Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ମା'

Inspirational

3 Minutes   588    35


Content Ranking

ଆହା ! ରୋଗୀଣା ବୁଢୀଟାକୁ ଛାଡି ବୁଢାଟାକୁ କାହିଁ ନେଲା ଦଇବ । କେତେ କାଳରୁ କତରା ଲଗା ହେଲାଣି ଏଥର କିଏ କରିବ ତାର ?

ବୁଢ଼ା ଥିଲା କରୁଥିଲା । ଏ ବୟସରେ ବି ସାତ ଏକର ଜମି ଚାଷ କରାଉଥିଲା। ଆଜି ଯାଏଁ ବୁଢ଼ୀକୁ ହେଳା କରି ନ ଥିଲା ।

ଯାହା କୁହ ପୁଣ୍ୟାତ୍ମା ଥିଲା ବୁଢ଼ାଟି । କାହାରି ଧାରିନି କି ଖାଇନି । ଜୀବ ଥିବା ଯାଏଁ ଖଟିଲା , କ୍ଷଣକେ ପଡି ଚାଲିଗଲା ।

ବାର ପତ୍ର ଭୋଜିରେ ବସି ଏମିତି କେତେ କଥା କହିଯାଉଥିଲେ ଗାଁ ଯାକର ଜ୍ଞାନ୍ତି କୁଟୁମ୍ବ। ଝିଅ ଗୁଡାକ କେଜାଣି କାହିଁକି ଭାରି ଭାବପ୍ରବଣ । ଆଉ ବିଶେଷ କରି ବାପାଙ୍କ କ୍ଷେତ୍ରରେ ଆଉ ଟିକେ ଅଧିକ । ବାପାଙ୍କ ଅଚାନକ୍ ବିୟୋଗରେ ଢେର୍ ଭାଙ୍ଗିପଡିଥିଲେ ସୁପ୍ରଭା । ଆଗ ମୁହଁରେ ଝିଅ ବୋଲି ବାପା ବେଶୀ ସ୍ନେହ କରନ୍ତି ତାକୁ । ଦି ଭାଇଙ୍କର ସବୁବେଳେ ଅଭିଯୋଗ ; ନାନୀକୁ ବାପା ବେଶୀ ଭଲ ପାଆନ୍ତି । ଆମ ବେଳକୁ ଠକି ଦିଅନ୍ତି । ବୋଉ କୁହେ , “ କେଇଟା ଦିନ ରହିବ ସେ , ଆଜି ଅଛି କଳି କରୁଛ । ଦିନେ ରାତି ପାହିଲା ବେଳକୁ ନ ଥିବ ଯେ ଝୁରିହେବ ତାକୁ । ”

ମୁହଁ ଫୁଲାଏ ସୁପ୍ରଭା । ନାନୀକୁ ଚିଡ଼େଇବାକୁ ଖୁସି ଦେଖାନ୍ତି ଦୁଇ ଭାଇ । ସେ ଦୁହେଁ ଯାଆଁଳା । ଭାରି ଯୋଡି । ମିଳିମିଶି ହଇରାଣ କରନ୍ତି ସୁପ୍ରଭାକୁ । ବାପା ସବୁବେଳେ ଘଣ୍ଟ ଘୋଡାନ୍ତି ତାକୁ , ଆଉ ବେତ ପାହାର ମିଳେ ସେ ଦିଟାଙ୍କୁ। ଏମିତି ହସ ଖୁସିର ଦିନ ଗୁଡାକ ସତେଜ ହୋଇ ଉଠୁଥିଲା ସୁପ୍ରଭା ଆଗରେ । ବାପା ଆଉ ନାହାନ୍ତି ବୋଉ ଉଠି ବସି ପାରୁନି । ବଡ଼ ଭାଉଜଙ୍କ ଗାଁ ସ୍କୁଲରେ ଚାକିରୀ। ସାନଟି ବିଶେଷ କାମିକା ନୁହେଁ। ଘର କାମ ପାଇଁ ନିତି ପାଟିତୁଣ୍ଡ ଘରେ ଆଉ ପୁଣି ବୋଉର ଶହେ କାମ କେମିତି ହେବ । ଭାରି ଘାଣ୍ଟି ହେଉଥିଲା ସୁପ୍ରଭା ।

ଝିଅ ମାନେ ଏମିତି ପର ହୋଇ ବି ପର ହୋଇ ପାରନ୍ତିନି। ପ୍ରାଣଟା ଲାଗିରହେ ବାପା ବୋଉଙ୍କ ହସ ଲୁହରେ। ହାଣ୍ଡି ଟେକି ଫେରିଲେ ଦୁଇଭାଇ। ରାତି ଯାକ କେମିତି ଗପଟେ ଅସହ୍ୟ ନୀରବତା । କାଲି ଫେରିବାକୁ ହେବ ସୁପ୍ରଭାଙ୍କୁ । ଶୀତର ପତ୍ରଝଡା ପରି ଘର ଯାକର ଖୁସି ଝଡ଼ି ଯାଇଛି। ଆଉ ବୋଉ ଅଛି ଥୁଣ୍ଟା ଗଛଟିଏ ପରି । ଯାହାର ଅନ୍ତ ଅବଶ୍ୟମ୍ଭାବୀ କିନ୍ତୁ କଷ୍ଟତକ ଏବେବି ବାକି ।

ସକାଳୁ ଯିବା ଆଗରୁ ଦୁଇ ଭାଇଙ୍କୁ ବୁଝାଇ ବସିଲେ ସୁପ୍ରଭା ।

― ବାପା କହୁଥିଲେ ଜମିରୁ ପାଞ୍ଚ ଏକର ତୁମ ଦୁହିଁଙ୍କୁ ଆଉ ଦି ଏକର ମତେ ଦେବେ । କିନ୍ତୁ ମୋର କିଛି ଲୋଡ଼ା ନାହିଁ। ତୁମେ ସବୁ ଜମି ଅଧା ଅଧା ବାଣ୍ଟି ନିଅ ଆଉ ସାଙ୍ଗରେ ବୋଉକୁ ବି । ସେ ତ ଉଠି ବସି ପାରୁନି । ତୁମ ଦୁହେଁ ନିଜ ବ୍ୟବସାୟରେ ବୋହୁ ଦି ଜଣ ନିଜ ନିଜ କାମରେ । ବାପା ଥିଲେ କରୁଥିଲେ ଏଥର ତୁମକୁ ଦାୟିତ୍ୱ ନେବାକୁ ହେବ । ଗୋଟାଏ କାମ କର ବୋଉର ଖିଆ ପିଆ , ଔଷଧ ପଥି, ଲୁଗାପଟା ସବୁ ପନ୍ଦର ଦିନ ସୁରର ବାକି ପନ୍ଦର ଦିନ ନୀରର । ବୋହୁ ମାନେ ବି ଅଭିଯୋଗ କରିବେନି । ତୁମର ବି ବେଶୀ ଖର୍ଚ୍ଚ ହେବନି। ତା ଛଡା ଘର ଖର୍ଚ୍ଚତ ତୁମେ ଅଧା ଅଧା କରୁଛ ; ଏଟା ବି ଅଧା ଅଧା କର ।

ଏକା ନିଶ୍ୱାସକେ ଏତକ କହିଗଲେ ସୁପ୍ରଭା । ଏତକ ହେଇଗଲେ ବୋଉଟା ଶେଷ ଯାଏଁ ହତାଦର ହୁଅନ୍ତାନି। ବାପା ଥିବା ଯାଏଁ ଜମା ହେଳା କରି ନାହାନ୍ତି। ଶେଷ ଦିନରେ ସେ ବାପାଙ୍କ ଅଭାବକୁ ଝୁରି ଲୁହ ନ ଢାଳୁ ।

ନିର ପିଲାବେଳୁ ଭାରି ଶାନ୍ତି । ସୁରଟା ରାଗୀ । ସେ କିନ୍ତୁ ମୁହଁ ପୋତି ବସିଥିଲା ଆଜି । ଭାଉଜ ମାନେ ଖୁସି କି ଚିନ୍ତିତ ବୁଝିବାର ଯୁ ନାହିଁ। ନିର କହିଲା

― ତୋ ଭାଗବାଣ୍ଟରେ କିଛି ଅସୁବିଧା ନାହିଁ ଯେ ନାନୀ । ଆଜି ମା'ର ଦାୟିତ୍ୱ କାହାର ??

― ମାନେ ??

― ଆଜି ଅଗଷ୍ଟ ଏକତିରିଶ , ତୋ ତିରିଶ ଦିନିଆ ହିସାବରେ ଆଜିର ଦିନ କଥା ନାହିଁ ନାନୀ।

ହତବାକ୍ ହେଲେ ସୁପ୍ରଭା । କଣ ଅନ୍ତଚିରି ଜନ୍ମ ଦେଇଥିବା ମା' ଟା ଏଡ଼େ ଅରକ୍ଷିତ । ସେ କଣ ହିସାବ କରି ଜନ୍ମ ଦେଇଥିଲା ଆମକୁ ? ଗୋଟାଏ ଦିନ ପାଇଁ ବି ହିସାବ ଛିଡେଇବାକୁ ପଡୁଛି।

ଆଉ ବେଶୀ କିଛି ଭାବିପାରିଲେନି ସୁପ୍ରଭା। ଚିତ୍କାର କଲା ସୁର ଏଥର

― ତୋର ମନେ ଅଛି ; ବୋଉ ଆମକୁ ଗୋଟିଏ କଂସାରେ ପଖାଳ ଖୁଆଏ । ଏକା ଭଳି ଜାମା କିଣିଆଣେ ଦୁହିଁଙ୍କ ପାଇଁ। ତୁ କହୁ ଜେରକ୍ସ କପି । ବୋଉ କଣ ଜନ୍ମ ଦେଲା ବେଳେ ଦିନ ହିସାବ କରିଥିଲା ଲୋ ନାନୀ ? ନା ରକ୍ତକୁ ପାଣି ଫଟେଇ ଆମ ମୁହଁରେ କ୍ଷୀର ଦେବା ବେଳେ ? ନା ବୋଉ କେବେ ଭାଗ କରିଛି ନା ଆମେ କରିବୁ ।

ନିର ମୁଠେଇ ଧରିଲା ସୁରର ହାତ । ସେ ଦୁହେଁ ଯାଆଁଳା ; ଭାରି ଯୋଡି ।

ଆଉ ସାନ ଲାଗୁ ନ ଥିଲେ ସେ ଦୁହେଁ । ଏଥର ଭାରି ବଡ଼ ଲାଗୁଥିଲେ ଠିକ୍ ବାପାଙ୍କ ପରି । ଶୀତର ପତ୍ରଝଡା ନୂଆ ବସନ୍ତ ଆଡ଼କୁ ପାଦ ଦେଉଥିଲା ଏଥର ।

ସ୍ତୁତିରେଖା ମିଶ୍ର

ରୋଗୀଣା ବୁଢା ଦଇବ

Rate the content


Originality
Flow
Language
Cover design

Comments

Post

Some text some message..