ତୋ’ ରାକ୍ଷୀର ମୂଲ ଅମୂଲମୂଲ
ତୋ’ ରାକ୍ଷୀର ମୂଲ ଅମୂଲମୂଲ
ସୁଶାନ୍ତ କୁମାର ନନ୍ଦ
ସେସମୟରେ ଭାରତ ବର୍ଷ ପରାଧୀନ ଥାଏ । ଦେଶ ସ୍ୱାଧୀନତା ପାଇଁ ବୀର ଭାରତୀୟମାନେ ସଂଗ୍ରାମ ଜାରି ରଖିଥାନ୍ତି । ଠିକ୍ ସେହି ସମୟର କଥା । ସ୍ୱାଧୀନତା ସଂଗ୍ରାମୀ ବୀର ଚନ୍ଦ୍ରଶେଖର ଆଜାଦ୍ ବିଦେଶୀ ଶାସନ କବଳରୁ ଭାରତକୁ ମୁକୁଳାଇ ସ୍ୱାଧୀନତା ଆଣିଦେବାକୁ ସଂଗ୍ରାମରେ ନିଜକୁ ସାମିଲ କରି ଦେଇଥା’ନ୍ତି । ଗୋରା ଇଂରେଜମାନେ ଚନ୍ଦ୍ରଶେଖର ଆଜାଦଙ୍କ୍ ସଂଗ୍ରାମକୁ ଦମନ କରିବା ପାଇଁ ତାଙ୍କ ପଛରେ ପଡଯାଇି ଥାଆନ୍ତି । ଫିରିଙ୍ଗୀମାନଙ୍କ ଆଖରେ ଧୂଳି ଦେଇ ଚନ୍ଦ୍ରଶେଖର ଆଜାଦ୍ ଦିନେ ବର୍ଷା ପବନ ରାତିରେ ଏକ ନିଛାଟିଆ ସ୍ଥାନରେ ଗୋଟିଏ ଅଜଣା ଘରେ ପହଞ୍ଚିଗଲେ । ସେ ଘରେ ଜଣେ ବିଧବା ତାଙ୍କ ଝିଅ ସହିତ ରହୁଥାଏ । ସଂଗ୍ରାମୀ ଆଜାଦଙ୍କୁ ପ୍ରଥମେ କୌଣସି ଏକ ଡାକୁ ସର୍ଦ୍ଦାର ଭାବି ବୃଦ୍ଧା ବିଧବାଟି ଘରେ ଆଶ୍ରୟ ଦେବାକୁ ରୋକଠୋକ ମନା କରିଦେଲେ । କିନ୍ତୁ ଚନ୍ଦ୍ରଶେଖର ଆଜାଦ୍ ନିଜର ପରିଚୟ ଦେବା ପରେ ବିଧବାଟି ସସମ୍ମାନେ ଆଜାଦଙ୍କୁ ଆଶ୍ରୟ ଦେଇଥିଲେ । ସେଦିନ ବୃଦ୍ଧାଙ୍କ ସହିତ କଥାବାର୍ତ୍ତାରୁ ଚନ୍ଦ୍ରଶେଖର ଆଜାଦ୍ ଜାଣିବାକୁ ପାଇଥିଲେ , ଯେ ଅତ୍ୟନ୍ତ ଗରିବ ଯୋଗୁ ବୃଦ୍ଧା ଜଣକ ଝିଅର ବିବାହ କରିବାରେ ଅକ୍ଷମ ।ଏଥର ଚନ୍ଦ୍ରଶେଖର ଆଜାଦ୍ ବୃଦ୍ଧାଙ୍କୁ ସହାୟତା କରିବା ଉଦ୍ଦେଶ୍ୟ ନେଇ କହିଥିଲେ ‘ମୋ ମୁଣ୍ଡରେ ସରକାର ୫୦୦୦ ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି । ଆପଣ ଚାହିଁଲେ ମୋତେ ଗୋରା ଇଂରେଜମାନଙ୍କ ହାତରେ ଧରାଇ ଦେଇ ୫୦୦୦ ଟଙ୍କା ପୁରସ୍କାର ବାବଦରେ ପାଇ ଝିଅର ବିବାହି କରିପାରିବେ ’।
ଆଜାଦଙ୍କ୍ ମୁହଁରୁ ଏତକ ଶୁଣି ବୃଦ୍ଧା ଜଣକ ଲହୁ ଗଡ଼ାଇବାକୁ ଲାଗିଲେ । କାନ୍ଦି କାନ୍ଦି କହିଲେ , ‘ଭାରତ ମା’ଙ୍କୁ ସ୍ୱାଧୀନତା ଦେବା ପାଇଁ ଆପଣଙ୍କ ପରି ବୀର ପୁରୁଷମାନେ ଜୀବନକୁ ଖାତରି ନ କରି ଦେଶ ମାତୃଭୂମି ଲାଗି ସଂଗ୍ରାମ ଜାରି ରଖିଛନ୍ତି । କୋଟିକୋଟି ଭାରତୀୟଙ୍କ ଆଶା ଭରସା ହେଉଛନ୍ତି ଆପଣଙ୍କ ପରି ବୀର ସଂଗ୍ରାମୀମାନେ । ମୁଁ ଏତେ ନୀଚମନା ନୁହେଁ , ଯିଏକି ନିଜ ସ୍ୱାର୍ଥ ପାଇଁ ଏତେ ବଡ଼ ବେଇମାନ କାମ କରିପାରିବି । ’ ଏହାପରେ ବିଧବା ଜଣକ ନିଜ ପଣତକାନି ଚିରି ଆଜାଦଙ୍କ୍ ହାତରେ ରକ୍ଷାକବଚ ସ୍ୱରୂପ ବାନ୍ଧି ଦେଇ ସଂଗ୍ରାମରେ ବିଜୟ ହାସଲ କରିବାକୁ ପ୍ରେରଣା ଦେବା ସହିତ ନିଜେ ଦେଶ ମାତୃଭୂମିର ସେବା କରିବାକୁ କଥା ଦେଇଥିଲେ । ପରଦିନ ସୂର୍ଯ୍ୟ ଉଇଁ ଆଲୁଅ ପଡ଼ିବା ପରେ ବୃଦ୍ଧା ଯେତେବେଳେ ନିଦରୁ ଊଠିଲେ , ସେତେବେଳକୁ ଆଜାଦ୍ ସେଠାରୁ ଚାଲିଯାଇଥିଲେ । ଛାଡ଼ିଯାଇଥିଲେ ତକିଆ ତଳେ ୫୦୦୦ ଟଙ୍କା ସହିତ ବୃଦ୍ଧାଙ୍କ ଉଦ୍ଦେଶ୍ୟରେ ଚିଠିଟିଏ । ଚିଠିଟିରେ ଲେଖା ଥିଲା - ‘ଏ ମୋର ପ୍ରିୟ ଭଉଣୀ ମୋ’ ପାଇଁ ତୋ ରକ୍ଷାକବଚର ମଲୂ ଅମୂଲମୂଲ । ମୋର ପ୍ରିୟ ଭଉଣୀ ପାଇଁ ତା’ର ଭାଇ ତରଫରୁ ରାଖୀରଏତିକି ମାତ୍ର ଉପହାର । ଖୁସି ମନରେ ଏହାକୁ ସ୍ୱୀକାର କରିବୁ ଭଉଣୀ । ’ ବୃଦ୍ଧା ଜଣକ ଚିଠି ପଢ଼ିସାରି ଫିରିଙ୍ଗୀ ଉପରେ ଚନ୍ଦ୍ରଶେଖର ଆଜାଦଙ୍କ୍ ବିଜୟ ପାଇଁ ଭଗବାନଙ୍କ୍ ପାଖରେ ପ୍ରାର୍ଥନା କରିବାକୁ ଲାଗିଲେ ।