ଆସ ହାତ ଧରି ଯିବା ପୁଣିଥରେ.......
ଆସ ହାତ ଧରି ଯିବା ପୁଣିଥରେ.......


ଆସ .....ହାତ ଧରି ଯିବା ପୁଣି ଥରେ
ସିପ୍ରା ନାମତା (ନମ୍ରତା )
ଆସ.... ହାତ ଧରି ଫେରିଯିବା ପୁଣି ଥରେ
ସେହି ଗତାୟୁ ଦିନକୁ
ହସ କାନ୍ଦ, ସୁଖ ଦୁଃଖ ରେ ଆଉ ଥରେ ମିଶିଯିବା
ଏକା ଏକା ଲାଗେ ଭାରି
ଏଇ ବିଜ୍ଞାନ ଯୁଗ ରେ ସଭ୍ୟତା ଓ ସୁବିଧା ।
ଆସ .... ହାତ ଧରି ଯିବା ପୁଣି ଥରେ
ସେଇ ଦାଣ୍ଡ ଅଗଣାକୁ
ତୁଳସିଚଉରା ମୂଳରେ
ମଗ୍ନ ହେବା ବାଲିଧୂଳି ଖେଳ ଘର କରଣାରେ
ପୁଣି ଟିକିଏ ଝଗଡା ଆଉ ଗେଲ କୋଳାକୋଳିକୁ ।
ଆସ.... ହାତ ଧରି ଚାଲିଯିବା ପୁଣି ଥରେ
ନଈ କୂଳ, ଅଙ୍କା ବଙ୍କା ବିଲ ହିଡ ରାସ୍ତା ରେ
ସାଙ୍ଗ ସାଥୀଙ୍କର କୋଳାହଳ ମେଳେ
ଦେହ ମୁଣ୍ଡ,ମାଟି କାଦୁଅ ବୋଳାରେ
ମା'ର ଆକଟ, ବାପାଙ୍କର ନ
ାଲି ଆଖି
ଆଉ ଜେଜିମା' ର ସ୍ନେହ ବୋଳା ହାତ ଆଉଁସାରେ ।
ଆସ.... ହାତ ଧରି ଯିବା ପୁଣି ଥରେ
ବିଦ୍ୟାଳୟ, ମହାବିଦ୍ୟାଳୟର ତର୍କ ପ୍ରକୋଷ୍ଠ
ଗର୍ଜ୍ଜି ଉଠୁଥିବା ତରୁଣର ଆହ୍ବାନ
ଯୁଗପୁରୁଷଙ୍କ ଆତ୍ମ ବଳିଦାନ ଓ
ଅବଦାନର ସ୍ମୃତ୍ତି ଚାରଣରେ ।
ଆସ.... ହାତ ଧରି ଉଜ୍ଜୀବିତ କରିବା
ସ୍ୱାଭିମାନର ବୀଜ ମନ୍ତ୍ରରେ
ଜୀର୍ଣ୍ଣ ମାନସିକତାରେ ଭରିଦେବା
ସୃଜନୀର ଝଙ୍କାର
ଆତ୍ମ ମଗ୍ନ ହେବା ସେଇ
ପୂତ ପବିତ୍ର ଚିନ୍ତନରେ
ନିଜ ମାତୃଭାଷା ପାଇଁ ସୁରକ୍ଷାର
ଚଉହଦୀଟିଏ ଗଢ଼ିଦେବା ।
ଆସ.... ହାତ ଧରି ସଂକଳ୍ପଟିଏ କରିବା
ଅମ୍ଳାନ କୀର୍ତ୍ତୀ ପାଇଁ ଆଗେଇବା
ତ୍ୟାଗ କରି ଶସ୍ତା ମନ ଓ
ବେଧଡ଼କ ଖାମ ଖିଆଲି ପଣ
ପୂର୍ଣ୍ଣିମାର ମୁରୁକିହସା ସାତ ରଙ୍ଗ
ଆଉ ତାରାର ଆଖି ମିଟିକା
ସଙ୍ଗେ, ଆମେ ବି ହସିବା ।