Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ମିଳନ ଲଗ୍ନ
ମିଳନ ଲଗ୍ନ
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୨

Drama Others

7 Minutes   7.4K    16


Content Ranking

ମାମା, ଦିଦି ଚିଠି ଦେଇଛି ବାପାଙ୍କ ଦେହ ବହୁତ ଖରାପ । ତୁମକୁ ଯିବାକୁ ଲେଖିଛି । ଦେଖ ମାମା, ଦିଦି ଆହୁରି ବି ଲେଖିଛି- ମିଛ ରାଗ ଅଭିମାନ ଛାଡ଼ି ତୁ ବାପାଙ୍କୁ ଯେମିତି ହେଲେ ଦେଖିବାକୁ ଆସିବୁ । ବାପା ତୋତେ ଖୁବ ଖୋଜୁଛନ୍ତି । ସେ କରିଥିବା ଭୁଲ ପାଇଁ ପ୍ରତି ମୁହୂର୍ତ୍ତରେ ଜଳୁଛନ୍ତି- ବ୍ୟସ୍ତ ବିବ୍ରତ ହୋଇ କହିଲା ପୁଅ ଶୁଭ୍ରଜିତ । ମନ୍ଦାକିନୀ ନିରବରେ ଶୁଣୁଥିଲେ ପୁଅର କଥା । ଚିଠିଟା ମୋତେ ଦେଇ ତୁ ଯାହା ପଢ଼ିବୁ । କାଲି ତୋ’ର ପରୀକ୍ଷା । ଦେହ ଖରାପ ହୋଇଛି ଭଲ ହୋଇଯିବ । ଏଥିରେ ବସ୍ତ ହେବାର କିଛି ନାହିଁ । ମନ୍ଦାକିନୀ ଯେମିତି ସ୍ନେହ କରନ୍ତି ସେମିତି ଆକଟ ବି କରନ୍ତି । ସେଥିପାଇଁ ତ ଶୁଭ୍ରଜିତ ଏକାଥରେ ଆଇଆଇଟି ପାଇଲା ଆଉ ଦିନ କେଇଟା ପରେ ଦେଶର ପ୍ରମୁଖ କମ୍ପାନିରେ ମୋଟା ଅଙ୍କର ଦରମାରେ ଚାକିରି କରିବ । ତୁ ପରୀକ୍ଷା ପାଇଁ ପଢ଼ାପଢ଼ି କର । ମନ୍ଦାକିନୀ ମଧ୍ୟ ଚିଠିର ଉତ୍ତର ଦେଇଥିଲେ । ଚିଠିରେ ଲେଖିଥିଲେ-ସରୋଜ ! ତୁମର ଦେହ ଖରାପ କଥା ଝିଅର ଚିଠିରୁ ଜାଣିଲି । କିନ୍ତୁ କୋଉ ସମ୍ପର୍କଟା ତୁମେ ଆଉ ମୋ ସହିତ ରଖିଛି ଯେ ତମକୁ ଯିବି ଦେଖାକରିବାକୁ । କାହିଁକି ଯିବି, କ’ଣ ପାଇଁ ଯିବି । ପ୍ରେମ ତାହାକୁ କହନ୍ତି, ଯେଉଁଠି କିଛି ସ୍ୱାର୍ଥ ନ ଥାଏ । ଦିନେ ତୁମର ଅଂହକାର ନିକଟରେ ମୋ ନିଃସ୍ୱାର୍ଥ ଭଲପାଇବା ଆଉ ଭକ୍ତିର ମାନେ କିଛି ନ ଥିଲା । ମୁଁ ବି ଦିନେ ପାଗଳ ପରି ତୁମକୁ ଖୋଜିଥିଲି ।

ହଜାର ହଜାର ଚିଠି ଦେଇଛି । କୌଣସି ଗୋଟିଏ ଚିଠିର ତୁମେ ଉତ୍ତର ଦେଇନାହଁ । କେତେ ନେହୁରା ହୋଇ କହିଥିଲି ଦାମ୍ପତ୍ୟର ଏତେ ବର୍ଷ ପରେ ଆଉ ଜଣେ ନାରୀକୁ ନେଇ ଆମ ହସିଲା ସଂସାରରେ ଝଡ଼ ସୃଷ୍ଟି କରନି । ପିଲାମାନେ ବଡ଼ ହେଲେଣି । ସାମାଜିକ ଜୀବନ ଆମର ପ୍ରଭାବିତ ହେବ । ତୁମେ କିନ୍ତୁ ମୋ କଥାକୁ ହସି କି ଉଡାଇ ଦେଇଥିଲ । ଆଉ କହିଥିଲ- ଏସବୁ ଆଜିକାଲି ଷ୍ଟାଟସ ହୋଇଗଲାଣି । ପାର୍କ ଯିବା, ସିନେମା ଯିବା ଆଉ ରେସ୍ତୋଁରାରେ ଖାଇବାକୁ ତୁମେ ବେଶୀ ପସନ୍ଦ କଲ ତାହା ପୁଣି ସେଇ ଝିଅ ସହିତ । ଯେଉଁ ଝିଅ ପାଇଁ ମୋ ଭଲପାଇବା ସବୁ ମିଛ ବୋଲି ପ୍ରମାଣ କରିଦେଲ ଅଦାଲତରେ । କୌଣସି କଥା ବି ମୋର ତମେ ଶୁଣି ନ ଥିଲ । ଆଉ ଆଜିତୁମର ଏ ଝୁରିହେବା, ଏ ଖୋଜିବା ମୋ ପାଇଁ କିଛି ମାନେ ରଖେନି । ଗୋଟାଏ ଘରେ ସ୍ୱାମୀ-ସ୍ତ୍ରୀ ଭାବେ ଆଉ ଜୀବନ ବିତାଇବା ସମ୍ଭବ ନୁହେଁ ସରୋଜ । ବୟସର ଅଧାରୁ ଅଧିକ ବିତିଗଲା ତୁମର ଯତନ ନେବାରେ । ଆଉ ଅଧେ ତମକୁ ଝୁରିବାରେ । କିନ୍ତୁ ଆଜି ମୋର ଏ ଝୁରିବା ତୁମକୁ ଦେଖା କରିବାକୁ ନୁହେଁ କି ତମ ସେବା ଯତନ କରିବାକୁ ନୁହେଁ । ମୁଁ ପାରିବିନି ସରୋଜ । ତୁମ ଦେହ ଯେତେ ଖରାପ ହେଲେ ବି ମୁଁ ତମକୁ ଯାଇ ଦେଖା କରିବି ନାହିଁ । ସେମିତି ପରିସ୍ଥିତି ଆଉ ନାହିଁ। ଯେଉଁ ଝିଅ ପାଇଁ ତୁମେ ମୋତେ କାଠଗଡ଼ାରେ ଛିଡ଼ା କରାଇଦେଦଲ, ସେଇ ଝିଅକୁ ଡାକ, ସେବା ଯତନ କରିବ । ମୁଁ ତୁମର ଢ଼େର ସେବା ଯତନ କରିଛି । କୋଉ ଅଭିଧାନରେ ଲେଖା ଅଛି ଯେ କେବଳ ସ୍ତ୍ରୀ ହିଁ ସ୍ୱାମୀର ଯତନ ନେବ, ଆଉ ସ୍ୱାମୀ ସ୍ତ୍ରୀକୁ ନିଜ ଘରେ ବିନା ଦରମାରେ ଗୋଟେ ଚାକରାଣୀ ପରି ରଖିବ । ତା’ର ବି ଗୋଟେ ଦେହ, ଗୋଟେ ମନ ରହିଛି । ସେ ବି ପିଲାମାନେ ଆଉ ସ୍ୱାମୀଙ୍କ ସହିତ ବୁଲିଯିବାକୁ ସ୍ୱପ୍ନ ଦେଖେ, ଆଶା ରଖେ । ସ୍ୱାମୀ ଦୂରେ ଗଲେ ବସ୍ତ ବିବ୍ରତ ହୋଇଯାଏ, ଅଥଚ ସ୍ୱାମୀର କିଛି ବି ଦାୟିତ୍ୱବୋଧ ନାହିଁ । ତୁମେ ବୋଧେ ଜାଣନି ଯେତେବେଳ ପର୍ଯନ୍ତ ସ୍ତ୍ରୀଟିଏ ପ୍ରେମ କରୁଥାଏ ସେତେବେଳେ ସ୍ୱାମୀର ସବୁ ଭୁଲ ବି ତା ଆଖିକୁ ଠିକ ଠିକ ଲାଗେ ଆଉ ଯେତେବେଳେ ଘୃଣା କରିବା ଆରମ୍ଭ କରେ ସେତେବେଳେ ସ୍ୱାମୀ ପାଇଁ ତା ପାଖରେ ପ୍ରେମ ନ ଥାଏ । ବୁଢ଼ୀ ମା’ ଆଉ ପୁଅକୁ ଧରି ଯେଉଁ ଦୁର୍ଦ୍ଦିନର ସମୟ ମୁଁ ଅତିବାହିତ କରିଛି ତୁମେ ସେ ସମୟ ଫେରାଇ ପାରିବନି । ମା’ଙ୍କ କାମକୁ ଆସିଲ ଅତିଥି ପରି ଶୁଦ୍ଧି କାମ ସାରି ଚାଲିଗଲ । ମୋତେ ପଦେ କଥା ବି କହିଲନି ।ତୁମେ ଭୁଲିଯାଇଥିବ ସରୋଜ । ମୋର କିନ୍ତୁ ସବୁ ଗୋଟି ଗୋଟି କରି ମନେ ଅଛି । ସଂଘର୍ଷର ସେଇ ଦିନଗୁଡ଼ାକ କଥା ମନେ ପଡ଼ିଲେ ମୁଁ ପଥଭ୍ରଷ୍ଟ ହୋଇଯାଏ । ୧୪ ବର୍ଷର ପୁଅକୁ ନେଇ କେମିତି ଦିନ କାଟିଥିବି ଏତେ ବର୍ଷ ପରେ ସେସବୁ ମନେପଡ଼ିଲା । ମୁଁ ଜଣେ ମାଆ । ମୋ ପାଇଁ ପୁଅ ଆଉ ଝିଅ ସମାନ । ଝିଅକୁ ଏତେ ବର୍ଷ ତୁମ ପାଖରେ ରଖି ମୁଁ ଯେଉଁ ମାନସିକ ଯନ୍ତ୍ରଣା ପାଇଛି ତାହାର ଭରଣା କରିବ କିଏ ? ମୁଁ ଜାଣେ ଏହାର ଉତ୍ତର ତୁମପାଖରେ ନଥିବ । ଆମ ରକ୍ତରେ ତିଆରି ଦୁଇ ପିଲାଙ୍କୁ ଯେତେବେଳେ ନେବା ପାଇଁ ଅଦାଲତରେ ତୁମେ ଯୁକ୍ତି କରୁଥାଅ ମୋର ମନେ ହେଉଥାଏ ସେ ପିଲାମାନେ ଆମଠାରୁ ଜନ୍ମ ହୋଇ ମସ୍ତବଡ଼ ଭୁଲ କରିଛନ୍ତି । ଈଶ୍ୱର ସେମାନଙ୍କୁ ଆମ ପାଖରେ ଜନ୍ମ ଦେଇ ତାଙ୍କ ନିଜ ଅଜାଣତରେ ବି ଭୁଲ କରିବସିଛନ୍ତି । ବିଚାରପତି ଶୁଣାଇଲେ ଝିଅ ବାପା ପାଖରେ ଆଉ ପୁଅ ମାଆ ପାଖରେ ରହିବ । ବିଚାରପତିଙ୍କ ରାୟକୁ ମାନିନେଲେ ମନ୍ଦାକିନୀ ଆଉ ସରୋଜ । ପୁଅକୁ ପ୍ରତି ମାସରେ ସରୋଜ ଭେଟିପାରିବେ । ବିଚାରପତିଙ୍କ ଏଇ ପଦେ କଥାରେ ତୁମେ ବି ଖୁସି ହୋଇ ଚାଲିଗଲ ଚାକିରି କରିଥିବା ସ୍ଥାନକୁ ଝିଅକୁ ନେଇ । ପଛରୁ ଯେତେ ଡାକିଲେ ବି ତୁମେ ଶୁଣି ନ ଥିଲ । ଏହା ଭିତରେ ବିତିଗଲାଣି ୧୦ ବର୍ଷ । ତୁମର ଯାହା ଜମିବାଡ଼ି, ସେଇତକ ପଇସାରେ ଘର ସଉଦା ଖର୍ଚ୍ଚ ଉଠିଯାଏ । ସୌଭାଗବଶତଃ ଶୁଭ୍ରଜିତ ଆଇଆଇଟି ପାଇଗଲା ଆଉ ସ୍କଲାରସିପ୍‌ ପଇସାରେ ପଢ଼ାଖର୍ଚ୍ଚ ଉଠାଇଲା । ଆଜିକାଲିକା ପିଲାଙ୍କ ପରି ସୌଖୀନ, ମଉଜ, ମଜଲିସଠାରୁ ସେ ଦୂରେଇ ରହିଲା । ବର୍ଷକରେ ୨ ହଳ ପ୍ୟାଣ୍ଟସାର୍ଟ ଆଉ ଦୁଇ ଦଳ ଜୋତାରେ ଜୀବନ କାଟିଲା । ସେ ବି ଛୋଟ ପିଲା ନୁହେଁ । ତୁମର ଏମିତି କାମ ତାକୁ ମାନସିକ ଭାବେ ଆଘାତ ଦେଇଥିବ ନିଶ୍ଚିତ । ସେ ମୋତେ କେବେ ଏସବୁ ପ୍ରସଙ୍ଗରେ ପଚାରିନାହିଁ କି ମୁଁ ତାକୁ ଏ ପ୍ରସଙ୍ଗରେ ପଚାରିବାର ସୁଯୋଗ ବି ଦେଇନାହିଁ । ସରୋଜ ଆମ ପୁଅ ଶୁତ୍ରଜିତକୁ ଯିଏ ବି ଦେଖନ୍ତି- ସମସ୍ତେ କୁହନ୍ତି ସରୋଜ ବାବୁଙ୍କ ଗୁଣ ପୂରା ଛିଣ୍ଡେଇ ଆଣିଛି । ମୁଁ ଡରିଯାଏ । ବାହାଘର ଆଉ ପିଲାଛୁଆର ବାପା ହେବା ପରେ ଶୁଭ୍ରଜିତ ବୋହୂ ସହିତ ଏମିତି କରିବନି ତ ! ମନରେ ପାପ ଛୁଏଁ । ଭଗବାନଙ୍କୁ ଡାକେ ସବୁ ଗୁଣ ସରୋଜଙ୍କର ଥାଉ, କିନ୍ତୁ ପରିଣତ ବୟସରେ ତୁମେ ଯାହା କଲ ସେମିତି ସେ ନ କରୁ । ପିଢ଼ୀ ପରେ ପିଢ଼ୀ ଏମିତି ଚାଲିଲେ ଈଶ୍ୱର କେବଳ ଅଭିଶାପ ହିଁ ଦେଇଚାଲିବେ। ମୁଁ ଛୋଟ ବେଳୁ ଶୁଭ୍ରଜିତ ଆଉ ଶୁଭ୍ରାଲିନକୁ ଏମିତି ଭାବେ ଗଢ଼ିଥିଲି ଯେ ସେ ଭାଇ ଭଉଣୀଙ୍କ ସମ୍ପର୍କରେ

ଆଖପାଖରେ ଯିଏ ବି ଦେଖୁଥିଲେ କହୁଥିଲେ, ଭାଇ-ଭଉଣୀ ହେବୁ ତ ଏମିତି। ଆଉ ଝିଅ ତ ତୁମ ସାମନାରେ କଥା କହେନି । ସେ କେମିତି ତୁମ ପାଖରେ ଦିନ କାଟୁଛି ମୁଁ ଏଇଠି ଥାଇ ଜାଣିପାରୁଛି । ପ୍ରତିବର୍ଷ ରାକ୍ଷି ପୁନେଇଁ ଆସିଲେ ସେ ଦୁଇ ଜଣଙ୍କର ଖୁସି କହିଲେ ନ ସରେ । ୮ ଦିନ ଆଗରୁ ଶୁଭ୍ରକୁ ଝିଅ କହିଥିବ- ଭାଇ ଏଥର ତୁ ବାପାଙ୍କଠାରୁ ୫୦୦ ଟଙ୍କା ଆଣି ରଖିଥିବୁ ନ ହେଲେ ରାକ୍ଷି ବାନ୍ଧିବିନି ଯେ! କିନ୍ତୁ ରାକ୍ଷୀରେ ଶୁଭ୍ର ମୋଠାରୁ ପଇସା ନେଇ ଝିଅକୁ ଦିଏ ଆଉ ଝିଅ ତାକୁ ଫେରେଇଦେଇ କହେ-ନାଇଁ ଭାଇ ତୁ ଏ ପଇସା ରଖି ଥା। ଯେଉଁ ଦିନ ଖୁବ ବଡ଼ ଚାକିରି କରିବୁ ସେଇଦିନ ସବୁ ବର୍ଷର ପଇସା ହିସାବ କରି ତୋ’ ଠାରୁ ନେବି । ମୁଁ ଆଶ୍ଚର୍ଯ ହୁଏ ଏତେ କମ ବୟସରେ ଏତେ ବିଜ୍ଞଲୋକଙ୍କ ବୁଦ୍ଧି କେମିତି ତା ମୁଣ୍ଡରେ ଢ଼ୁକେ । ଅଥଚ ଅଦାଲତଙ୍କ ରାୟ ପରେ କେବେ ଥରେ ଶୁଭ୍ର ରାକ୍ଷୀ ବାନ୍ଧିନି କି ମନର ଦୁଃଖକୁ ମୋ ପାଖେ କହିନି । କିନ୍ତୁ ଶୁଭ୍ରାର ରାକ୍ଷୀ ସବୁବର୍ଷ ପୋଷ୍ଟାଲରେ ଆସେ । ସେମିତି ତା ପଢ଼ାଟେବୁଲରେ ସାଇତା ହୋଇ ରହିଛି । କାହିଁକି ତୁମେ ସେଦିନ ଆମ ପିଲାମାନଙ୍କ ମୁହଁକୁ ଚାହିଁ ସେ ପଥରୁ ଓହରି ପାରିଲନି । କହିପାରିବ ସରୋଜ, କୌଣସି ଗୋଟିଏ ମୁହୂର୍ତ୍ତରେ ମୁଁ ତୁମକୁ ଭଲପାଇବା ଦେଇନି ବା ଜୋର କରି ତୁମେ ମୋଠାରୁ ଛଡ଼ାଇଛ । ତମ ସହିତ ଗୋଟିଏ ଘରେ ରହିବା ଆଉ ସମ୍ଭବ ନୁହେଁ । ତୁମେ ମୋତେ ଅଭିଶାପ ଦିଅ କି ଆଶୀର୍ବାଦ ମୋର ସେଥିରେ କିଛିଯାଏ’ଆସ ନାହିଁ । ମୁଁ ଜାଣିଥିଲି ମୋ ଭଲପାଇବାର ଶକ୍ତି ଢ଼େର ବେଶୀ । ନିଷ୍ଠାପର ଭାବେ ଯିଏ ଯାହା ପ୍ରତି ସମର୍ପିତ ଥାଏ ସେଠାରେ ସମ୍ପର୍କକୁ କୌଣସି ଅଦାଲତ ବି ଏଡ଼ାଇ ପାରେନି । କିନ୍ତୁ ଆମସମ୍ପର୍କରୁ ସୃଷ୍ଟି ହୋଇଥିବା ସମ୍ପର୍କକୁ ଅଦାଲତ ଯେତେବେଳେ ଭାଗକଲେ ମୁଁ ଚମକି ପଡ଼ିଲି ଆଉ ସେଇ ଦିନରୁ ତୁମ ପ୍ରତି ମୋରଭଲପାଇବା, ବିଶ୍ୱାସ ତୁଟିବାକୁ ଲାଗିଲା। ମୁଁ ଯେ ତମ ପାଖକୁ ପୁଣି ଥରେ ଫେରିବି, ଏ ବିଶ୍ୱାସ ତମେ ରଖିବା ବୋକାମିର ପରିଚୟ । ଆହୁରି ବହୁତ କଥା କହିବାକୁ ଥିଲେ ବି ସେସବୁ କହିବାକୁ ମୋର ଇଚ୍ଛା ନାହିଁ। ଚିଠିର ‘ଆରମ୍ଭ’ ଆଉ ‘ଇତି’ ମୁଁ ଜାଣି ଜାଣି ଲେଖୁନାହିଁ । କାରଣ ସମ୍ପର୍କର ମାନେ ବୁଝି ନ ଥିବା ଜଣେ ବକ୍ତି

ପାଇଁ କୌଣସି ସମ୍ବୋଧନ ପ୍ରଜୁଯ୍ୟ ନୁହେଁ । ଚିଠି ପଢ଼ି ତୁମେ ନିଶ୍ଚିତ ଭାବିବ ମୁଁ ବି ପରୋକ୍ଷରେ ତୁମର ମୃତୁକାମନା କରୁଛି । ତୁମେ ଭାବିପାର ତୁମ ଭାବିବା ଆଉ ନ ଭାବିବା ସହିତ ମୋର ଆଉ କୌଣସି ତର୍କବିତର୍କ କରିବାର ନାହିଁ । ମୋର ଅନୁପସ୍ଥିତିକୁ ଏତେ ବର୍ଷ ପରେ ଅନୁଭବ କରିଥିବାରୁ ଧନବାଦ । ଚିଠି ଲେଖିସାରି ମନ୍ଦାକିନୀ ପୋଷ୍ଟ କରିଦେଲେ । ଶୁଭ୍ରକୁ କହିଲେ- ଯାଉଛି ମନ୍ଦିରକୁ । ମନ୍ଦିରରେ ପୂଜାରୀକୁ ଭୋଗଡାଲା ବଢ଼ାଇଦେଇ ମାନସିକ ନଡ଼ିଆ ଆଉ ଗୁଆ ବି ଦେଲେ । ପୂଜକ କାହାନାମରେ ନଡ଼ିଆ ମାନସିକ ହେବ ବୋଲି ପଚାରିବାରୁ ତତକ୍ଷଣାତ ପାଟିରୁ ବାହାରିଗଲା ସରୋଜ । ତାଙ୍କ ଦେହ ଖରାପ ଅଛି । ଯେମିତି ଜଲଦି ଭଲହୋଇଯିବ । ଠାକୁରଙ୍କୁ ପ୍ରଣିପାତ କଲାବେଳେ ଲହୁ ଠପ ଠପ ହୋଇ ଆଖିରୁ ଖସିପଡ଼ୁଥାଏ । କାମନା କରୁଥାନ୍ତି ମୋ ସିନ୍ଦୂର ବଜର ହେଉ, ସୁହାଗିନୀ ହୋଇ ଏ ଦୁନିଆରୁବିଦାୟ ନିଏ । ସେ ଜଲଦି ଭଲ ହୋଇ ମୋ ପାଖକୁ ଆସିବେ ଆଉ ପୁଅ ଝିଅଙ୍କ ବାହାଘର ଆମେ ମିଶିକି କରିବୁ । ଏହା ଭିତରେ ବିତିଗଲା ମାସେ । ଝିଅଠାରୁ ସମସ୍ତ ଖବର ବୁଝୁଥିଲେ ମନ୍ଦାକିନୀ । ସରୋଜଙ୍କ ଦେହ ଏବେ ଖୁବ ଭଲ । ଆତ୍ମସନ୍ତୋଷ ମିଳୁଥିଲା ସରୋଜଙ୍କ ଦେହ ଭଲ ହେବା ଜାଣି । ମନେ ମନେ ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ । ଏଇ ସମୟରେ କଲିଂବେଲର କ୍ରିଂ କ୍ରିଂ ଶବ୍ଦରେ ଚମକି ପଡ଼ିଲେ ମନ୍ଦାକିନୀ । କବାଟ ଖୋଲିବାବେଳକୁ ଡାକବାଲା ଆସି ଚିଠି ଦେଲା । ଶୁଭ୍ରର ଚାକିରି ହୋଇଯାଇଛି । ଆସନ୍ତା ପହିଲାରେ ଯୋଗଦେବ । ଖୁସିରେ ଆତ୍ମହରା ହୋଇଗଲେ । ଏ ଖୁସି କିନ୍ତୁ ନିଜ ଭିତରେ ରଖିଲେ । ମନେ ମନେ ଭାବିଲେ ସରୋଜ ଆମ ପୁଅ ଖୁବ ବଡ଼ ଚାକିରି ପାଇଛି । ତୁମେ ଆସିଲେ ଆମେ ସାଙ୍ଗ ହୋଇ ବିଦେଶ ଟୁରରେ ଥରେ ବୁଲିବାକୁ ଯିବା । ଏମିତି ଭାବୁ ଭାବୁ ପୁଣି କଲିଂ ବେଲ ବାଜିଲା- କବାଟ ଖୋଲିଲା ବେଳକୁ ସାମ୍ନାରେ ଛିଡ଼ା ହୋଇଥିଲେ ସରୋଜ ଆଉ ଝିଅ ଶୁଭ୍ରା । ଦୁହେଁ ଅପଲକ ନୟନରେ ଚାହିଁ ରହିଲେ । ସରୋଜ ପଚାରିଲେ ତୁମେ ଏବେ ବି କ’ଣ ରାଗିଛ ? ତମ ନିଷ୍ଠାପର ତ୍ୟାଗ ଆଉ ଭଲପାଇବା ପାଇଁ ନୂଆ ଜୀବନ ପାଇଛି । ଚିଠିରେ ଖାଲି ମିଛ ରାଗ ଅଭିମାନ ଢ଼ାଳିଛ । ସେସବୁ ତୁମର ଯେ ପ୍ରେମ ଏକଥା ମୋତେ ଆଉ ବୁଝିବାକୁ ବାକି ନାହିଁ । ଏତକ କହିସାରିବା ବେଳକୁ କେତେବେଳେ ମନ୍ଦାକିନୀ ସରୋଜଙ୍କ ଛାତିରେ ମଥା ରଖିସାରିଥିଲେ ଜଣା ନ ଥିଲା କାହାରିକୁ ।

ମନ୍ଦାକିନୀ ସରୋଜ ପ୍ରେମ

Rate the content


Originality
Flow
Language
Cover design

Comments

Post

Some text some message..