ଆକାଶ କଇଁଆଁ ଚିଲିକା ମାଛ
ଆକାଶ କଇଁଆଁ ଚିଲିକା ମାଛ
ମେଘା ବର୍ଷା ଖେଳୁଥିଲେ, ଦାଣ୍ଡ ପିଣ୍ଡାରେ,
ମଜ୍ଜି ଯାଇଥିଲେ ଦୁହେଁ, ଖେଳ ଭିତରେ l
ମା ବାପାଙ୍କର ଶୁଭିଲା ପାଟି,ଘର ଭିତରେ,
କିସ ତରକାରୀ ହେବ, ଆଜି ଦିନରେ l
ମେଘା ବର୍ଷା ଧୀରକିନା ଶୁଣିଲେ,କାନ ଡେରି ,
ମାଆ କହୁଥିଲେ ଆଜି ହେବ, ମାଛ ତରକାରୀ l
କଥା ନ ସରୁଣୁ ଶ୍ରୀମତୀ, ଦେଉଛ କହି,
ପକେଟରେ ବା ମୋର, ପଇସା ନାହିଁ l
ଶୁଣିବି ନାହିଁ ମୁଁ କିଛି କଥା,ଆଜି ତୁମର,
ଝୁଲା ମୁଣା ଧରି ଆଗ, ଯାଅ ବଜାର l
ବାବୁଙ୍କ ପକେଟ, ଥିଲାତ ଖାଲି ,
ପଇସା ମୁଣିକୁ ଦେଲେ ଅଣ୍ଡାଳି l
ପାଇଲେ ମୁଣିରୁ, ଟଙ୍କା ଶହେଟି,
ଶହେ ଟଙ୍କା ଅଛି ଦେଖ ଶ୍ରୀମତୀ l
କିସ ଆଣିବି ଏବେ, କହ ତୁରିତ,
ଘଡିଏ ଭିତରେ ବଜାର ହେବଟି ଶେଷ l
ଟଙ୍କାକ ଲେଖାଏଁ ଆଣିବ ଶହେ ଜିନିଷ,
ସଉଦା ଭିତରେ ନିହାତି, ଥିବଯେ ମାଛ l
ମାଛ କଥା ଶୁଣି ପାଟିରୁ ବହିଲା ଲାଲ,
ଖାଇବେ ଦୁହେଁ ତାଙ୍କ ପ୍ରିୟ, ମାଛର ଝୋଳ l
ପାଖରେ ଥିଲାଯେ ମେଘାର, ଗେଲ୍ଳେହି ପୁଷି,
ମାଛ କଥା ଶୁଣି ସେ ଦେଲା,ମୁରୁକି ହସି l
ସଉଦା ପାଇଁକି ବାପା, ଗଲେ ବଜାର,
ଏଠି, ସେଠି ଗପି ଡେରି,ହେଲା ତାଙ୍କର l
ଯାଇକି ଦେଖିଲେ ବାବୁ, ବଜାର ଶେଷ,
ଗଛ ମୂଳେ ବସି ମାରିଲେ, ଦୀର୍ଘ ନିଶ୍ୱାସ l
ଦେଖା ହେଲା ତାର ଭାଇ,ଦନେଇ ସାଥେ,
କିବା ଚିନ୍ତାରେ ପଡିଛ କହ,ଓହୋ ସାଆନ୍ତେ l
କିବା କହିବିରେ ମୋର, ଭାଇ ଦନେଇ,
ଆସିଥିଲି ମୁହିଁ ବଜାର, କରିବା ପାଇଁ l
ଶହେ ଟଙ୍କାର ନେବି, ଶହେ ଜିନିଷ,
ସଉଦା ଭିତରେ ନିହାତି, ଥିବଯେ ମାଛ l
ବେସର ବାଟି ପ୍ରସ୍ତୁତ, ଥିବେ ଶ୍ରୀମତୀ,
କିବା ଉତ୍ତର ଦେବି ତାଙ୍କୁ, ଜାଣି ପାରୁନାହିଁଟି l
ଭାଉଜ ପାଖକୁ ତୁମେ, କହିବ ଯାଇ,
ବଜାରେ ଭେଟିଲି ମୁଁ, ଭାଇ ଦନେଇ l
ବଜାରରେ ମାଛ, ନଥିଲା ଭଲ,
ଚିଲିକାରୁ ମାଛ ଆଣିଦେବ ସଅଳ l
ଆକାଶରୁ ଆଣି, ଦେବ କଇଁଆଁ,
ସେ କଇଁଆଁ ଖାଇଲେ ତୁମେ ହେବ ବାଇଆ l
ମେଘା ବର୍ଷା ବସିଛନ୍ତି,ମାଆ ପାଖରେ,
ପୁଷି ବସି ଅଛି,ଦ୍ୱାର ମୁହଁରେ l
ଘଡିଏ ପହରେ ଦୁହେଁ ବାଟକୁ,ଦିଅନ୍ତି ଚାହିଁ,
ଏତେବେଳ ହେଲାଣି ବାପାଙ୍କ ଦେଖାତ ନାହିଁ l
ଚାହୁଁ ଚାହୁଁ ଗଡି,ଗଲାଣି ବେଳ,
ଖଟା ହୋଇଲାଣି ଦେଖ, ବେସର ଝୋଳ l
ମ୍ୟାଉଁ ମ୍ୟାଉଁ ହୋଇ, ପୁଷି କହଇ,
ମାଛ କଣ୍ଟା ଆଜି, ଭାଗ୍ୟରେ ନାହିଁ l
ବାପା ଆସିଗଲେ, ସାଇକେଲ ଚଢି,
ଛୁଆ ଦୁହେଁ ତାଙ୍କ ପାଖେ, ଗଲେ ଦଉଡି l
ନସର ପସର ହୋଇ, ଶଂଖୀ ବିଲେଇ,
ଶୁଂଘିଲା ସେ, ମାଛର ଗନ୍ଧ, କାହିଁରେ ନାହିଁ l
ଯାହା କହିଥିଲା ଦନେଇ ଭାଇ,
ଗୋଟି ଗୋଟି କଥା ଦେଲା ଫିଟାଇ l
ଦେଖୁ ଦେଖୁ ବିତିଗଲା ବରଷ,
ଦେଖାନାହିଁ ଦନେଇ ର ଚିଲିକା ମାଛ l
କାନ ମୋଡି ହେଲା ଶଂଖୀ ବିଲେଇ,
ଆଜିଠୁ ମାଛକୁ କେବେ ଛୁଇଁବି ନାହିଁ l
ଛୁଆଙ୍କ ସାଥେ ଶପଥ, କଲେ ଶ୍ରୀମତୀ,
ଭୁଲ ସୁଧାରିବାକୁ, ଅଛି ତୁମ ଶକତି l
ଆକାଶରୁ କଇଁଆଁ ଯେବେ ତୁମେ ଆଣିବ,
ସେଦିନ ଚିଲିକା ମାଛ ରୋଷେଇ ହେବ l
