STORYMIRROR

Prasanta Kumar pradhan

Tragedy Others

4  

Prasanta Kumar pradhan

Tragedy Others

ଆଜିର ସମାଜ

ଆଜିର ସମାଜ

1 min
198


ବିହି ସରଂଚନା କେତେଯେ ବିଚିତ୍ର

     ବର୍ଣିବାକୁ ନାହିଁ ଭାଷା

 ବନ ନଦୀ ନଦ ସଜୀବ ନିର୍ଜୀବ

     ଯଥା ସ୍ଥାନେ ସାଜ ସାଜା......(୧)


ସଜୀବରେ ଶ୍ରେଷ୍ଠ ମାନବ ସମାଜ

    ବିସ୍ତାରିଛି ତାର କାୟା

 ନିଜ ନାମେ ସଦା ଉଦାଉଛି ଧ୍ଵଜା

    ମାୟା ଖେଳେ ହୋଇ ବାୟା......(୨)


ସୁଖ ସୁବିଧାକୁ ଆବୋରି ରଖିଛି

       ନିଜ ଜ୍ଞାନ ବୁଦ୍ଧି ବଳେ

 ଜ୍ୟୋତି ମୁକ୍ତି ଦାତା ବିଶ୍ୱବିଧତାଙ୍କୁ

        ନ ମାନଇ ଅବା ତିଳେ......(୩)


ଜ୍ଞାନୀ ବୋଲି ନିଜେ ନିଜକୁ ବୋଲାଇ

       କହେ କେତେ ଜ୍ଞାନ କଥା

ସ୍ବାର୍ଥ ମୋହ ପଥେ ଅବିବେକୀ ସାଜେ

       ହଜେ ବିବେକର ସତ୍ତା ......(୪)


କର୍ତ୍ତବ୍ୟ କୁ ଡରି ସ୍ବାର୍ଥ ମୋହେ ପଡ଼ି  

      ହୁଏ ଆତ୍ମ ଜ୍ଞାନ କ୍ଷୟ

 କାମାତୁର ହୋଇ କାପୁରୁଷ ସମସମ

       କରେ ମିଛ ଅଭିନୟ ......(୫)


ଅଭିନୟ ଗୁଣେ ପ୍ରାରବ୍ଧ ଯେ ଲେଖେ

       କର୍ମ ରୂପେ ତାହା ଗଣା

 କର୍ମରୁ ପ୍ରାରବ୍ଧ ପ୍ରାରବ୍ଧରୁ ଭୋଗ

        ନାହିଁ ତାକୁ ଆଉ ଜଣା......(୬)


 ବିଳାସ ବ୍ୟସନେ ବିତେ ନିଶି ଦିନ

        ନାହିଁ ଆଧ୍ୟାତ୍ମିକ ଚିନ୍ତ

 ସଦ୍ ଜ୍ଞାନ ଅଭାବେ ଇନ୍ଦ୍ରିୟ ପ୍ରଭାବେ

        ମୋହ ଭରା ହୁଏ ଚିତ୍ତ......(୭)


ଯୁଗ ଥିଲା ସତ୍ୟ ,ତ୍ରେତୟା, ଦ୍ଵାପର

        ଥିଲା ସତ୍ୟ ସଦାଚାର

ଆଚରଣେ ଅବା ଉଚ୍ଚାରଣେ ଥିଲା

        ସତ୍ୟ ନିଷ୍ଠା ନିର୍ବିକାର......(୮)


ଥିଲେ ବାପା ତଥା ଜେଜେ ବାପା ଅଜା

       ପୂରୁବ ପୁରୁଷ ଗଣ

 ପଢ଼ି ଭାଗବତ ଗୀତା ଉପଦେଶ

        ପାଉଥିଲେ ସଦ ଜ୍ଞାନ ......(୯)


 ଗୀତାର ସାରଣୀ ଶ୍ରୀ କୃଷ୍ଣଙ୍କ ବାଣୀ

       ମଧୁ ଝରା ଉପଦେଶ

ଯେଉଁ ବାଣୀ ଶୁଣି ମୁକ୍ତି ମିଳେ ପୁଣି

      ଶୁଦ୍ଧ ପୂତ ହୁଏ ଚିତ୍ତ......(୧୦)


 ନାହିଁ ସେହି ଦିନ ସଂସ୍କାରିତ ଗୁଣ

       ଭାବ ଭକ୍ତି ଭରା ମନ

 ଅଛି ସେହି ଗୀତା ଭଗବତ କଥା

      ପଠନରେ ନାହିଁ ଧ୍ୟାନ......(୧୧)


ସମୟ କ୍ରମେ ସେ ପୂଜାପାଠ ଘରେ 

      ହେଲା ତାହା ସୁଶୋଭିତ

 ନ ହୋଇ ପଠନ ଜ୍ଞାନର ସଂକୀର୍ଣ୍ଣ 

       ଦିବ୍ୟ ସତ୍ଵ ଜ୍ଞାନ ଲୁପ୍ତ......(୧୨)


  ସୁଖ ପଥେ ଚାଲି କର୍ତ୍ତବ୍ୟ କୁ ଭୁଲି 

       ପ୍ରିୟ ହେଲା ମୋହ ସ୍ବାର୍ଥ

ଅଧ୍ୟାୟେ ଅଧ୍ୟାୟେ ଦେଖିଲେ ଶିଖିଲେ

       ଭୁଲି ନୀତି ଶାସ୍ତ୍ର ପଥ......(୧୩)


 ଧରମ ର ସଂଜ୍ଞା ପୂଜା ପାଠ ବୋଲି

       ବୁଝିଲେଣି ଏହି ଲୋକେ

କର୍ମର ଶୁଦ୍ଧତା ନିଜ କର୍ତ୍ତବ୍ୟତା

       ନାହିଁ ଆଉ କାହା ପାଖେ......(୧୪)


 ନୀତି ନୈତିକତା ପୋଡ଼ି ହଜିଗଲା

        ଜାତ ହେଲା ପାଶବିକ

ମୋହ କାମନାରେ ବୁଡ଼ିଗଲା ମତି

        ହଜିଗଲା ମାନବିକ......(୧୫)


 ଏଭଳି ହୋଇଲେ ମାନବ ସମାଜ

     ନଷ୍ଟ ହେବ ସୁନିଶ୍ଚିତ

 ପଶୁ ପକ୍ଷୀ ସମ ହଜିଯିବ ଜ୍ଞାନ

      ଶାନ୍ତି ନ ଲଭିବ ଚିତ୍ତ.....(୧୬)


 ଏଣୁ ହେ ମାନବ ଚିନ୍ତା କଳ୍ପେ ତୁମ

     ନମ ଶ୍ରୀଚରଣ ବିନ୍ଦେ   

ଲାଗିବ ଯେ ଶାନ୍ତି ମିଳିବ ଯେ ମୁକ୍ତି

     ଧ୍ୟାଇଲେ ପୂଜିଲେ ଚିତ୍ତେ.......(୧୭)

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Prasanta Kumar pradhan

Similar oriya poem from Tragedy