Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ରାଧାର ପାଉଁଜୀ ବନ୍ଧା ପଡିଛି
ରାଧାର ପାଉଁଜୀ ବନ୍ଧା ପଡିଛି
★★★★★

© Ranita Swain

Romance Tragedy

5 Minutes   7.1K    15


Content Ranking

ଆଜି ଦୀପାବଳୀ ସାରା ଘର ଦୀପରେ ଆଲୋକିତ। ଘରେ ଆନନ୍ଦର ଲହରୀ। ବହୁତ୍ ଦିନର ଆଶା ଆଜି ସଫଳ ହୋଇଛି ଆଲୋକ ଆଜି କାରଟିଏ କିଣିଛନ୍ତି। କାର କିଣି ପ୍ବଜା କରି ସାରିବା ପରେ ଆଲୋକ ଯେତେବେଳେ ଚାବିଟି ପତ୍ନୀ ଆଶାଙ୍କୁ ଦେଲେ ଆଶାର ଖୁସୀ କହିଲେ ନ ସରେ। ଆଶା ଆଲୋକଙ୍କୁ ଆଲିଙ୍ଗନ କରି କହିଲେ ଥ୍ୟାଙ୍କ ୟୁ ଆଲୋକ ଦୀପାବଳୀରେ ଏ ସୁନ୍ଦର ଉପହାର ପାଇଁ। ଆଲୋକ କହିଲେ ତୁମେ ଏଥର ଖୁସୀ ତ ଆଶା ? ତୁମ ଖୁସୀ ପାଇଁ ମୁଁ କିଛି ବି କରିପାରେ। ତୁମେ କହୁଥିଲ ନା ତୁମ ସାଙ୍ଗ ମାନେ ସବୁ କାର୍ ରେ ଅଫିସ୍ ଆସୁଛନ୍ତି ଏଥର ତୁମେ ବି ଗାଡି ନେଇ ଅଫିସ୍ ଯିବ। ଆଶା କହିଲେ ନା ନା ତୁମେ ମୋତେ ମୋ ଅଫିସ୍ ରେ ଛାଡି ଦେଇ ତୁମେ ଗାଡି ନେଇ ତୁମ ଅଫିସ୍ କୁ ଯିବ। ନା ନା ମୁଁ ବାଇକ୍ ନେଇ ଯିବି ଗାଡିର ସଉକ ମୋର ନାହିଁ। ମୁୁୁୁଁ ତ ଗାଡି ତୁମ ପାଇଁ କିଣିଛି । ଆଶା ଖୁସୀରେ ଚୁମି ପକେଇଲେ ଆଲୋକଙ୍କୁ

ସତରେ....ସତ କହୁଛ ତୁମେ। ସୋ ସୁଇଟ୍ ଅଫ ୟୁୁ। ମୁଁ ଯାଣି ନଥିଲି ଆଲୋକ....ତୁମେ ମୋତେ ଏତେ ଭଲ ପାଓ ବୋଲି । ଏ କଥା କହି ଆଶା ବେଡ୍ ରୁମ୍ ଭିତରକୁ ଚାଲିଗଲେ। ବାଲକୋନୀ ରେ ବସି ରହିଥିଲେ ଆଲୋକ । ସହରଟା ସାରା....ଚିକ୍ ମିକ୍ ଆଲୁଅରେ ଝଲସି ଉଠୁଛି,,,

ସମସ୍ତଙ୍କ ଘରୁ ଦୀପ ମିଞ୍ଜି ମିଞ୍ଜି ଆାଲୁଅରେ ଆଖି ମିଟିକା ମାରୁଛନ୍ତି....ରଙ୍ଗ ବିରଙ୍ଗି ଆତିସବାଜୀରେ ସାରା ସହରଟା ରଙ୍ଗୀନ ଦିଶୁଛି କିନ୍ତୁ ଆଲୋକଙ୍କ ହୃଦୟର କୋଠରୀରେ ମେଞ୍ଚା ମେଞ୍ଚା ଅନ୍ଧକାର। ସତରେ କଣ ସେ ଆଜି ଖୁସି ନୁହେଁ....ନିଜ ପରିଶ୍ରମର ପଇସାରେ ଆଜି ସେ କାର୍ ଟିଏ କିଣିଛି.....ତଥାପି ସେ ଖୁସୀ ନୁହନ୍ତି କାହିଁକି ?

ନା ନା ତାକୁ ଖୁସୀ ହେବାକୁ ପଡିବ କାହାକୁ କଥା ଦେଇଛି ପରା ଯେତେ କଷ୍ଟ ହେଲେ ବି ଖୁସୀ ହେବ। ଆଖିରୁ ଲୁହ ପୋଛିଲେ ଆଲୋକ । ଆଖି ଆଗରେ ଉତୁରି ପଡିଲା ରାଧାର ସୁନା ମୁଁହଟି । ଯେ କି ଆଲୋକର ଲୁହ ପୋଛି ଦେଇ କହୁଥିଲା....ଏ କଣ ଆଲୋକ, ତୁ କାନ୍ଦୁଛୁ ? ତୁ ପରା ମୋତେ କଥା ଦେଇଥିଲୁ କେବେ କାନ୍ଦିବୁ ନି ବୋଲି । ଆରେ ତୁ ପରା ନୂଆ ଗାଡି କିଣିଛୁ,? ଚାଲ ନା ଗୋଟେ ଲଙ୍ଗ ଡ୍ରାଇଭ୍ ରେ ଯିବା,,,। ତୁ ଥିବୁ ଆଉ ମୁଁ ଥିବି....ଆଉ ଥିବ ଏ ଖୋଲା ଆକାଶ୍...। ହଁ ମୋତେ କିନ୍ତୁ ରାସ୍ତାରେ ଆଇସ୍କ୍ରିମ୍ ଖୁଆଇବ...। ଚମକି ପଡିଲେ ଆଲୋକ....ସତରେ ରାଧା ଆସିଛି ନା କଣ ?

ଚାରିଆଡ କୁ ଚାହିଁଲେ, ଆଉ ଅତୀତ ର ସେଇ ଅଣ ଲେଉଟା ପୃଷ୍ଟା ରେ ହଜିଗଲେ ଆଲୋକ। ସତରେ ରାଧା ଆଇସ୍କ୍ରୀମ୍ କେତେ ଭଲ ପାଏ । ଥଣ୍ଡା ଧରି ନାକ ସୁଁ ସୁଁ କରୁଥିଲେ ବି ଆଇସ୍କ୍ରିମ୍ ଖାଇବାକୁ ଜିଦ୍ କରେ। ଆଇସ୍କ୍ରୀମ୍ ଖାଇଲା ବେଳେ ପୁରା ଡ୍ରେସ୍ ରେ ବୋହି ପଡେ, ମୁଁହରେ ଆଡେ ସାଡେ ଲାଗିଥାଏ ରାଧାର...। ତାକୁ ଦେଖି ହସି ହସି ଗଡି ଯାଏ ଆଲୋକ। ଆଜି କାହିଁକି ବହୁତ ମନେ ପଡୁଛି ରାଧା । ସାଥୀ ହୋଇ ପଢୁଥିଲେ ରାଧା ଆଉ ଆଲୋକ। ରାଧା ସରପଞ୍ଚଙ୍କ ଝିଅ ଆଉ ଆଲୋକ ଜଣେ ଗରୀବ ଘରର ପୁଅ । ବାପ ଛେଉଣ୍ଡ ମା ପର ଘରେ କାମ କଲେ ଯାଇ ଘର ଚଳେ। ଆଲୋକ କିନ୍ତୁ ବହୁତ ଭଲ ପିଲାଟିଏ ସ୍ବଭାବରେ ଶାନ୍ତ ଶିଷ୍ଟ,...ଭଲ ପାଠ ବି ପଢେ। ରାଧା ଆଉ ଆଲୋକର ବହୁତ ଭଲ ସାଙ୍ଗ। ରାଧା ବହୁତ ଭଲପାଏ ଆଲୋକଙ୍କୁ। ଆଲୋକ ଭଲ ପାଠ ସିନା ପଢେ ହେଲେ ଅଭାବ ଯୋଗୁ ପାଠ୍ୟ ଉପକରଣ କିଣି ପାରେନି...ରାଧା କିନ୍ତୁ ସବୁବେଳେ ସାହାଯ୍ୟ କରେ ଆଲୋକଙ୍କୁ । ଆଲୋକ କୁହନ୍ତି ସତରେ ରାଧା ତୁ ମୋତେ ଆଉ ଏତେ ସାହାଯ୍ୟ କରନା ,କେତେ ଦିନ ଆଉ କରିବୁ ମୋତେ ଆଉ ଭଲ ଲାଗୁନି ,,ଭାବୁଛି ପାଠ ପଢା ଛାଡିଦେବି । ତୋ ଋଣ କେମିତି ସୁଝିବି କହିଲୁ ? ରାଧା ମୁଁହ ଫୁଲେଇ କୁହେ ବେଶୀ କହନା କହୁଛି

ପାଠ ପଢି ଚାକିରି କଲେ ଗୋଟେ ବଡ ଗାଡି କିଣିବୁ ଆଉ ପ୍ରଥମ ଡ୍ରାଇଭ୍ ରେ ମୋତେ ନେବୁ, ବାସ୍ ମୋ ଋଣ ସୁଝି ଯିବ । ଆଜି ଆଲୋକ ଗାଡି କିଣିଛନ୍ତି, ହେଲେ ରାଧା ? ସେଦିନ କଥାଟି ଭୁଲି ପାରୁ ନାହାଁନ୍ତି ଆଲୋକ । ମାଟ୍ରିକ୍ ପରେ କଲେଜ୍ ରେ ଆଡମିସନ୍ ପାଇଁ ପଇସା ନଥାଏ ଆଲୋକ ଙ୍କ ପାଖରେ । ସେତେବେଳେ ଅବଶ୍ୟ ଏତେ ପଇସା ନଥିଲା ଆଡମିସନ୍ ପାଇଁ ତଥାପି ଆଲୋକ ଯୋଗାଡ କରିପାରି ନଥିଲେ ପଇସା। ବିବ୍ରତ ହୋଇ ପଡୁଥିଲେ ସେ। ତାରିଖ ପାଖେଇ ଆସୁଥିଲା। ହଠାତ୍ ଦିନେ ରାଧା ସହ ଦେଖା ହୋଇଗଲା ଆଲୋକର । ରାଧା କହିଲା, "କେବେ ଆଡମିସନ୍ କରୁଛୁ?" ଆଲୋକ କିଛି ନ କହି ଚୁପ୍ ରହିଥିଲେ । ରାଧା କିନ୍ତୁ ଯାଣି ପାରିଥିଲା ଆଲୋକର ଅସୁବିଧାଟା କଣ। କହିଲା ଚିନ୍ତା କର ନା ଠିକ୍ ସମୟରେ ତୋର ଆଡମିସନ ହେବ। ଆଲୋକ କହିଲେ କେମିତି ରାଧା ? ସବୁ ଚେଷ୍ଟା କରି ଦେଖି ସାରିଲିଣି ଲୋ । ଏତିକି କହି ,ଉଦାସ ହୋଇଗଲେ ଆଲୋକ। ରାଧା ନିଜ ଗୋଡରୁ ପାଉଁଜୀ ଖୋଲି ଆଲୋକ ହାତରେ ଦେଇ କହିଲା ନେ ଏଇଟାକୁ ବିକ୍ରି କରି ତୋ ଆଡମିସନ୍ କର । ଆଲୋକ କହିଲେ ନା ନା ଏ କଣ ମୁଁ ତୋ ପାଉଁଜୀ ନେଇପାରିବିନି ,ଆରେ ତୋ ଘରେ ଯାଣିଲେ ତୋତେ କଣ କହିବେ କହିଲୁ ? ତୋ ମୁଣ୍ଡ ଆଉ କାମ କରୁନି ନା କଣ। ଥାଉ ମୋ ପାଠ ପଢା । ଆସନ୍ତା ବର୍ଷ ପଢିବି । ତୋତେ ମୋ ରାଣ ଆଲୋକ ତୋତେ ଏ ବର୍ଷ ହିଁ ପଡିବାକୁ ପଡିବ । ଗୋଟିଏ ବର୍ଷର ମୂଲ୍ୟ ପାଖରେ ଏ ପାଉଁଜୀର ମୂଲ୍ୟ ଯଥେଷ୍ଟ କମ୍। କାହିଁକି ବୁଝୁନୁ କହିଲୁ । ଘର କଥା ମୁଁ ବୁଝିବି । ଆରେ ତୋତେ କଣ ମୁଁ ମାଗଣାରେ ଦେଉଛି କି ? ତୁ ଚାକିରି କଲେ ହଳେ ନୂଆ ପାଉଁଜୀ ମୋତେ କିଣି ଦେବୁନି ଆଉ ମନେ ରଖିଥା ତୋ ନୂଆ ଗାଡିରେ ପ୍ରଥମ ଡ୍ରାଇଭ୍ ମୋ ସହ....ହେଲା କହି ହସିଦେଲା ରାଧା । ତୋତେ ମୋ ରାଣରେ ମନା କରନି । ଛଳଛଳ ଆଖିରେ ପାଉଁଜୀ ଧରିଲେ ଆଲୋକ।

ଆଡମିସନ୍ ଠିକ୍ ସମୟରେ ହେଲା ଆଲୋକଙ୍କର। ସହରରେ ପାଠ ପଢିବାକୁ ଗଲେ ଆଲୋକ। ମାଟ୍ରିକ୍ ପଢି ଘରେ ରହିଲେ ରାଧା । ସେତେବେଳେ ଗାଁରେ ଝିଅମାନେ ବେଶୀ ପାଠ ପଢୁ ନଥିଲେ। ଛୁଟିରେ ଆସିଲେ ରାଧାକୁ ଦେଖା କରନ୍ତି ଆଲୋକ । ଖୁବ୍ କଥା ହୁଅନ୍ତି ରାଧା ଆଉ ଆଲୋକ । ଆଲୋକ କୁହନ୍ତି, ସତରେ ଲୋ ରାଧା ଏତେ ଝିଅ ଦେଖୁଛି କଲେଜରେ ତୋ ପରି କିନ୍ତୁ କେହି ନୁହେଁ ,ମନ ଯେମିତି ରୂପ ସେମିତି । ତୋତେ ଭଗବାନ ବଡ ଫୁରସତ୍ ରେ ବନେଇଛନ୍ତି ,ଲୋ। ରାଧା ହସି ହସି ଗଡି ଯାଏ। ରାଧାକୁ ମନେ ମନେ ଭଲ ପାଇ ବସନ୍ତି ଆଲୋକ। ଭାବନ୍ତି ଏବେ କିଛି କହିବିନି,ଚାକିରି ପାଇଲେ ପ୍ରଥମ ଦରମାରେ ପାଉଁଜୀ ହଳେ କିଣିବି ଆଉ ରାଧାକୁ ଦେଇ ମୋ ମନ କଥା କହିବ । ସ୍ନାତକ ଶେଷ ବର୍ଷ ,ଖରା ଛୁଟିରେ ଗାଁକୁ ଆସନ୍ତି ଆଲୋକ । ନଈ କୁଳରେ ରାଧାକୁ ଅପେକ୍ଷା କରନ୍ତି ଆଲୋକ। ରାଧା ହସି ହସି ଦଉଡି ଆସେ। ହାତରେ କିଛି ଲୁଚେଇ ଧରିଥାଏ।

ଆଲୋକ କହିଲେ ହାତରେ କଣ ଲୁଚେଇଛୁ କି । ରାଧା କହିଲା ତୁ ଜାଣିଲେ ଖୁସୀ ହେଇ ଯିବୁରେ ଏଇ ମାସରେ ପରା ମୋ ବାହାଘର । ଏଇ ନେ ନିମନ୍ତ୍ରଣ ପତ୍ର। ତୋ ବାହାଘର ବିସ୍ମୟ ହୋଇ ପଚାରିଲେ ଆଲୋକ। ନିମନ୍ତ୍ରଣ ପତ୍ରଟି ବଢେଇ ଦେଲା ରାଧା । ଆଲୋକ ନିମନ୍ତ୍ରଣ ପତ୍ରଟିକୁ ଦେଖୁ ଦେଖୁ ଦୁଇ ଟୋପା ଲୁହ ଝରି ପଡିଲା ନିମନ୍ତ୍ରଣ ପତ୍ର ଉପରେ । ରାଧା କହିଲା ଆରେ ,ତୁ କଣ କାନ୍ଦୁଛୁ ? ମୋ ବାହାଘର ରେ କଣ ତୁ ଖୁସୀ ନୁହଁ । ଆରେ ନାଇଁ ନାଇଁ ଏ ଲୁହ ତ ଖୁସୀର । ସତରେ ରାଧା ଜମା ବି ଜଣା ପଡିଲାନି ତୁ ଏହା ଭିତରେ ଏତେ ବଡ ହୋଇ ଗଲୁଣୁ ବୋଲି....। ଧେତ୍, ତୁ ବି ନା......

କହି ହସି ଦେଲା ରାଧା । ହଁ ଶୁଣ୍ ମନ ଦେଇ ପାଠ ପଢିବୁ,ବଡ ଚାକିରିଟେ କରିବୁ ,ଆଉ ବଡ ଗାଡି କିଣି ମୋତେ ଆଗେ ବସେଇବୁ ଏ କଥା ଯେମିତି ଭୁଲିବୁନି......ହେଲା। ଏବେ ମୁଁ ଯାଉଛି କହି ଚାଲିଗଲା ରାଧା । ଅପଲକ ନୟନ ରେ ପଛରୁ ଚାହିଁଥିଲେ ଆଲୋକ। ଆଖିରୁ ଗଡି ଯାଉଥିଲା ଧାର ଧାର ଲୁହ, ଭାବୁଥିଲେ ଆଲୋକ ,କାଶ୍ ମୋ ମନ କଥା ଥରେ ପଢି ପାରିଥାନ୍ତୁ ଲୋ ରାଧା । ମୁଁ ଅଭାଗା ବି କୋଉ ତୋତେ କହି ପାରିଲି। ଆଉ କିଛି ଦିନ ଅପେକ୍ଷା କରି ପାରିଲୁନି ତୁ । ସ୍ବପ୍ନର ସୌଧ ସବୁ ଆଖି ଆଗରେ ଭାଙ୍ଗି ଚୁରମାର୍ ହେଉଥିଲା, ଆଉ ସେ ଭଙ୍ଗା...ସ୍ବପ୍ନର ଟୁକୁଡାରେ କ୍ଷତ ବିକ୍ଷତ ହେଉଥିଲେ ଆଲୋକ । ରାଧାର ସ୍ବପ୍ନ ସତ୍ୟ ହେଲା। ବଡ ପଦବୀରେ ସରକାରୀ ଚାକିରି ପାଇଲେ ଆଲୋକ ପ୍ରଥମ ମାସ ଦରମାରେ କିଣି ଆଣିଲେ ରାଧା ପାଇଁ ପାଉଁଜୀ । ଆଉ ଦେଖା ହୋଇନି ରାଧା ସହ ଦେଇ ପାରି ନାହାଁନ୍ତି ସେ ପାଉଁଜୀ ଆଲୋକ....।

ଆଜି ଗାଡି କିଣିଲେ ଆଲୋକ ,ପ୍ରଥମେ ରାଧା ବସିବ ବୋଲି କେତେ ଅଳି କରିଥିଲା ସେ । ଆଜି ଯେତେବେଳେ ପ୍ରଥମେ ପତ୍ନୀ ଆଶାଙ୍କୁ ଗାଡିରେ ବସେଇ ଥିଲେ ମନେ ମନେ ନିଜକୁ ଧିକ୍କାରୁ ଥିଲେ ଆଉ କହୁଥିଲେ ମୋତେ କ୍ଷମା କରିଦେ ରାଧା....ଆଜିବି ତୋର ସେ ଅଳି ଆଉ ତୋର ସେ ପାଉଁଜୀ ବନ୍ଧା ପଡିଛି ମୋ ଅସହାୟତା ପାଖରେ,ଆଉ....ମୁଁ ସବୁଦିନ ପାଇଁ....ବନ୍ଧା ପଡିଛି,ତ.... ସ୍ନେହ ପାଖରେ....।

ରନିତା ସ୍ବାଇଁ

ଦୀପାବଳୀ ଝିଅ ଆଇସ୍କ୍ରିମ୍

Rate the content


Originality
Flow
Language
Cover design

Comments

Post

Some text some message..