STORYMIRROR

Aparti Charan Sethi

Comedy

3  

Aparti Charan Sethi

Comedy

ଆମ ଗାଆଁ ରଙ୍ଗ ମେଲଣ

ଆମ ଗାଆଁ ରଙ୍ଗ ମେଲଣ

2 mins
6


ମେଲଣ ହେଉ କି କୀର୍ତ୍ତନ ହେଉ

   ହେଉ କିବା‌ ବାହାଘର,

ହେଉ ପୁଣି ପୂଜା କିମ୍ବା ଶବ ଯାତ୍ରା

    ମଦ ମାତ୍ର ଦରକାର।

ମଦ ପାଇଁ ଏଠି ମେଲଣ ହେଉଛି

    ମେଲଣ ପାଇଁକି ପୂଜା,

ମଦ ବିନା କିଛି କାମ ହେଉନାହିଁ

    ମଦ ସବୁପରେ‌ ରଜା। 

ସକାଳୁ ସକାଳୁ ଗାଁର ଲୋକଙ୍କୁ

    ଚିହ୍ନି ଜାଣି ହେଉନାହିଁ,

କିଏ କେତେ ରଙ୍ଗେ ରଙ୍ଗ ବୋଳିଛନ୍ତି

    ରଙ୍ଗ ମେଲଣ ଏ ଭାଇ।

ଡିଜେ‌ ବାଜୁଅଛି ବୋତଲ ଭାଙ୍ଗୁଛି

    ଭାଙ୍ଗ ବି ମରାଯାଇଛି,

ବିଭିନ୍ନ କିସମ ନାଚ ଚାଲୁଅଛି

    ମନଟା ତୋଷ ହେଉଛି।

ଛୋଟ ପିଲାଠାରୁ ବୁଢା ବୁଢିଯାଏ

    ସଭିଏଁ ତ ମସଗୁଲ୍,

ରଙ୍ଗ ପରବର‌ ମଜା ଲାଗିଅଛି‌

    ଦୁଃଖ ନାହିଁ ବିଲକୁଲ୍।

ରଙ୍ଗ ଟ୍ରଲୀ‌ ସଜା ମୁଖା ଟୋପି ପିନ୍ଧା

    ଗେଟପ୍ ଭଳିକି ଭଳି,

ଉଡୁଛି ବାସନା‌ ସ୍ପ୍ରେ ଫେଣ ସତେ

    ବରଫ ବର୍ଷାର ଝରି‌। 

ବେଲ ପଣା ସହ ଭାଙ୍ଗ ପଡ଼ିଅଛି

    ଯିଏ ଯେତେ ପିଉଅଛି,

ବରମୁଣ୍ଡା ପିନ୍ଧି ବୁଢ଼ା ନାଚୁଅଛି

    ବୋତଲ ମୁଣ୍ଡେ ଥୋଇଛି।

ରଙ୍ଗ ଖେଳୁ ଖେଳୁ ଆମ ଗାଁ ଟୁଙ୍ଗୁରୁ‌

    ଧରେ ରଙ୍ଗ ନାନୀ ହାତ,

ଗେରସ୍ତ ତାହାର ଟୁଙ୍ଗୁରୁକୁ‌ ପୁଣି

    ଚଢେଇ ଦେଲାଣି ନାତ।

ସଫଲ ଖିଆ ଏ ଉତୁପାତିଆଙ୍କ

   ଗଞ୍ଜାକଟ‌ ଚୂଳକଟା,

ବିରାଟ କୋହଲି ଭଳି ଦାଢିରଖି

   ଷ୍ଟାଇଲ ମାରନ୍ତି ଟୋକା।

ଚିକେନ ମାଉଁସ ଝୋଳ ବସିଅଛି

    ରଙ୍ଗ ଖେଳ ସରିଯାଉ‌,

ମଜା ଆସିଯିବ ଦେଶୀ ଦାରୁ ସହ

    ମିଳିମିଶି ଖାଉଖାଉ‌।

ଚାଖେଣା ବାଖେଣା ପୁଣି ମାଂସ କଷା

    ସାଙ୍ଗକୁ ପାଖରେ ବସା,

ପେଗ୍‌ ପେଗ୍‌ କରି ମାରିଚାଲୁଥିବୁ‌

    ନ ଚଢିବା ଯାଏ ନିଶା।

ଘର ଖଟ ଭାବି ରାସ୍ତାମଝିଟାରେ‌

    ମଦୁଆ ବି ଶୋଇଯାଉ‌,

କାଳିଆ କୁକୁର ଫରିଆ‌ ଟେକିକି‌

    ତା' ମୁହଁରେ ମୁତୁଥାଉ‌।

ରଙ୍ଗର ମେଲଣ ସରିଗଲେ ହେବ

    ସାର୍ଟ‌ ଚିରାଚିରି‌ କାର୍ଯ୍ୟ,

ବିଜୁଳି ଖୁଣ୍ଟରେ‌ ଚିରା ସାର୍ଟ ଟଙ୍ଗା‌

    ଇଏ ନିଆରା ମ‌ଉଜ‌।

ମୁରବୀ‌ କୁହନ୍ତି ମଦ ପିଅ‌ ପଛେ

    ଗଣ୍ଡଗୋଳ କରନାହିଁ,

ମୁଁ କିନ୍ତୁ କହେ ମଦଟି ହେଉଛି

    ଝଗଡ଼ାର ମଞ୍ଜି ଭାଇ।

ଏତିକି ବେଳକୁ ପାଟି ଶୁଭିଗଲା‌

    ଲାଗିଗଲା ସେଠି ପାଲା,

ହରିଆ ସହିତ ଶୁକୁଟା ଭାଇର

    ଲାଗିଅଛି ଠେଲା ପେଲା।

ମଦ ବୋତଲରୁ ଏ ମହାଭାରତ

    ହେଲା ମୁଥ ମରାମରି‌ 

ଚିକେନ ଝୋଳରେ‌ ରୁମଛଲା‌ କୁତି

    ମୁହଁଟା ଦେଲାଣି ମାରି।

ଫସର‌ ଫାଟିଲା‌ ରଙ୍ଗର ମେଲଣ

    ରଙ୍ଗ ପଡ଼ିଗଲା ଫିକା,

ହାତ ବାଡେଇକି ଆସି ପହଞ୍ଚିଲେ

    ସେଠି ଦୁଇଜଣ ଛକା‌।

ହାଏ ହାଏ‌ କହି ତାଳି ମାରିଦେଇ

    ମାରନ୍ତି ମୁରୁକି ହସା,

ମଦୁଆ ଟୋକାଙ୍କ ହାବୁଡ଼େ‌ ପଡ଼ିଲେ

    ହେଲେ ନାକେରା‌ ଅବସ୍ଥା।

ଇଏ ଆମ ଗାଆଁ ରଙ୍ଗ ମେଲଣର

    ଯେ ସଂକ୍ଷିପ୍ତ ବିବରଣୀ,

ଆଉ ଯେତେ ସବୁ ଅଛି କହିବାକୁ

    ଜ୍ଞାନ ମୋର ଅଣ୍ଟିବନି।

ଏତିକି କହିବି ଆମ ବେଳେ କିନ୍ତୁ

    ଏସବୁ ହେଉ ନ ଥିଲା,

ଆଜି ମାଇପିଙ୍କ ରଙ୍ଗ ଖେଳ ଦେଖି

    ଏ ନେତ୍ର ପବିତ୍ର ହେଲା।

ମିଶନ ଶକତି ଭାରି କରାମତି

    ମାନ୍ୟବର କହୁଛନ୍ତି,

ସଶକ୍ତିକରଣ ଉନ୍ନତି ହେଉଛି

    ଆସନଟା‌ ବଞ୍ଚିଅଛି।

ପୂର୍ବେ ଝିଅଟିଏ କମେଟ‌ ଖାଇଲେ

    କାନ୍ଦି‌ ଘରେ କହୁଥିଲା,

ଆଜି କିନ୍ତୁ ବେଶୀ କମେଟ‌ ପାଇଁକି

   ଫେସ୍‌ବୁକ୍ ଫଟୋ ଛାଡ଼ିଲା।

ହେଉ ହରିନାମ‌ ଅରୁଆ ଡାଲମା‌

   ଲୋକଙ୍କ ଦେଖା ନ ଥିବ,

ମଦ ମାଉଁସ ଓ ଭେଙ୍ଗଣା‌ ନାଚରେ

    ଅଦ୍ଭୁତ ଭିଡ଼ ଲାଗିବ।

  ଧନ୍ୟ ଧନ୍ୟ ଏଇ କଳିଯୁଗ,

କେବେ ଆଉ ଆମ ସଦ୍‌ବୁଦ୍ଧି ଫେରିବ

    କୁହ ପ୍ରଭୁ ବଳଦେବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy