STORYMIRROR

Sarojini Mishra

Tragedy

3  

Sarojini Mishra

Tragedy

ଆହତ ଚଢେଇ

ଆହତ ଚଢେଇ

1 min
204

ଡେଣା ଝାଡି ଝାଡି ଗୀତ ଗାଇ ଗାଇ

ଆକାଶେ ମୁଁ ଉଡୁ ଥିଲି

ସ୍ଵାଧୀନତା ମୋର ଅନ୍ତରରେ ଥିଲା

ଜୀବନ ମୁଁ ଜୀଉଁଥିଲି ।


ନୀଳ ଆକାଶର ନୀଳିମାରେ ହଜି

ଖୁସି ମୁଁ ସାଉଁଟୁ ଥିଲି

ଟିକି ନୀଡ଼େ ମୁହିଁ ଟିକି ଆଶା ମଧ୍ୟେ

ଆନନ୍ଦରେ ବଞ୍ଚୁଥିଲି ।


ନୀଳ ଆକାଶର ନୀଳିମା ଗାଧୁଆ

ସବୁଜିମାର ସମ୍ଭାର

ସବୁ କିଛି ମଧ୍ୟେ ମୁଗ୍ଧ ଥିଲି ମୁହିଁ

ଶୁଭୁଥିଲା ଶାନ୍ତି ସ୍ଵର ।


ଇନ୍ଦ୍ରଧନୁ ରଙ୍ଗେ ବିଭୋର ହୋଇ ମୁଁ

ସୀମାରେଖା ଭୁଲି ଗଲି

ସୁନା ପଞ୍ଜୁରୀର ମୋହରେ ପଡ଼ି ମୁଁ

ନିଜକୁ ପାଶୋରି ଦେଲି ।


ସୁନା ପଞ୍ଜୁରୀର ଆକର୍ଷଣେ ମୁଁ ଯେ 

ସ୍ଵାଧୀନତା ହଜାଇଲି

ଯେବେ ତୁମ ହାତେ ହାତ ରଖି ମୁଁ ଯେ

ତୁମ ଘରେ ପାଦ ଦେଲି ।


ସୁନା ପଞ୍ଜୁରୀ ରେ ରହିଲି ସିନା ମୁଁ

ଆତ୍ମସତ୍ତା ହରାଇଲି

ସ୍ୱାଧୀନତା ସ୍ଵାଦ ପାଇବା ପାଇଁ ମୁଁ

କେତେ ଯେ ନିଉନ ହେଲି ।


ଖୋଲା ଆକାଶର ନୀଳିମା ଖୋଜି ମୁଁ

ଆହତ ମୁଁ ହେଉଥିଲି

ପ୍ରେମ ପଞ୍ଚୁରୀରେ ପ୍ରେମ ଖୋଜୁ ଖୋଜୁ

ଆହତ ମୁଁ ଯେ ହୋଇଲି ।


ପ୍ରେମ ଭାବି ମୋର ନୀଡ଼ ଛାଡିଥିଲି

ଆପଣା ଜନେ ଭୁଲିଲି 

ଆକର୍ଷଣକୁ ମୁଁ ପ୍ରେମ ମନେକରି

କେତେ ବଡ ଭୁଲ୍‌ କଲି ।


ଭାବ ବୁଝାଇବା ପ୍ରୟାସ କରିଲି

ତୁମେ ତ ବୁଝିଲ ନାହିଁ

ଡେଣା କାଟି ଦେଇ ପଞ୍ଜୁରୀ ଖୋଲିଲେ

କିପରି ଉଡିବି ମୁହିଁ ।


ଜୀବନ ଯନ୍ତ୍ରଣା ଚିର ସାଥୀ ହେଲା

ହୃଦେ ଅକୁହା ବେଦନା

କାହାକୁ କହିବି ଛାତି ତଳ ବ୍ୟଥା

ମୁଁ ଯେ ଆହତ ଚଢେଇ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy