ଛନ୍ଦା ଚରଣ
ଛନ୍ଦା ଚରଣ
ଛନ୍ଦା ଚରଣେ ହେ ପଶିଲି ଶରଣ
ରଖ ରଖ ନାରାୟଣ
ମାୟା ଜାଲରେ ମୁଁ ପଡ଼ିଯାଇଅଛି
ମାୟାକୁ କର ହରଣ ।
ସଂସାରେ ଉଭା ତୁମେ ବଡ଼ଠାକୁର
ବଢ଼େ ପାପ ଭାର ମୋର
ସତେ ହୋଇଯିବି କି ମୁଁ ଅଜାମିଳ
ପାଶେ ଠିଆ କରି ଦୂର ।
ବିଶ୍ୱବିହାରୀ ହେ ! ମୁଁ କରେ ଗୁହାରି
ଯାଉ ପଛେ ମୋ ଜୀବନ
ଛପନ ଭୋଗରେ ଭାରି ତ ଶରଧା
ତୁମରି ନାମ ସ୍ମରଣ ।
ଜୀବନ ଅର୍ପଣ ଛନ୍ଦା ଚରଣରେ
ତା'ଠାରେ ଜୀବନ ଵନ୍ଧା
ଛଅ ଅକ୍ଷରକୁ ଜପିବା ପାଇଁ କି
ଛଳନା ଜଗତେ ବାଧା ।
ଛଅ ଋତୁଯାକ ନୁହଇ ଫଗୁଣ
ଛନକେ ଝରା ଶ୍ରାବଣ
ଛନ୍ଦ କରି କେତେ ଗୋପର ନନ୍ଦନ
ଛନ୍ଦା ଚରଣେ ସେ ଧ୍ୟାନ ।
ଯେଦିନୁ ଆସିଲି ଏଇ ସଂସାରକୁ
ସେଦିନୁ ଦେଖେ ତୋତେରେ
ଭକତ ଲାଗି ଜଗତରେ ରହି
ଛନ୍ଦୁ ଛନ୍ଦା ଚରଣରେ ।