ଆଧୁନିକ ନାରୀ
ଆଧୁନିକ ନାରୀ
ଢିଙ୍କିଶାଳ ଯେବେ
ଢେଙ୍କାନାଳ ଗଲା
ଚୂଲି ଗଲା ଚନ୍ଦ୍ରପୃଷ୍ଠ ,
ମଙ୍ଗଳ ଗ୍ରହରେ
ମଙ୍ଗଳା ପୂଜିକି
ବୋଲାଇଲା ନାରୀ ଶ୍ରେଷ୍ଠ ।
ଆଧୁନିକ ନାରୀ
ଭାରି ତରତରି
ଆଗ ପରି ନୁହେଁ ମଠ,
ହେଲାଣି ଚତୁରୀ
କଲାଣି ଚାକିରି
ପଢ଼ି ଲାଣି ବେଦ ପାଠ ।
ଚାରି ଯୁଗ ପରି
ଚାରି କାନ୍ଥେ ରହି
ସାଜୁ ନାହିଁ ଗୃହ ଗୃହିଣୀ ,
ପବନରେ ଉଡ଼ି
ପାଣିରେ ପହଁରି
ସାଜିଲାଣି ବିଶ୍ୱ ବିଜ୍ଞାନୀ ।
ଅବଳା ଦୁର୍ବଳା
ହେଲାଣି ସବଳାି
କରିଲାଣି ଦେଶ ରକ୍ଷା ,
ନାରୀ ନାରାୟଣି
ଦୁର୍ଗତିନାଶିନୀ
ଦିଏ, ଦେଶ ଗଠନର ଶିକ୍ଷା ।
ପାର୍ବତୀ ହେଇ
ପର୍ବତ ଚଢ଼େ
ଦୁର୍ଗା ରୂପେ ଭାଙ୍ଗେ ଦୁର୍ଗ ,
ସ୍ବୟଂସିଦ୍ଧା ହେଇ
ସ୍ବୟଂ ରକ୍ଷା କରେ
ନର୍କକୁ ବନାଏ ସ୍ବର୍ଗ ।
ଭୁଲେ ନାହିଁ କିନ୍ତୁ
ମାଆ ଓ ମମତା
ଜଠରେ ସନ୍ତାନ କାନ୍ଦେ ,
କର୍ତ୍ତବ୍ୟରେ ହେଳା
ନକରି ସରଳା
ଜଟରେ ଦୁ୍ଃଖକୁ ବାନ୍ଧେ ।
ଉଷା ଆଗମନେ
ଅଧିରା ତଟିନୀ
ମଧ୍ୟାହ୍ନରେ ଛାୟା ସାଜେ ,
ସଂହାର କାରିଣି
ଚିତ୍ତ ବିନୋଦିନି
ସାୟାହ୍ନରେ ମାୟା ରଚେ ।
ଅନ୍ଧାରକୁ ଯଦି
ଅନ୍ଧ ଚିହ୍ନି ପାରେ
ସେ କିଆଁ ଅନ୍ଧୁଣୀ ସାଜିବ ,
କୋମଳ କମଳ
ପାଇ ସୂର୍ଯ୍ୟ ବଳ
ପଙ୍କରୁ ଜୀବନ ଖୋଜିବ ।
ଆଧୁନିକ ନାରୀ
ନୁହେଁ କା'ର ଅରି
ଅର୍ଦ୍ଧାଙ୍ଗିନୀ ଅଧା ସଂସାରୀ ,
ଧର୍ମରେ କର୍ମରେ
ମନ ଓ ଚର୍ମରେ
ଏଠି ସେଠି ସର୍ବ ବିହାରୀ ।
ସିଏ ଆଧୁନିକା
ଲଢ଼ି ପାରେ ଏକା
ଜୀବନ ଯୁଦ୍ଧର ପ୍ରାଙ୍ଗଣେ ,
ଜାଳି ପାରେ ଜୁଇ
ବାନ୍ଧି ପାରେ ଘାଇ
ରଚି ପାରେ କୀର୍ତ୍ତି ଠେଙ୍ଗଣେ ।