ଆଦିମ
ଆଦିମ
ଯା' ଭୋଗିଯା ନିଜକୁ
ମୁକ୍ତ ହୋଇଯା, ନିଜେ ନିଜେ
ଯେମିତି ମୁକ୍ତ ଥିଲୁ
ମାଆ ପେଟରୁ
ମାଟି ଦେଖିଲା ବେଳକୁ ।
ଖୋଲିଦେ ଆଭରଣ ସବୁ
ଆଉଟା ଖରା ରଙ୍ଗର ଦେହରୁ
ହଟେଇଦେ - ସୁନାଜରି, ପାଟପିତାମ୍ବରୀ
ଭୋଗିଯା, ଭୋକକୁ- ଭୂଗୋଳକୁ
ଦେହକୁ - ଦେହର ଦାହକୁ ।
ଅନେକ ଯୁଗ ମୁକ୍ତ ଥିଲୁ
ଖୋଲାବୁଲୁଥିଲୁ,
ଜଂଗଲରେ ଘୁରି ଘୁରି
ପତ୍ର ଆଉ ବଳ୍କଳରେ
ଦେହ ଢାଙ୍କୁ ଥିଲୁ ,
କିଏ ତୋତେ ପିନ୍ଧାଇଲା
ମର୍ଯ୍ୟାଦାର ନକଲି ଗହଣା
ଢାଙ୍କିଦେଇ ଲାଜର ଓଢଣା
ନିତି ନିତି ବତାଇଲା
ମୃତ୍ୟୁ ର ଠିକଣା
ମୁକ୍ତ ମନ ହେଲା ବାଟ ବଣା ।
ଏ ସବୁ ସଭ୍ୟତାର ସ୍ବେଚ୍ଛାଚାରୀ ଖେଳ
ସ୍ବାଧାନତାର ନିବୁଜ ଶୃଙ୍ଖଳ ,
ଯା, ଚ୍ଛିନ୍ନ କର -
ତୋ ପାଇଁ ବନ୍ଦ୍ ଥିବା
ସୂରୁଜର ସ୍ବର୍ଣ୍ଣାଭ କିରଣ
ଆଉ ଅପହୃତ ସବୁଜ ସକାଳ ।
ଯା, - ମହାମୁକ୍ତିର ସ୍ବାଦ ଚାଖ୍ ଆଉ ଥରେ
ଯେମିତି - ଫୁଲଟିଏ ଖିଲିଖିଲି ହସେ ପବନରେ
ଯେମିତି ଝରଣାଟି ଗୀତ ଗାଏ
ପାହାଡ ଛାତିରେ,
ଯା, - ଆଉ ଥରେ ମୁକ୍ତ ହୋଇଯା -
ଭ୍ରମରର ବାହୁ ବେଷ୍ଟନୀ ରେ
ଯେମିତି ଥିଲୁ ଆଦ୍ୟ ସର୍ଜନାର
ପ୍ରଥମ ସକାଳେ ।
ଭକ୍ତ ଚରଣ ମଲ୍ଲ