ଆସ ଦୀପଟିଏ ଜାଳିବା
ଆସ ଦୀପଟିଏ ଜାଳିବା
ଆଲୋ ବଉଳ ଆଲୋ ମକର
ଆଲୋ ଓସକା କଢି
ଦୀପାବଳୀରେ ଯେ ଦୀପ ଜାଳିଦେବା
ମୁରୁଜ ଦେବା ପକାଇ ।
ମାଟିର ଦୀପରେ ଭାବର ତେଲକୁ
ଶରଧାରେ ଭରି ଦେବା
ଅନୁରାଗ ଭରା ସଳିତାକୁ ନେଇ
ଦୀପରେ ସଜାଇ ଦେବା ।
ଦୀପ ଜାଳି ଦେବା ଆଲୋକିତ ହେବ
ମନ ଯେ ପୁରି ଉଠିବ
ମନ ଗହନର ଅନ୍ଧାରୁଆ ଦିଗ
ଆଲୋକିତ ହୋଇଯିବ ।
ସେ ଶୁଦ୍ଧ ଆଲୋକେ ଆଖିରେ ଆଖିଏ
ବିଶୁଦ୍ଧତା ଭରିଯିବ
ସେ ଆଲୋକ ମନେ ପ୍ରବେଶ କରି ଯେ
ଈର୍ଷା ଦ୍ଵେଷ ହରି ନେବ ।
ମନୁ କାଢି ଦେବ ଗର୍ବ ଅହଙ୍କାର
ହୃଦୟେ ପ୍ରେମ ଭରିବ
ପ୍ରେମର ପରଶେ ଶୁଦ୍ଧ ତନୁ ମନ
ବିବେକ ଜାଗି ଉଠିବ ।
ଏଇ ଆଲୋକରେ ମନୁ ଦୁରେଇବା
ଯେତେ ହିଂସା କପଟତା
ତାମସିକ ଭାବ ଦୂରେଇ ଯିବ ଯେ
ସାତ୍ତ୍ଵିକତା ହେବ ଉଭା ।
ସାତ୍ତ୍ଵିକ ଭାବରେ ରଙ୍ଗେଇ ଦେବା ଯେ
ଏଇ ଆମ ପୃଥିବୀକୁ
ସ୍ନେହ ମମତାର ନିର୍ମୋହ ମନ୍ତ୍ରରେ
ବାନ୍ଧିଦେବା ଏ ଧରାକୁ ।
ଅନ୍ୟକୁ ଆଲୋକ ବାଣ୍ଟି ଦେବା ଆମେ
ନିଜେ ଶୁଦ୍ଧପୂତ ହେବ
ମାନବତା ମନ୍ତ୍ର ଉଚ୍ଚ।ରଣରେ ଯେ
ପୃଥିବୀ ପବିତ୍ର ହେବ ।
ଆସ ଲୋ ବଉଳ ଆସ ଲୋ ମକର
ଆସ ଲୋ ଶପଥ ନେବା
ଆଲୋକିତ ହୋଇ ଆଲୋକ ବରଷି
ଜୀବନ ଧନ୍ୟ କରିବା ।