Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଶାପମୁକ୍ତି - ଦ୍ଵିତୀୟ ଭାଗ
ଶାପମୁକ୍ତି - ଦ୍ଵିତୀୟ ଭାଗ
★★★★★

© sushama Parija

Tragedy

12 Minutes   7.4K    14


Content Ranking

ଦଶବର୍ଷ ତଳର ରିସ୍ ରିସ୍ ହେଉଥିବା କ୍ଷତଟା ଉଖାରି ହୋଇଗଲା ଭୋଳାନାଥ ପଣ୍ଡାଙ୍କର। ଆଖି ଆଗରେ

ଦୋଷୀଟି ଭଳି ମୁଣ୍ଡ ନୁଆଁଇ ଠିଆହୋଇ ରହିଥିଲା ସୁଭଦ୍ରା । ତା'କୁ ଏଭଳି ଭାବରେ ଏଠାରେ ଦେଖିବେ ବୋଲି ସ୍ବପ୍ନରେ ବି ଭାବି ନଥିଲେ ସେ। ପ୍ରଚଣ୍ଡ କ୍ରୋଧରେ ଥରି ଉଠୁଥିଲା ତାଙ୍କର ସର୍ବାଙ୍ଗ , ଲାଗୁଥିଲା

ମହାକାଳଙ୍କର ତୃତୀୟ ନୟନରୁ ଅଗ୍ନି ସ୍ଫୁଲିଙ୍ଗ ବାହାରି କାମଦେବଙ୍କୁ ଭସ୍ମୀଭୂତ କଲାଭଳି ତାଙ୍କର ଆଖିରୁ

ନିଆଁ ହୋଇ ବାହାରୁଥିବା ଲୁହ ଧାରରେ ଭସ୍ମୀଭୂତ କରିଦେବ ସୁଭଦ୍ରାକୁ। ତାଙ୍କର ଖରନିଶ୍ୱାସରେ ଉଡେଇ ନେଇ ନିକ୍ଷେପ କରିଦେବେ ଅଥଳ ସମୁଦ୍ରରେ। ସୁଭଦ୍ରା ତାଙ୍କୁ ଏଭଳି ସ୍ଥିତିରେ ଦେଖିବାକୁ ଫେରି ଗଲା ପରେ ମଧ୍ୟ ତାଙ୍କର କ୍ରୋଧ ଶାନ୍ତି ହେଉ ନଥିଲା । ବରଂ ବଢି ବଢି ଚାଲିଥିଲା, ଅତ୍ୟଧିକ କ୍ରୋଧରେ ଚେତାଶୂନ୍ୟ ହୋଇ ଟଳି ପଡ଼ିଲେ ସେ । ପାଖରେ ଛିଡ଼ା ହୋଇ ଥିବା ମହେଶ ଧାଇଁ ଯାଇ ତାଙ୍କୁ କୋଳରେ ଉଠାଇ ଧରିଲା । ମୁହଁରେ ପାଣି ଛାଟି ସାଷ୍ଟମ କଲା । ପାଣି ଗ୍ଲାସ୍ ଟିଏ ପିଇବା ପରେ ଧୀରେ ଧୀରେ ଆଖି ଖୋଲି ଚାହିଁଲେ ଭୋଳାନାଥ । ସୁଭଦ୍ରା ଅନେକ ବେଳୁ ଫେରି ଯାଇଥିଲେ । ଆଖପାଖରେ ତାଙ୍କୁ ନଦେଖି ଧୀରେ ଧୀରେ ନିଜକୁ ଶାନ୍ତ କରିବାକୁ ଚେଷ୍ଟା କଲେ ସେ । ମହେଶ ପଚାରୁଥିଲା '' ନନା , କ'ଣ ହେଲା କିହୋ ତମର ? ତମେ ଆମ ମାଡାମ୍ ଙ୍କୁ ଦେଖି ଏମିତି ଭୂତ ଦେଖିଲାଭଳି ଚମକି ଉଠିଲ କାହିଁକି? ତମେ ତାଙ୍କୁ ଆଗରୁ ଜାଣିଛ ନା କ'ଣ ? ମହେଶକୁ ଉତ୍ତର ଦେବାକୁ କିଛି ନଥିଲା ଭୋଳାନାଥଙ୍କ ପାଖରେ । କ'ଣ ଉତ୍ତର ଦେବେ ସେ ? ଦଶବର୍ଷ ତଳେ ଯେଉଁ ଝିଅକୁ ଶୁଦ୍ଧି ହୋଇ ଲହଡା ଗାଁ ଛାଡି ରାତି ଅଧରେ ଚୋରି ଭଳି ନିଜ ପରିବାରର ପ୍ରାଣ ରକ୍ଷା କରିବା ଲାଗି ଚାରି କୋଶ ବାଟ ଚାଲିଚାଲି ଆସି ସକାଳ ହେବାରୁ ବସ୍ ଧରି ଭୂବନେଶ୍ୱର ଓ ସେଠାରୁ ନୟାଗଡ ଆସିଥିଲେ , ସେଇ ଝିଅ ଆଜି ଜିଲ୍ଲାପାଳ ହୋଇ ଠିଆ ହୋଇଛି ତାଙ୍କ ଆଗରେ। ଯଦି ପ୍ରକୃତ ପରିଚୟ ଦେବେ , ତେବେ ନୟାଗଡର ବ୍ରାହ୍ମଣ ସମାଜ ତାଙ୍କୁ ବାସନ୍ଦ କରିବ , ସେ ପୁଣି ଥରେ ବାସହରା ହୋଇ ବୁଲିବେ , ଯଦି ପ୍ରକୃତ ପରିଚୟ ନ ଦେବେ ,ତାଙ୍କୁ ଏଠି ରହି ସୁଭଦ୍ରା ସାମନାରେ ରହିବାକୁ ହେବ ଯେଉଁଟା ତାଙ୍କ ଲାଗି ମୃତ୍ୟୁ ଠାରୁ କମ୍ ହେବ ନାହିଁ । କ'ଣ କରିବେ ବୋଲି ସେ ଚିନ୍ତା କରି ପାରୁ ନଥିଲେ । ଶେଷରେ ଭାବି ଭାବି କହିଲେ '' ନାଇଁ ମ ମହେଶ , ମୁଁ ଆଗରୁ କେବେ ମାଡାମ୍ ଙ୍କୁ ଦେଖି ନଥିଲି ତ , ହଠାତ୍ ତାଙ୍କୁ ଦେଖି ଡରିଗଲି । ଆଗରୁ କେବେ ଜିଲ୍ଲାପାଳଙ୍କ ଭଳି ବଡ ଲୋକଙ୍କ ପାଖରେ କାମ କରି ନାହିଁ , ତେଣୁକରି ଉଠି ଠିଆ ହୋଇ ପଡିଲି । ମୁଣ୍ଡଟା ଘୂରାଇ ଦେଲା ତ ,ସେଥିଲାଗି ପଡିଗଲି। ବୁଢା ହୋଇଗଲିଣି ଆଉ ବଳ ପାଉନି କାମ କରିବାକୁ । '' ଭୋଳାନାଥଙ୍କୁ ଚାହିଁ ଦୟାର୍ଦ୍ର ହୋଇ ଉଠିଲା ମହେଶର ମନ। ଆହା ବିଚରା ବୁଢା ଲୋକଟି ! ଅଭାବରୁ ସିନା ବାଧ୍ୟ ହୋଇ ଖଟୁଛି , ନହେଲେ

ଲୋକ ଘରେ ବସି ବିଶ୍ରାମ କରିବା କଥା । ତରତର ହୋଇ କାମସାରି ଘରକୁ ଯିବାକୁ ବାହାରିଲେ ଭୋଳାନାଥ । ଗାଡିରେ ବସିଲା ବେଳେ କହିଦେଇଗଲେ ମହେଶକୁ '' ଦେହଟା କାହିଁକି ଭଲ ଲାଗୁନିରେ ପୁଅ , ଯଦି କାଲି ସକାଳେ ମୁଁ ନଆସି ପାରିବି ତେବେ ମୋର ଜଣେ ସହକର୍ମୀକୁ ପଠାଇ ଦେବି ସେ ମାଡାମ୍ ଙ୍କ ଖାଇବା କଥା ବୁଝି ଦେବ। ମୁଁ ତାକୁ ଭଲ ଭାବରେ ବୁଝାଇ ଦେବି କେମିତି କ'ଣ କରିବାକୁ ହେବ, ତମେ ମୋଟେ ବ୍ୟସ୍ତ ହେବନି '' ।

ତା' ପରଦିନ ସକାଳୁ ଭୋଳାନାଥ ପଣ୍ଡା ଆଉ ନିଜେ ନଆସି ପ୍ରଦୀପ ବୋଲି ଆଉ ଜଣେ ନୂଆ ପୂଜାରୀ ପଠାଇ ଦେଲେ ଜିଲ୍ଲାପାଳଙ୍କ ଘରେ ରୋଷେଇ କରିବା ଲାଗି । ସକାଳ ଜଳଖିଆ ଦେଲା ବେଳେ ସ୍ୱାଦରୁ ହିଁ ଜାଣିପାରିଥିଲା ସୁଭଦ୍ରା ଯେ ଇଏ ତା' ନନାଙ୍କ ହାତରନ୍ଧା ନୁହେଁ । ମନେ ମନେ ସେ ଠିକ୍ ଜାଣିପାରିଥିଲା ଯେ ନନା କଦାପି ଆଜି ଏଠିକି ଆସିବେ ନାହିଁ , ତଥାପି ମହେଶ କୁ ପଚାରିଲା '' କିରେ ଆଜି କ'ଣ ନୂଆ ଲୋକ କିଏ ରାନ୍ଧିଛନ୍ତି କି ? ଟିକେ ଅଲଗା ଅଲଗା ଲାଗୁଛି ଯେ? '' । ମହେଶ କହିଥିଲା ପଣ୍ଡା ନନାଙ୍କ ଦେହ କାଲିଠାରୁ ଭଲ ନାହିଁ ମାଡାମ୍ । ଆପଣ କାଲି ସେଠାରୁ ଆସିଲା ପରେ ସେ ପରା ଅଚେତ ହୋଇ ପଡିଗଲେ ,ମୁଁ ତାଙ୍କୁ ସାଷ୍ଟମ କରି ଘରକୁ ପଠେଇଲି। ବିଚରା ବୁଢା ଲୋକ, ଅଭାବ ଯୋଗୁ ଏହି ବୟସରେ ଖଟୁଛନ୍ତି । ଭିତରେ ଭିତରେ ଛାତିଟା ଫାଟିଗଲା ପରି ଲାଗୁଥିଲେ ମଧ୍ୟ ମୁହଁରେ ହସ ଖେଳାଇ କହିଲା ସୁଭଦ୍ରା '' ହଁ ,ବଡ ଦୁଃଖର କଥା , ତମେ ଗୋଟିଏ କାମ କର, ତାଙ୍କର ଘରକୁ ଯାଇ କିଛି ଫଳମୂଳ ଆଉ କିଛି ପଇସା ଦେଇ ଆସ । ହଁ ତାଙ୍କ ପିଲାମାନଙ୍କ ପାଇଁ କିଛି ମିଠା ବି ନେଇଯିବ''। ମହେଶ ଆଖିରେ ସୁଭଦ୍ରା ଦେବୀଙ୍କର ମହନୀୟତା ଆହୁରି ବଢ଼ି ଯାଇଥିଲା । ଖରାବେଳେ ଟିକେ ଫୁରସତ୍ ପାଇ ମହେଶ ଯାଇଥିଲା ପଣ୍ଡା ନନାଙ୍କ ଘରକୁ । ଗଲାବେଳକୁ ପଣ୍ଡାଏ ଘରେ ଶୋଇ ରହିଥିଲେ । ମହେଶ ହାତରେ ଏତେ ଗୁଡ଼ାଏ ଜିନିଷ ପତ୍ର ଦେଖି ସେ ବୁଝି ଗଲେ ଏସବୁ ନିଶ୍ଚିତ ଭାବରେ ସୁଭଦ୍ରାର କାମ। ମହେଶ କିଛି କହିବା ପୂର୍ବରୁ ସେ କହି ଉଠିଲେ '' ଏସବୁ ଜିନିଷଗୁଡିକ ଜିଲ୍ଲାପାଳ ମାଡାମ୍ ପଠାଇଛନ୍ତି ନା ? ତୁମେ ଏଗୁଡ଼ିକ ଫେରାଇ , କାରଣ ମୁଁ ବୋଧହୁଏ ଆଉ କାମକୁ ଯାଇ ପାରିବିନି , କାହିଁକି ତାଙ୍କର ଧାରୁଆ ହେବି ? ମହେଶ କ'ଣ କହିବାକୁ ଭାବୁଛି, ଘର ଭିତରୁ ବାହାରି ଆସିଲେ ପଣ୍ଡା ନନାଙ୍କ ବୋହୂ, ତରବରରେ ଜିନିଷ ପତ୍ର ସବୁ ଉଠାଇ ନେଇଥିଲେ ଘର ଭିତରକୁ , କହିଲେ, ଏତେ ଶ୍ରଦ୍ଧାରେ ପଠାଇଛନ୍ତି ମାଡାମ୍, ଫେରାଇଦେଲେ ତାଙ୍କୁ ଅପମାନ ହେବନି ? କିଂକର୍ତ୍ତବ୍ୟବିମୂଢ ହୋଇ ବସି ରହିଲେ ପଣ୍ଡା ନନା । ମହେଶ ଫେରି ଆସି ସବୁ କଥା

ଜଣାଇ ଦେଇଥିଲା ମାଡାମ୍ ଙ୍କୁ । ସୁଭଦ୍ରା ବୁଝି ଗଲା ନନା ସତ୍ୟ ପ୍ରକାଶ କରିବା ଲାଗି କୁଣ୍ଠାବୋଧ କରୁଛନ୍ତି ।

ଇତି ମଧ୍ୟରେ କିଛି ଦିନ ବିତି ଯାଇଥିଲା , ଦୁଇ ତିନି ଥର ମହେଶ ହାତରେ ଫଳ,ମିଠା ସହିତ କିଛି ପଇସା ମଧ୍ୟ ପଠାଇଥିଲେ ଜିଲ୍ଲାପାଳ ମାଡାମ୍ । ପ୍ରତି ଥର ପଣ୍ଡା ନନା ସମାନ କଥା କହି ଫେରାଇ ଦେଲାବେଳକୁ

ତାଙ୍କର ବୋହୂ ଆସି ନେଇଯାଉଥିଲେ ଜିନିଷ ଗୁଡ଼ିକ । ଏଥରକ ମହେଶ ନନାଙ୍କ ଘରୁ ଫେରି ଆସିବା ପରେ ମାଡାମ୍ ଙ୍କୁ କହିଥିଲା '' ତିନି ମାସ ଧରି ନନା ତ କାମକୁ ଆସୁ ନାହାଁନ୍ତି, ଆପଣ ଖାଲି ଖାଲି ରେ ତାଙ୍କ ଲାଗି

ଏତେ ଗୁଡ଼ାଏ ଜିନିଷ ପତ୍ର, ଟଙ୍କା ପଇସା କାହିଁକି ପଠାଉଛନ୍ତି ତାଙ୍କ ଘରକୁ ? ''। କ'ଣ ବା ଉତ୍ତର ଦେଇ ଥାଆନ୍ତା ସୁଭଦ୍ରା । ତା'କୁ କହିଲା '' ହଁ ରେ ! ବୁଢା ବ୍ରାହ୍ମଣ ଜଣେ ,ବେମାର ପଡ଼ିଛନ୍ତି , ତାଙ୍କୁ ସାହାଯ୍ୟ କରିବା

ଆମର ଧର୍ମ ''। ମହେଶ ଭାବୁଥିଲା ଏମିତି ଦେବୀଙ୍କର ଦୟା ଭାଗ୍ୟରେ ଥିଲେ ମିଳେ । ସୁଭଦ୍ରା ଭାବୁଥିଲା ନନା ତା'ରି ପାଇଁ ଏଇ ଅବସ୍ଥାରେ ପଡିଛନ୍ତି । କଥାବାର୍ତ୍ତା ଛଳରେ ଥରେ ପଚାରିଥିଲା ମହେଶକୁ , ନନାଙ୍କ

ପରିବାରରେ ଆଉ କିଏ କିଏ ଅଛନ୍ତି ବୋଲି । ମହେଶ କହିଥିଲା ନନାଙ୍କର ଚାରି ଝିଅରୁ ବଡଟି ମରିଗଲା ପରେ ନନା ତାଙ୍କ ଗାଁ ଛାଡି ଏଇଠି ଆସି ରହିଲେ। ବହୁତ ଦୁଃଖ କଷ୍ଟ କରି ବାକି ତିନୋଟି ଝିଅଙ୍କୁ ବାହାତୋଳା କରିଛନ୍ତି । ଗୋଟିଏ ବୋଲି କୋଳପୋଛା ପୁଅ ତାଙ୍କର ବିକାଶ, ପାଠଶାଠ ତା' ଦ୍ବାରା ହେଲା ନାହିଁ , କର୍ମକର୍ମାଣି ବି କଲା ନାହିଁ , କୋଉଠି ଗୋଟିଏ କମ୍ପାନୀରେ କ'ଣ ଚାକିରୀ କରିଛି । ସେଥିରେ ପୁଣି ନନା ତା'କୁ ବାହାଘର କରିଦେଇଛନ୍ତି ଯେ ବୋହୂଟି ଭାରି କଳିହୁଡୀ । ନନାଙ୍କର କିଛି ସେବା ଶୁଶ୍ରୁଷା କରେନାହିଁ। ଭାରି ଦୁଃଖ ନନାଙ୍କର ମାଡାମ୍ , ବୁଢା ଦିନରେ ବି ଖଟିବାକୁ ପଡୁଛି । ଦୁଃଖରେ ଛାତିଟା ଫାଟି ଯାଉଥିଲା ସୁଭଦ୍ରାର ହେଲେ ସେ ମହେଶ କୁ ସେ କଥା ଜାଣିବାକୁ ଦେଲା ନାହିଁ ।

ସୁଭଦ୍ରା ଜାଣି ଶୁଣି ଏ ସମ୍ପର୍କରେ କିଛି କହିନଥିଲା ଶୀତାଂଶୁଙ୍କୁ, କାରଣସେ ଶୀତାଂଶୁଙ୍କ ମନରେ କଷ୍ଟ ଦେବାକୁ ଚାହୁଁ ନଥିଲା । ସବୁ ଦିନ ନିୟମିତ ଭାବରେ କଥା ବାର୍ତ୍ତା କରୁଥିଲେ ମଧ୍ୟ ପ୍ରୀତମ୍ କୁ ନୟାଗଡ ଆଣିବାର ଯୋଜନା କରୁଛି ବୋଲି ସେ ପ୍ରକାଶ କରିନଥିଲା । କିନ୍ତୁ କିଛିଦିନ ଧରି ସୁଭଦ୍ରା ଅନ୍ୟମନସ୍କ ରହୁଥିବା କଥା ଠିକ୍ ଅନୁମାନ କରିପାରୁଥିଲେ ଶୀତାଂଶୁ । ଫୋନ୍ ରେ କଥା ହେଲା ବେଳେ କିଛି ବେଖାପ ଢଙ୍ଗରେ କଥା କହୁଥିବା ଲକ୍ଷ୍ୟ କରିଥିଲେ ସେ। କାର୍ଯ୍ୟବ୍ୟସ୍ତତା ହେତୁ ସେ ମଧ୍ୟ ଯାଇ ପାରୁନଥିଲେ ଥରେ ହେଲେ ତାଙ୍କୁ ଦେଖା କରିବାକୁ । ଏଥର କିନ୍ତୁ ଦିନେ ଦୁଇଦିନ ପାଇଁ ହେଉ ପଛେ ସେ ନିଶ୍ଚିତ ଯିବେ। ଅତର୍କିତ ଭାବେ ପ୍ରୀତମ୍ ସାଙ୍ଗରେ ଧରି ଯାଇ ଚମକାଇ ଦେବେ ସୁଭଦ୍ରାଙ୍କୁ। ଯୋଗକୁ ଠିକ୍ ଆଠଦିନ ପରେ ତାଙ୍କୁ ଡାକରା ଦିଆଯାଇଥିଲା ରାଜଧାନୀରୁ । ସେକ୍ରେଟେରୀଏଟ୍ ରେ କ'ଣ ଗୋଟିଏ ଗୁରୁତ୍ବପୂର୍ଣ୍ଣ ମିଟିଙ୍ଗ୍ ଡାକିଥିଲେ ଖୋଦ୍ ମୁଖ୍ୟମନ୍ତ୍ରୀ । ଦିନକ ଆଗରୁ ଯାଇ ବୋର୍ଡିଂ ସ୍କୁଲରୁ ଆଣି ଆସିଥିଲେ ପ୍ରୀତମ୍ କୁ ।

ତାକୁ ସାଙ୍ଗରେ ନେଇ ଆସି ପହଞ୍ଚିଲେ ନୟାଗଡରେ । ସେମାନଙ୍କୁ ଏମିତି ଅତର୍କିତ ଭାବେ ହଠାତ୍ ନିଜ ବାସଭବନରେ ଦେଖି ଖୁସି ରେ କାନ୍ଦି ପକାଇଥିଲେ ଜିଲ୍ଲାପାଳ ଶିପ୍ରା ଶୁଭଦର୍ଶିନୀ । ସବୁ କାମଦାମ ବନ୍ଦ କରି ରାତିଟି ସୁନ୍ଦର ଭାବରେ କଟେଇ ଥିଲେ ସେମାନଙ୍କ ସାଥୀ ରେ। ମନର ସବୁ ଦୁଃଖ ଧୋଇ ହୋଇଯାଇଥିଲା ଶୀତାଂଶୁଙ୍କରଅନାବିଳ ପ୍ରେମର ଧାରାରେ । ଦୁଇଜଣଙ୍କର ସ୍ବପ୍ନର କେନ୍ଦ୍ରବିନ୍ଦୁ ପ୍ରୀତମ୍ ର ଉପସ୍ଥିତି ସେ ସୁଖକୁ ଶହେ ଗୁଣ ବଢାଇ ଦେଇଥିଲା ।

ତା' ପରଦିନ ସକାଳୁ ସକାଳୁ ବାହାରି ଗଲେ ଶୀତାଂଶୁ ଭୂବନେଶ୍ୱରରେ ମିଟିଙ୍ଗ୍ ଆଟେଣ୍ଡ୍ କରିବା ଲାଗି । ଶିପ୍ରା ଶୁଭଦର୍ଶିନୀ ମଧ୍ୟ ନିଜର ରେସିଡ଼େନ୍ସିଆଲ ଅଫିସ୍ ରେ କାମ କରିବା ଲାଗି ବସି ଗଲେ। ମହେଶ କୁ

ଡାକି କହିଦେଇଗଲେ '' ପ୍ରୀତମ୍ କୁ ନେଇ ଟିକେ ବାହାରେ ବୁଲେଇ ଆଣିଲେ ଭଲ ହୁଅନ୍ତା ମହେଶ !

ପିଲାଟି ଏଠି ଏକୁଟିଆ ବୋର୍ ହେବ । ଆରେ ହଁ , ତମେ ତ ବହୁତ ଦିନ ହେବ ପଣ୍ଡା ନନା ଙ୍କ ଘରଆଡେ

ଯାଇନ , ଆଜି ଚାଲିଯିବ କିଛି ଫଳମୂଳ ଆଉ ମିଠା ଧରି , ପ୍ରୀତମ୍ କୁ ବି ନେଇଯିବ ସାଙ୍ଗରେ, ତାଙ୍କୁ

ମୁଣ୍ଡିଆ ମରେଇ ଆଣିବ , ସେ ତା'ର ଅଜାଙ୍କୁ ଦେଖି ନାହିଁ ଜୀବନରେ, ସେ ବି ତ ମୋ ବାପା ଙ୍କ ବୟସର ହେବେ , ତେଣୁକରି ତାଙ୍କୁ ହିଁ ଅଜା ବୋଲି ଭାବି ମୁଣ୍ଡିଆ ମାରିବାକୁ କହି ମାଡାମ୍ ପଠାଇଛନ୍ତି ବୋଲି କହିଦେବ ତାଙ୍କୁ '' । ମହେଶ ଡ୍ରାଇଭର୍ କୁ ଡାକି ପ୍ରୀତମ୍ କୁ ନେଇ ବାହାରିଗଲା । ମନେ ମନେ ଈଶ୍ବରଙ୍କୁ ପ୍ରାର୍ଥନା କରୁଥାଆନ୍ତି ଶିପ୍ରା ଦେବୀ । ସତରେ କଣ ନନା ପ୍ରୀତମ୍ କୁ ପାଦ ଛୁଇଁବାକୁ ଦେବେ ? ତା'କୁ ଆଶୀର୍ବାଦ କରି କୋଳକୁ ନେବେ ?

ମହେଶ ନନାଙ୍କ ଘରେ ପହଞ୍ଚିଲା ବେଳକୁ ନନା ଘରେ ନଥିଲେ । ତାଙ୍କର ବୋହୁ ଆସି ମହେଶ ହାତରୁ

ଜିଲ୍ଲାପାଳଙ୍କ ପଠାଇଥିବା ଜିନିଷ ପତ୍ର ଗୁଡ଼ିକ ନେଇ ଘରେ ରଖି ସେମାନଙ୍କୁ ବସିବା ଲାଗି ମସିଣା ଖଣ୍ଡିକ ପାରିଦେଲେ ସେଇ ଘର ଭିତରେ । ପିଲାଟି କିଏ ବୋଲି ପଚାରିବାରୁ ମହେଶ ଜିଲ୍ଲାପାଳଙ୍କ ପୁଅ ବୋଲି

ଉତ୍ତର ଦେଲା । ବୋହୁଟି ହାତେ ଲମ୍ବର ଜିଭ କାମୁଡି କହିଲା '' ମାଡାମ୍ କେତେ ଭଲ ଲୋକ ସତେ !

ନିଜ ସେବାକାରୀଙ୍କ ପ୍ରତି ତାଙ୍କର କେତେକ ଦୟା । ନନାଙ୍କର ଦେହ ଖରାପ ହେବା ଦିନୁ କେତେ ଯେ

ସାହାଯ୍ୟ କଲେଣି, ତାଙ୍କର ଋଣ ଆମେ ଜୀବନରେ ଶୁଝି ପାରିବୁ ନାହିଁ ''। ଝାଳନାଳ ହୋଇ ଘର ଭିତରକୁ

ପଶି ଆସୁ ଆସୁ ମହେଶ ସାଥୀରେ ପିଲାଟିଏ ଦେଖି ଅଟକି ଗଲେ ଭୋଳାନାଥ । ମହେଶର ପୁଅ

ହୋଇଥିବ ବୋଲି ଭାବି ପିଲାଟି ପାଖକୁ ଗଲେ ସେ । ପିଲାଟି ପାଦ ଛୁଇଁ ପ୍ରଣାମ କଲାରୁ 'ଆୟୁଷ୍ମାନ ଭବ '

କହି ତା' ମୁଣ୍ଡରେ ହାତ ବୁଲାଇ ଆଣିଲେ । ମହେଶର ରଙ୍ଗ କଳା ପୁଣି ଦୁର୍ବଳ ଶରୀର । ତା'ର ପୁଅଟି

ପୁଣି ଗୋରା ତକତକ ହୋଇ ଏଡେ ସୁନ୍ଦର ପେଣ୍ଠାଶାଳିଆ ହୋଇଛି । ଭୋଳାନାଥଙ୍କର କେମିତି ଗୋଟାଏ

ମାୟା ଆସୁଥିଲା ପିଲାଟି ଉପରେ । ତା'କୁ କୋଳେଇ ନେଇ ଛାତିରେ ଚାପି ଧରିଲେ ଭୋଳାନାଥ । କେମିତି ଆପଣାର ଆପଣାର ଲାଗୁଥିଲା ପିଲାଟି। ସେତିକିବେଳକୁ ମହେଶ କହିଥିଲା ଉଠିଲା '' ବୁଝିଲ କି ନନା ! ଇଏ ଆମ ଜିଲ୍ଲାପାଳ ମାଡାମ୍ ଙ୍କ ପୁଅ । କାଲି ଏଠିକି ଆସି ପହଞ୍ଚିଛନ୍ତି । ସେ ତାଙ୍କ ଅଜାଙ୍କୁ ଦେଖି ନାହାଁନ୍ତି ଜୀବନରେ , ଆପଣ ତ ମାଡାମ୍ ଙ୍କ ବାପ ବୟସର ହେବେ, ତେଣୁକରି ତାଙ୍କୁ ପଠାଇଛନ୍ତି ଆପଣଙ୍କର

ଆଶୀର୍ବାଦ ନେବା ପାଇଁ। ଦେହରେ ଚାରିଶହ ଚାଳିଶ୍ ଭୋଲ୍ଟେଜ ର କରେଣ୍ଟ୍ ଲାଗିଲା ଭଳିଆ ପିଲାଟି

ପାଖରୁ ଛିଟିକି ଆସିଲେ ଭୋଳାନାଥ । ଆବାକାବା ହୋଇ ଚାହିଁ ରହିଥିଲା ପିଲାଟି କାତର ନୟନରେ।

ମହେଶ ମଧ୍ୟ ଭୋଳାନାଥଙ୍କର ଏମିତି ଆଚରଣ ଦେଖି ବିସ୍ମିତ ହୋଇଯାଇଥିଲା। କ'ଣ ଆକର୍ଷଣ ଥିଲା କେଜାଣି ପିଲାଟିର ଆଖିରେ , ସେ ଆଉଥରେ ଆଖି ଉଠାଇ ଚାହିଁବାକୁ ବାଧ୍ୟ ହୋଇଥିଲେ ଭୋଳାନାଥ ।

ଭଲ କରି ନିରେଖି ଦେଖିଲେ ପିଲାଟିର ମୁହଁକୁ । ନିଜର ଗୋଟାଏ ପ୍ରତିଛବିକୁ ଦେଖି ପାରିଲେ ପିଲାଟିର

ମୁହଁରେ । ତାଙ୍କର ଆଖିରୁ ଧାର ଧାର ଲୁହ ବୋହି ଯାଉଥିଲା, ଓଠ କ'ଣ କହିବ କହିବ ବୋଲି ଥରିଥରି

ଉଠୁଥିଲା କିନ୍ତୁ ସେ କିଛି କହି ପାରୁ ନଥିଲେ । ମହେଶ ପଚାରୁଥିଲା କ'ଣ ହେଲା କି ନନା ? ନିଜକୁ

ପ୍ରକୃତିସ୍ଥ କରି ଭୋଳାନାଥ ଉତ୍ତର ଦେଲେ କିଛି ନାଇଁ। ବିକାଶର କିଛି ପିଲାପିଲି ନାହାଁନ୍ତି ତ ସେଥିଲାଗି

ଆଉ କାହା ପିଲାକୁ ଦେଖିଲେ ମୋ ମନରେ ଗୋଟିଏ ଗଭୀର ଆଘାତ ଲାଗେ । ତମେ ଏବେ ଫେରି ଯାଅ।

ଆଉ କେବେ ଏଇ ପିଲାଟିକୁ ନେଇ ଏଠାକୁ ଆସିବନି । ପିଲାଟିର ମାଆଙ୍କୁ କହିବା ସେ ଆମକୁ ଯଥେଷ୍ଟ

ଅନୁକମ୍ପା କରିଛନ୍ତି, ଅନୁଗ୍ରହ କରି ଆଉ ଅଧିକ ଅନୁକମ୍ପାର ବୋଝ ମୋ ଉପରେ ଲଦିବେ ନାହିଁ , କାରଣ

ଏ ବୁଢା ବ୍ରାହ୍ମଣର କାନ୍ଧରେ କି ମନରେ ଆଉ ବଳ ନାହିଁ ସେ ବୋଝ ସମ୍ଭାଳିବା ଲାଗି । ମହେଶ ମୁଣ୍ଡରେ

କିଛି ପଶୁନଥିଲା ତାଙ୍କର କଥା । ତା'କୁ ଲାଗୁଥିଲା ନନାଙ୍କର ମତିଭ୍ରମ ହେଲାଣି ରୋଗରେ ପଡି ପଡି ।

ସେଥିଲାଗି କିଛି ନକହି ସେ ଚୁପ୍ ଚାପ୍ ହୋଇ ଫେରିଆସିଲା ସେଠାରୁ । ସବୁ କଥା ଗୋଟି ଗୋଟି କରି କହିଲା ଜିଲ୍ଲାପାଳଙ୍କ ଆଗରେ ଏବଂ ଆଉ ତା'କୁ ସେଠିକି ନପଠାଇବା ଲାଗି ଅନୁରୋଧ କଲା।

ଶୀତାଂଶୁ ଭୂବନେଶ୍ୱର ରୁ ମିଟିଙ୍ଗ୍ ସାରି ଫେରୁଥିଲେ ନୟାଗଡ । ରାତି ସେତେବେଳକୁ ଦଶଟା ବାଜିଲାଣି ।

ନୟାଗଡ ଆସିବେ ବୋଲି ଡ୍ରାଇଭର୍ କୁ ଛୁଟି ଦେଇ ନିଜେ ଡ୍ରାଇଭ୍ କରି ଆସୁଛନ୍ତି , ଆଉ ଅଳ୍ପ କିଛି ଦୂରରେ ପଡିବ ନୟାଗଡ ସଦରମହକୁମା , କାର୍ ର ବେଗ ଆଉ ଟିକିଏ ବଢ଼ାଇଦେଲେ ଶୀତାଂଶୁ । ଖୁବ୍ ବେଶୀରେ

ଆଉ ତିରିଶି ମିନିଟ୍ ଭିତରେ ପହଞ୍ଚି ଯିବେ ଶିପ୍ରାଙ୍କ ପାଖରେ । ଆଜି ରାତିଟା ପୁରା ଶିପ୍ରାଙ୍କର । ବହୁତ ଦିନ

ହେବ ସେ ଶିପ୍ରାଙ୍କର ନିବିଡ ଆଶ୍ଳେଷକୁ ଝୁରି ହେଉଛନ୍ତି, ଆଜି ସବୁ ମନର ଓରିମାନା ମେଣ୍ଟାଇବେ । ହଠାତ୍ ଅଳ୍ପ ଦୂରରେ କିଛି ଲୋକ ଜମା ହୋଇ ହୋ ହାଲ୍ଲା କରୁଥିବା ଦେଖି ଗାଡି ଅଟକାଇଲେ ଶୀତାଂଶୁ ।

ତାଙ୍କୁ ଅଟକିବାର ଦେଖି କିଛି ଲୋକ ଧାଇଁ ଆସିଲେ ତାଙ୍କ ପାଖକୁ । ଜଣେ ତାଙ୍କ ଭିତରୁ ବାହାରି ଆସି କହିଲା '' ଏଠାରେ ଜଣେ ସାଇକେଲ୍ ଚାଳକକୁ ଲମ୍ବା କାର୍ ଟିଏ ଧକ୍କା ମାରି ଚାଲିଗଲା । ସାଇକେଲ୍ ଆରୋହୀ ଜଣକ ଏଠି ରକ୍ତାକ୍ତ ଅବସ୍ଥାରେ ପଡିରହିଛି, ଆମେ ଏବାଟେ ଯାଉଥିବା କେତେ ଗାଡିବାଲାଙ୍କୁ ଅଟକାଇବା ପାଇଁ ଚେଷ୍ଟା କରୁଛୁ, କେହି ଶୁଣୁ ନାହାଁନ୍ତି, ଆମ୍ବୁଲାନ୍ସକୁ ମଧ୍ୟ ଫୋନ୍ କରିଛୁ ସେ ଏଯାବତ୍

ଆସିନାହିଁ , ଯଦି ଆପଣ ଟିକେ ଦୟା କରନ୍ତେ ବିଚରା ଲୋକଟିର ପ୍ରାଣ ରକ୍ଷା ହୋଇ ଯାଆନ୍ତା, କିଏ ଜାଣେ

ସେ ହସ୍ପିଟାଲରେ ପହଞ୍ଚିଲା ଯାଏଁ ବଞ୍ଚି ରହିଥିବ କି ନାହିଁ। ତରବର ହୋଇ ଗାଡିରୁ ଓହ୍ଲାଇ ପଡିଲେ ଶୀତାଂଶୁ । ଦୁର୍ଘଟଣାଗ୍ରସ୍ତ ଲୋକଟିକୁ ଆଣି ନିଜ ଗାଡିର ପଛ ସିଟ୍ ରେ ଶୁଆଇ ଦେଇ ଆଉ ଦୁଇଜଣଙ୍କୁ ତାଙ୍କ ପାଖରେ ବସିବାକୁ କହି ଗାଡି ଗଡେଇଲେ ମେଡିକାଲ ଅଭିମୁଖେ।

ମେଡିକାଲରେ ଲୋକଟିର ତୁରନ୍ତ ଚିକିତ୍ସା ଲାଗି ସବୁ ବ୍ୟବସ୍ଥା କରି ସାରିଲା ବେଳକୁ ଡାକ୍ତର କହିଲେ ଅତ୍ୟଧିକ ରକ୍ତସ୍ରାବ ହେତୁ ଲୋକଟିର ଅବସ୍ଥା ଗୁରୁତର ଏବଂ ସଙ୍କଟାପନ୍ନ ହୋଇପଡିଛି । ତୁରନ୍ତ ରକ୍ତ ଦିଆ ନହେଲେ ତା'ର ବଞ୍ଚିବା ଅସମ୍ଭବ ।ତୁରନ୍ତ ରକ୍ତ ପରୀକ୍ଷା କରି ବ୍ଲଡ ଗ୍ରୁପ୍ ନିର୍ଦ୍ଧାରଣ କରିବା ଲାଗି ଆଦେଶ ଦେଲେ ଡାକ୍ତର । ଦୁର୍ଘଟଣାଗ୍ରସ୍ତ ଲୋକଟିର ଥିଲା ଗୋଟିଏ ବିରଳ ବ୍ଲଡ୍ ଗ୍ରୁପ୍ ଓ ନେଗେଟିଭ୍ । ମେଡିକାଲର ରକ୍ତ ଭଣ୍ଡାରରେ ସେଇ ଗ୍ରୁପ୍ ର ରକ୍ତ ନମିଳିବାରୁ ଡାକ୍ତର ତାଙ୍କର ଘରଲୋକଙ୍କୁ ଖବର ଦେବାକୁ କହିଲେ । ଯେକୌଣସି ମତେ ରକ୍ତ ଯୋଗାଡ କରି ଦେବାକୁ ପଡିବ ନହେଲେ ଲୋକଟି ବଞ୍ଚିବା ସଂପୂର୍ଣ୍ଣ ଅସମ୍ଭବ । ହଠାତ୍ ଭିଡଠେଲି ଆଗେଇ ଆସିଲେ ଶୀତାଂଶୁ , ଡାକ୍ତରଙ୍କୁ କହିଲେ '' ଆଜ୍ଞା ମୋର ଓ ନେଗେଟିଭ୍ ବ୍ଲଡ୍ ଗ୍ରୁପ୍ , ମୁଁ ଲୋକଟିକୁ ବ୍ଲଡ୍ ଦେବି । ଡାକ୍ତର ସାଙ୍ଗେସାଙ୍ଗେ ତାଙ୍କୁ ଭିତରକୁ ଡାକିନେଲେ । ବ୍ଲଡ୍ ଦେଇସାରି ବାହାରକୁ ଆସିବା ପରେ ଶୀତାଂଶୁ ଘଣ୍ଟାକୁ ଚାହିଁ ଦେଖିଲେ ରାତି ଦୁଇଟା ବାଜି ପଇଁଚାଳିଶ ମିନିଟ୍ । ପକେଟ୍ ରୁ ମୋବାଇଲ୍ ଫୋନ୍ ଟି କାଢି ଦେଖିଲାବେଳକୁ ସେଥିରେ ପନ୍ଦରଟି ମିସ୍ କଲ୍ ଅଛି ଶିପ୍ରାଙ୍କର । ମୁଣ୍ଡରେ ହାତ ଦେଲେ ସେ । ସ୍ୱଗତୋକ୍ତି କଲାଭଳି କହି ଉଠିଲେ ''ଓଃ ସରି । ବଡ ଭୁଲ୍ ଟିଏ ହୋଇଗଲା । ମୋର ଏସବୁ ଘଟଣା ଶିପ୍ରାଙ୍କୁ ଆଗରୁ ଜଣାଇ ଦେବାର ଥିଲା। ବିଚାରୀ ପ୍ରିୟା ମୋର ବହୁତ ବ୍ୟସ୍ତ ହେଉଥିବ ।'' ମୋବାଇଲ୍ ଫୋନ୍ ରେଶିପ୍ରା ଙ୍କ ନମ୍ବର ଡାଏଲ୍ କଲେ ଶୀତାଂଶୁ । ଚୁମ୍ବକରେ ସବୁ ଘଟଣା କହି ନିଜର ଭୁଲାପଣ ପାଇଁ ଭୁଲ୍ ମାଗିଡ୍ରାଇଭର୍ ଟିଏ ପଠାଇବା ଲାଗି ଅନୁରୋଧ କଲେ କାରଣ ରାତି ଅନିଦ୍ରା ପରେ ରକ୍ତ ଦାନ ଜନିତ କ୍ଳାନ୍ତି ରେତାଙ୍କ ମୁଣ୍ଡ ଘୁରାଇବାକୁ ଆରମ୍ଭ କରିଥିଲା ଆଉ ସେ ନିଜେ ଗାଡି ଡ୍ରାଇଭ୍ କରି ଯିବାକୁ ସୁରକ୍ଷିତ ମଣୁ ନଥିଲେ। ଦୁର୍ଘଟଣାଗ୍ରସ୍ତ ଲୋକଟିର ଘରଲୋକେ ସେତେବେଳ ଯାଏଁ ମଧ୍ୟ ଆସିନଥିଲେ , ସେମାନେ ଆସିଲାପରେ ତାଙ୍କୁ ଲୋକଟିର ଦାୟିତ୍ବ ଦେଇ ଘରକୁ ଫେରିବେ ବୋଲି ଭାବି କାଜୁଆଲିଟି ବାହାରେ ପଡିଥିବା ବେଞ୍ଚ ଟିରେ ବସି ରହିଲେ ସେ।

ଭୋର୍ ପାଞ୍ଚଟା ବେଳକୁ ପହଞ୍ଚିଥିଲେ ଦୁର୍ଘଟଣାଗ୍ରସ୍ତ ଲୋକଟିର ସ୍ତ୍ରୀ ଆଉ ବାପା । ଲୋକଟିର ସାର୍ଟ ପକେଟ୍ ରୁ ମିଳିଥିବା କାଗଜପତ୍ରରୁ ଠିକଣା ସଂଗ୍ରହ କେହି ଖବର ଦେଇଥିଲେ ତାଙ୍କର ଘରେ। ଡାକ୍ତରଙ୍କ ପାଖରେ ପହଞ୍ଚି ସବୁ କଥା ଶୁଣିବା ପରେ ନିଜର ଏକମାତ୍ର ପୁଅର ଜୀବନ ରକ୍ଷା କରିଥିବା ଦେବତା ଜଣଙ୍କୁ ସାକ୍ଷାତ କରିବାକୁ ଚାହିଁଥିଲେ ବୃଦ୍ଧ ବାପା ଜଣକ। ଡାକ୍ତର ଜଣକ ଚିହ୍ନାଇ ଦେଇଥିଲେ ବାହାରେ ବେଞ୍ଚ ଉପରେ ବସିରହିଥିବା ଶୀତାଂଶୁଙ୍କୁ ।

ଶୀତାଂଶୁଙ୍କ ପାଖରେ ପହଞ୍ଚି ତାଙ୍କୁ କୁଣ୍ଢାଇ ପକାଇଥିଲେ ବୃଦ୍ଧ ଜଣକ । ତାଙ୍କୁ ଆଶୀର୍ବାଦ କରି ତାଙ୍କ ମୁଣ୍ଡରେ ହାତ ରଖି ଲୁହ ଛଳଛଳ ଆଖିରେ କହିଥିଲେ '' ତୁମେ ମଣିଷ ନୁହଁ ଦେବତା ବାବୁ , ନହେଲେ ଅଚିହ୍ନା ଅଜଣା ଲୋକଟିଏ ପାଇଁ ଏତେ ଉପକାର କିଏ କରେ ? ମୋର ଏକମାତ୍ର ପୁତ୍ରକୁ ଜୀବନଦାନ ଦେଇ ତମେ ମୋର

ବଂଶରକ୍ଷା କରିଛ ପୁଅ । ମୁଁ ଜଣେ ବୃଦ୍ଧ ବ୍ରାହ୍ମଣ, ଆଶୀର୍ବାଦ କରୁଛି ତୁମ କୁଳ ଉଜ୍ଜଳ ହେଉ , ତୁମ ପିଲାମାନେ ଭଲ ମଣିଷ ହୁଅନ୍ତୁ , ତୁମର ଉତ୍ତରୋତ୍ତର ଉନ୍ନତି ହେଉ । ବୃଦ୍ଧ ଜଣକ ଆଶୀର୍ବାଦ କରି ଚାଲିଥିଲେ, ଶୀତାଂଶୁ ନଇଁପଡ଼ି ବୃଦ୍ଧଙ୍କର ପାଦ ଛୁଇଁଲେ, ବୃଦ୍ଧଙ୍କ ଆଖିରୁ ଲୁହ ଝରି ପଡୁଥିଲା ଶୀତାଂଶୁଙ୍କର

ମୁଣ୍ଡ ଉପରେ କୋଟି କୋଟି ଆଶୀର୍ବାଦର ଫୁଲ ହୋଇ । ସେଇ ମହାର୍ଘ ମୁହୂର୍ତ୍ତକୁ ମନଭରି ଉପଭୋଗ କରୁଥିଲା ସୁଭଦ୍ରା । ଡ୍ରାଇଭର୍ ଟିଏ ନମିଳିବାରୁ ନିଜର କାର୍ ଟି ନିଜେ ଡ୍ରାଇଭ୍ କରି ଆସିଥିଲା ଶୀତାଂଶୁଙ୍କୁ

ନେବା ଲାଗି । ହସ୍ପିଟାଲରେ ପହଞ୍ଚିଲା ପରେ ଷ୍ଟାଫ୍ ମାନଙ୍କ ପାଖରୁ ଶୀତାଂଶୁଙ୍କ ମହନୀୟତା ବିଷୟରେ ଶୁଣିବା ପରେ ସେ ଗଭୀର ଆତ୍ମତୃପ୍ତିରେ ଉଜ୍ଜଳି ଉଠିଥିଲା । ଶୀତାଂଶୁଙ୍କ ମଣିଷ ପଣିଆ ଦେଖି ମନେ

ଗର୍ବ ଅନୁଭବ କରୁଥିଲା ଯେ ସେ ମଣିଷ ଚିହ୍ନିବାରେ ବିଫଳ ହୋଇନାହିଁ । ସେଇ କଥା ଜଣାଇବା ପାଇଁ

ସେ ଆସୁଥିଲା ଶୀତାଂଶୁଙ୍କ ପାଖକୁ । ଆସିଲା ବେଳକୁ ଦେଖିଲା ଶୀତାଂଶୁଙ୍କୁ କୁଣ୍ଢାଇ ଧରିଛନ୍ତି ତା'ର

ନନା । ସେମାନଙ୍କୁ ଏମିତି ଅବସ୍ଥାରେ ଦେଖି ତା'ର ବୁଝିବାକୁ ବାକି ରହିଲାନି ଯେ ଦୁର୍ଘଟଣାଗ୍ରସ୍ତ ଯୁବକଟି

ତା'ର ଭାଇ ବିକାଶ ବୋଲି । ନନାଙ୍କର ଶୀତାଂଶୁଙ୍କୁ ଦେଉଥିବା ପ୍ରାଣଖୋଲା ଆଶୀର୍ବାଦକୁ ହରାଇବାକୁ

ଚାହୁଁନଥିଲା ସୁଭଦ୍ରା, ସେଥିଲାଗି କବାଟ ପଛପଟରୁ ଘୁଞ୍ଚି ଯାଇଥିଲା ସେ । ଏଇ ମୁହୂର୍ତ୍ତରେ ନନାଙ୍କ ଆଗକୁ ଆସି ତାଙ୍କର ହର୍ଷର କ୍ଷଣ ସବୁକୁ ବିଷାଦରେ ଭରିବା ଲାଗି ଚାହୁଁନଥିଲା । ସେ ଚାହୁଁଥିଲା ତା' ନନାଙ୍କ ସବୁବେଳେ ଏମିତି ହସୁଥାଆନ୍ତୁ । ତାଙ୍କର ମନ ଦର୍ପଣରେ ଶୀତାଂଶୁଙ୍କର ଏଇ ପ୍ରତିବିମ୍ବଟି ଚିରଭାସ୍ୱର

ରହୁ। ସାମନାକୁ ଆସି ସେ ଶୀତାଂଶୁଙ୍କ ଆଗରେ ନନାଙ୍କୁ କିମ୍ବା ନନାଙ୍କ ଆଗରେ ଶୀତାଂଶୁଙ୍କୁ ଛୋଟ

କରିଦେବା ଲାଗି ଚାହୁଁନଥିଲା । ଜାତିପ୍ରଥା ଭଳି ଏକ ସାମାଜିକ ବ୍ୟାଧିରେ ଆହୁତି ହୋଇଥିବା ତା'ର ସଂପର୍କ

ଆଉ କ୍ଷତାକ୍ତ ନହେଉ , ସମସ୍ତେ ଯିଏ ଯାହାର ପରିସରରେ ଭଲରେ ରହନ୍ତୁ , ସମୟକୁ ତା' ବାଟରେ ଯିବାକୁ ଦିଆଯାଉ , ଏଇ ନିଷ୍ପତ୍ତି ନେଲା ସୁଭଦ୍ରା । ନନାଙ୍କର ସେ ' ବାରଶହ ବଢେଇରେ ଦାୟୀ , ଧରମାରେ ନୁହେଁ ' ମନସ୍ତତ୍ତ୍ୱକୁ ସମ୍ମାନ ଜଣାଇ ପଛକୁ ପାଦ ପକାଇ ମେଡିକାଲ ଗେଟ୍ ବାହାରକୁ ଆସି ଶୀତାଂଶୁଙ୍କୁ ଫୋନ୍ ଲଗାଇଲା '' ଆରେ କୋଉଠି ଅଛ ? ବାହାରକୁ ଆସ , ମୁଁ ଏଇଠି ଗେଟ୍ ପାଖରେ ଅପେକ୍ଷା କରିଛି '' କହି ଫୋନ୍ ଟି ରଖି ଆଖିରୁ ଲୁହ ପୋଛିଲା ସୁଭଦ୍ରା । ପ୍ରଭାତର ପ୍ରଥମ କିରଣ ବିଛେଇ ହୋଇ ପଡୁଥିଲା ପୃଥିବୀର ଶୀତଳ ପଣତରେ । ଏବେ ତା'କୁ ଚତୁର୍ଦ୍ଦିଗ ଆଲୋକମୟ ଦେଖାଗଲା । ସଂପର୍କର ଦୋଛକିରେ ଠିଆହୋଇ ଜୀବନ ହସୁଥିଲା ।।

ସୁଭଦ୍ରା ନନା ଶୀତାଂଶୁ

Rate the content


Originality
Flow
Language
Cover design

Comments

Post

Some text some message..