Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ପେଟୁ
ପେଟୁ
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୨

Classics

3 Minutes   7.7K    23


Content Ranking

କାଲି ସରଯୁ ମାଉସୀଟା ଚାଲିଗଲା। ଦାହସଂସ୍କାର ପରଠୁ ପେଟୁର ବି ଦେଖା ନାହିଁ। ସରଯୁ ମାଉସୀ ଆଉ ପେଟୁର ସମ୍ପର୍କଟା ମା’ପୁଅଠୁ ବଳିକି। ଗାଁରେ ସମସ୍ତଙ୍କ ପାଇଁ ଏକ ବହୁତ ବଡ଼ ଉଦାହରଣ ସ୍ନେହ ଆଉ ଅନାବିଳ ପ୍ରେମର।

ଓଡ଼ିଶାର ଉପକୂଳବର୍ତ୍ତୀ ଏକ ତଳିଆ ଗାଁ। ଅଧାରୁ ଅଧିକ ଗ୍ରାମବାସୀ ନୋଳିଆ, ସମୁଦ୍ରରୁ ମାଛମାରି ପେଟ ପୋଷନ୍ତି। ସେଇ ଗାଁ ଚାହାଳିର ପ୍ରଧାନ ଶିକ୍ଷକ ଶଶୀଧର ମିଶ୍ର ନିଜ ପତ୍ନୀ ସରଯୁ ସହ ରହୁଥିଲେ। ଠାକୁରେ ସରଯୁମାଉସୀ କୋଳକୁ ଛୁଆଟିଏ ଦେଇନଥିଲେ ସିନା, ହେଲେ ମାଉସୀ ସାହିପଡ଼ିଶାର ସବୁ ଛୁଆଙ୍କୁ ନିଜର ଭଳି ସ୍ନେହ କରେ। ନିଜର ସ୍ୱଳ୍ପ ସମ୍ବଳରେ ଦୁଇପ୍ରାଣୀ ସୁଖେଦୁଃଖେ ଚଳି ଯାଉଥିଲେ। ଗାଁ ମୁଣ୍ଡ ଡିହଉପରେ ନଡ଼ାଛପର ଘରଖଣ୍ଡକ ଥିଲା ମାଷ୍ଟ୍ରଙ୍କର ଦୁଃସ୍ଥ ଜୀବନର ମୁକସାକ୍ଷୀ।

ମହାବାତ୍ୟା ସମୟର କଥା। ସମୁଦ୍ର ରାକ୍ଷସ ଭଳି ମାଡ଼ିଆସି ଆଖପାଖ ଗାଁ ଗଣ୍ଡାକୁ ଦେଖୁ ଦେଖୁ ବୁଡ଼େଇ ଦେଲା। ଲୋକଗୁଡ଼ା ପୋକମାଛିପରି ଭାସିଗଲେ। ଶଶୀମାଷ୍ଟ୍ରଙ୍କ ଘର ଡିହଉପରେ ହୋଇଥିବାରୁ ଦିହେଁ ବଞ୍ଚିଗଲେ ହେଲେ ଭୋକ ଉପାସରେ ପଡ଼ିରହିଲେ। ଦିନେ ସକାଳୁ ମାଉସୀ ଦେଖିଲା ବେଳକୁ ଡିହର ତଳମୁଣ୍ଡରେ ୨-୩ବର୍ଷର ଛୁଆଟିଏ ଲାଖି ରହିଥାଏ। ଅଚେତ ଥିଲା କିନ୍ତୁ ନିଶ୍ୱାସ ଚାଲୁଥାଏ। ମାଷ୍ଟ୍ରଙ୍କ ସହାୟତାରେ ଛୁଆଟିକୁ ଉଠେଇ ମାଉସୀ ଘରଭିତରକୁ ନେଇଗଲା। ଦେହଟି ତା’ର ଥଣ୍ଡାରେ ଶେତା ପଡ଼ି କମ୍ପୁଥାଏ। ଦୁଇଦିନ ପର୍ଯ୍ୟନ୍ତ ସରଯୁମାଉସୀ ଛୁଆଟିକୁ କମ୍ବଳରେ ଘୋଡ଼େଇ କୁଣ୍ଢେଇଧରି ବସିରହିଲା। ଭୋକଶୋଷ ସବୁ ଭୁଲି। ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ? ଛୁଆଟିର ଚେତା ଫେରିଲା, ଠିକ୍ କରି କଥା କହିପାରୁ ନଥିବାରୁ ଜାଣିପାରିଲେ ନାହିଁ ତା ଘରଠିକଣା କଥା। ମାଉସୀ କହିଲା, “ଆଜିଠୁ ତୁ ମୋ ପୁଅ। ଏଇଟା ତୋର ଘର।” ଛୁଆଟି ମାଷ୍ଟ୍ରଙ୍କୁ ବାପା ଆଉ ମାଉସୀକୁ ମା ବୋଲି ଡାକିଲା।

ପାଣି ତଳକୁ ଖସିବାପରେ ଗାଁ ଲୋକ ପ୍ରକୃତ କ୍ଷୟକ୍ଷତି ଜାଣିବାକୁ ପାଇଲେ। ପ୍ରାୟ ୨୫-୩୦ଜଣ ଲୋକ ପାଣିରେ ଭାସିଗଲେ, କାହାର ଏ ପର୍ଯ୍ୟନ୍ତ ପତ୍ତା ନାହିଁ। ସବୁ ଭୁଲି ପୁଣି ନିଜ ନିଜ ଦୈନନ୍ଦିନ ଜୀବନକୁ ସମସ୍ତେ ଫେରିଲେ। ସରଯୁମାଉସୀ ଭାସି ଆସିଥିବା ଛୁଆଟି କଥା ସମସ୍ତଙ୍କୁ କହିଲା। ଅବିକଳ ମା‐ପୁଅ ପରି ଲାଗୁଥିଲେ ଦିହେଁ। ଗାଁ ଦାଣ୍ଡରେ ସାହିର ଅନ୍ୟ ଛୁଆଙ୍କ ସାଙ୍ଗରେ ଖେଳୁଥିବା ଏଇ ଛୁଆଟିର ଖାଇବାରେ ଭାରି ଲୋଭ ଥିଲା। ଘରେ ଖୁଆଇ ଛାଡ଼ିଲେ ମଧ୍ୟ ସାଇପଡ଼ିଶାଙ୍କ ଘରେ ବି ଖାଇ ଦେଇ ଆସୁଥିଲା। ମାଉସୀ ଯେତେ ତାଗିଦା କଲେ ବି ଛୁଆଟି ନଛୋଡ଼ବନ୍ଧା। ଗାଁବାଲା ମାଷ୍ଟ୍ରଙ୍କ ପୁଅ ବୋଲି ଖରାପ ଭାବୁନଥିଲେ ବରଂ ଛୁଆଟିର ନାଁ ‘ପେଟୁ’ ବୋଲି ରଖିଲେ!

ସରଯୁମାଉସୀ ପେଟୁକୁ ଯଶୋଦା ମା’ ଭଳି କୋଳେଇ କାଖେଇ ବଡ଼ କଲା। କେବେ ପେଟୁର ଦେହ ଖରାପ ହେଲେ ମାଉସୀ କୋଉ ଦେବାଦେବୀଙ୍କ ପୂଜା ଛାଡୁ ନଥିଲା। ଧିରେ ଧିରେ ପେଟୁ ବଡ଼ ହେଲା, ଗାଁ ଚାହାଳିକୁ ଗଲା ପାଠ ପଢ଼ିବାକୁ। ମାଷ୍ଟ୍ରଙ୍କ ଶତଚେଷ୍ଟା ସତ୍ତ୍ୱେ ପେଟୁର ପାଠପଢ଼ାରେ ମନ ଲାଗିଲା ନାହିଁ, ଶେଷରେ ସପ୍ତମ ଶ୍ରେଣୀରେ ପାଠ ଛାଡ଼ିଲା। ମାଷ୍ଟ୍ରଙ୍କର ପୈତ୍ରୁକ ସମ୍ପତ୍ତି ବୋଲି ଗୋଟିଏ ଛୋଟ ଜମି ଥିଲା, ସେଥିରେ ଚାଷବାସ କରିବା ଆରମ୍ଭ କଲା। ପାଠ ନପଢ଼ିବାରୁ ମାଷ୍ଟ୍ରେ ଦୁଃଖୀ ହେଲେ, କିନ୍ତୁ ପେଟୁ ପରିଶ୍ରମ କରି ପେଟ ପୋଷିବ ଜାଣି କିଛି କହିଲେ ନାହିଁ।

ସମୟ ବା କାହାକୁ ଅପେକ୍ଷା କରେ। ମାଷ୍ଟ୍ରେ ଅଳ୍ପବୟସରେ ଆରପାରିକୁ ଚାଲିଗଲେ। ପେଟୁ ଚାଷବାସ କରିବା ସହ ସରଯୁମାଉସୀର ଯତ୍ନ ନେଉଥାଏ। ମାଷ୍ଟ୍ରେ ଚାଲିଗଲା ପରେ ମାଉସୀ ଭାଙ୍ଗିପଡ଼ିଲା। ପୁରୁଣା କାଶରୋଗଟା ତା ଦେହଟାକୁ ଭିତରୁ ଖାଇବାକୁ ଆରମ୍ଭ କରି ଦେଇଥାଏ। ଦିନେ ରାତିରେ ମାଉସୀ ବହୁତ କାଶିବାରୁ ପେଟୁ ଧାଇଁଯାଇ ଦେଖିଲା ବେଳକୁ ମା ପାଟିରୁ ରକ୍ତ ପଡୁଥାଏ। ପେଟୁ ହାଉଳିଖାଇ ମା’କୁ କୁଣ୍ଢେଇ ପକେଇ କାନ୍ଦିଲା। ସାହିପଡ଼ିଶା ଆସି ଦେଖି କହିଲେ ଡାକ୍ତରଖାନା ନେଇଯିବାକୁ।

ରାତାରାତି ପେଟୁ ଟ୍ରେକରଟିଏ କରି ମା’କୁ ନେଇ ଛୁଟିଲା କଟକ, ବଡ଼ ଡାକ୍ତରଖାନା। ବାଟସାରା ମାଉସୀ କାଶୁଥାଏ ଆଉ ତା ମୁହଁରୁ ରକ୍ତ ବହି ଯାଉଥାଏ। ବାରମ୍ବାର ସେ ପେଟୁକୁ କହୁଥାଏ, “ବାବୁରେ, ମର୍ତ୍ତ୍ୟମଣ୍ଡଳେ ଦେହ ବହି ଦେବତା ହେଲେ ହେଁ ମରଇ। ମୁଁ ଚାଲିଗଲେ ତୁ ମନ ଉଣା କରିବୁ ନାହିଁ। ନିଜର ଯତ୍ନ ନେବୁ। ନହେଲେ ମୋର ଆଉ ତୋ ବାପାଙ୍କ ଆତ୍ମା ଶାନ୍ତି ପାଇବ ନାହିଁ।” ପେଟୁ ବିଚରା ଭୋ ଭୋ କରି କାନ୍ଦୁଥାଏ।

ବଡ଼ ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ରାତି ପାହି ନଥାଏ। ପେଟୁ ଦଉଡ଼ିଯାଇ ଡ୍ୟୁଟିରେ ଥିବା ଡାକ୍ତରବାବୁଙ୍କ ଗୋଡ଼ତଳେ ପଡ଼ି ଗୁହାରି କଲା ମା’କୁ ବଞ୍ଚେଇବା ପାଇଁ। ଡାକ୍ତରବାବୁ ମାଉସୀକୁ ଚେକ୍ କରି କହିଲେ, “ତୋ ମା’କୁ ଟିବି ହେଇଛି। ଯକ୍ଷ୍ମାରୋଗ। ବଞ୍ଚିବାର ଆଶା ବହୁତ କମ୍! ତଥାପି ସକାଳ ପର୍ଯ୍ୟନ୍ତ ଅପେକ୍ଷା କର। ବଡ଼ ଡାକ୍ତର ଆସିଲେ ଦେଖିବେ।” ପେଟୁ ଡାକ୍ତରବାବୁଙ୍କୁ ନେହୁରା ହେଲା ମା’କୁ କିଛି ଔଷଧ ଦେବାକୁ ଯେମିତି ରକ୍ତପଡ଼ିବା ବନ୍ଦ ହେଇଯାଉ। ହେଲେ ସେ ୱାର୍ଡ ବୁଲିବାକୁ ଚାଲିଗଲେ।

ପେଟୁ ମା’କୁ ଆଣି ତଳେ କନ୍ଥା ପକେଇ ଶୁଆଇଦେଲା। ବାଟସାରା କାଶି କାଶି ଓ ରକ୍ତ ବହିଯାଇଥିବାରୁ ମା ମୁହଁଟା ଶେତା ପଡ଼ିଯାଇଥାଏ। ପେଟୁ ତା ମୁଣ୍ଡ ଉପରେ ହାତ ବୁଲେଇ ଆଣିଲା ଯେମିତି ମାଉସି ମୁହଁରେ ଗୋଟେ ମୁଚୁକି ହସ ଖେଳିଗଲା। ମାଉସୀ ଆଉ କାଶୁ ନଥିଲା କିନ୍ତୁ ନିଶ୍ୱାସ କ୍ଷୀଣ ହେବାକୁ ଲାଗିବା ସହ ଦେହ ଥଣ୍ଡା ପଡ଼ିବାରେ ଲାଗିଲା। ବୋବାଳି ଛାଡ଼ି କାନ୍ଦିଉଠି ପେଟୁ ମା’କୁ ଉଠେଇ କୁଣ୍ଢେଇ ଧରି ବସିଲା। ମନେ ମନେ ଜଗନ୍ନାଥଙ୍କୁ ଡାକୁଥାଏ ମା’କୁ ବଞ୍ଚେଇ ଦେବାକୁ। ରାତିସାରା ମା’କୁ କୁଣ୍ଢେଇ ଧରି ବସି ରହିଲା ପେଟୁ।

ସକାଳ ହେଲା। ପେଟୁର ଆଖପାଖ ଧିରେ ଧିରେ ଚଳଚଞ୍ଚଳ ହେଇଉଠିଲା। ହେଲେ ମାଉସୀ ଆଉ ଉଠିଲାନି। ପେଟୁ ସେମିତି ବସିଥାଏ ମା’କୁ କୁଣ୍ଢେଇ। ବଡ଼ ଡାକ୍ତର ଆସି ପେଟୁକୁ ସାନ୍ତ୍ୱନା ଦେଲେ, କହିଲେ ଗାଁକୁ ଫେରିଯିବାକୁ।

ଗାଁରୁ ସାହିପଡ଼ିଶା ଯାଇ ପହଞ୍ଚିଲେ। ଗାଡ଼ିଟିଏ କରି ମାଉସୀକୁ ଗାଁକୁ ଆଣିଲେ। ପେଟୁ ଆଉ କାନ୍ଦୁ ନଥାଏ। ମାଉସୀର ଯୁଇପାଖରେ ଗଛପରି ଠିଆ ହୋଇ ରହିଥାଏ ଚୁପଚାପ। ଭଗବାନଙ୍କୁ ମନେ ମନେ ଗାଳି ଦେଉଥିଲା ବୋଧେ। ନା ଧନ୍ୟବାଦ ଦେଉଥିଲା ସରଯୁମାଉସୀ ଭଳି ମା’ ପାଇଁ। ହଠାତ ଆଖିତଳଟା ଗରମ ଲାଗିବାରୁ ଦେଖିଲାବେଳକୁ ତାଜା ଲୁହ ଦୁଇଟୋପା ଆଖି ଗଡ଼ି ଯାଇଥିଲେ।

ମାଉସୀ ପେଟୁ ଯକ୍ଷ୍ମାରୋଗ

Rate the content


Originality
Flow
Language
Cover design

Comments

Post

Some text some message..