ଆସ ବୁଲିଯିବା ଜହ୍ନ ରାଇଜ
ଆସ ବୁଲିଯିବା ଜହ୍ନ ରାଇଜ
ମାଆର ଭାଇ ବାପର ଶଳା
ଆମ ସଭିଙ୍କ ମାମୁଁ ।
ଶୁଣିଛ କିବା ଏମିତି ମାମୁଁ
କାନ ଉଠିବା ଦିନୁ ।।
ଅଜାଙ୍କ ଅଜା ତାଙ୍କର ଅଜା
ତାଙ୍କର ଅଜା ପୁଣି ।
ଆଈଙ୍କ ଆଈ ତାଙ୍କର ଆଈ
ଜାଣି ରଖିଥା ମଣି ।।
ସଭିଙ୍କ ମାମୁଁ ଅଟେ ପା ସିଏ
ଗୋଠେ ତାହାର ଗାଈ ।
ସାରା ରାତିଟା ଚରି ବୁଲନ୍ତି
ରାତି ପାହିଲେ ନାହିଁ ।।
ଅଝଟ ପିଲା ଝଅଟ ଖାଏ
ମାମୁଁକୁ ଦେଖି ଦେଖି ।
ସରଗେ ଆଣି ମାମୁଁଙ୍କୁ ଆମ
ଦେଇଛି କିଏ ଯୋଖି ।।
ପକ୍ଷିଏ ଛିଡ଼େ ପକ୍ଷିଏ ବଢ଼େ
ବିଚିତ୍ର ତାର ଗତି ।
ତାହାରି ଯୋଗୁଁ ଚାନ୍ଦିନୀ ପୁଣି
ପୁନିଅଁ ଅମାରାତି ।।
ରଜନୀ କାନ୍ତ ରୋହିଣୀ ନାଥ
କେତେ ତାହାର ନାଆଁ ।
ସେ ନିଶାକର ସୁଧା ସାଗର
ଅନସୂୟା ତା' ମାଆ ।।
ଜଗତ ଯାକ ମଉଳା ସେହି
ଆମରି ଜହ୍ନ ମାମୁଁ ।
ମାମୁଁ ରାଇଜେ ଯିବି ମୁଁ ପରା
ପାଞ୍ଚିଛି କେତେ ଦିନୁ ।।
ଆସରେ ଭାଇ ଆସରେ ଭାଇ
ଶ୍ରିହରିକୋଟା ଯିବା ।
ଆମ ବିଜ୍ଞାନୀ ଡ଼ାକି ଅଛନ୍ତି
ସେଇଠି ଏକ ସଭା ।।
ଡେଣାକୁ ଝାଡ଼ି ଗରୁଡ଼ ପରି
ଆକାଶେ ଉଡ଼ି ଉଡ଼ି ।
ମାମୁଁ ଘରକୁ ଆସିବା ବୁଲି
ରକେଟ ଯାନ ଚଢ଼ି ।।