Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ତୋର ମୋର ଯୋଡି ସୁନ୍ଦର
ତୋର ମୋର ଯୋଡି ସୁନ୍ଦର
★★★★★

© Prasant Kumar Senapati

Tragedy Drama

10 Minutes   7.3K    16


Content Ranking

ସୁନୟନା ଆଖିରେ ନିଦ ନାହିଁ । ନିଦ ଆସିବ ବା କେଉଁଠୁ, ନିଦ ଯେ ତାର ଚୋରି ହୋଇ ଯାଇଛି । ପ୍ରତି ମୁହୂର୍ତ୍ତ ସୁନୟନାକୁ ବ୍ୟସ୍ତ ବିବ୍ରତ କରି ପକାଉଛି, ରାତି ପାହି କେବେ ସକାଳ ହେବ । ସୁନୟନା ଆଉ ସୁନୟନା ହୋଇ ନାହିଁ, ମନ ତାର ଉଡି ବୁଲୁଛି କେଉଁ ଖୋଲା ଆକାଶର ଅଜଣା ସାଥିଟିଏ ପାଖରେ । ତକିଆ ମୁଣ୍ଡ ପାଖରୁ ଖସି କେତେବେଳେ ନିଜ ଛାତିରେ ଚାପି ଧରିଛି ସେ ବି ଜାଣେନାହିଁ । ଅନେକ ଥର ସେ ନିଜକୁ ନିଜେ ଦେଖି ଲାଜେଇ ଯାଉଛି । ନିଜ ଅଜାଣତେ ବେଡ୍ ରୁ ଉଠି ଆଇନାରେ ନିଜକୁ ଦେଖୁଛି, ସଜେଇ ହେଉଛି ଓ ପୁଣି ଫିକକିନା ହସି ଦେଇ ଲୋଟି ଯାଉଛି ବେଡରେ। ସୁନୟନା ମୋବାଇଲ୍ ଖୋଲି ଦେଖିଲା ରାତି ଦୁଇଟା ତିରିଶି । ଧେତ୍, ଏ ସମୟ ଗୁଡାକ ବି ଆଜି ଧୋକା ଦେଉଛନ୍ତି । ଖାଲି ପ୍ରତିକ୍ଷା, ପ୍ରତିକ୍ଷା ଓ ପ୍ରତିକ୍ଷା । ମନରେ ତାର ଷୋହଳ ଫଗୁଣର ଝଡ, ଆଖି ଖୋଲା ରଖି ସେ ଆଜି ସ୍ଵପ୍ନ ଦେଖି ପାରୁଛି । ସ୍ଵପ୍ନରେ ସେ କେତେବେଳେ ନଦୀପଠାରେ ଅଜଣା ସାଥିର କୋଳରେ ମୁଣ୍ଡ ରଖି ଶୋଇଛି ତ କେତେବେଳେ ଅଜଣା ସାଥି ତା କୋଳରେ ମୁଣ୍ଡ ରଖି ଶୋଇଛି । କେତେବେଳେ ତଳକୁ ମୁହଁ କରି ନଦୀପଠା ମୁହାଣରେ ଗୋଡ ନଖରେ ଗାର ଟାଣୁଛି ତ କେତେବେଳେ ଲାଜେଇ ଯାଇ ଦୂରକୁ ଚାଲି ଯାଉଛି । ସତ କହିବାକୁ ଗଲେ ସୁନୟନାକୁ ପ୍ରେମ ହୋଇ ଯାଇଛି । ମନେ ମନେ ବିରକ୍ତି ହେଲା ସୁନୟନା, ପ୍ରେମଟା ଏମିତିଆ ଜାଣିଥିଲେ କେବେ ପ୍ରେମ କରିନଥାନ୍ତି । ପ୍ରେମ ପ୍ରତିକ୍ଷାରେ ବେଶ୍ ଆନନ୍ଦ ମିଳେ , ଯେତେ ଯେତେ ପ୍ରେମ ଭାବନା ଗତୀଶିଳ ହେଉଥିବ, ପ୍ରେମ ପ୍ରତିକ୍ଷା ସେତେ ସେତେ ଆନନ୍ଦମୟ ହେଉଥିବ । କିନ୍ତୁ ଅମାନିଆ ମନଟା ପ୍ରତିକ୍ଷାକୁ ସହଜରେ ଗ୍ରହଣ କରି ପାରେନି । ଧୀରେ ଧୀରେ ସୁନୟନା ହଜି ହଜି ଯାଉଛି ଅଜଣା ସାଥିର ଭାବନାରେ,,,,,,,

ଛଅମାସ ତଳର କଥା । ସୁନୟନା ତିନି ବାପର ଅଲିଅଳି ଝିଅ, ଭାରି ଜିଦଖୋର । କିନ୍ତୁ ରୁପରେ ରମ୍ଭା ଉର୍ବଶୀଙ୍କ ଠାରୁ ଢେର୍ ଅଧିକା ସୁନ୍ଦରୀ। ପ୍ରେମ ବେପାର ଠାରୁ ବହୁ ଦୂରରେ, କିମ୍ଭା ସେ କେବେ ପ୍ରେମରେ ପଡିନି । ଯାହା ହେଉ ସେଦିନ ସଂଧ୍ୟା ତାର ଜୀବନର ମୋଡ ବଦଳାଇ ଦେଲା । ହେଲୋ, କେତେବେଳେ ଆସିବୁ କି ହୁଣ୍ଡି ? ସୁନୟନା ହେଲୋ କହିବା ପରେ ପ୍ରତିଉତ୍ତର ନଶୁଣି କହିଥିଲା । କିଏ କହୁଛନ୍ତି ? ସେପଟରୁ ଏକ ଅଜଣା ସ୍ଵର,,, ଆପଣ କିଏ ? ପ୍ରଜ୍ଞ୍ୟାକୁ ଫୋନ୍ ଦିଅନ୍ତୁ । ସୁନୟନା ତୀକ୍ଷ୍ଣ ସ୍ଵରରେ କହିଥିଲା । ଆରେ କିଏ , କାହାକୁ ଖୋଜୁଛନ୍ତି ଓ କେଉଁ ପ୍ରଜ୍ଞ୍ୟା ? ଅଜଣା ସ୍ଵର ଏକାଥରକେ ଏତେ ସବୁ ପଚାରି ନେଇଥିଲା । ଦେଖନ୍ତୁ, ବିରକ୍ତ ନକରି ପ୍ରଜ୍ଞ୍ୟାକୁ ଫୋନ୍ ଦେଲେ । ସୁନୟନା କହିଥିଲା । ଏଠି କେହି ପ୍ରଜ୍ଞ୍ୟା ନାହାନ୍ତି, ମୁଁ ଅଜୟ ଓ ଆପଣ ରଂଗ ନମ୍ବର ଡାଏଲ୍ କରିଛନ୍ତି ଚେକ୍ କରିନିଅନ୍ତୁ । ରଂଗ ନମ୍ବର ଯଦି ପ୍ରଥମରୁ କହିଲନି, ଅଭଦ୍ର କେଉଁଠିକାର, ଝିଅଟେ ଫୋନ୍ ଭୁଲରେ କରି ପକାଇଲେ ଫେବିକଲ ପରି ଲାଖି ଯାଆନ୍ତି,,,,,ସୁନୟନା ଚିଡି ଚିଡି ହୋଇ ଗାଳିମନ୍ଦ କରି ଫୋନ୍ ଡିସକନେକ୍ଟ କଲା ।

ପରଦିନ ସୁନୟନା ଏକା ଏକା ବସିଥାଏ, ତାର ମନେ ପଡିଲା ପୂର୍ବ ସଂଧ୍ୟାର ରଂଗ ନମ୍ବର ବିଷୟରେ । ସେ ଭାବୁ ଭାବୁ ଧ୍ୟାନ ଦେଲା "ଆରେ ସତେ ତ ମୁଁ ଏତେ କଥା କହି ଗାଳି କଲି, ହେଲେ ସେପଟରୁ କିଛି ବି ଉତ୍ତର ନାହିଁ ।" ନିଶ୍ଚିତ ଭଲ ପିଲାଟେ ହୋଇଥିବ, ମୁଁ ନିଜେ ରଂଗ ନମ୍ବର ଲଗାଇ କାହାକୁ ଗାଳି ଦେବା ଭୁଲ୍ । ଏମିତି ଭାବୁ ଭାବୁ କେତେବେଳେ ସେ ଫୋନ୍ ଆଣି ଗତ ସଂଧ୍ୟାର ନମ୍ବର ଡାଏଲ୍ କରି ସାରିଥିଲା। ହେଲୋ ,,,,, ଶବ୍ଦ ଶୁଣି ପ୍ରକୃତିସ୍ଥ ହେଲା ସୁନୟନା । ହଁ, ହେଲୋ । ଗତକାଲି ପାଇଁ ସରି । କିଏ ଜାଣି ପାରିଲିନି, ଅଜଣା ସ୍ଵର । ମୁଁ ସୁନୟନା, ଗତ ସଂଧ୍ୟାରେ ଫୋନ୍ କରି ଆପଣଙ୍କୁ ଇଆଡୁ ସିଆଡୁ କଣ କହିଦେଲି । ମୁଁ ସେକଥା କେବେ ଠାରୁ ଭୁଲି ଯାଇଛି, ଏମିତି ବେଳେ ବେଳେ ହୁଏ । ଆପଣଙ୍କ ନାଁ ଜାଣି ପାରିବି କି ?

ମୁଁ ଅଜୟ , ଅଜୟ ମହାପାତ୍ର । ତେବେ ଅଜୟ ବାବୁ ମୋତେ କ୍ଷମା କରିଦେଲେ ତ ? ଏଠି କ୍ଷମା କଣ ? ଆପଣ ନିଜ ଭୁଲ୍ ବୁଝି ପାରିଲେ ଏତିକି ଯଥେଷ୍ଟ । ଅଜୟର କଥାବାର୍ତ୍ତା ଶୁଣି ଧୀରେ ଧୀରେ ଇମ୍ପ୍ରେସ୍ ହେଉଥିଲା ସୁନୟନା । ହଠାତ୍ ସୁନୟନା ପଚାରିଲା "will u be my frnd ?" ଅଜୟ ହସି ହସି ଉତ୍ତର ଦେଲା "sure" । ବାସ୍ ସେଦିନ ଠାରୁ ବନ୍ଧୁତାର ମୂଳଦୁଆ ଆରମ୍ଭ ହେଲା । କିଛିଦିନ ପର୍ଯ୍ୟନ୍ତ କଥା ଚାଲିଲା, ଧୀରେ ଧୀରେ କଥା ବଢିଲା ଆଗକୁ ଆଗକୁ, କଥା କହିଲେ ସରେନାହିଁ । ସେମିତି ବନ୍ଧୁତାରୁ କଥା ଆରମ୍ଭ ହୋଇ କେତେବେଳେ ଉଭୟଙ୍କ ହୃଦୟରେ ପ୍ରେମ ଋତୁ କରେଘାତ କଲା ଦୁହେଁ କିଛି ବି ଜାଣି ପାରିଲେ ନାହିଁ । ସବୁ ପ୍ରେମ ଏମିତି ହିଁ ହୁଏ, ପ୍ରଥମେ ବନ୍ଧୁତା ଓ ପରେ ବନ୍ଧୁତାରୁ ପ୍ରେମ । ଏପରି ସମୟ ଆସିଲା ଦୁହେଁ ଦୁହିଁକ ଫୋନ୍ କୁ ପ୍ରତିକ୍ଷା କଲେ ।ଦୁହିଁକ ମଧ୍ୟରେ ନିବିଡତା ମଜବୁତ୍ ହେଉଥାଏ, ପ୍ରେମ ପକ୍ଷୀ ଉଭୟଙ୍କ ହୃଦୟରେ ବସା ବାନ୍ଧି ସାରିଥାଏ । ବାସ୍ ଯାହା ମୁହଁ ଖୋଲି କହିବା ବାକି ଥିଲା । ବେଳେ ବେଳେ ଏମିତି ହୁଏ ଉଭୟ ଫୋନ୍ ରେ କଥା ହେଉ ହେଉ ଶୋଇ ପଡନ୍ତି ଓ ପୁଣି ନିଦ ଭାଙ୍ଗିଲେ କଥା ହୁଅନ୍ତି । ଆଖିରେ ହଜାରେ ସପନ ସଜେଇ ମଧ୍ୟ କେହି କାହାରିକୁ କହି ପାରନ୍ତି ନାହିଁ "ମୁଁ ତୁମକୁ ଭଲପାଏ ।" ଦିନେ ରାତିରେ ଅଜୟ କହିଲା "ସୁନୟନା ଏତେ ମାସ ହେଲା ଆମେ ସାଙ୍ଗସାଥି, ଭଲମନ୍ଦ, ଘର ପରିବାର ବିଷୟରେ କଥା ହେଲେଣି । ତୁମର ପ୍ରାୟ ରୁଚି ମୋ ରୁଚି ସହିତ ସମାନ, ତୁମେ ମୋତେ ବହୁତ ଭଲଲାଗ । ସୁନୟନା କହିଲା "ଆଉ କିଛି ?" ଅଜୟ କିଛି କହିବାକୁ ଯାଇ କହି ପାରିଲା ନାହିଁ, ଦୁହେଁ ନୀରବ, ଫୋନ୍ ରେ ଉଭୟେ ଉଭୟଙ୍କ ନିଶ୍ଵାସ ଶବ୍ଦକୁ ବେଶ୍ ଶୁଣି ପାରୁଥାନ୍ତି , ଉଭୟ ଉଭୟଙ୍କ ମନୋଭାବକୁ ବୁଝି ପାରୁଥାନ୍ତି । ହେଲେ ତଥାପି ନୀରବ,,,,,। ବୋଧେ ନୀରବତା ଅନେକ କିଛି କହିଦିଏ ଓ ଅନେକ ଶାନ୍ତି ଦିଏ ।

ହଠାତ୍ ଅଜୟ କହିଲା - ସୁନୟନା ତୁମର ଗୋଟେ ଫଟୋ ପଠାଅ । 

ସୁନୟନା - କାହିଁକି ?

ଅଜୟ- ଜାଣିନି, ଆଜି ମନଟା ତୁମକୁ ଦେଖିବା ପାଇଁ ବ୍ୟାକୁଳ ହେଉଛି ।

ସୁନୟନା- କଣ ବା ମୋତେ ଦେଖିବ, ମୁଁ ପୁରା କାଳି ଓ ମୋଟି ବି ।

ଅଜୟ- ଯାହା ବି ହୁଅ, ତୁମକୁ ଦେଖିବା ପାଇଁ,,,,,,

ସୁନୟନା- କଣ ତୁମେ ମୋତେ ଭଲ,,,,

ଅଜୟ- ହଁ, ମୁଁ ତୁମକୁ ଭଲପାଏ,,,,,

ସୁନୟନା- କଣ, ସତ କହୁଛ ?

ଅଜୟ- ସତ,,,, ତୁମେ ?

ସୁନୟନା- ହଁଁ, ମୁଁ ବି ମୋ ଅଜାଣତେ ତୁମ ପ୍ରେମରେ,,,,

ଅଜୟ- ଫଟୋ ଦିଅ ନା,,,,?

ସୁନୟନା- ମୁଁ ବି ତୁମକୁ ଦେଖିନି ଅଜୟ, ତୁମେ ଯଦି ମୋ ଫଟୋ ଦେଖି ଭଲ ପାଇବ ,ତେବେ ମୁଁ ଦେବିନି । ମୁଁ ତୁମ ପ୍ରେମରେ ପଡିଥିଲେ ମଧ୍ୟ ମୁଁ ସେହି ଅଜୟକୁ ଭଲପାଏ, ସେ କଳା ହେଉ କି ଗୋରା, ସୁନ୍ଦର ହେଉ କି ଅସୁନ୍ଦର । ଅଜୟ କହିଲା ସୁନୟନା ମୁଁ ବି ତୁମକୁ ଭଲପାଏ, ତୁମକୁ ନଦେଖି ଭଲ ପାଇଛି ଓ ପାଉଥିବି । ଠିକ୍ ଅଛି ତୁମେ ଫଟୋ ନଦିଅ । ସୁନୟନା କହିଲା ମୋ ଜନ୍ମଦିନ କିଛିଦିନ ପରେ, ସେଦିନ ତୁମେ ମୋତେ ସାମନାରେ ପ୍ରପୋଜ କରିବ, ତୁମେ ଯାହା ବି ହୁଅ ଯେମିତି ହୁଅ, ମୁଁ ତୁମ ପ୍ରପୋଜକୁ accept କରିବି । 

ଦୁହିଁକ ମନରେ ପ୍ରେମପକ୍ଷୀ ଖୋଲା ଆକାଶରେ ମୁକ୍ତ ବିହଙ୍ଗ ପରି ବିଚରଣ କଲା । ଜିଦଖୋର୍ ସୁନୟନା ଧୀରେ ଧୀରେ ବଦଳିବାରେ ଲାଗିଲା । ଅଜୟର ଭାବନା ମାତ୍ରକେ ମନ ତାର ପୁଲକିତ ହୁଏ, ସକାଳର ଟୋପା ଟୋପା ଶିଶିର ବିନ୍ଦୁ ଖୁବ୍ ଭଲଲାଗେ, ମନରେ ସାତସୁରରେ ପ୍ରେମଗିତୀ ଗାଏ । ଉଭୟେ ପ୍ରେମରେ ଉବୁଟୁବୁ ହେଉଥାନ୍ତି । ଏମିତି ଛଅମାସ ବିତିଗଲା,,,,,,,,

ଆସନ୍ତାକାଲି ସୁନୟନାର ଜନ୍ମଦିନ, ରାତି ପାହି ସକାଳ ହେବା ପରେ ସେ ପ୍ରଥମ ଥର ପାଇଁ ଅଜୟକୁ ଦେଖା କରିବ । ସେଥିପାଇଁ ମନଟା ବ୍ୟସ୍ତ ବିବ୍ରତ । ରାତି ଅଧରେ ଥରକୁ ଥର ଆଜି ସଜେଇ ହେଉଛି , ମନେ ମନେ ଫୁଲେଇ ହେଉଛି । ଏତେଦିନ ପ୍ରତିକ୍ଷା ପରେ ତାର ପ୍ରେମ ସଫଳ ହେବ । କାଲି ଦିନ ଦଶଟା ବେଳେ ଆଇ.ଜି ପାର୍କର ଇନ୍ଧିରା ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ଉଭୟ ଭେଟ କରିବେ, ଅଜୟ ଜୀନ୍ସ ଓ ବ୍ଲୁ ସାର୍ଟ ପିନ୍ଧି ଆସିଥିବ ଓ ସୁନୟନା ଗୋଲାପି ରଙ୍ଗର ସାଲୱାର ପିନ୍ଧି ଆସିବ, ଉଭୟଙ୍କ ହାତରେ ଗୋଲାପ ଥିବ । ସକାଳ ଦଶଟା, ପ୍ରଜ୍ଞା ଓ ସୁନୟନା ଦୁହେଁ ଚାଲିଥାନ୍ତି କଥାବାର୍ତ୍ତା ହୋଇ । ପ୍ରଜ୍ଞା ଓ ସୁନୟନା ଉଭୟେ ଗୋଲାପି ରଙ୍ଗର ସାଲୱାର ପିନ୍ଧିଥାନ୍ତି, ହେଲେ ସୁନୟନା ହାତରେ ଥାଏ ଗୋଲାପଟିଏ । କିଛି ସମୟ ପରେ ଉଭୟ ପୂର୍ବ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିଗଲେ । ଏଥର ସୁନୟନା ହାତରୁ ପ୍ରଜ୍ଞା ଗୋଲାପଟି ନେଇ ନିଜେ ଧରିଲା ଓ ଚର୍ତୁପାର୍ଶ୍ଵକୁ ଚାହିଁ ଖୋଜୁଥିଲା ଅଜୟକୁ । ସୁନୟନା ସେଠାରୁ କିଛିଦୂରରେ ରହି ଚୁପଚାପ୍ ଦେଖୁଥାଏ । ଦଶଟା ବାଜିଲା, ଦଶଟା ପନ୍ଦର, ଦଶଟା ତିରିଶି,,,,,,ଏଗାର, ହେଲେ ପ୍ରଜ୍ଞା ପାଖକୁ କେହି ଆସିଲେ ନାହିଁ କି କହିଲେ ନାହିଁ ମୁଁ ଅଜୟ ବୋଲି। ପ୍ରଜ୍ଞା ଅପେକ୍ଷା କରି କରି ଯେତିକି ବିରକ୍ତ ହେଉ ନଥାଏ, ତା ଠାରୁ ଅଧିକ କଷ୍ଟ ସୁନୟନାକୁ ଲାଗୁଥାଏ । ସତ କହିବାକୁ ଗଲେ ସୁନୟନା ଠାରୁ ପ୍ରଜ୍ଞା ଦେଖିବାକୁ ଅସୁନ୍ଦରି । ଅଜୟର ପ୍ରେମକୁ ପରିକ୍ଷା କରିବାକୁ ଯାଇ ଉଭୟ ବାନ୍ଧବୀ ଏକ ମିଛ ବାହାନା ଗଢିଥିଲେ ମାତ୍ର । ଯଦି ଅଜୟ ଆସିଥାନ୍ତା ପ୍ରଜ୍ଞା ମୁଁ ସେହି ଝିଅ ନୁହଁ କହି ସୁନୟନାକୁ ଡକାଇଥାଆନ୍ତା । ସୁନୟନାର କଠୋର ବିଶ୍ଵାସ ଥିଲା ଅଜୟ ଯେତେ ବିଳମ୍ବ ହେଉ ପଛେ ଆସିବ, ତା ଅଜୟ ତାକୁ ନିଶ୍ଚୟ ପ୍ରେମ ଭିକ୍ଷା କରିବ ଓ ସେ ଖୁସି ମନରେ କୋଳେଇ ନେବ ଅଜୟକୁ । ପ୍ରଜ୍ଞା ଅପେକ୍ଷା କରି କରି ବିରକ୍ତ ହେଲା ଓ ଦୂରରେ ଥିବା ସୁନୟନାକୁ ଫୋନ୍ କରି କହିଲା କେହି ଆସିବେ ନାହିଁ, ଚାଲେ ଫେରିଯିବା, କିନ୍ତୁ ସୁନୟନା ତାକୁ ଅପେକ୍ଷା କରିବା ପାଇଁ ବାରମ୍ବାର ଅନୁରୋଧ କରୁଥାଏ । 

ସୂର୍ଯ୍ୟ ମୁଣ୍ଡ ଉପରେ ହେଲେଣି, ଦୁହେଁ ବି ଭୋକରେ ଆଉଟୁ ପାଉଟୁ । କିନ୍ତୁ ସୁନୟନାର ଏକା ଜିଦ୍ଦି, ଅଜୟ ନିଶ୍ଚୟ ଆସିବ,,,,,ଧୀରେ ଧୀରେ ଦ୍ଵିପ୍ରହର ଯାଇ ସଂଧ୍ୟା ଘନେଇ ଆସିଲା । ଏଥର ପ୍ରଜ୍ଞାର ଧର୍ଯ୍ୟେ ହାର୍ ମାନି ସାରିଥାଏ, ସେ ଅନେକ ବୁଝାଇଲା ସୁନୟନାକୁ, ଅଜୟ ଆଉ ଆସିବ ନାହିଁ, ଯଦି ତୋ ଭାବନାର ସମ୍ମାନ କେହି କରୁ ନାହାନ୍ତି, ତେବେ ତୁ କାହିଁକି ସେପରି ଲୋକ ପାଇଁ କଷ୍ଟ ସହୁଛୁ । ପ୍ରଜ୍ଞା ଅନେକ ବୁଝାଇବା ପରେ ସୁନୟନା ଦୁଃଖ ମନରେ ଫେରିଥିଲା ଘରକୁ । ଗତ ରାତିରୁ ଖୁସି ଥିବା ସୁନୟନା ମୁହଁରେ ଆଜି ହସ ଟିକେ ନାହିଁ, ଆଜି ସରୁ ନଇର ନଦୀପଠାଟି ତାକୁ ଖତେଇ ହେଉଛି, ଆଜି କୋଇଲିର କୁହୁ ସ୍ଵର ତାକୁ କର୍କଶ କର୍କଶ ଲାଗୁଛି, ମନରେ ଥିବା ପ୍ରେମ ଆଜି ଲୁହ ହୋଇ ଝରଣା ହୋଇ ଝରି ଯାଉଛନ୍ତି । ତାର ମନରେ ସେହି ଏକା ପ୍ରଶ୍ନ, କଣ ଅଜୟ ସେଦିନ ମୋ ଫଟୋକୁ ମାଗିଥିଲା ଦେଖିବା ପାଇଁ ମୁଁ ସୁନ୍ଦର କି ନୁହେଁ ? ଆଜି ପ୍ରଜ୍ଞାକୁ ଦେଖି ସେ ନିଶ୍ଚିତ ଫେରି ଯାଇଛି, ପ୍ରେମ ଶବ୍ଦଟି ଆଜି ପ୍ରତାରଣାରେ ପରିଣତ ହୋଇଛି ସୁନୟନା ପାଇଁ । ଅନ୍ଧାର ଘରେ କବାଟ କିଳି ଶୋଇ ଶୋଇ ଲୁହ ଝରାଉଛି ଅଭିମାନି ସୁନୟନା । ସେଦିନ ଅଜୟର ପ୍ରେମକୁ ପାଇ ଯେତିକି ଖୁସି ଥିଲା ଆଜି ତାର ଦୁଃଖ ଦ୍ବିଗୁଣିତ ହୋଇଛି । ଆଖିରେ ନିଦ ନାହିଁ କି ପେଟରେ ଭୋକ ନାହିଁ, ସେ ବିଶ୍ଵାସ କରିପାରୁନି ଅଜୟ ତାକୁ ଏମିତି ଠକି ଦେବ ବୋଲି । ଦୁଃଖର ରାତି ପାହାଡ ପରି ବଡ ହୋଇଯାଏ, ସୁନୟନାର ଦୁଃଖ ଆଜି ତାକୁ ବଳି ପଡିଛି । ହସମୁଖି ସୁନୟନା ମୁହଁରେ ଆଜି ହସ ଗାୟବ, ସମାଜ ଘର ପରିବାର ଠାରୁ ଅଲଗା ହୋଇ ଅନ୍ଧାର କୋଠରୀରେ ନିଜ ଭାଗ୍ୟକୁ ନିନ୍ଦିବା ବ୍ୟତୀତ ତା ପାଖରେ ଉପାୟ କିଛି ନାହିଁ । କେହି ସୁନୟନାର ଦୁଃଖ ଜାଣିନଥିଲେ ମଧ୍ୟ ପ୍ରଜ୍ଞା ସବୁ ଜାଣି ନିଜ ପ୍ରିୟ ବାନ୍ଧବି ଦୁଃଖକୁ ସହ୍ୟ କରି ପାରୁନି । ପ୍ରଜ୍ଞା ଅନେକ ବୁଝାଇଛି, ହେଲେ ସୁନୟନା କହେ ମୁଁ ଭୁଲି ପାରୁନି ମୋ ଜୀବନର ପ୍ରଥମ ପୁରୁଷକୁ, ଯାହା ପାଖରେ ମୋ ମନ ପ୍ରାଣ ଯୌବନ ସମର୍ପି ଦେବା ପାଇଁ ନିଷ୍ପତ୍ତି ନେଇଥିଲି । ସେଦିନ ପ୍ରଜ୍ଞା ଆସି ସୁନୟନାକୁ ଖୁବ୍ ବୁଝାଇଲା ଓ କହିଲା ମୋ ସାଙ୍ଗରେ ଚାଲେ, ଘେରାଏ ବୁଲି ଆସିବା ଓ ଆମ ଘର ପାଖରେ ଏକ ରକ୍ତଦାନ ଶିବିର ହେଊଛି, ସେଠାକୁ ବି ଯିବା । ସୁନୟନା ମନା କରିଥିଲେ ମଧ୍ୟ ନିଜ ପ୍ରିୟ ବାନ୍ଧବିର ଜିଦ୍ଦି ସାମନାରେ ବାଧ୍ୟ ହୋଇ ବାହାରି ଥିଲା । 

ଦୁହେଁ "ସମାଜର ଦର୍ପଣ ହେଲ୍ପ ଗୃପ୍" ତରଫରୁ ହେଉଥିବା ରକ୍ତଦାନ ଶିବିରରେ ପହଞ୍ଚିଲେ । ସୁନୟନା କହିଥିଲା ମୁଁ ବି ରକ୍ତ ଦେବି, ପ୍ରଜ୍ଞା ବୁଝାଇଥିଲା ତୋର ମନ ଭଲନାହିଁ, ତୁ ରକ୍ତଦେଲେ ଦେହ ଖରାପ ଅଧିକ ହେବ । ଏହି ସମୟରେ ରକ୍ତଦାନ ଶିବିରର ସଂଚାଳକ ସମସ୍ତ ରକ୍ତଦାତାଙ୍କୁ ଅନୁରୋଧ କରିଥିଲେ କଟକ ବଡ ମେଡିକାଲରେ ଜଣେ ରୋଗୀର ଅବସ୍ଥା ସଂକଟାପନ୍ନ । ଆସନ୍ତାକାଲି ତାର ଅପେରେସନ ହେବ, କିନ୍ତୁ ଅପେରେସନ ପୂର୍ବରୁ "ବି ନେଗେଟିଭ୍" ଏକ ରକ୍ତର ଆବଶ୍ୟକତା ଅଛି, ଯାହାକି ମେଡିକାଲ ବ୍ଲଡ ବ୍ୟାଙ୍କରେ ଷ୍ଟକ୍ ନାହିଁ । ଯଦି କୌଣସି ରକ୍ତଦାତା "ବି ନେଗେଟିଭ୍" ତେବେ ଆପଣ ମେଡିକାଲକୁ ଯାଇ ରକ୍ତ ଦେଲେ ରୋଗୀଟି ବଞ୍ଚିଯିବ । ସୁନୟନାର ମନେ ପଡିଗଲା ତାର "ବି ନେଗେଟିଭ୍" ଓ ସେ ପ୍ରଜ୍ଞାକୁ ଜିଦ୍ଦି କରି କହିଲା ମେଡିକାଲ ଯାଇ ଫ୍ରେସ୍ ବ୍ଲଡ ଦେବାକୁ। ଉଭୟ ବାନ୍ଧବୀ ରୋଗୀର ୱାଡ ନମ୍ବର ଓ ବେଡ୍ ନମ୍ବର ଠିକଣା ନେଇ କଟକ ବଡ ମେଡିକାଲରେ ପହଞ୍ଚିଗଲେ । 

ବ୍ଲଡ୍ ଦେବା ପୂର୍ବରୁ ନିଜର ସମସ୍ତ ତଥ୍ୟ ପୁରଣ କରିବା ପରେ ବ୍ଲଡ ଦେଲେ । ସୁନୟନା କହିଲା ପ୍ରଜ୍ଞା ଚାଲେନା ସେ ରୋଗୀକୁ ବି ଟିକିଏ ଦେଖିନେବା, ଯାହା ଦେହରେ ମୋ ରକ୍ତ ପ୍ରବାହିତ ହେବ । ୱାର୍ଡ ନମ୍ବର ୩୪ ରେ ପହଞ୍ଚି ଦେଖିଲେ ଜଣେ ସୁନ୍ଦର ଶ୍ଵାସ୍ଥ୍ୟବାନ ଯୁବକ ବେଡରେ ପଡିଛି । ପାଖରେ କେହି ବି ଜଣେ ନାହାନ୍ତି, ମୁଣ୍ଡ ପାଖରେ କିଛି ଔଷଧ ସହିତ ରଖା ଯାଇଛି ଏକ ରକ୍ତଭିଜା ଗୋଲାପ । ଗୋଲାପ ଦେଖିବା ମାତ୍ରେ ସୁନୟନା ଘୃଣାରେ ମୁହଁ ଫେରାଇ ନେଇଛି, ଆଜି ଗୋଲାପ ପ୍ରତି ତାର ମନରେ ସ୍ଫୃହା ନାହିଁ, ପ୍ରେମ ଫ୍ରେମକୁ ସେ ଘୃଣା କରୁଛି । ରୋଗୀର ଚେହେରା ସମ୍ପୁର୍ଣ୍ଣ ଦେଖିବା ପୂର୍ବରୁ ପ୍ରଜ୍ଞାର ହାତଧରି ଟାଣିନେଲା ସୁନୟନା, ଚାଲେ ଯିବା ଏଠାରୁ । ମୁଁ ସେ ଗୋଲାପକୁ ଦେଖି ପାରୁନି, ହଁ ଲୋକଟି ଭଲ ହୋଇଯାଉ, ବାସ୍ ଏତିକି । ଫେରି ଯାଉଥିଲେ ସୁନୟନା ଓ ପ୍ରଜ୍ଞା । କେହିଜଣେ ପଛରୁ ଡାକିଲା ସୁନୟନା ମାଡାମ୍, ପଛକୁ ଚାହିଁଲେ ଦୁହେଁ, ଜଣେ କୋଡିଏ ଏକୋଉଶି ବର୍ଷର ଯୁବକଟେ ଧଂଅ ସଂଅ ହୋଇ ଧାଇଁ ଧାଇଁ ଆସୁଥାଏ । ଆପଣ ସୁନୟନା ସେନାପତି ନା ??? ଯୁବକ କାଳ ବିଳମ୍ବ ନକରି ପଚାରିଥିଲା,,,,ସୁନୟନା ମୁଣ୍ଡ ହଲାଇ ହଁ କରିଥିଲା । ବହୁତ ବହୁତ ଧନ୍ୟବାଦ ମାଡାମ, ମୁଁ ସତ୍ୟବ୍ରତ, ଅଜୟର ଅନ୍ତରଙ୍ଗ ବନ୍ଧୁ । ଆପଣ ଜାଣନ୍ତି କି କାହାକୁ ରକ୍ତ ଦେଲେ ? ସେ ଆପଣଙ୍କ ଅଜୟ, ଆପଣଙ୍କୁ ଦେଖା କରିବା ପାଇଁ ବହୁତ ଖୁସିରେ ବାହାରି ଯାଇଥିଲା ଓ ମୁଁଁ ବି ତା ସାଙ୍ଗରେ ଥିଲି । ତୁମକୁ ଦେଖିବା ଖୁସିରେ ସେ ପାଗଳ ପ୍ରାୟ ହୋଇ ଯାଉଥାଏ, ପ୍ରତି କ୍ଷଣରେ ସେ ତୁ୍ମ କଥା ଗପି ଚାଲିଥାଏ । ହଠାତ୍ ରାସ୍ତା ଅନ୍ୟମନଷ୍କରେ ପାର୍ ହେଉ ହେଉ ଟ୍ରକଟେ ମାଡି ଆସିଲା ଓ ତାର ଧକ୍କାରେ ଛିଟିକି ପଡିଥିଲା ଅଜୟ, ମୋବାଇଲି ଭାଙ୍ଗି ଖଣ୍ଡ ବିଖଣ୍ଡିତ,,,,ଧାର ଧାର ରକ୍ତ ମୁଣ୍ଡରୁ ଝରି ଯାଉଥାଏ, ଆଖିପତା ଅଜୟର ବୁଜି ବୁଜି ଆସୁଥାଏ,,,ତଥାପି ସେ ରାସ୍ତାରେ ଘୁଷୁରି ଘୁଷୁରି ଖୋଜିଥିଲା ଗୋଲାପଟି । ଯେଉଁ ଗୋଲାପକୁ ତୁମକୁ ଦେବା ପାଇଁ ଆଣିଥିଲା, ଖାସ୍ ତୁମେ ପ୍ରଥମେ ଛୁଇଁବ ସେ ଗୋଲାପକୁ ବୋଲି ମାର୍କେଟରୁ ନକିଣି ଖୋଜି ଖୋଜି ତୋଳି ଆଣିଥିଲା ଜଣେ ବନ୍ଧୁଙ୍କ ବଗିଚାରୁ । ଗାଡି ଧକ୍କାରେ ମୋର ସାମାନ୍ୟ କ୍ଷତି ହୋଇଥାଏ, ମୁଁ ତାକୁ ସାହାଯ୍ୟ କରିବା ପାଇଁ ଗୋଲାପଟି ଗୋଟାଇବା ପାଇଁ ଯିବା ସମୟରେ ଅସହାୟ ଚାହାଣୀରେ ମନା କରିଥିଲା ଅଜୟ ଗୋଲାପଟି ମୋ ସୁନୟନା ପାଇଁ, ତୁ ଛୁଉଁନା ଜମା । ସେଦିନ ମୃତ୍ୟୁ ସହିତ ଲଢୁଥିଲେ ମଧ୍ୟ ଘୁଷୁରି ଘୁଷୁରି ଗୋଲାପଟି ଗୋଟାଇବା ପରେ ତାର ମୁହଁରେ ଆତ୍ମସନ୍ତୋଷର ଏକ କ୍ଷୀଣ ହସ ଫୁଟି ଉଠିଲା ଓ ଧିରେ ଧୀରେ ସେ ନିସ୍ତେଜ ହୋଇଗଲା । ସାତଦିନ ହେଲା ସେ ମେଡିକାଲରେ ଅଛି, ତାର ମଥାରେ ଆଘାତ ଲାଗିଥିବାରୁ ଅପେରେସନ ହେବ, ବୋଧେ ତୁମ ରକ୍ତରେ ସେ ଜୀବନ ପାଇବ, ସେଥିପାଇଁ ଭଗବାନ ତୁମକୁ ଏଠାକୁ ପଠାଇ ଦେଲେ । ମୁଁ ବ୍ଲଡ ବ୍ୟାଙ୍କରେ ତୁମ ନାଁରେ ଫର୍ମ ପୁରଣ ହୋଇଥିବା ଦେଖି ଖୋଜି ଖୋଜି ଏଠାରେ ପହଞ୍ଚିଲି । ସ୍ଥାଣୁ ପାଲଟି ଯାଇଥିଲେ ପ୍ରଜ୍ଞା ଓ ସୁନୟନା । ଉଭୟଙ୍କ ଆଖିରେ ଲୁହ, କାଳ ବିଳମ୍ବ ନକରି ସୁନୟନା ଧାଇଁଥିଲା ଅଜୟ ବେଡ୍ ନିକଟକୁ । ଅତି ସ୍ନେହରେ ପାଖରେ ବସି ଛୁଇଁଥିଲା ଅଜୟକୁ, ଛୁଇଁଥିଲା ରକ୍ତଭିଜା ଗୋଲାପକୁ । ଅଜୟ ଚେତାହୀନ ଭାବେ ସୁନୟନାର ସ୍ପର୍ଷକୁ ଅନୁଭବ କରି ପାରୁଥାଏ ବୋଧେ, ସାମାନ୍ୟ ହଲଚଲ୍ ଅନୁଭବ ହେଲା ଅଜୟ ଶରୀରରେ । ପରଦିନ ଅପେରେସନ ହେଲା, ଏବେ ଅଜୟ ବିପଦ ମୁକ୍ତ, ଆଖି ଖୋଲିବା ପରେ ଖୋଜିଥିଲା ଗୋଲାପଟିକୁ, ଯାହା ସେ ସୁନୟନା ପାଇଁ ସାଇତି ରଖିଛି, ସମସ୍ତଙ୍କ ନଜରରୁ ବଞ୍ଚାଇ । ସତ୍ୟବ୍ରତ ଧୀରେ ଧୀରେ ସବୁକଥା କହିଛି ଅଜୟକୁ, ସୁନୟନା କଥା ବି ଜଣାଇଛି । କିଛି ସମୟ ପରେ ସୁନୟନା ଆସିବ , ଦୁଇ ପ୍ରେମିଙ୍କ ମିଳନ ହେବ । ବୋଧେ ପ୍ରେମର ଏତିକି କରାମତି ଯେ ମରଣ ମୁହଁରୁ ଅଜୟକୁ ବଞ୍ଚାଇ ଆଣିଛି । 

କିଛି ସମୟ ପରେ ପ୍ରଜ୍ଞା ଧୀର ପାଦରେ ପହଞ୍ଚିଲା ଅଜୟ ନିକଟରେ, ଅଜୟ ପ୍ରଜ୍ଞାକୁ ଦେଖିବା ମାତ୍ରେ ଖୁସିରେ ତା ଆଖିରୁ ଲୁହ ଧାର ଧାର ଝରି ଯାଉଥାଏ । ଧୀରେ ଧୀରେ ଅଜୟ ରକ୍ତଭିଜା ଗୋଲାପକୁ ନେଇ ପ୍ରଜ୍ଞାକୁ ଦେବା ସମୟରେ ପ୍ରଜ୍ଞା ପଛରେ ଠିଆ ହୋଇଥିବା ସୁନୟନା ଆଗକୁ ଆସିଲା । ସୁନୟନା ହସ ହସ ମୁହଁରେ କହୁଥିଲା ମୁଁ ତୁମ ସୁନୟନା, ସେ ତ ମୋ ବାନ୍ଧବୀ ପ୍ରଜ୍ଞା । ରକ୍ତଭିଜା ଗୋଲାପଟି ସୁନୟନା ହାତରେ ଶୋଭା ପାଉଥାଏ, ଅଜୟ ବେଡରେ ପଡିଥାଏ, ସୁନୟନା ଅଳ୍ପକେ ଆଲିଙ୍ଗନ କରିନେଲା ଅଜୟକୁ ଓ ତାର ମଥାରେ ଲାଜ ସରମ ଛାଡି ଆଙ୍କିଦେଲା ଅନେକ ଗୁଡିଏ ଚୁମ୍ବନ । ଦୁହିଁକ ଆଖିରେ ଖୁସିର ଝଲକ, ଦୁହିଁକ ଆଖିରେ ଆନନ୍ଦାଶ୍ରୁ, ଦୁହେଁ ଦୁହିଁକୁ ଚାହିଁ କହୁଥାନ୍ତି "ତୋର ମୋର ଯୋଡି ସୁନ୍ଦର।"

ସମାପ୍ତ

ସମାଜର ଦର୍ପଣ

© ପ୍ରଶାନ୍ତ ସେନାପତି

ସୁନୟନା ଅଜୟ ଗୋଲାପ

Rate the content


Originality
Flow
Language
Cover design

Comments

Post

Some text some message..