ପର ଆପଣା
ପର ଆପଣା
ଥରକୁଥର ଅଦଳବଦଳ କରି ଛାତିରେ ଜାକି ଧରୁଥିଲା ଶର୍ମିଷ୍ଠା । ବେଳେ ମାମୁନିକୁ , ବେଳେ ଲିପୁକୁ । ଫରକ୍ ବାରୁଥିଲା ସେ ! ତା'ର ଏଇ ଆଚରଣରେ ପିଲା ଦୁହେଁ ଟିକେ ବିଚଳିତ ହୋଇପଡୁଥିଲେ । ଅଥଚ ତା' କୋଳକୁ ଆସୁଥିଲେ । ଗେଲ ହେଉଥିଲେ । ପୁଣି ଧାଇଁ ଯାଇ ନିଜ ଖେଳରେ ମାତି ଯାଉଥିଲେ । ଆଲିଙ୍ଗନର ଉଷ୍ଣତାକୁ ଛାତିରେ ଅନୁଭବ କରିଚାଲୁଥିଲା ଶର୍ମିଷ୍ଠା । ମାମୁନିକୁ ଜଡେଇ ଧରିଲା ପରି , ଲିପୁକୁ ଭିଡି ଧରିନେଇ ପାରୁନଥିଲା ସେ । ଲିପୁକୁ ବୋକ ଦେଲାବେଳେ , ଖୁବ୍ ଗୋଟେ ଯତ୍ନଶୀଳ ଆଉ , ମାମୁନି ପାଖରେ ତା'ର ନିହାତି ବେଫିକର୍ ପଣିଆ ଜାଣିପାରୁଥିଲା । ପିଲା ଦୁହେଁ ମଜ୍ଜିଥିଲେ । ମାମାର ଏତେ ଯାକ ପରୀକ୍ଷା ନିରୀକ୍ଷା ଠଉରାଇ ପାରିବାର ସେମାନଙ୍କ ପାଖରେ ନା ଥିଲା ବୁଦ୍ଧି ନା ବୟସ ।
ଏବେ ବୋଧେ ଦୁହେଁ ଛୁଆଁ ଛୁଇଁ ଖେଳରେ ମାତିଗଲେ । ଘରର ସେ କୋଣରୁ ଧାଇଁଆସି , ସୋଫା ଉପରେ ବସିଥିବା ମାମାକୁ କେ' ଆଗ ଛୁଇଁ ପାରିବ , ସେ ହେବ ବିଜୟୀ ।
……..
ମାମୁନିର ଜନ୍ମ ପୂର୍ବରୁ ଡାକ୍ତର ଘୋଷଣା କଲେ ,
- କାହାକୁ ଚାହଁ? ମା'କୁ ନା ପିଲାକୁ ?
- ଦୁହିଁଙ୍କୁ ସାର୍ ।
ଖୁବ୍ ନିରୀହ କାନ୍ଦକାନ୍ଦ ଉତ୍ତର ଥିଲା ଜୟନ୍ତଙ୍କର ।
କେଉଁ ଏକ ଅଲୌକିକ ବଳନେଇ ଦୁହିଁଙ୍କୁ ବଞ୍ଚାଇ ଦେଇ , ଚରମବାଣୀ ଜଣାଇଦେଲେ ଡାକ୍ତର -
- ମନେରଖିବ, ଏଇଟି ପ୍ରଥମ ଆଉ ଶେଷ । ଅନ୍ୟଥା ପୁଣି କେବେ ଚେଷ୍ଟା କରିବନି । ଭଗବାନ ବାରମ୍ବାର ଡାକ ଶୁଣନ୍ତିନି । ଭୟଙ୍କର ବିପଦ ଅଛି ।
ସେଇ ଦିନୁ ଖୁସି ହଜିଗଲା ପୂରା ଘରଟାରେ । ସତରେ କ'ଣ ଝିଅଟେ ଏତେ ଅସନ୍ତୁଷ୍ଟ ଆଣିଦିଏ ???
ଯେତେ ଉଚ୍ଚମନା ହେଲେବି , ମଣିଷ ତା' ନିମ୍ନତାକୁ ଭେଦକରିପାରେନି ।
ଆଗପରି ଶାଶୁ ସହଜ ସରଳ ହୋଇପାରୁନଥିଲେ । ଶଶୁରଙ୍କ ହଠାତ୍ ରକ୍ତଚାପ ରୋଗ ବଢିଯାଇଥିଲା । ସାତ ସାନ ନଣନ୍ଦ ଏବେଏବକୁ ତା' ଖୁଣ ସବୁ ବାଛିବାରେ ହେଳା କରୁନଥିଲା । ଆଉ ଜୟନ୍ତ !!!!
ବାପା ହୋଇ ଝିଅକୁ ଛାତିରେ ଜଡାଇ ଧରିବାବେଳେ ବି ଅନ୍ୟମନସ୍କତାରେ ଉଦାସୀ ହୋଇପଡୁଥିଲେ !
ସଂସାର ସୃଷ୍ଟିର ଜରାୟୁଟାଏ ଧାରଣ କରିବି , ନାରୀଟିଏ ସମାଜରେ ଛାତି ଫୁଲାଇ ଜୀଇପାରେନି କାହିଁକି ?? ବରଂ ବେଳ ଅବେଳରେ , ସେଇ ଜରାୟୁକୁ ନେଇ ଆପଣାର ମଣିଷ ମାନଙ୍କଠୁଁ ଲାଞ୍ଛିତ ହେବାରେ ଲାଗିଥାଏ ।
ଫଳ ହୀନ ଗଛଟିଏ ବଗିଚାରେ ଅଲୋଡା ହୋଇଗଲା ପରି , ଧାରଣ କରିବାର କ୍ଷମତା ହରାଇ ଦେଲେ , ସ୍ତ୍ରୀ ମଣିଷଟେ ଅନ୍ୟ ନଜରରେ ତୁଚ୍ଛ ହୋଇପଡେ । ଶାଶୁ ଶୁଣାନ୍ତି -
- ଏତେ ସମ୍ପତ୍ତି, ଏତେ ପ୍ରତିଷ୍ଠାକୁ କିଏ କାନ୍ଧଦେଇ ବୋହିନେବ? ଏଇ ବକଟେ ଝିଅ ! ଯେ ଆଜିଅଛି କାଲିକୁ ନାହିଁ । କୂଳଦ୍ବୀପଟାଏ ନଥିଲେ , ସେ ଘର କି ଘର ??
କଲିଜାଟା ଛିଣ୍ଡି ଖଣ୍ଡ ଖଣ୍ଡ ହୋଇଯାଏ ଶର୍ମିଷ୍ଠାର । ଭାରି ବିକଳରେ ଜୟନ୍ତଙ୍କ ଆଡକୁ ଚାହେଁ । ମୁହଁ ବୁଲାଇ ନିଅନ୍ତି ଜୟନ୍ତ । ଫିକ୍ କି ହସିଦିଏ ମାମୁନି । ଭାଷା ନବୁଝିବା ଯାଏଁ ଏଇ ଅବୁଝା ହସତକ । ଯେବେ ଝିଅ ବଡହେବ , ବୁଝିବାର ହେବ , ନିଜ ଘରେ ନିଜର ଅସ୍ତିତ୍ଵ ଖୋଜିବ , ଆଉ କଣ ହସିପାରିବ କି ଝିଅଟିଏ ??
ବାହାଘର ବେଳେ ବାପା ଖୁବ୍ ଜୋର୍ ଦେଇ ବୋଉ କୁ କହିବାର ଶୁଣିଛି -
- ସେମାନେ ଖୁବ୍ ବଡଲୋକ । ଉଚ୍ଚ ଲୋକଙ୍କର ଉଚ୍ଚାମନ । ଦେଖିବ କେମିତି ସୁଖ ଭୋଗିବ ତୁମ ଝିଅ ।
ଉଚ୍ଚତା, ଆକାରର ମାପକାଠି ହୋଇପାରେ । ମନ ହୃଦୟର ନୁହେଁ । ଜୟନ୍ତ ଭଲା ଟିକେ ସହଜ ହୁଅନ୍ତେ ? ସ୍ଵାମୀଙ୍କର ସହଯୋଗ ପାଉନଥିବା ସ୍ତ୍ରୀ ଟିଏ ସର୍ବ କାଳୀନ ଦୁଃଖିନୀ । ବଡଘର ମାନଙ୍କରେ ଲୁହ ଢାଳିବା ମନା । ଲୁହ ତକ ସାଇତି ରଖି , ଗାଁ କୁ ଆସି , ବୋଉ ପାଖରେ ଢାଳି ପକାଏ ଶର୍ମିଷ୍ଠା । ବୋଉ ତା'ସହ ଆଉକିଛି ଯୋଡିଦିଏ ଖାଲି । ବାପା ସାହସ ଦିଅନ୍ତି -
- ଏଇ ମାମୁନି , ଝିଅ ହୋଇ ଦିନେ ଦେଖିବ ସେ ବଂଶର ଟେକ ରଖିବ । ସେ ଭଲ ଦିନ ଦେଖିବାକୁ ବୁଢା ବୁଢୀ ଦି’ ଜଣ ରହିନଥିବେ । ନରହିଲେ ବି ଭଲ ଅବଶ୍ୟ ।
………
ସ୍ଵାତୀର ପ୍ରେମ ବିବାହକୁ ଖୁବ୍ ଧୁମଧାମରେ ମାନି ନିଆଗଲା । ଭାଉଜ ହିସାବରେ ଅସଲ ଗୁପ୍ତ କଥାଟା ଶର୍ମିଷ୍ଠା ଠଉରାଇ ନେଇଥିଲା ଅବଶ୍ୟ। କେଇଟା ଦିନ ଶାଶୁଘରେ ରହି କଳ କୌଶଳରେ ବାପଘର ଚାଲିଆସିଲା ସ୍ଵାତୀ । ଏଇଠି ଡେଲ ଭରି କରାଇବ । ଜୟନ୍ତଙ୍କର ନିର୍ଦ୍ଦେଶ ଥିଲା , ଭଉଣୀର ସୁଯତ୍ନ ନେବାକୁ ।
ଆବୋର୍ଟ କରିବାକୁ ଡାକ୍ତର ମନା କରିଦେବାରୁ , ବାଧ୍ୟ ହୋଇ ଅସମୟରେ ବୁଦ୍ଧି କରି ବାହାଘରଟା କରିଦିଆଗଲା । ସ୍ଵାତୀ ପାଇଁ ଖୁବ୍ ଚିନ୍ତା ଆସୁଥିଲା ଶର୍ମିଷ୍ଠାକୁ । ଏତେ ଅଳ୍ପ ବୟସରୁ ଏତେ ବଡ ଦାୟିତ୍ଵ ? ନିଜେ ମାତୃତ୍ୱର କଷ୍ଟ ସବୁ ଭୋଗି ଦାୟିତ୍ୱ କଣ ଜାଣେ ସେ ।
ସତକୁସତ , ମା' ଟିଏ ହୋଇପାରିବାର ନିଜକୁ ଦେଖିପାରିନଥିଲା ସ୍ଵାତୀ । ଥିଏଟର ଭିତରକୁ ଯିବାବେଳେ ଖୁବ୍ ଏକ କ୍ଷମା ମୁଦ୍ରାରେ ଚାହିଁ ରହିଥିଲା କେବଳ ଶର୍ମିଷ୍ଠାର ମୁହଁ ଆଡେ ।
ଶର୍ମିଷ୍ଠାର କୋଳକୁ ପିଲାଟିକୁ ବଢାଇଦେଇ ଶାଶୁ ବାହୁନୁଥିଲେ -
- ନେ! ଦେଇ ଦେଇଯାଇଛି । ନିଜର ଭାବି ବଞ୍ଚାଇବୁ । କୂଳ ନନ୍ଦନ । ପୁତ୍ରବତୀ କରିଦେଇ ତୋତେ ଚାଲିଗଲା ସେ ।
ଛାତିର ଅମୃତଧାର ଶୁଖିନଥିଲା ଶର୍ମିଷ୍ଠାର । ପିଲାଟିର ପାଟି ମୁହଁରେ ଥୋଇଦେଇ କହିପକାଇଲା -
- କାନ୍ଦେନା ଧନ । ନେ ମୁଁ ତୋ' ମା' ପରା ।
ବଦଳି ସାରିଥିଲା ଦୃଶ୍ୟପଟ । କଥାକଥାକେ ନିନ୍ଦୁଥିବା ଶାଶୁ ମା’ , ଘର ଚାବି ଲେନ୍ଥା ହାତରେ ଗୁଞ୍ଜିଦେଇ , ଦିନେ କହିପକାଇଲେ - ସମ୍ଭାଳ ଏଥର ନିଜ ଘର । ଆମକୁ ମୁକ୍ତକର । ଗୃହ ଲକ୍ଷ୍ମୀ ତୁ । ଏ ଘର ତୋତେ ଲାଗିଲା ।
ଆଶ୍ଚର୍ଯ୍ୟ ହେବା ପରି କିଛି ନଥିଲା ଶର୍ମିଷ୍ଠାର । ଜୀବନ ଜଞ୍ଜାଳ ରେ ଅନେକ ନାଟକୀୟତା ଆସେ ଯାଏ । ଦାୟିତ୍ୱ ନେବାକୁ କେବେ ନା' କରେନା ନାରୀ । ଜନ୍ମରୁ ମଲା ଯାଏଁ ଅବହେଳିତ ଏଇ ଜୀବଟି କେବେ କୌଣସି ଥିରେ ପଛଘୁଞ୍ଚା ଦିଏନି । ସେଥିଲାଗି ତ କାପୁରୁଷର ସ୍ତ୍ରୀଲିଙ୍ଗ ଶବ୍ଦଟିଏ ତିଆରି ହୋଇପାରିନି ଏଯାବତ୍ ।
ଜୟନ୍ତ ଏବେ ଏବେ ଢେର୍ ସହଜ ହୋଇପଡନ୍ତି । କେଉଁ କାଳରୁ ଯୁଝୁଥିବା ସମସ୍ୟାଟିଏର ଯେପରି ସଫଳ ସମାଧାନ ହୋଇଗଲା ପରି । ବିନା ଚିକିତ୍ସାରେ ସୁସ୍ଥ ହେବାକୁ ଲାଗନ୍ତି ଶଶୁର । ଶାଶୁ ଯୁକ୍ତି ବାଢନ୍ତି -
- ଏସବୁ ଠାକୁରଙ୍କ ମାୟା । ଏ ବଂଶ ଭାସୁଭାସୁ ରହିଗଲା । କେଉଁ ଜନ୍ମର ପୁଣ୍ୟଫଳ, ଏ ଜନ୍ମରେ ମିଳିଛି । ଅକ୍ଷମ ହୋଇବି ପୁତ୍ର ପ୍ରାପ୍ତି ହେବା ସୌଭାଗ୍ୟ ନୁହେଁ ତ କଣ ଆଉ?? ହତାଦର କରିବୁନି ଜମା । ଦୁଃଖ ପାଇବୁ ଭାରି ।
ଏସବୁ ଅଲଣା ଆଦର ବୋଳା କଥା ସବୁ ଶୁଣି , ଭିତରେ ଭିତରେ ଖୁବ୍ ବିଦ୍ରୋହ କରି ଉଠେ ଶର୍ମିଷ୍ଠା । ହଠାତ୍ ଏପରି ଅପ୍ରତ୍ୟାଶିତ ଅଲୋଡା ରୁ ଲୋଡା ହୋଇଯିବାକୁ ଗ୍ରହଣ କରିପାରେନି ସେ । ଆଉରି ଭାଙ୍ଗି ପଡେ । ମାମୁନିକୁ ବିକଳରେ ଚାହିଁ ରହେ ଖାଲି । ଲିପୁ , ପୁଅ ନହୋଇ ଝିଅଟାଏ ହୋଇଥିଲେ , ବି ଠିକ୍ ଏଇପରି ମା'ର ଦାୟିତ୍ୱ ତୁଲାଇ ଥା'ନ୍ତା ସେ । ଦୁହିଁଙ୍କ ଭିତରେ ଫରକ୍ ଜାଣିପାରେନି ସେ । କେବଳ ଆଠ ମାସର ଅନ୍ତରକୁ ଛାଡି । ଜାଆଁଳା ପିଲାଙ୍କ ମାଟିଏ ପରି ବୋଧ ହୁଏ ତାକୁ ।
କିନ୍ତୁ ଗୋଟେ ପୁତ୍ର ସନ୍ତାନର ଜନନୀକୁ ଏ ସମାଜରେ ଏତେ ଯାକ ମାନ୍ୟ କାହିଁକି ଯେ ?
ଖୁବ୍ କୃତ୍ରିମତା ଲାଗେ ଜୟନ୍ତଙ୍ର ଭଲପାଇବା । ଶାଶୁ ଶଶୁରଙ୍କର ଆଦର । କ୍ରମେ କ୍ରମେ ଘର ବାହାରରେ ଶର୍ମିଷ୍ଠା ଏକ ଆଦର୍ଶ ପାଲଟୁଥିବାବେଳେ, ଏସବୁ କିଛି ତାକୁ ତୁଚ୍ଛ ତୁଚ୍ଛ ଲାଗିବାରେ ଲାଗେ ।
ବେଳେବେଳେ ମଣିଷକୁ ସୁଖ ବି ଅସହ୍ୟ ହୁଏ !!!!!
……….
ଛାତି ଭିତରୁ ବଳକା ଅମୃତ ର ଧାର ଢାଳି ଜୀବନ୍ୟାସ ଦେଇଛି ସେ ଲିପୁକୁ । ପୁଅକୁ । ଟିକେ କାଶ ଛିଙ୍କରେ ରାତି ରାତି କୋଳରେ ଧରି ଜଗି ରହିଛି ପୁଅକୁ । ମାମୁନି ମୁହଁକୁ ଗୁଣ୍ଡାଏ ବଢାଇଦେଲାବେଳେ , ପର ଗୁଣ୍ଡାଟି ଲିପୁ ପାଟିରେ ଦେବାକୁ କେବେ ଭୁଲିଯାଇନି ସେ । ଘର କୋଣରେ ପିଲାଟି କେବେ ଛୁପିଗଲେ , ବାୟାଣୀ ପରି ଖୋଜିଛି ଦୁଷ୍ଟକୁ ।
ଭୁଲିଯାଇଛି ଶର୍ମିଷ୍ଠା ସ୍ଵାମୀ ସୁଆଗ , ବୋହୂ ଆଦର,ମାନ ପ୍ରତିଷ୍ଠା ସବୁ । ତା'ପାଇଁ ଜୀବନ କହିଲେ ବାସ୍ ଦୁଇଜଣ ମାତ୍ର । ମାମୁନି ଆଉ ଲିପୁ ।
ନାରୀଟିଏ ଜନ୍ମ ନିଏ,ବଢେ ଖେଳେ,ପୂର୍ଣ୍ଣାଙ୍ଗ ପ୍ରାପ୍ତ ହୁଏ , ସମ୍ପର୍କ ଗଢେ ଭାଙ୍ଗେ । ସବୁ କ୍ରିୟା ଅକ୍ରିୟାର ପରିଶେଷରେ କେବଳ ମାତ୍ର ଗୋଟାଏ ସ୍ଥାନରେ ଯାଇ ପରିତୃପ୍ତ ହୁଏ , ସେ ହେଲା ମାତୃତ୍ଵ । ମାତୃତ୍ୱର ସାମ୍ନାରେ , ଅନ୍ୟ କୌଣସି ସୁଖ ସମ୍ପର୍କର ମୂଲ୍ୟ ବେଶି ନଥାଏ ନାରୀଠାରେ !!
ପୂର୍ବର ସବୁଯାକ ଗ୍ଲାନ ଅପମାନ , ଆଉ ଏବର ମାନ ସମ୍ମାନକୁ ଏଇ ପିଲା ଦୁହିଙ୍କ ଆଗରେ ନ୍ୟୁନ କରିଦିଏ ଶର୍ମିଷ୍ଠା ।
ଜୀବନ ଏଇମିତି କେବେକେମିତି ବେଶ୍ ସଜାଡି ହୋଇଯାଏ । ଯାହା ଅସଜଡା ହୋଇ ରୁହେ , ତା'ହେଲା ଅଦୃଶ୍ୟ ହୃଦୟ । ଛାତି ଭିତରର ହଲଚଲ୍କୁ ନା କେ' ଦେଖିପାରେ , ନା କା'କୁ ଦେଖାଇ ହୁଏ । ମାତୃତ୍ୱର ପ୍ରାଚୁର୍ଯ୍ୟରେ ଉବୁଟୁବୁ ହେଲେବି , ଯେବେ ଏକୁଟିଆ ସୋଫା ଉପରେ ବସି ରହି , ଶର୍ମିଷ୍ଠା ଅନ୍ୟମନସ୍କ ହୁଏ , ଭାବନାର ଅପହଞ୍ଚ ଇଲାକାରେ ନିଜକୁ ନେଇ ଘୁରିବୁଲାଏ , ଠିକ୍ ସେଇ ସମୟରେ ପଛପଟୁ ଦୁଇଟି କଅଁଳ ହାତ ପାପୁଲି ପଛପଟୁ ଆସି , ତା' ଆଖି ଦୁଇଟିକୁ ବନ୍ଦ କରି , ନିଃଶବ୍ଦରେ ପ୍ରଶ୍ନ କରେ - କହିଲ ମାମା ମୁଁ କିଏ ???? ଲିପୁ ନା ମାମୁନି ??
ନିଃସନ୍ଦେହରେ ବାରିନିଏ ଶର୍ମିଷ୍ଠା । କ୍ଷଣକରେ ଉତ୍ତର ଫେରାଏ -
- ଆମ ଲିପୁ ପରା!!!!!!
ଅମୀୟ ବେଜ୍ , ଘଟଗାଁ , କେନ୍ଦୁଝର