ଆକାଶ
ଆକାଶ
ଆକାଶ ଡାକୁଛି ହାତ ଠାରି ମୋତେ
ମୋ କୋଳେ ଖେଳିବୁ ଆ'ରେ ଆ
ମୁକୁଳା ଛାତିରେ ନାଚିବୁ କୁଦିବୁ
ବଉଦରେ ବସି ଭାସିବୁ ଆ..
ମେଘ ରାଇଜକୁ ଦେଖିବୁ ତୁ ବୁଲି
ବରଷା କରିବ ତୋତେ ରେ ଗେଲ
ଛାନିଆ ହେବୁନି ଗରଜିବ ଯେବେ
ଘଡଘଡି ତାର ବଜାଇ ଢୋଲ ।
ପୂରୁବ ଆକାଶୁ ସୂରୁଯ ଉଇଁବେ
ପଶ୍ଚିମରେ ଯିବେ ଘରକୁ ଫେରି
ଏଠି ତୋତେ ଜମା ଖରା କାଟିବନି
ଦିଗ ଚଉଦିଗ ହେମାଳ ଭାରି ।
ଖୁସି ମନେ ଏଠି ପକ୍ଷୀ ଉଡୁଥିବେ
ମେଲିଦେଇ ତାଙ୍କ କଅଁଳ ଡେଣା
ଏଇଠୁ ଦେଖିବୁ ମାଟି ମାଆକୁ ତୋ
ସବୁଜିମା ଭରା ଫୁଲ ଅଗଣା ।
ସଞ୍ଜ ନଇଁଗଲେ ଅନ୍ଧାର ସାଥିରେ
ପାଦ ଗଣିଗଣି ଆସିବ ରାତି
ତାରା ଫୁଲ ସବୁ ମିଟି ମିଟି ହେବେ
ଚକମକ କରି ରାତିର ଛାତି ।
ତୁମ ରାଇଜରେ ସବୁଦିନ ସିନା
ଦେଖାଯାଏନାହିଁ ରୂପେଲି ଜହ୍ନ
ଏଠି କିନ୍ତୁ ନିତି ଦେଖିବୁ ଜହ୍ନକୁ
ଜୋଛନା ତା ନେବ କିଣି ତୋ ମନ ।
ବେଳେବେଳେ ଏଠି ଉଲ୍କା ଖସନ୍ତି
ଲାଗଇ ଯେମିତି ଖସଇ ତାରା
ତାରା ଖସିଲେତ ଖଣ୍ଡ ପ୍ରଳୟରେ
ଛାରଖାର ହେବ ଦୁନିଆ ସାରା ।
ଆକାଶ କହିଲା ଏତେ କଥା ମୋତେ,
ଯିବା ପାଇଁ ହେଲା ଉଛନ୍ନ ମନ
ତରତର ହୋଇ ସଜବାଜ ହେଲି
ଭାଙ୍ଗିଗଲା ମୋର ମିଠା ସପନ ।