୁଣ୍ଠନ ll
ସତୁରୀ ବର୍ଷରେ ବିନା ଚାକିରୀରେ
ସଂରକ୍ଷଣ ପାଇଁ ଦାବି
ଧନ୍ୟରେ ଜନତା ଚାତକେ ରହିଥା
ଦାବି କଥା ଭାବି ଭାବି ll
ଜାତି ରାଜନୀତି ଭ୍ରଷ୍ଟ ରାଷ୍ଟ୍ର ନୀତି
ମଣିଷ ଗୋଟିଏ ଜାତି
ଛାଡି ଭୋଟ ନୀତି କଲେ ଦେଶ ଭକ୍ତି
ସଭିଙ୍କ ହେବ ପ୍ରଗତି ll
ମାଗଣା ଚାଉଳ ସମାଜର କାଳ
ଅକର୍ମା ସାଜେ ବେକାର
କର ହ୍ରାସ କର କରେ କର୍ମ କର
ପ୍ରୋତ୍ସାହନ ପ୍ରଗତିର ll
ଶିକ୍ଷାରେ ସଂସ୍କାର ନାମେ ନିରକ୍ଷର
ଅସଭ୍ୟତା ଭୟଙ୍କର
ନୈତିକ ପତନ ଧ୍ବଂସର କାରଣ
ବେଦ ଶିକ୍ଷା ନିତି କର ll
ଯୌନ କେଳେଙ୍କାରୀ ଆବେଗ ପ୍ରସାରି
ମିଡ଼ିଆର ରୋଜଗାର
ବିପଥ ରେ ଶିଶୁ କଟକଣା ବସୁ
ସଂସ୍କୃତି କର ପ୍ରସାର ll
