Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ରଙ୍ଗ ନମ୍ବର
ରଙ୍ଗ ନମ୍ବର
★★★★★

© Nandita Mohanty

Romance

9 Minutes   447    22


Content Ranking



ମୋର ଆଜି ସେକେଣ୍ଡ ସିଫ୍ଟ ଡ୍ୟୁଟି ଥିଲା। ହୋଟେଲରେ ଖାଇ,ରୁମରେ ପହଞ୍ଚିଲା ବେଳକୁ ପ୍ରାୟ ରାତି ବାରଟା । ଥକା ବି ଲାଗୁଥିଲା ଭୀଷଣ । ପାରଦ ୪୪ ଡିଗ୍ରୀ ଛୁଇଁଥିଲା ।ରୁମ ଭିତରଟା ଲାଗୁଥିଲା ଫର୍ନେସ ପରି । ଭିତରର ପବନ ଚାରିପଟୁ ବେଢେଇ ଧରି ଯେମିତି ମୋର ହାଡମାଂସ ତରଳେଇ ଦେବାକୁ ଉଦ୍ୟତ ଥିଲା । ତରତର ହେଇ ମୁଁ ଝରକା ସବୁ ଖୋଲି ଦେଲି। ଅନାୟାସରେ ରୁମ ଭିତରକୁ ପଶି ଆସିଲା ମେଞ୍ଚାଏ ତାଜା ହାୱା ଆଉ ମୁଠାଏ ହେନା ଫୁଲର ବାସ୍ନା । ଟିଭିଟାକୁ ଅନ କରି ଦେଇ ମୁଁ ସାର୍ଟ-ପ୍ୟାଣ୍ଟ ନ ବଦଳେଇ ଗଡି ପଡିଲି ଖଟରେ । ଟିଭିରେ ନ୍ୟୁଜ ଦେଖଉଥିଲା । କୋରାପୁଟର କାଶୀପୁର ଅଞ୍ଚଳରେ ପୁଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣଙ୍କୁ ଘରୁ ଟାଣି ଆଣି ହତ୍ୟା । ନଗଡାରେ ଅନାହାର ମୃତ୍ୟୁ । ସୁନ୍ଦରଗଡର ଭୀମାବାହାଲ ଗାଁରୁ ଯୁବତୀ ଚାଲାଣ ଅଭିଯୋଗରେ ସାମା ମୁର୍ମୂ ଆଉ ତାର ପତ୍ନୀ ଗିରଫ । ଦୁଇ ଜଣ ମିଶି ସେଠାକାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ଦେଶର ବିଭିନ୍ନ ସ୍ଥାନକୁ ଯୁବତୀ ଚାଲାଣ କରୁଥିଲେ । ଏବେ ଟିଟଲାଗଡ ତତଲାଗଡରେ ପରିଣତ ହୋଇଛି ଆଊ ସାରା ଓଡିଶା ଭଜୀ ହେଉଛି ଗରମ କଡେଇରେ ।

“ ଓହୋ !” ରାଗରେ ମୁଁ ଚ୍ୟାନେଲ ବଦଳେଇ ଦେଲି।ଆଜିକାଲି ଟିଭି ଖୋଲ କି ଖବରକାଗଜ...ସବୁଥିରେ ସେଇ ଏକା ପ୍ରକାରର ଖବର । ସତରେ କଣ ଏଇ ସବୁ ଖବର ଦେଖେଇବା କି ଲେଖାହେବା ନିହାତି ଜରୁରୀ । ସତରେ କଣ ଏହା ଦ୍ଵାରା କାହାର କିଛି ଉପକାର ହୁଏ? କେହି କିଛି ଲାଭ ପାଏ ଏଥିରୁ ?ପ୍ରକୃତରେ କଣ ଏହା ଦ୍ଵାରା ଆତଙ୍କବାଦ , ଦାରିଦ୍ର୍ୟ କିମ୍ବା ନାରୀନିର୍ଯ୍ୟାତନା ଲୋପ ପାଏ ସମାଜରୁ। ଏହାକୁ ପଢିଲେ କି ଦେଖିଲେ କଣ ମଣିଷର ମାନସିକତାରେ ପରିବର୍ତ୍ତନ ଆସେ ?ନ ଶୀତଳ କୋମଳତା ଆବୋରି ନିଏ ସହରକୁ ? କେଜାଣି କାହିଁକି ମୋର ଘୋର ସନ୍ଦେହ ଏଥିରେ ! ସାରାଦିନ ବ୍ଲ।ଷ୍ଟ-ଫର୍ନେସ ପାଖରେ କାମ କରି କରି ଏ ସବୁ ଗହନ କଥା ଚିନ୍ତା କରିବାକୁ ମୋର ଆଉ ମାନସିକ ପ୍ରସ୍ତୁତି ନଥିଲା । ଅତଏବ ମୁଁ ଚାନେଲ ବଦଳେଇ ପୁରୁଣା ହିନ୍ଦୀ ଗୀତ ଶୁଣିବାରେ ମନ ଦେଲି । ଟିଭିରୁ ଭାସି ଆସୁଥିଲା ‘ସାଗର’ ସିନେମାର କମଲ ହସନ ଆଉ ଡିମ୍ପଲ କାପାଡିଆ ଗାଇଥିବା ଗୀତ “ ସାଗର କିନାରେ, ଦିଲ ୟେ ପୁକାରେ , ତୁ ଯୋ ନେହିଁ ତୋ ମେରା କୋଇ ନେହିଁ......। “ ଆଖି ବନ୍ଦ କରି ମୁଁ ଗୀତଟିକୁ ହୃଦୟର ସହ ଅନୁଭବ କରିବାକୁ ଚାହୁଁଥିଲି । ମଜ୍ଜି ଯିବାକୁ ଚାହୁଁଥିଲି ତ ଭିତରେ । ଏଇ ସିନେମାଟି ମୁଁ ପ୍ଲସ ଟୁ’ ପଢିଲା ବେଳେ ରିଲିଜ ହେଇ ଥିଲା । ହୃଦୟରେ ଏବେ ବି ଚେକା ମାଡି ବସିଥିଲା ସେଇ ଚିରହରିତ ସମୟର ସ୍ମୃତି । ବେଳ ଅବେଳରେ ଚେଇଁ ଉଠୁଥିଲା । ଭିଡିମୋଡି ହଉଥିଲା । ଆକ୍ତ।ମାକ୍ତା କରୁଥିଲା ମୋତେ । ସେଇ ସମୟ, ନୂଆ ନୂଆ ସ୍କୁଲ ଛାଡି କଲେଜରେ ପାଦ ଦେବାର ସମୟ । ସ୍କୁଲ ଡ୍ରେସ ଛାଡି ରଙ୍ଗୀନ ଡ୍ରେସ ପିନ୍ଧି କଲେଜ ଯିବାର ମୋହମୟ ଆକର୍ଷଣ । ଯେବେ ଆଖିରେ ରଙ୍ଗୀନ ଚଷମା ମଡେଇ ଦୁନିଆଁକୁ ଦେଖିବାକୁ ଇଚ୍ଛା ହଉଥିଲା । ଲାଗୁଥିଲା ଯେମିତି ଚାରିଆଡେ କେବଳ ଫୁଲ, ପ୍ରଜାପତି ଓ ଇନ୍ଦ୍ରଧନୁର ରଙ୍ଗ । ଆଉ ଏବେବି ମୋର ମନେ ଅଛି ସେଇ ଶୁଆନାକୀ ବନ୍ଦନା କଥା । ଯାହାକୁ ସେତେବେଳେ ଏକ ତରଫା ପ୍ରେମ କରୁଥିଲି ମୁଁ । ଆଉ କେବଳ ତାକୁ ଇ ଦେଖିବା ପାଇଁ ଯାଇଥିଲି ସିନେମା ହଲ । କାରଣ ମୁଁ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଥିଲି ଯେ , ସେଦିନ ଲେଡିଜ ହଷ୍ଟେଲର ସେଇ କାଳି, ମୋଟୀ, ବାହଡାଦାନ୍ତୀ ମେଟ୍ରନ ହଷ୍ଟେଲର ସବୁ ଝିଅଙ୍କୁ ନେଇ ସିନେମା ହଲ ଆସିବ ।

ଖଟ କଡ ଟି’ ପୟ ଉପରେ ଥିବା ମୋବାଇଲଟା ହଠାତ ଦୁଇ ଥର ବିପ ବିପ କରି ଚୁପ ହେଇ ଗଲା। ଏତେ ରାତିରେ କିଏ ମେସେଜ ଦେଲା । ଖଟରୁ ଉଠିବାକୁ ଇଚ୍ଛା ନଥିଲେ ବି କଡା ଲେଉଟେଇ ବାଁ ହାତ ବଢେଇ ମୁଁ ମୋବାଇଲଟା ଉଠେଇ ନେଲି । ମେସେଜ ବାକ୍ସ ଖୋଲି ମେସେଜ ଦେଖିଲି । ସମିତାର ମେସେଜ । ସମିତା ....ପୁଣି ଏତେ ରାତିରେ ,ମୋତେ ମେସେଜ ଦେଇଛି । କଣ କିଛି ପ୍ରୋବ୍ଲେମ ହେଲା କି ? ମୁଁ ଜାଣିଥିଲି ସମିତାର ସ୍ଵାମୀ ବିବେକର ମଝିରେ ମଝିରେ ଟୁର ପଡେ । ସହର ବାହାରକୁ ଯିବାକୁ ପଡେ ତାକୁ । ସେ ସମୟରେ ସମିତା ପିଲା ଦୁଇ ଜଣଙ୍କୁ ନେଇ ଏକୁଟିଆ ରୁହେ। ଏତେ ସବୁ ଭାବିବା ଭିତରେ ମୁଁ ମେସେଜ ବକ୍ସ ଖୋଲି ସାରିଥିଲି । ସମିତା ଲେଖିଥିଲା , “ ୟା’ ଭିତରେ ମୁଁ ଜଣେ ଯୁବକକୁ ପ୍ରେମ କରି ବସିଛି । ଏ କଥାକୁ ମଜାକ ବୋଲି ଭାବିବନି । ଇଟ୍ସ ଟ୍ରୁ ।ଆଇ ଆମ ଇନ ଡିପ ଲଭ । ସତ କହୁଛି , ମୁଁ ତାକୁ ଛାଡି ବଞ୍ଚି ପାରିବିନି । ସେଇଥିପାଇଁ ମୁଁ ଘର ଛାଡି ତା ସହିତ ଚାଲିଯିବାକୁ ସ୍ଥିର କରିଛି । ତୁମକୁ ନ କହି ବି ଯାଇ ପାରିଥାନ୍ତି । ହେଲେ ତୁମେ ମୋର ସବୁଠାରୁ ନିକଟତମ ମଣିଷ । ସେଥିପାଇଁ ତୁମକୁ ଜଣେଇଦେଲି । “

ମୋ ହାତରୁ ମୋବାଇଲଟା ଖସି ପଡୁଥିଲା । ସମିତା ଇଏ କଣ ଲେଖିଛି ...ଘର ଛାଡି ଚାଲିଯାଉଛି । ପାଗଳ ହେଇ ଗଲା ନା କଣ ...ଏମିତି କଣ କେହି କରେ ନା କଣ ? ଏଇ ବୟସରେ ...ପୁଣି ଦୁଇ ଦୁଇଟି ଛୁଆଙ୍କର ମାଆ । ମୁଁ କିଛି ଆଉ ଭୁଲ ପଢିଲିନି ତ ? ମୁଁ ବାରମ୍ବାର ମେସେଜ ପଢୁଥିଲି। ମୁଁ ଯାହା ପଢିଛି ପୁରାପୂରି ଠିକ ପଢିଛି । ଏକଦମ ଠିକ ସେଇ କଥା ହିଁ ଲେଖିଛି ସମିତା । ସମିତା ମୋର ବାନ୍ଧବୀ । ଆମେ ଦୁହେଁ ଏକା ସଙ୍ଗେ ପାଠ ପଢୁଥିଲୁ। ଏକା ଅନର୍ସ । ସବୁଦିନ ଦେଖା । ଜମାଣିଆ ବନ୍ଧୁତା । ବନ୍ଧୁତା ଦୃଢ ହେବାର ଆଉ ଏକ କାରଣ ବି ଥିଲା । ସମିତା ଥିଲା ସ୍ଵପ୍ନଭୁକ । ଜୀବନକୁ ସ୍ଵପ୍ନ ଭଳି ବଞ୍ଚିବାକୁ ଚାହୁଁଥିଲା । ଦିନରାତି ସ୍ଵପ୍ନରେ ମହଲ ବନଉଥିଲା । ସେତେବେଳେ ମୁଁ କିଛି କିଛି ଗଳ୍ପ କବିତା ଲେଖୁଥିଲି। ଯାହା ସେ ସମୟର ଅନେକ ପତ୍ର-ପତ୍ରିକାରେ ବାହାରୁ ଥିଲା। ଆଉ ମୋ ଗପ ଆଉ କବିତାରେ ଥିଲା ନିଛକ ସତ୍ୟତା । ଯାହା ତାକୁ ଜମାରୁ ଭଲ ଲାଗୁ ନଥିଲା । ସେଇ କଥାକୁ ନେଇ ତାର ମୋର ଝଗଡା ହଉଥିଲା ଆଉ ବନ୍ଧୁତା ବି ବଢୁଥିଲା । ସିଏ କହୁଥିଲା ପ୍ରେମ ହିଁ ଜୀବନରେ ଏକମାତ୍ର କାମ୍ୟ। ପ୍ରେମବିବାହ ବିବାହ ହେଉଛି ଆଇଡିଆଲ ବାହାଘର । ହେଲେ ମୋର ମତ ଥିଲା, କେବେ ହେଲେ ପ୍ରେମ ବିବାହ କରିବା ଅନୁଚିତ । କାରଣ ପ୍ରେମବିବାହରେ ବିବାହ କଲା ପରେ ପ୍ରେମ ଲୋପ ପାଇ ଯାଏ ।ଘରସଂସାରର ଗରମ ତାୱାରେ ଭାଜି ହେଇ ପ୍ରେମ ପୋଡିଜଳି ଧୂଆଁ ହେଇଯାଏ । ଆଉ ଯାହା ବାକି ରହିଯାଏ ତାହା ଅନ୍ୟ କିଛି ହେଇପାରେ , ହେଲେ ପ୍ରେମ କେବେ ନୁହେଁ । ତେଣୁ ପ୍ରେମକୁ ଚିରକାଳ ମନରେ ବାନ୍ଧି ରଖିବାକୁ ହେଲେ , କେବେହେଲେ ପ୍ରେମିକାକୁ ବିବାହ କରିବା ଉଚିତ ନୁହେଁ। ଏହାକୁ ନେଇ ଆମର ଖୁବ ଯୁକ୍ତିତର୍କ ହେଉଥିଲା । ହେଲେ ବନ୍ଧୁତା ବଢୁଥିଲା ସିନା କମୁ ନ ଥିଲା । ସମୟକ୍ରମେ ସମିତାର ବିବାହ ହେଇ ଯାଇଥିଲା । କହିବା ବାହୁଲ୍ୟ ସିଏ ପ୍ରେମ ବିବାହ ହିଁ କରିଥିଲା । ଦୁଇଟି ସୁନ୍ଦର ସନ୍ତାନର ମାଆ ବି ହେଇଥିଲା । ହେଲେ ଆମର ବନ୍ଧୁତା ଅତୁଟ ଥିଲା । ଏକା ସହରରେ ରହୁଥିଲେ ବି କମ ଦେଖା ହେଉଥିଲା ଆମର । ହେଲେ ପ୍ରତିଦିନ ନ ହେଲେ ବି ଆମେ ନିୟମିତ ବ୍ୟବଧାନରେ କଥା ହେଉଥିଲୁ ଫୋନରେ । ମେସେଜ ଦିଆନିଆ ଚାଲିଥିଲା । ସମିତାର ସ୍ଵାମୀ ବି ଏଥିରେ କେବେହେଲେ ହସ୍ତକ୍ଷେପ କରୁ ନ ଥିଲେ, ସିଏ ଆମ ବନ୍ଧୁତାକୁ କେବେହେଲେ ଅନ୍ୟ ଦୃଷ୍ଟିରେ ଦେଖି ନ ଥିଲେ । ସେଥିପାଇଁ ଆମ ବନ୍ଧୁତାରେ ଭଟ୍ଟାର ପ୍ରବେଶ ନଥିଲା କେବେ । ଦିନ, ମାସ, ବର୍ଷ ହେଇ କ୍ୟାଲେଣ୍ଡରେ ବଦଲୁଥିଲା ସମୟ । ହେଲେ ଆଜି , ଏବେ ......ମୋତେ ଲାଗୁଥିଲା ହଠାତ ଯେମିତି ସମୟ ଅଟକି ଯାଇଛି, ଥମ ହେଇ ଯାଇଛି ଗୋଟିଏ ଜାଗାରେ । ଏମିତି କେମିତି ହେଲା ...ସମିତା...ପରିବାର , ସ୍ଵାମୀ, ପିଲାଙ୍କୁ ନେଇ ଏତେ ଖୁସି ଥିବା ସମିତା କେମିତି ସ୍ଵାମୀ , ପରିବାର , ଛୁଆ ସମସ୍ତଙ୍କୁ ପର କରି ଆଉ କାହା ସଙ୍ଗେ ଚାଲି ଯାଇ ପାରିଲା । ମୁଁ ସମିତା ନମ୍ବରକୁ ଫୋନ ଲଗେଇଲି । ହେଲେ ତାର ମୋବାଇଲ ସ୍ଵିଚ ଅଫ ଆସୁଥିଲା । ଗୋଟେ ମୁହୂର୍ତ ପାଇଁ ଲାଗିଲା ସମିତାର ସ୍ଵାମୀ ବିବେକଙ୍କୁ ଫୋନ କରିବି । ହେଲେ ପର ମୂହୁର୍ତ୍ତରେ ସେ ଚିନ୍ତାକୁ ମୁଣ୍ଡରୁ କାଢି ଫୋପାଡି ଦେଲି । ସମିତା ତାର ପ୍ରେମିକ ସଙ୍ଗେ ଘର ଛାଡି ଚାଲି ଯାଇଛି । ଏ ସମୟରେ ମୋର ଫୋନ କରିବାଟାକୁ ସିଏ କେମିତି ନେବେ କେଜାଣି ? ଫୋନ ନ କରି କାଲି ସକାଳେ ତା ଘରକୁ ଚାଲି ଯିବାଟା ହିଁ ଠିକ ହେବ । କେଜାଣି ତା ଘରେ ପରିସ୍ଥିତି କେମିତି ଥିବ କିଏ ଜାଣେ !ଏଇ ସବୁ କଥା ମନକୁ ଆସିବା କ୍ଷଣି ମୁଁ ସମିତାର ସ୍ଵାମୀଙ୍କୁ ଫୋନ କରିବା କଥା ମନରୁ କାଢି ଦେଲି ।

ହେଲେ ରାତିସାରା ମୁଁ ଆଉ ଶୋଇ ପାରିଲିନି । କେତେ ପ୍ରକାର କେତେ କଥା ମନକୁ ଆସୁଥିଲା । ସମିତା ସବୁବେଳେ ସ୍ଵପ୍ନରେ ବଞ୍ଚିବାକୁ ଚାହୁଁଥିଲା । ଚାହୁଁଥିଲା ତା ଜୀବନଟା ବି ସେମିତି ଖୋଲା ଆଖିରେ ଦେଖା ଯାଉଥିବା ସ୍ଵପ୍ନ ପରି ବିତୁ। ହେଲେ ଜୀବନଟା ତ ଜୀବନ । କେବେ କଣ ସିଏ ତୁମେ ଚାହୁଁଥିବା ବାଟରେ ଚାଲିବ ! ଚାଲିବ ତା ମନ ମର୍ଜିରେ । ଛୋଟ ଛୋଟ କଥାକୁ ନେଇ ତୁମ୍ବିତୋଫାନ କରେ ସମିତା। ହେଲେ ସମିତାର ସ୍ଵାମୀ ...ସତକୁ ସତ ଜଣେ ସ୍ଥିତପ୍ରଜ୍ଞ ଲୋକ । ବେଳେ ବେଳେ ମୋ ଆଗରେ କହି ମଧ୍ୟ ପକାନ୍ତି, “ ବୁଝିଲ ସମୀର , ସ୍ତ୍ରୀ ଝଗଡା କରିବା ଆରମ୍ଭ କଲେ ଗାନ୍ଧୀଙ୍କର ତିନି ମାଙ୍କଡଙ୍କର ପଥ ଅନୁସରଣ କରିବା ଉଚିତ। କିଛି ଦେଖିବନି, ଶୁଣିବନି କି କହିବନି। ନଚେତ ପରିସ୍ଥିତି ଅଣାୟତ ହେଇଯିବ ଜାଣ । ହେଲେ ମୋ ପତ୍ନୀ ସେଥିପାଇଁ ବି ବେଳେ ବେଳେ ଉଲୁଗୁଣା ଦେବାକୁ ଭୁଲନ୍ତି ନାହିଁ । କୁହନ୍ତି , ତୁମେ ଗୋଟେ କି ପୁରୁଷ କିହୋ ....ତୁମ ଦେହରେ ରାଗ ବୋଲି ଜିନିଷଟେ ନାହିଁ ନା କଣ ? ମୁଁ ଏତେ କଥା କହୁଛି ଆଉ ତୁମେ ଚୁପ ହେଇ ଶୁଣୁଛ। ମଣିଷ ଦୁଇ ଆଡୁ ମଲା, କହିଲେ ବି ମଲା, ନ କହିଲେ ବି ମଲା । ଏଇ ସ୍ତ୍ରୀ ଲୋକଗୁଡଙ୍କ କଥାରେ ପା’ ଦୁଇ ପଟେ ଧାର । “ କହିସାରି ସମିତାର ସ୍ଵାମୀ ହୋ’ ହୋ’ ହେଇ ହସନ୍ତି । ସମୀର ବି ତାଙ୍କ ସହିତ ହସରେ ହସ ମିଳାଏ । ଭାବେ ସମିତାଟା ସତରେ ଭାରି ଲକି । ଆଉ ଏଇ କଥାକୁ ସମିତା ବି ସ୍ଵୀକାର କରେ ।କହେ “ ଏଇ ଲୋକଟା ବୋଲି ମୋତେ ସମ୍ଭାଳିଛି , ବୁଝିଲୁ ଆଉ କିଏ ହେଇଥିଲେ ଆମର ତିନି ତଲାକ ହେଇ ସାରନ୍ତାଣି ଏତେ ବେଳକୁ । “

ସବୁ କିଛି ଠିକଠାକ ଥିଲା ବେଳେ , ସମିତାର ପାରିବାରିକ ଜୀବନର ଗାଡି ଧାରଣା ଉପରେ , ବିନା ବ୍ରେକରେ ସମାନ୍ତରାଳ ଗତିରେ ଚାଲିଥିଲା ବେଳେ ସିଗନାଲ ନଦେଇ ଆଉ ଗୋଟେ ଗାଡି ଆସିଲା କେମିତି ସେଇ ଧାରଣାରେ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଏ କଥା ସିଏ କେମିତି ଜାଣିପାରିଲାନି ବା ସମିତା ତାକୁ କେମିତି ଲୁଚେଇଲା ଆଜି ଯାଏ ଏ କଥା। ସମିତା ଅନେକ ବ୍ୟକ୍ତିଗତ କଥା ବି ତ ତା ସାଙ୍ଗେ ସେୟାର କରେ। ଆଉ ଏମିତି ଗୁରୁତ୍ବପୂର୍ଣ କଥାଟା କହିଲାନି କେମିତି ? ତାପରେ ଯଦି କହିଲା ଏମିତି ଏକ ନିଷ୍ପତି ନେଲା ପରେ କହିବାର ମାନେ କଣ?ସମୀରକୁ ଖୁବ ରାଗ ଲାଗୁଥିଲା । ଏମିତି ନିଷ୍ପତି କେହି କଣ ନିଏ ? ଏବେ ପିଲା ଦୁହିଁଙ୍କର କଣ ହେବ?ଭବିଲା ବେଳକୁ ସମୀରର ମୁଣ୍ଡ କାମ କରୁ ନଥିଲା । ଏମିତି ଅନେକ କଥା ଭାବି ଭାବି ସିଏ କେତେବେଳେ ଶୋଇ ପଡିଲା ।

ସକାଳ ଆଠଟା ବେଳକୁ ସିଏ ଥିଲା ସମିତାର ଘର ସାମ୍ନାରେ । ଦାଣ୍ଡ ଦରଜା ବନ୍ଦ ଥିଲା । ଘର ଭିତରୁ ବି କୌଣସି ସୋର ଶବ୍ଦ ଶୁଭୁ ନଥିଲା । ସିଏ ସେଇଠି ଛିଡା ହେଇ ଘର ଭିତର ଦୃଶ୍ୟ କଲ୍ପନା କରିବାକୁ ଲାଗିଲା । ହୁଏତ ଛୁଆ ଦୁଇଜଣ ମାଆକୁ ଖୋଜି କାନ୍ଦି କାନ୍ଦି ଶୋଇ ପଡିଥିବେ । ସମିତାର ସ୍ଵାମୀ ବିବେକର ଆଖି ଲାଲ ପଡି ଯାଇଥିବ ରାତି ସାରା ଅନିଦ୍ରା ହେଇ । ହୁଏତ ବିବେକ ବୁଝାସୁଝା କରି ଛୁଆ ଦୁଇ ଜଣଙ୍କୁ ସ୍କୁଲକୁ ପଠେଇବାକୁ ରେଡ୍ଡୀ କରୁଥିବ। ଘରଦ୍ଵାର ଅସ୍ତବ୍ୟସ୍ତ ହେଇ ପଡିଥିବ । ସକାଳୁ ଚା ନ ପିଇ ମୁଣ୍ଡ ବିନ୍ଧୁଥିବ ବିବେକଙ୍କର । ଛୁଆମାନେ ବ୍ରେକଫାଷ୍ଟ ପାଇଁ ଜିଦ କରୁଥିବେ ।ଘରେ ପିଲାଙ୍କ ଜଳଖିଆ ପାଇଁ ବ୍ରେଡ ନଥିବ। ଫ୍ରିଜରେ କ୍ଷୀର ନ ଥିବ । ବିବେକ ବ୍ୟସ୍ତ ହେଇ ପଡୁଥିବେ , ଅଫିସରୁ ଫୋନ ଆଉ ମେସେଜ ଆସୁଥିବ । ଅଫିସରେ ଅର୍ଜେଣ୍ଟ ମିଟିଂ । ଶୀଘ୍ର ପହଞ୍ଚିବାକୁ ହେବ ଅଫିସରେ । ଏତେବେଳକୁ କଲିଂ ବେଲ ଚିପି ସାରିଥିଲା ସମୀର । ଦରଜା ଖୋଲିଥିଲା ଘରର ଚାକରାଣୀ । ତାକୁ ଡ୍ରଇଂ ରୁମ ରେ ବସେଇ ଦେଇ ଭିତରକୁ ଚାଲି ଯାଇଥିଲା ସିଏ । ସମୀର ନିଶ୍ଵାସ ବନ୍ଦ କରି କାନ୍ଥ ସେପାଖେ କଣ ହେଉଛି ଶୁଣିବାକୁ ଚେଷ୍ଟା କରୁଥିଲା । ତାକୁ ଲାଗୁଥିଲା ନିଶ୍ବାସର ଶବ୍ଦରେ ହୁଅତ ସିଏ ବଞ୍ଚିତ ହେବ ବହୁତ କିଛି ଶୁଣିବାରୁ କି ଜାଣିବାରୁ। ତାକୁ ବିଶ୍ଵାସ କରିବାକୁ କଷ୍ଟ ଲାଗୁଥିଲା ଯେ ଏମିତି ବି ହେଇପାରେ। ଯେଉଁ ଘରର ସ୍ତ୍ରୀ , ସ୍ଵାମୀ ପିଲାଛୁଆଙ୍କୁ ଛାଡି କୌଣସି ପ୍ରେମିକ ସହ ଚାଲି ଯାଇଥିବ ସେ ଘରେ ପୁଣି ଏତେ ଶାନ୍ତି , ଏତେ ନୀରବତା ବିରାଜମାନ କରୁଥାଇ ପରେ। ସବୁ କିଛି ଏତେ ଶାନ୍ତ, ସମାହିତ ହୋଇପାରେ । କେହି କଣ ତା ସହିତ ମଜାକ କରିଛି। ହେଲେ ତ ପୁରା ଠିକ ଭାବରେ ପଢିଛି ମେସେଜ। ପଠାଇଥିବା ଲୋକର ନାଁ ବି ଦେଖିଛି । ଏଇ ସମୟରେ ରୁମକୁ ପଶି ଆସିଲେ ସମିତାର ସ୍ଵାମୀ । ସମୀର ଛିଡା ହୋଇ ପଡି ନମସ୍କାର କଳା। ପ୍ରତି ନମସ୍କାର ଜଣାଇଲେ ସିଏ ଆଉ କହିଲେ “ ଆରେ ସମୀର, ତୁମେ ଆଜି ଏତେ ସକାଳୁ ସକାଳୁ କେମିତି?”

ସମୀର ଉତ୍ତର ଦବ କଣ ...ତାଙ୍କ ମୁହଁକୁ ବଲ ବଲ କରି ଚାହିଁ ଥିଲା । ମୁହଁ ସାରା ଆଶାୟୀ ଆଖି ନେଇ କିଛି ଖୋଜି ପକେଇବାର ପ୍ରୟାସ କରୁଥିଲା। ହେଲେ ସେମିତି କିଛି ନଜରରେ ପଡୁ ନଥିଲା ତାର । ୟେ କେମିତି ସମ୍ଭବ ! ମାଛ ଆଶାରେ ପୋଖରୀ ଦରାଣ୍ଡି , କୋଚିଆ ଗେଣ୍ଡା ଗୋଟେ ନ ପାଇବା ପରି ଅବସ୍ଥା ଥିଲା ତାର ।ତାର ଏଇ ଅବସ୍ଥା ଦେଖି ସମିତାର ସ୍ଵାମୀ କହିଲେ , “ କଣ ଏମିତି ଦେଖୁଛ ସମୀର । ଆଜି ଆମର ବଡ ଭାଗ୍ୟ ଯେ ତୁମର ଦେଖା ଏତେ ସକାଳୁ ସକାଳୁ ମିଳିଲା । ଆଜିର ସକଳ ଚା’ ତାହେଲେ ତୁମ ସହିତ । “ ସମିତାର ସ୍ଵାମୀ ଏମିତି ବ୍ୟବହାର କରୁଥିଲେ ଯେମିତି କିଛି ହେଲେ ଘଟିନି । ଘର ଓଳାଉ ଥିବା ଚକରାଣୀକୁ ଚାହିଁ କହିଲେ, ‘ଆରେ ଚା’ ଆଣିବାକୁ କହ । ଘରକୁ ଗେଷ୍ଟ ଆସିଲେଣି ପରା ।“ ସମୀର ମନେ ମନେଭାବୁଥିଲା ଘରେ ଆଉ କିଏ ଅଛି ଚା’ କରି ଆଣିବାକୁ ।ସମିତା ତ ଘର ଛାଡି ଚାଲି ଯାଇଛି । ତାକୁ ଲାଗୁଥିଲା ସିଏ ପାଗଳ ହେଇ ଯିବ। ପଚାରି ଦବ କି ସିଧା ସିଧା ସମିତା କଥା ।ତାକୁ ଆହୁରି ଆଶ୍ଚର୍ଯ୍ୟ ଚକିତ କରି ପର ମୂହୁର୍ତ୍ତରେ ତା ସାମ୍ନାରେ ଛିଡା ହେଇ ଥିଲା ସମିତା । ହାତରେ ଚା’ ଟ୍ରେ’ ।

ଚା’ ପିଇସାରି ସମିତାର ସ୍ଵାମୀ ବାହାରି ଗଲେ ରୁମରୁ । ସମିତାକୁ ଚାହିଁ କହିଲେ “ ତୁମେ ଆଉ ତୁମ ବନ୍ଧୁ ଆରମରେ ବସି ଆଉ ଗୋଟେ ଗୋଟେ କପ ଚା’ ର ମଜା ନିଅ । ମୁଁ ଯାଉଛି ପିଲାଙ୍କୁ ସ୍କୁଲରେ ଛାଡି ଆସିବି । ତୁମେ ଥିବ ସମୀର । ଆସିଲେ କଥା ହେବା ।“ କହୁ କହୁ ପିଲାଙ୍କୁ ଡାକି ଡାକି ବାହାରି ଗଲେ ସିଏ ।

ସମିତାର ସ୍ଵାମୀ ବାହାରକୁ ବାହାରି ଯିବା ମାତ୍ରେ ସମୀର ଯେମିତି ଫାଟି ପଡିଲା । ରାଗରେ ଛିଡା ହେଇ ପଡି କହିଲା “ ଏ ସବୁ କି ଥଟ୍ଟା ସମିତା । ଏମିତି କଣ କେହି କାହା ସଙ୍ଗେ ମଜାକ କରେ ? ତୁମେ ତ ମୋତେ ପୂରାପୂରି ଡରେଇ ଦେଇ ଥିଲ । ଏମିତି ମେସେଜ .....”

ତା କଥା ଶୁଣି ସମିତା ପ୍ରଥମେ କିଛି ସମୟ ପୁରା ଚୁପ ହେଇଗଲା ଆଉ ତା ପରେ ହୋ ହୋ ହେଇ ହସି ଉଠି କହିଲା , ...ଆରେ ଆରେ , ସେଇ ମେସେଜଟା ତା ହେଲେ ତୁମ ପାଖକୁ ପଳେଇଛି । ସେଇଟା ମୁଁ ୟା’ଙ୍କ ପାଖକୁ ପଠେଇ ଥିଲି । କାରଣ ସିଏ କାଲି ଆମର ମେରେଜ ଆନିଭରସାରୀ କଥା ପୂରାପୂରି ଭୁଲି ଯାଇଥିଲେ । ତାଙ୍କୁ ଡରେଇବା ପାଇଁ ମୁଁ ଏମିତି ଲେଖି ପଠେଇଥିଲି । ତାହେଲେ ସେଇଟା ତାଙ୍କ ପାଖକୁ ନ ଯାଇ ତୁମ ପାଖକୁ ପଳେଇଛି । ସେଇଥିପାଇଁ ମୁଁ ଭାବୁଛି, ଇଏ ଏମିତି ଚୁପ୍ ଚାପ ଆଉ କୁଲ କେମିତି ଅଛନ୍ତି । କଥା ତା ହେଲେ ଯାଇ ଏଇଠି । “ସମିତା କହୁ ଥିଲା ଆଉ ହସି ହସି ଗଡୁ ଥିଲା ।


ତା ଘରୁ ଫେରିବା ବେଳେ ମୁଁ ଭାବୁଥିଲି ଅନେକ ଦିନରୁ ଗପ କବିତା କିଛି ଲେଖିନି । ଆଜି କିନ୍ତୁ ଗପଟେ ନିଶ୍ଚେ ଲେଖିବି, “ ରଙ୍ଗ ନମ୍ବର “।



----------------------------------------------------


ନନ୍ଦିତା ମହାନ୍ତି

ଏମ/୭ , ବର୍ଷା ଭିଲ୍ଲା

ଶ୍ରୀ ବିହାର , ପଟିଆ

ଭୁବନେଶ୍ଵର- ୭୫୧୦୩୧



କାଶୀପୁର ପ୍ରଜାପତି ମେସେଜ

Rate the content


Originality
Flow
Language
Cover design

Comments

Post

Some text some message..