ଦୃଷ୍ଟିଭଙ୍ଗୀ ପ୍ରତିଫଳନ
ଦୃଷ୍ଟିଭଙ୍ଗୀ ପ୍ରତିଫଳନ
ଅତୀତର ରଣଭୂମିର ଯୋଦ୍ଧା ମାନଙ୍କୁ ଆମେ ଜାଣିଛେ। ରାମାୟଣ ମହାଭାରତର ଯୋଦ୍ଧାଙ୍କ କଥା ପଢ଼ିଛେ। ଦ୍ରୋଣାଚାର୍ଯ୍ୟ କୌରବ ଓ ପାଣ୍ଡବ ଭାଇମାନଙ୍କ ମଧ୍ୟରୁ ଜେଷ୍ଠ ଦୁର୍ଯୋଧନ ଓ ଯୁଧିଷ୍ଟିର ଦୁଇ ଯୋଦ୍ଧାଙ୍କୁ ଡ଼ାକି ଗୋଟେ କାମ ଦେଇଥିଲେ, ପୃଥିବପୃଷ୍ଟରେ କେତେ ଭଲ ଲୋକ ଓ କେତେ ମନ୍ଦ ଲୋକ ଅଛନ୍ତି ବୁଝି ଆସିବାକୁ ନିର୍ଦ୍ଧେଶ ଦେଇଥିଲେ। ଦୁଇ ଯୋଦ୍ଧା ଏଇ ସାମାନ୍ୟ କାମରେ ଗୁରୁଙ୍କ କଥା ମାନି, ମାଆ ଦୁର୍ଗାଙ୍କ ନବଦିନ ବ୍ୟାପି ପୂଜା ବେଳେ ମର୍ତ୍ତ୍ୟରେ ପହଞ୍ଚି ଛଦ୍ମ ବେଶରେ ପୂଜା ମଣ୍ଡପ ବୁଲି ଦେଖିବା ସହ ଲୋକମାନଙ୍କୁ ଅନୁଶୀଳନ କରୁଥିଲେ। ଦୁର୍ଯ୍ୟୋଧନଙ୍କୁ ସବୁ ନିଷ୍ଫଳ ଲାଗୁଥିଲା ବେଳେ ଯୁଧିଷ୍ଠିରଙ୍କୁ ସବୁଆଡ଼େ ଯୋଦ୍ଧା ଥିବାର ଅନୁମେୟ ହୋଇଥିଲା ଓ ମଣିଷ ଭିତରେ ମାନବିକତା ଦୃଷ୍ଟି ଗୋଚର ହୋଇଥିଲା।
ଦୁହେଁ ଫେରି ଯାଇ ଗୁରୁ ଦ୍ରୋଣଙ୍କୁ ଯିଏ ଯାହା ଅନୁଭୁତିରୁ ଆହରଣ କରିଥିବା ଜ୍ଞାନ ଅନୁଯାୟୀ ଦୁର୍ଯୋଧନ ଜଣେ ହେଲେ ଭଲ ମଣିଷ ନଦେଖିଥିବା କହିବା ବେଳେ ଯୁଧିଷ୍ଠିର ଜଣେ ହେଲେ ଖରାପ ମଣିଷ ଦେଖିବାକୁ ପାଇନଥିବାର କହିଥିଲେ। ଗୁରୁ ଦ୍ରୋଣ, କେମିତି ଜାଣିଲ କାରଣ ପଚାରିଥିଲେ ତ ଦୁର୍ଯ୍ୟୋଧନ କହିଥିଲେ ମାଆଙ୍କ ଷୋଡଶ ପୂଜା ଠିକ୍ ସେ ଜଣେ ବି ମଣିଷ କରୁନାହିଁ। ମାଆଙ୍କ ମୃଣ୍ମୟ ମୂର୍ତ୍ତି ଗଠନ ଶୈଳୀ ମଧ୍ଯ ବଡ ବିଚିତ୍ର ଲାଗିଲା। ଯୁଧିଷ୍ଠିର କହୁଥିଲେ ,ପୂଜା ପଦ୍ଧତିର ଧାରା ଓ ପ୍ରୟୋଗ ଧରାରେ ଯାହା ବି ହେଉନା କାହିଁକି, ଏକତା, ଭାଇଚାରା, ଭକ୍ତି ସମସ୍ତଙ୍କ ଭିତରେ ଦେଖିବାକୁ ପାଇଲି ଗୁରୁଦେବ। ସେ ଦୁହିଁଙ୍କ କଥା ଶୁଣି ଗୁରୁ କେବଳ ପରାମର୍ଶ ଦେଇଥିଲେ ଦର୍ପଣ ଦେଖିବାକୁ।
ଦୁଇ ଯୋଦ୍ଧା କିଛି ବୁଝିନପାରି ତଥାପି ଗୁରୁଆଜ୍ଞା ଅବମାନନା ନକରି ରାତିରେ ନିଜକୁ ଦର୍ପଣ ଆଗରେ ଉପସ୍ଥିତ କରାଇଥିଲେ ତ ଦୁହିଁଙ୍କୁ ଗୋଟାଏ ଦୃଶ୍ୟ ଦେଖାଯାଉଥିଲା। ଧରା ପୃଷ୍ଠରେ ଗୋଟିଏ ଜାଗାରେ ଦୁହେଁ ଏକତ୍ରିତ ହୋଇ ଦେଖିଥିଲେ, ଘରର ସ୍ତ୍ରୀ ଲୋକଟିଏ, ଘରର ବଳକା ଖାଦ୍ୟତକ, ବାହାରେ ଫିଙ୍ଗି ନଦେଇ ଗୋଟିଏ ଯାଗାରେ ଢାଳି ଦେବା ଦ୍ଵାରା, ତିନି ଚାରୋଟି କୁକୁର ପରସ୍ପର ଯୁଦ୍ଧ ଲାଗି ଯିଏ ଯୁଦ୍ଧରେ ଜିତିଲା ସେହିଁ ଯୋଦ୍ଧା ବୋଲାଇ ଖାଦ୍ୟ ଗ୍ରହଣ କରିବାକୁ ଯାଇ ଖାଇପାରୁନଥିଲା କାରଣ ତା ପାଟିରୁ ରକ୍ତସ୍ରାବ ହୋଇ ସେ ଖାଦ୍ୟ ଗ୍ରହଣ ଅବସ୍ଥାରେ ନଥିଲା। ସେ ଦୃଶ୍ୟ ଯୁଧିଷ୍ଠିରଙ୍କୁ ମର୍ମାହତ କଲାବେଳେ ସେ ସ୍ତ୍ରୀ ଲୋକଟିକୁ ଉପଦେଶ ଦେଇଥିଲେ, ଠା କୁ ଠା ଖାଦ୍ୟ ବାଣ୍ଟି ଥୋଇଥିଲେ, ସବୁ କୁକୁର ଖାଦ୍ୟ ଗ୍ରହଣ କରିପାରିଥାଆନ୍ତେ। ସ୍ତ୍ରୀ ଲୋକଟି ଗୁଣୁଗୁଣୁ ହୋଇ ବିରକ୍ତି ପ୍ରକାଶ କରୁଥିଲା ତ ଦୁର୍ଯ୍ୟୋଧନ ସେହି ସ୍ତ୍ରୀ ଲୋକଟିକୁ ପ୍ରଶଂସା କରି କହିଥିଲେ, ତୁମେ ଠିକ୍ କରିଛ। ପ୍ରକୃତ ଯୋଦ୍ଧା ଜିଏ, ସେ ହିଁ ଖାଦ୍ୟ ଗ୍ରହଣ କରିବା ଉଚିତ୍।
ତା ପରଦିନ ଗୁରୁ ପଚାରୁଥିଲେ ଦୁଇ ଯୋଦ୍ଧାଙ୍କୁ ଦର୍ପଣ ରେ କେଉଁ ଦୃଶ୍ୟ ପ୍ରତୀୟମାନ ହେଲା ଉତ୍ତରରେ ଦୁହେଁ ସେହି ଏକାକଥା ଓ ଦୁହିଁଙ୍କ ଚିନ୍ତାଧାରା ପ୍ରକାଶ କଲାବେଳେ, ଗୁରୁ ଦୁର୍ଯୋଧନଙ୍କୁ ପଚାରିଥିଲେ ତେବେ ସେ ସ୍ତ୍ରୀ ଲୋକଟି ତୁମ ପାଇଁ ଭଲ ଥିଲା? ତ ଦୁର୍ଯ୍ୟୋଧନ ଉତ୍ତର ଦେଇଥିଲେ ନା ଆଜ୍ଞା, ତାର ଭୁଲ ସେ ଖାଦ୍ୟ ସଞ୍ଚୟ କରି ଗୋଟିଏ ଜାଗାରେ ଗଦେଇ ନରଖି ତଳେ ବିଞ୍ଚି ଦେଇଥିଲେ ପ୍ରତ୍ୟେକ କୁକୁରଙ୍କୁ ଏକୁଟିଆ ପାଇ ଓ ହରାଇ, ଯୋଦ୍ଧା କେବଳ ଖାଦ୍ୟ ଖାଇବାକୁ ସମର୍ଥ ହୋଇଥାନ୍ତା। ଯୁଧିଷ୍ଠିରଙ୍କ ଉତ୍ତର କିନ୍ତୁ ଭିନ୍ନ ଥିଲା, ସେ ସ୍ତ୍ରୀ ଲୋକ ଭିତରେ ଜୀବଦୟା ଭିତରେ, ତାର ମଣିଷ ପଣିଆ ଦୃଷ୍ଟି ଗୋଚର ହୋଇଥିଲା ବୋଲି କହିଥିଲେ।ଗୁରୁ ଦ୍ରୋଣଙ୍କୁ ବୁଝିବାକୁ ବାକି ନଥିଲା ଯେ, ଦର୍ପଣ ନିଜ ଚିନ୍ତାଧାରାର ପ୍ରତିଫଳନ ମାତ୍ର।