ଆଡ଼ପ ମଣ୍ଡପ
ଆଡ଼ପ ମଣ୍ଡପ
(ଚୋଖି)
ଇନ୍ଦ୍ରଦ୍ୟୁମ୍ନ ସ୍ୱପ୍ନ ଦେଖି ବ୍ୟାକୁଳ ଚିତ୍ତେ କୁହନ୍ତି
କାହିଁଛନ୍ତି ପ୍ରଭୁଙ୍କୁ ମୋ କର ହେ ଠାବ,
ବିଦ୍ୟାପତିଙ୍କୁ ଆଦେଶ ଖୋଜିଲେ ସେ ରାଜ୍ୟ ଦେଶ
ସବର ରାଜକନ୍ୟା ଲଳିତା ଭାବ,
କପଟେ ଜାଣିଲେ ଗୁପତ,
ବିଶ୍ଵାବସୁ ପୂଜୁଥିଲେ ଭକ୍ତି ରସେ ତ।
ବାଞ୍ଛିତ ଆଶା ଦର୍ଶନ ଅନ୍ଧପୁଟୁଳି ବାନ୍ଧିଣ
ଅଗନା ଅଗନି ବନ ନୀଳକନ୍ଦରେ,
ସୋରିଷକୁ ବୁଣି ବୁଣି ପଥକୁ ପାରିଲେ ଜାଣି
ନୀଳ ମାଧବଙ୍କୁ ଗୁପ୍ତେ ହରଣ କଲେ,
ବିଶ୍ଵାବସୁ ହେଲେ ପାଗଳ,
ବିରହୀ ଲଳିତା ଝୁରି ହାରିଲା ଥଳ ।
ଶଙ୍ଖ ଚକ୍ର ଗଦା ପଦ୍ମ ଭାସି ଆସି ଦାରୁବ୍ରହ୍ମ
ମହୋଦଧି ବାଙ୍କୀ ତଟେ ଦେଲେ ଦର୍ଶନ,
ଇନ୍ଦ୍ରଦ୍ୟୁମ୍ନ ସ୍ୱପ୍ନାଦେଶ ଗଢି ମୂର୍ତ୍ତି କର ତୋଷ
ମନ୍ଦିରରେ ବିଗ୍ରହଙ୍କୁ କର ସ୍ଥାପନ,
ଭକ୍ତି ଭରେ ମନ ଚଞ୍ଚଳ,
ଯଥାଶୀଘ୍ର ବିନ୍ଧାଣୀଙ୍କୁ କଲେ ହକାର।
କାହୁଁ କାହୁଁ ଗଲେ ଏଡି ସ୍ପର୍ଶ ନ କରେ କୁରାଢୀ
ବିଗ୍ରହ ନିର୍ମାଣ ହେବ କେଉଁ ପ୍ରକାର,
ହଟ ସୁକୁଟିଆ ହରି ନିଜେ ନିଜ ସୃଷ୍ଟି କାରି
ଅନନ୍ତ ବଢେଇ ରୂପେ ହେଲେ ହାଜର,
ଅସମର୍ଥ ସେ ଜରାଜୀର୍ଣ୍ଣ,
ନିରୂପାୟ ହୋଇ ରାଜା ଆଜ୍ଞା ଦେଇଣ ।
ଏକୋଇଶି ଦିନ ଅନ୍ତେ ଶଦ୍ଦ କିଛି ନ ଶୁଭନ୍ତେ
ଗୁଣ୍ଡିଚା ରାଣୀ ମନ ହେଲା ବ୍ୟଥିତ,
ବାରଣକୁ ଦେଲେ ଟାଳି ଗୃହ କବାଟକୁ ଖୋଲି
ଅର୍ଦ୍ଧ ନିର୍ମିତ ମୂର୍ତ୍ତି ଦେଖି ଦୁଃଖିତ,
ଅନନ୍ତ ହେଲେ ଅନ୍ତର୍ଦ୍ଧାନ,
ଇନ୍ଦ୍ରଦ୍ୟୁମ୍ନ ଶ୍ରୀଗୁଣ୍ଡିଚା ଗଲେ ଶରଣ।
ଜନ୍ମବେଦୀ ସେହି ସ୍ଥାନ ଆଡ଼ପ ମଣ୍ଡପ ଜାଣ
ଗୁଣ୍ଡିଚା ମନ୍ଦିର ସେଠି ହେଲା ନିର୍ମାଣ,
ବିଗ୍ରହ ହେଲେ ସ୍ଥାପନ ବ୍ରହ୍ମା କଲେ ବେଦ ଗାନ
ବ୍ରହ୍ମଲୋକୁ ଇନ୍ଦ୍ରଦ୍ୟୁମ୍ନ ଆଣିଲେ ପୁଣ,
ସେହି ଆମ ଜଗତ ନାଥ,
ଶ୍ରୀମନ୍ଦିର କର୍ମ ଭୂଇଁ ଜନ୍ମ ଆଡ଼ପ ।
ସନ୍ଧ୍ୟା କାଳିନ ଦର୍ଶନ ଆଡପେ ଚକାନୟନ
ପବିତ୍ର ହୁଅଇ ମନ ପାପ ମୋଚନ,
ଦୀପଟିଏ ଦେଲେ ଜାଳି ଭକତି ପ୍ରେମରେ ଭାଳି
ଯୋନି ଜନ୍ମରୁ ମୁକତି ଲଭଇ ଜାଣ,
ଜନ୍ମବେଦୀ ମହାତ୍ମ୍ୟ ଏହି,
ବରଷକେ ଥରେ ପ୍ରଭୁ ଆସନ୍ତି ତହିଁ।
ରତ୍ନ ମଣ୍ଡପୁ ବାହାରି ଆଡ଼ପ ମଣ୍ଡପେ ହରି
କଥା ଦେଇଥିବା କଥା ସତ କରିଲେ,
ଗୁଣ୍ଡିଚା ମାଉସୀ ମନ ସ୍ନେହ ଶ୍ରଦ୍ଧାରେ ଉଚ୍ଛନ୍ନ
ପୋଡପିଠା ଖାଇବାକୁ ଯତ୍ନେ ବାଢିଲେ,
ଭାଇ ଭଉଣୀଙ୍କ ସଙ୍ଗତେ,
ନବଯାତ୍ରା ଶେଷ କଲେ ଆନନ୍ଦ ଚିତ୍ତେ।
ଦଶ ଅବତାର ଧରି ଯୁଗେ ଯୁଗେ ଲୀଳା କରି
କଳିଯୁଗେ ଜଗନ୍ନାଥ ଶ୍ରୀକ୍ଷେତ୍ର ମଣି,
ସର୍ବ ଅର୍ଦ୍ଧାଙ୍ଗେ ପୁର୍ଣ୍ଣାଙ୍ଗ ସୁନ୍ଦର ତା କଳାରଙ୍ଗ
ଆକର୍ଷଣ ଅପଲକ ନୟନ ଠାଣି,
ଦାରୁବ୍ରହ୍ମ ସ୍ୱୟଂ ସମ୍ଭୁତ,
ବିଜେ କରିଛନ୍ତି ରଥେ ତ୍ରୈଲୋକ୍ୟ ନାଥ ।
