କୃଷ୍ଣା
କୃଷ୍ଣା
ମୁଁ କୁରୁସଭାରେ ବିବସନା ହୋଇଥିବା ସେଇ ଲାଞ୍ଚିତା ନାରୀ।
ଅଜେୟ ପଞ୍ଚ ପାଣ୍ଡବଙ୍କ ପତ୍ନୀ ମୁଁ।
ପାଞ୍ଚାଳ ରାଜ୍ୟର କନ୍ୟା ପାଞ୍ଚାଳୀ।
ପାଞ୍ଚାଳ ରାଜା ଦ୍ରୁପଦଙ୍କ କନ୍ୟା ଦ୍ରୌପଦୀ।
ଅଯୋନୀ ସମ୍ଭୁତା ଯଜ୍ଞରୁ ଜାତ ଯାଜ୍ଞସେନୀ।
ଧୃତଦ୍ୟୁମ ଙ୍କ ଗେହ୍ଲା ଭଉଣୀ।
ସଖା ଶ୍ରୀକୃଷ୍ଣଙ୍କ ପ୍ରିୟ ସଖୀ।
ଶ୍ରଦ୍ଧା ନାମ କୃଷ୍ଣା।
ଆଉ ମୁଁ ବି କୃଷ୍ଣା,ସ୍ୱପ୍ନାର ମା କୃଷ୍ଣା।
ବୀରର ସ୍ତ୍ରୀ କୃଷ୍ଣା।
ସହସ୍ର କୃଷ୍ଣାଙ୍କ ଜନ୍ମ ପୀଠ ଏ ଧରିତ୍ରୀ।
ଯୁଗେ ଯୁଗେ କୃଷ୍ଣାମାନେ କାହିଁକି ଲାଞ୍ଚିତ ! କାହିଁକି ଅତ୍ୟାଚାରିତ !
ଏଇ କୃଷ୍ଣା ମାନେ କଣ ଯୁଗ ଯୁଗ ଧରି ଲାଞ୍ଚିତ ହେଉଥିବେ ! ଏମାନେ କଣ କେବଳ କାମନା ବାସନାର
ଭୋଗ୍ୟ ବସ୍ତୁ। ଏମାନଙ୍କର କଣ କିଛି ଇପ୍ସା ନାହିଁ! ଏମାନେ ବସ୍ତୁରୁ ଜୀଵ କେବେ ହେବେ !
ସେଦିନ ଦ୍ଵାପର ଯୁଗରେ କୁରୁ ରାଜସଭାରେ ଅସହାୟ ହୋଇ ବିବସନା ହେଉଥିଲେ ଅମିତ ବଳଶାଳୀ ପଞ୍ଚ ପାଣ୍ଡବଙ୍କ ପତ୍ନୀ "କୃଷ୍ଣା"।ଉପଭୋଗ କରୁଥିଲେ ସେଇ ଜ୍ଞାନୀ ଗୁଣୀ ଙ୍କ ସହ ଆତ୍ମ ଗର୍ବୀ,ଆତ୍ମଭିମାନି ନିର୍ଲଯ ମଣିଷ; ସମୟ ଓ ଇତିହାସ ଯେଉଁ ବୀର ମାନଙ୍କ ନାମ ଆଗ ନେଇଥାଏ।
ଆଜି ବି ଅସହାୟ ହୋଇ କାନ୍ଧୁଛି ସ୍ୱପ୍ନାର ମା "କୃଷ୍ଣା"।
କୃଷ୍ଣା ଅସହାୟ ହୋଇ କାନ୍ଦୁଥିଲା। ଯେଉଁଥି ପାଇଁ ସେ ଅସହାୟ ସେ କଥା ଶୁଣି ମୁଣ୍ଡ ଚକକର ଖାଇବା ଥୟ।ଏବେ ବି କୃଷ୍ଣା ମାନେ ଅତ୍ୟାଚାରିତ,ଲାଞ୍ଚିତ।ତ୍ରାହି କି ମୁକ୍ତି ନାହିଁ ସେମାନଙ୍କୁ।
ଦ୍ୱାପରରୁ କଳି ଯୁଗ ହୁଏତ କେତେ ଦୂର୍ ହିସାବ କରିବା କଷ୍ଟ ସାଧ୍ୟ ସାଧାରଣ ମଣିଷ ପାଇଁ।
କିନ୍ତୁ ସହଜ କୃଷ୍ଣା ମାନଙ୍କ ଯନ୍ତ୍ରଣା। ସେଦିନ ଯାହା ଥିଲା: ଆଜି ବି ସେମିତି ଅଛି।
ସ୍ୱପ୍ନା ଦ୍ଵିତୀୟ ଶ୍ରେଣୀର ଛାତ୍ରୀ। ଦୁର୍ବଳ ଚେହେରା।କିନ୍ତୁ ଖୁବ୍ ସୁଧାର,ହସ୍କୁରି ଓ ମେଧାବୀ।
ସ୍ୱପ୍ନା ଲଗାତାର ସ୍କୁଲକୁ ଆସୁ ନଥିଲା।
କାରଣ ପଚାରି ଯାହା ବୁଝଗଲା ଯଦିଓ ନୂଆ କଥା କିଛି ନଥିଲା,ଆଶ୍ଚର୍ଯ୍ୟ କିନ୍ତୁ ଲାଗିଲା।
ସ୍ୱପ୍ନାର ମା' କୃଷ୍ଣା 'ବାରମ୍ବାର ଘର ଛାଡି ତା ବାପ ଘରକୁ ପଳାଉଥିଲା।ଏଣୁ ସ୍ୱପ୍ନା ସ୍କୁଲକୁ ଆସନ୍ତା କେମିତି !ସେ ବି ମା ସହ ମାମୁଁ ଘରକୁ ଯାଉଥିଲା।
କିନ୍ତୁ କାହିଁକି ସ୍ୱପ୍ନା ପଳାଉଥିଲା?ନିଜ ଘର ସଂସାର ଛାଡି ବାରମ୍ବାର ବାପ ଘରକୁ ଯିବା ପଛର କାରଣ କଣ ହୋଇ ପାରେ !
ମଝିରେ ମଝିରେ ସ୍ୱପ୍ନା ବାପା ଆଦି କୁହନ୍ତି ଚଳିବାକୁ ଅସୁବିଧା ସେଇଥିପାଇଁ ସ୍ୱପ୍ନା ,ତା ମା ସହ ମାମୁ ଘର ଯିଵ। ଦୁଇ ତିନି ମାସ ସିଆଡେ ରହିବ।
କିନ୍ତୁ କାହିଁକି! ପାଠ ଆରମ୍ଭ ହୋଇଛି ମାତ୍ର ତାର।ଏତେ ଦିନ ଅନୁପସ୍ଥିତ !
ଯେତେ ବୁଝେଇଲେ କଣ ହେବ ସ୍ୱପ୍ନା ବାପା କିଛି ବୁଝନ୍ତି ନାହିଁ।
ବରଂ ଓଲଟି ବୁଝାଇଲେ ସେ କୁହନ୍ତି, ଦେଖନ୍ତୁ ସେତିକି କାରଣ କି ଅସୁବିଧା ନହେଲେ ମୁଁ କଣ ମୋ ସ୍ତ୍ରୀ,ପିଲାଙ୍କୁ ନେଇ ବାପଘରେ ଛାଡି ଆସନ୍ତି!
କାରଣ !
ଅସୁବିଧା!!
ହୁଏତ କୋଢି଼ଆ କି ଗଞ୍ଜଡ଼ ବା ଘୋଡା ମଦୁଆ ହୋଇଥିବ।ରୋଜଗାର ନଥିବ।ପୋଷି ପାରିବ ନାହିଁ ବୋଲି ଶଶୁର ଘରେ ମା ଝିଅଙ୍କୁ ନେଇ ଛାଡୁଥିବ।
ହୁଏତ ସ୍ତ୍ରୀ ଟି ମୁଖୁରା ,ଆଳସ୍ୟର ଦାସ କି ନଷ୍ଟ ଚରିତ୍ର ହୋଇଥିବ।
ଏମିତି ବି ହୋଇପାରେ ଶାଶୁ ନଣନ୍ଦଙ୍କ ସଂଗେ ପଡୁ ନଥିବ।
ଯୌତୁକ ପାଇଁ ଶଶୁର ଘର ଲୋକେ ବାଧ୍ୟ କରୁଥିବେ।
ସମ୍ଭାବ୍ୟ କାରଣ କିଛି ବି ହୋଇ ପାରେ।
ଥରେ କିନ୍ତୁ ନିଜେ ସ୍ୱପ୍ନା ମା ନିଜେ ଆସି କହିଲା,ମାମ୍ ସ୍ୱପ୍ନା ଏଥରକ ଆଉ ସ୍କୁଲ ଆସିବ ନାହିଁ। ଆମେ ସବୁଦିନ ପାଇଁ ମୋ ବାପ ଘରକୁ ଚାଲି ଯାଉଛୁ।
କିନ୍ତୁ ବାହା ହେବା ଝିଅ କୁଣିଆ ପରି।ତୁମେ ନିଜ ଘରଦ୍ୱାର ଛାଡି ବାପା ଭାଇଙ୍କ ଉପରେ ବୋଝ ହେବାକୁ ଯିବ କାହିଁକି !
କୃଷ୍ଣା ଦେଖିବାକୁ ଅତି ସୁନ୍ଦରୀ। ଯେ କେହି ପୁରୁଷର ଇପ୍ସିତ ନାରୀ ହେବାର ସମସ୍ତ ଗୁଣ ଖୁନ୍ଦି ଖୁନ୍ଦି ରହିଅଛି।
ପତଳୀ ଗୋରା ଗାଲ,ନାକ ସାଙ୍ଗେ ସାଙ୍ଗେ ରଙ୍ଗା ପଡିଗଲା ତାଙ୍କର। ଆଖିରୁ ଯନ୍ତ୍ରଣା ଜମାଟ ବନ୍ଧା ଅମାନିଆଁ ଲୁହ ଗୁଡା ଗଳି ପଡିଲେ।
ସୁଉଁ ସୁଉଁ ନାକ ଓ ଓଦା ଆଖି ପୋଛି ପକାଇ ସେ କେବଳ ଏତିକି କହିଲେ ମୁଁ ବା କୃଷ୍ଣା !! କେଉଁ ଯୁଗରେ କୃଷ୍ଣାଙ୍କ ସୁଖ କି ଆତ୍ମସମ୍ମାନ ଥାଏ କି ମାମ୍ !
ସ୍ୱପ୍ନା ମା କୃଷ୍ଣା ଯେ ଅଶିକ୍ଷିତ ନୁହେଁ ଏଇ ଗୋଟିଏ ଧାଡ଼ି ସାବ୍ୟସ୍ତ କରୁଥିଲା।
ସେ ସ୍ୱପ୍ନାକୁ ନେଇ ସବୁଦିନ ବାପଘରଚାଲିଗଲେ;ସ୍କୁଲରୁ ସାର୍ଟିଫିକେଟ ନେଇ
ପରେ ଜଣା ଗଲା କି ସମ୍ଭାବ୍ୟ କାରଣ ତାଲିକା ଆମେ ଯେତିକି ଭାବୁଥିଲେ ସେଥିରୁ କୌଣସି ଟି ବି ନଥିଲା।କୃଷ୍ଣା ର ଦୋଷ ଥିଲା ସେ ଅସମାନ୍ୟା ସୁନ୍ଦରୀ । ସାତ ଭାଇରେ ସେ ବଡ଼ ବୋହୁ।ବଡ଼ ଭାଇ,ସ୍ୱପ୍ନା ବାପା ବୀର କେବଳ ବିବାହିତ। ଘର ବୋଇଲେ ବଖୁରିଏ ଓ ବାରଣ୍ଡାଟିଏ।ସେଥିରେ ସାତ ଭାଇ ସହ ଶାଶୁ ଶଶୁର।ଖଟିଲେ ଖାଆନ୍ତି। ବଖୁରିଏ ଘର ଭିତରେ ଛଅ ଜଣ ବୟସ ହୋଇଥିବା ପୁରୁଷ ପୁଣି ଶାଶୁ ଶଶୁର ଘରେ ଶୁଆ ବସା କରିବାରେ ଖୁବ୍ ଅସୁବିଧା।
ସବୁ ଅସୁବିଧା ଭିତରେ ଦିଅର ମାନଙ୍କର ଭାଉଜ ପ୍ରତି ଲୋଲୁପ ଦୃଷ୍ଟି ଅତି ଅସହଣୀୟ।ରାତି ଅଧରେ ବଡ଼ ଭାଇର ଅନୁପସ୍ଥିତ ନେଇ ଟଣା ଓଟରା କରନ୍ତି।କୃଷ୍ଣାକୁ
ଏସବୁ ଘୃଣା ଲାଗେ।ସେ ଶାଶୁ ଶଶୁର ଙ୍କ ଆଗେ ଅଭିଯୋଗ କରେ,ଫେରାଦ ହୁଏ।କିନ୍ତୁ ସୁରକ୍ଷା କି ସମାଧାନ ବାଟ ନ ଦେଖେଇ ବରଂ ଶାଶୁ କୁହନ୍ତି କଣ ହେଲା ସେଇଠୁ? ବଡ଼ ପୁଅ ଖାଇଥାନ୍ତା,ହେଲା ଏବେ ସାନ ପୁଅ ମାନେ ଖାଇବେ କହୁଛନ୍ତି।ବାଣ୍ଟିକି ଖାଆନ୍ତୁ।ଏଥିରେ ଏତେ ଛଇ କଣ?
ହେ ଭଗବାନ! ଆକାଶରୁ ପଡ଼ିଗଲୁ ଆମେ ଯେବେ ଏପରି ଵିଚାର ବନ୍ତ ଶାଶୁ ମା ବି ସଂସାରରେ ଅଛନ୍ତି ଜାଣିଲୁ !
ବାଣ୍ଟିକି ଖାଆନ୍ତୁ......
ମନେ ପଡିଗଲା ମୋର ଅତୀତ ଇତିହାସ।
ଉଖାରି ହୋଇଗଲା ଉପର ଶୁଖିଲା ମାତ୍ର ତଳେ ରୁଗୁ ରୁଗୁ ହୋଇ ଅହରହ ପୀଡା ଦେଉଥିବା ଜୀବନ କାହାଣୀ ମୋର।
ପାଣ୍ଡଵ ପଞ୍ଚପତିଙ୍କ ପତ୍ନୀ ଦ୍ରୌପଦୀ,କୃଷ୍ଣା ମୁଁ।
ସେଦିନ ବ୍ରାହ୍ମଣ ବେଶଧାରୀ ମଧ୍ୟମ ପାଣ୍ଡଵ ଅର୍ଜୁନ ମତ୍ସ୍ୟ ଆଖିକୁ ଶର ବିଦ୍ଧ କରି ସହଧର୍ମିଣୀ ରୂପେ ଲାଭ କଲେ ମୋତେ।
ଅଜ୍ଞାତ ବାର ବର୍ଷ ବନବାସ ଭୋଗୁଥାନ୍ତି ପଞ୍ଚ ପାଣ୍ଡଵ।ବ୍ରାହ୍ମଣ ବେଶରେ ପାଖ ଗାଁ ରୁ ଯାହା ଭିକ୍ଷା ଆଣନ୍ତି; ମା କୁନ୍ତୀଦେବୀ ପ୍ରତିଦିନ ଯାହା ଆଣିଛ ବାଣ୍ଟି ଖାଅ ବୋଲି କହିଥାନ୍ତି।
କୁଡ଼ିଆ ଭିତରେ ଥିବା ମା କୁନ୍ତୀଦେବୀଙ୍କୁ ଜ୍ୟେଷ୍ଠ ପୁତ୍ର ଯୁଧିଷ୍ଠିର କୁଡ଼ିଆ ବାହାରେ ଥାଇ ଅତି ପ୍ରସନ୍ନ ଚିତ୍ତରେ କହିଲେ, ମା ଦେଖ ଆଜି ଆମେ କଣ ଆଣିଛୁ !
ମା କୁନ୍ତୀ ଦେବୀ ସେଇ କୁଡ଼ିଆ ଭିତରେ ଥାଇ କହିଲେ, ଯାହା ଆଣିଛ ବାଣ୍ଟିକି ଖାଅ।
ସ୍ତବ୍ଧ ପଞ୍ଚ ପାଣ୍ଡଵ ଓ ଦ୍ରୌପଦୀ। ମା କଣ କହିଲ?
ଏ କଣ କି ଚିଜ ! ଏ ପରା ରକ୍ତ ମାଂସ ଧାରୀ ଦ୍ରୁପଦ ରାଜକୁମାରୀ ଦ୍ରୌପଦୀ !!
କଣ କଲ ମା ! କଣ କଲ !!
ଏବଂ ସେଇଦିନୁ ମୁଁ ବାଣ୍ଟି ହେଉଛି ସବୁରି ନଜର ରେ।