ରଥଯାତ୍ରା
ରଥଯାତ୍ରା
ଭକ୍ତର ଭକତି ଯୁଗେ ଯୁଗେ ଖ୍ୟାତି
ଭକ୍ତ ବତ୍ସଳ ଶ୍ରୀହରି
ରଥ ପଥ ସଜ ଦୁଲୁକାଇ ଦାଣ୍ଡ
କୋଟି ଭକ୍ତଙ୍କ ଗହଳି।
ଆଷାଢ଼ ମାସରେ ଦ୍ବିତୀୟା ତିଥିରେ
ଶୁକ୍ଳ ପକ୍ଷେ ରଥଯାତ୍ରା
ଆଗେ ବଳଭଦ୍ର ପଛେ ଜଗନ୍ନାଥ
ମଝିରେ ଗେଲ୍ଲି ସୁଭଦ୍ରା।
ଶଙ୍ଖ ହୁଳହୁଳି ପଡଇ ଉଛୁଳି
ଡାହୁକ ଡାକରା ହୁରି
ଗୁଣ୍ଡିଚା ମାଉସୀ ଚାତକେ ଚାହୁଁଛି
ରଥ ଗଡେ ଥିରି ଥିରି।
ନନ୍ଦିଘୋଷ ରଥେ କାଳିଆ ସାଆନ୍ତେ
ଦେବ ଦଳନେ ସୁଭଦ୍ରା
ତାଳଧ୍ଵଜେ ପ୍ରଭୁ ବଡ଼ ଠାକୁର
ବଡ଼ଦାଣ୍ଡ ମନଲୋଭା।
ମାଉସୀ ମାଆର ଆଦର ଯତନ
ଖାଇ ସ୍ବାଦ ପୋଡପିଠା
ଆନନ୍ଦ ମନରେ ସୁଖେ ନିଦ୍ରା ଗଲେ
ମନେ ନାହିଁ ଲକ୍ଷ୍ମୀ କଥା।
ଲେଉଟିଆ ପୁନେ ପ୍ରଭୁ ଦେଇଥିଲେ
କରୁଥିବେ ଟି ରନ୍ଧନ
ଚାହିଁ ଚାହିଁ ଲକ୍ଷ୍ମୀ ନ ଆସିବା ଦେଖି
ରୋଷେ ହେଲେ ଭଣଭଣ।
ହେରା ପଞ୍ଚମୀ ରେ ଆଉ ନ ସହିଲେ
ମନ୍ଦିରୁ ବାହାରି ଗଲେ
ଭଉଣୀକୁ ସାଥେ ନେଲ କେଉଁ ଅର୍ଥେ
ରାଗେ ରଥ ଭାଙ୍ଗି ଦେଲେ।
ନଅ ଦିନ ରହଣି ବାହୁଡ଼ା ରେ ଫେରି
ବଡଦାଣ୍ଡେ ସୁନାବେଶ
ନିଳାନ୍ଦ୍ରି ବିଜେ ଭେଟ ମଣ୍ଡପରେ
ନୟନ ମିଳନ ଶେଷ।
ଶ୍ରୀକ୍ଷେତ୍ର ଘରଣୀ ମନ୍ଦିର ବାରଣୀ
ପ୍ରବେଶ ଦ୍ଵାର ଓଗାଳି
କମଳ ଲୋଚନ ପଡଇ ମଳିନ
ଲାଜରେ ମୁଖ ଝାଉଁଳି।
ଲକ୍ଷ୍ମୀ ନାରାୟଣ ମାନ ଅଭିମାନ
ମାନବୀୟ ଲୀଳା ଖେଳା
ଅତି ଶରଧାରେ ବୁଝାଇଲେ ଧିରେ
ଖୁଆଇଲେ ରସଗୋଲା।
ତେର ପରବରେ ବିଧିବିଧାନ ରେ
ନିଯୋଗ ସେବକ ମାନେ
ତା ପାଇଁ ଐଶ୍ୱର୍ଯ୍ୟ ଭୋଗ ରହିଥାଏ
ନାହିଁ ଏମିତି ଠାକୁର।
ଆଜି ସେହି ନିତି ସେବକ କରନ୍ତି
ନାହିଁ ଗହଳ ଚହଳ
ଭକ୍ତ ବିହୁନେ କିପରି କାଳିଆ
ବସିବୁ ରଥ ଉପର।
ଏହା କେଉଁ ଲୀଳା କହରେ କାଳିଆ
ଲୁଚାଇଛୁ ଗୂଢ ତତ୍ତ୍ଵ
କିବା ମନୋଭାବ ବୁଝିଲୁ ସମସ୍ତ
ଧର୍ମ ହଜିଛି ଜଗତ।
କହୁଅଛୁ ଠାରି ଦେଖାଣିଆ ଛାଡି
ହୃଦୟ ନୟନ ଖୋଲି
ଭକ୍ତି ଅଶ୍ରୁ ଢାଳି ସମର୍ପଣ କରି
ଅଛି ମୁଁ ସବୁଠି ପୁରି।
ଯେ ରୂପେ ଖୋଜଇ ସେ ରୂପେ ମିଳଇ
ଭାବରେ ଥାଏ ତାହାରି
ଭକ୍ତି ହୀନ ଭାବ ଚାରି ଧାମ ତୁଛ
ସ୍ତମ୍ଭରୁ ଥିଲି ବାହାରି ।
