ଆଜିକାଲି ଆଉ ନାହିଁ ସେ ଭାବ
ଆଜିକାଲି ଆଉ ନାହିଁ ସେ ଭାବ
ଦୁଇ ପାଦ ଆଗକୁ ଆଗେଇବା ପାଇଁ
ସମସ୍ତେ ତ ତରତର ବ୍ୟସ୍ତ ବିବ୍ରତ
କଥା କାହାର ଶୁଣିବାକୁ ଧୈର୍ଯ୍ୟର ସହ
ସମୟ ହୁଏ ଏକଦମ୍ ଅକୁଳାଣ
ବଜାରର ପଣ୍ୟଦ୍ରବ୍ୟ ପରି ହୁଏ ସବୁ ମହଙ୍ଗା
ମାପିଚୁପି କିଣାହୁଏ ବ୍ୟକ୍ତିତ୍ବ ମାନସିକତା
ସଂପର୍କ ବି ବନ୍ଧା ହୁଏ ସେମିତି ମୂଲଚାଲରେ
ଫାଇଦା ଯେଉଁଠି କିଛି ବି ନାହିଁ
ସେ ଆଡ଼କୁ ମନ ଜମାରୁ ହୁଏନି ଆକର୍ଷିତ
ବିଶ୍ବାସ ଭରସାରେ ପଡି଼ଯାଏ ଫାଟ
ବାଦଲ ଛାଇଗଲା ପରି ଆକାଶର ବୁକୁ
ଭାବନାରେ ଭରିଯାଏ ଶଙ୍କା ସନ୍ଦେହ
ଆଜିକାଲି ଆଉ ନାହିଁ ସେ ଭାବ
କାହାକୁ ପ୍ରତିଶ୍ରୁତି ଦେଇ ପୂରଣ ନ କରିବା
ହୋଇ ଗଲାଣି ଏକ ପ୍ରକାର ଦେହସୁହା
ଜିଭ ଅଗରେ ହଁ ଭରି ଖୁସି ଦେବା
କାମ ନକରି ଏଡି଼ଯିବା ବାହାନା ଦେଖାଇ
ଅଭିନୟରେ ଅଭ୍ୟସ୍ତ ଅଧିକାଂଶ ଲୋକ
ପ୍ରତିଦ୍ବନ୍ଦିତାରେ ଅଣନିଃଶ୍ଵାସୀ କ୍ଳାନ୍ତ
ଐଶ୍ଵର୍ଯ୍ୟ ପ୍ରାଚୁର୍ଯ୍ୟରେ ଖୋଜା ହୁଏ ଶାନ୍ତି
ଶସ୍ତା ଜନପ୍ରିୟତାର ପ୍ରତିଷ୍ଠା ପ୍ରତିପତ୍ତି
ଭସାଇ ନିଏ ପତ୍ର ପରି ସୁଅ ମୁହଁକୁ
ଆତ୍ମ ସଂଯମତା ଆତ୍ମ ନିୟନ୍ତ୍ରଣ ହରାଇ
ଭୁଲିଯାଏ ମଣିଷ ସ୍ଵାଭିମାନ ସ୍ବତନ୍ତ୍ରତା
ଦାୟିତ୍ବ କର୍ତ୍ତବ୍ୟ ହୁଏ ବାଚ଼ନିକ ଇସ୍ତାହାର
ସତ୍ୟ ଦୟା କ୍ଷମା ମହନୀୟ ଗୁଣ
ହୃଦୟରୁ କ୍ରମାଗତ ହୋଇ ଚାଲେ ଅବକ୍ଷୟ
ସରଳ ଉଦାର ସ୍ଵଭାବ ରହେ ନାହିଁ
ଚିତ୍ର ଚରିତ୍ର ଲାଗେ ନାହିଁ ଅନାବିଳ ପବିତ୍ର
ଚିରନ୍ତନ ଶାଶ୍ଵତ ବିଚାରଧାରା ହୁଏ ହତ
ଆଧ୍ୟାତ୍ମିକ ଜ୍ଞାନ ଗାରିମା ହୁଏ ବ୍ୟବସାୟିକ
ଆଜିକାଲି ଆଉ ନାହିଁ ସେ ଭାବ।
