Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arati Sahoo

Tragedy

3  

Arati Sahoo

Tragedy

ହନିମୁନ

ହନିମୁନ

9 mins
701


ଚତୁର୍ଥୀର ପବିତ୍ର ହୋମାଗ୍ନିରେ ପୂର୍ବ ପୁରୁଷଙ୍କୁ ପିଣ୍ଡଦାନୋପରାନ୍ତେ ଧୂମ୍ରମୟ ସେ ନିବୁଜ କୋଠରୀରୁ ବାହାରିଲା ପରେ ଟିକେ ନିଶ୍ୱାସ ନେଇଛି କି ନାହିଁ, ସଙ୍ଗେ ସଙ୍ଗେ ମୋତେ ବେଦୀ ଉପରେ ବସିବାକୁ ନିର୍ଦ୍ଦେଶ ଦିଆଗଲା।ଓଃ କି ଜ୍ୱାଳାରେ ପଡ଼ିଛି ମଣିଷ। ବାହା ଘରଟା ମୋତେ ଏକ ଶାସ୍ତୀ ଭଳି ଜଣା ପଡ଼ୁଥିଲା ସେତେବେଳେ। ବର୍ତ୍ତମାନ କିନ୍ତୁ ଲାଗୁଛି ମୁଁ ଯଦି ସେହି ମଧୂର , ଅମୃତମୟ ମୁହୂର୍ତ୍ତ ମାନଙ୍କୁ ସମୟର ସେହି ବିନ୍ଦୁ ଉପରେ ମୂର୍ତ୍ତିମନ୍ତ କରି ପାରି ଥାଆନ୍ତି।

ନିର୍ଦ୍ଦେଶକୁ ଅନୁସରଣ କରି ବେଦୀ ଉପରେ ବସିଲି। ପାର୍ଶ୍ବରେ ନବ ବିବାହିତା ମୋର ଅର୍ଧାଙ୍ଗିନୀ ଶୀପ୍ରା। ଅବଶ୍ୟ ତା ସାନ୍ନିଧ୍ୟ ମୋତେ ଖୁବ୍ ,ଆନନ୍ଦିତ କରିବା ସାଥେ କିଛିଟା ଆଲୋଡି଼ତ ମଧ୍ୟ କରୁଥାଏ। ଭାଉଜ ଭଉଣୀ ସମସ୍ତଙ୍କ ମଧୂର ହାସ୍ୟ ,କୌତୁକ ଭିତରେ କଉଡ଼ି ଖେଳର ଆସର ଜମିଲା। ପରସ୍ପର ସହ ସର୍ବଥା ଅପରିଚିତ ବର କନ୍ୟାଙ୍କ ସମ୍ପର୍କକୁ ସହଜ କରିବା ନିମନ୍ତେ ଏହା ଏକ ଉତ୍ତମ ପରମ୍ପରା। ଏହି ଖେଳର ନିୟମାନୁଯାୟୀ କିନ୍ତୁ କୌଣସି ପୁରୁଷ ଏ ପର୍ଯ୍ୟନ୍ତ ନିଶ୍ଚିତ ପରାଜୟରୁ ଓହରି ଯାଇ ପାରି ନଥିବ।

ଅତ୍ୟନ୍ତ କଠିନ ନିୟମଟି ଏଇୟା ଯେ, ଏକୋଇଶଟି କଉଡ଼ିକୁ ବର ରଖିବ ନିଜର ବାଁ ହାତ ମୁଠାରେ ଆଉ କନ୍ୟା ତାକୁ ଖୋଲିବ ଦୁଇ ହାତ ଲଗାଇ , ମେହେନ୍ଦି ,କୁଙ୍କୁମରେ ସୁସଜ୍ଜିତ ନଖରେ ଆମ୍ପୁଡି଼,ବିଦାରି। ବର ପ୍ରତି ଏଡ଼େ ଅନ୍ୟାୟ ଯେ ,କନ୍ୟା ମୋଟେ ଗୋଟିଏ କଉଡ଼ି ଧରିବ ଦୁଇ ପାପୁଲି ମଝିରେ ଆଉ ଵର ସେ ବଜ୍ରକବାଟିକୁ ଖୋଲିବ ବାଁ ହାତର କାଣୀ ଆଙ୍ଗୁଠିରେ।

କହିବା ବାହୁଲ୍ୟ ,ମୋତେ ହିଁ ପରାଜିତ ହେବାକୁ ପଡ଼ିଲା। ତତ୍ କ୍ଷଣାତ୍ ଭାଉଜ ମାନେ ଦାବି କଲେ,

-ବୋହୂକୁ କଣ ଉପହାର ଦେଉଛ ଦିଅ ।

ଶୀପ୍ରା କାନରେ କେତେ କଣ ଅଭିମନ୍ତ୍ରଣା ଫୁଙ୍କା ଗଲା । ଶୀପ୍ରା କୁଣ୍ଠାରେ ମୁଣ୍ଡ ହଲେଇ ମନା କରୁଥିଲା ଓ ବ୍ରିଡ଼। ଭାରରେ ମୂଖନତାଵସ୍ଥାରେ ବସି ରହିଥିଲା ,ଯେତେ ଯିଏ ମୁହଁ ଖୋଲିବାକୁ ବାଧ୍ୟ କଲେ ସୁଦ୍ଧା। ପରିଶେଷରେ ମୋ ଭାଉଜଙ୍କ କାନରେ କଣ ଫିସ୍ ଫିସ୍ କରି କହିଦେଲା। ଭାଉଜ ସ୍ଲୋଗାନ ଦେବା ଭଙ୍ଗୀରେ ସର୍ବସମକ୍ଷରେ ଘୋଷଣା କଲେ, ମୋ ଆଡ଼କୁ ଆଖି ମିଟିକା ମାରି,

- ଶୁଣ, ଶୁଣ, ସମସ୍ତେ ଶୁଣ, ସେ ପଅଅରେ ମାଗିବ ବୋଲି କହୁଛି, ତଦୋପରାନ୍ତେ ଶୀପ୍ରାକୁ କୁଣ୍ଢାଇ କହିଲେ, ନା ଲୋ , ଶୀପ୍ରା , ଆମେ ଜମ୍ମା ଭାଗ ବସାଇବୁନି। କଥାଟା ସେମିତି ହସରେ ହସରେ ଉଡ଼ି ଗଲା।

ଚତୁର୍ଥୀ ରାତିଟାକୁ ମୁଁ କଦାପି ମଧୂଶଯ୍ୟା ବୋଲି କହି ପାରିବିନି, କାରଣ ମୋ ରୁମରେ ନା ଥିଲା ,ସୁଗନ୍ଧିତ ପୁଷ୍ପସଜ୍ଜା, ନା ଥିଲା ତୂଳୀତଳ୍ପର ଶେଜ। ସପ ଉପରେ କନ୍ଥା ପଡ଼ି , ନୂଆ ଚଦରଟିଏ ଯାହା ବିଛା ଯାଇଥିଲା। ଯଦିଓ ଶୀପ୍ରା ଘରୁ ଖଟ ପଲଙ୍କ ସବୁ ଆସିଥିଲା, କିନ୍ତୁ ଖୋଲା ଯାଇ ନଥିଲା।

ଘରର ଏକମାତ୍ର ଚାକିରୀଆ ମୁଁ। ମୋ ବଡ଼ଭାଇ କଂସା ବାସନ ବୁଲା ବେପାରୀ। ମୋ ତଳ ଦୁଇ ଭାଇ ଓ ଦୁଇ ଭଉଣୀଙ୍କ ଦାୟିତ୍ୱ ସମ୍ପୂର୍ଣ୍ଣ ରୂପେ ମୋର ବୋଲି ମୁଁ ଭାବୁଥିଲି । ବାପାଙ୍କର ଅନେକ ଦିନ ପୂର୍ବରୁ ଦେହାବସାନ ଘଟିଥିଲା। ଭାଇଙ୍କର ସ୍ୱଳ୍ପ ଆୟରେ ଘର କୌଣସି ମତେ ଟାଣଟୁଣ ହୋଇ ଚଳୁଥିଲା, ତା ବ୍ୟତୀତ ମୋର ପାଠପଢାରେ ମଧ୍ୟ ଖର୍ଚ୍ଚ ହେଉଥିଲା। ମୋ ଚାକିରୀ ପରେ ଯେ ଘରେ ସେମିତି କିଛି ଆଖି ଦୃଶିଆ ପରିବର୍ତ୍ତନ ହୋଇ ଯାଇଥିଲା ତା ନୁହେଁ, କିନ୍ତୁ ସମସ୍ତଙ୍କ ଆଖିର ଆଶା ଓ ମନର ଭରସାର ମିଳିତ ପ୍ରଚେଷ୍ଟାରେ ସଭିଙ୍କ ମୁହଁ ଉଜ୍ଜ୍ୱଳ ଦିଶୁଥିଲା ଯାହା।

ଶୀପ୍ରା ରୁମରେ ବସିଥିଲା, ଏକୁଟିଆ। ଅତିଥି ଅଭ୍ୟାଗତ ସମସ୍ତଙ୍କୁ ବିଦା କରି ମୁଁ ସେ କୋଠରୀରେ ପ୍ରବେଶ କଲି ପ୍ରାୟ ରାତି ବାରଟା ପରେ। ଦାୟିତ୍ୱ ଭାରରେ ଥକିତ ମନ ଓ ଅବସନ୍ନ ଶରୀର ନିଦ୍ରାଦେବୀଙ୍କ କୋଳକୁ ଯିବାକୁ ଉଦ୍ବିଗ୍ନ ହୋଇ ପଡୁଥିଲା। କିନ୍ତୁ ଲାଲ ପାଟରେ ଶୀପ୍ରାକୁ ଦେଖି ମୋର ତନ୍ଦ୍ରା ଆପଣାଛାଏଁ ଉଭାନ ହୋଇ ଯାଇଥିଲା। ଶୀପ୍ରା ଅତ୍ୟନ୍ତ ସୁନ୍ଦରୀ ବୋଲି ମୁଁ ଶୁଣିଥିଲି । ଚିର ଈପ୍ସିତ ମୁହୂର୍ତ୍ତଟି ଚିର ସ୍ମରଣୀୟ ମୁହୂର୍ତ୍ତରେ ପରିଣତ ହେବାକୁ ଅଧିକ ସମୟ ଲାଗିଲା ନାହିଁ।ଯେମିତି ମୁଁ ତାର ଓଢ଼ଣା ଖୋଲି ଦେଲି, ତାର ନିଖୁଣ ରୂପ ଦେଖି ମୁଁ ଆମୋଦିତ ହୋଇ ପଡ଼ିଲି। ଓଢ଼ଣା ତଳେ ସତେ କି ଦରଫୁଟା କଇଁ ଫୁଲଟିଏ ଏଇ ଫୂଟିବ ଫୂଟିବ ହେଉଛି। ନିଟୋଳ ଘର୍ମାକ୍ତ ଚିବୁକ ସତେକି ପଦ୍ମ ପାଖୁଡ଼ା ରେ ଶିଶିର ବିନ୍ଦୁ ର ସମନ୍ବୟ। ବିମ୍ବଫଳ ସଦୃଶ କମ୍ପମାନ ଅଧର ଦ୍ୱୟ। ସେହି ସମ୍ମୋହକ ମୁହଁଟିକୁ ଦେଖିଲା ମାତ୍ରେ ମୋ ମନରେ ସନ୍ଦେହ ସୃଷ୍ଟି ହେଲା, ମୁଁ ଏହି ପ୍ରାକୃତିକ ସୌନ୍ଦର୍ଯ୍ୟ ଶାଳିନୀ ନାରୀଟିକୁ ସର୍ବାନ୍ତକରଣରେ ସୁଖୀ କରିବାରେ ସମର୍ଥ ହୋଇ ପାରିବି ତ?

ତା ସତ୍ତ୍ୱେ, ମଧୂଲଗ୍ନରେ ମଧୂର ପ୍ରେମ ସମ୍ଭାଷଣ ପରିବର୍ତ୍ତେ ମୋ ମୂଖରୁ ସ୍ୱତସ୍ଫୁର୍ତ ଭାବରେ ଅନର୍ଗଳ ବକ୍ତୃତା କୋଠରୀଟିର ବାତାବରଣକୁ ନିଶ୍ଚିତ ରୂପରେ ଭାରାକ୍ରାନ୍ତ ହିଁ କରି ତୋଳୁଥିଲା। ବକ୍ତୃତାର ବିଷୟବସ୍ତୁ ଥିଲା, ମୋ ଘରର ଅସ୍ୱଚ୍ଛଳ ଅବସ୍ଥା, ମୋର ଭାଇ ଭଉଣୀଙ୍କ ପ୍ରତି ଗୁରୁ ଦାୟିତ୍ବ ଓ ସେଥିପାଇଁ ଶୀପ୍ରାର ସାହାଯ୍ୟ ଓ ସହାନୁଭୂତି ,ଇତ୍ୟାଦି ଇତ୍ୟାଦି। ବିଚାରୀ ସେ ସମସ୍ତ ଅରୁଚିକର ବକ୍ତୃତା ଅକୁଣ୍ଠିତ ଚିତ୍ତରେ, ତାର ବଡ଼ ବଡ଼ ଢଳ ଢଳ ଆଖିବାଟେ ପିଇ ଯାଉଥିଲା ମୌନାବତୀ ସାଜି। ଶେଷରେ କେଜାଣି କେମିତି ମୋର ମନେ ପଡ଼ି ଗଲା, ମୁଁ ପଚାରି ଦେଲି,

-ଆରେ, ତୁମେ ପରା କଣ ଉପହାର ନେବ?

ସଂକ୍ଷିପ୍ତ କଟାକ୍ଷଟିଏ ବିନ୍ଧି ସେ ମୌନ ରହିଲା। ତାର ମନ ଏ ଭାଷଣରୁ ବୋଧେ ଛାଡ଼ି ଯାଇଥିଲା ।ସେ ହାଇ ମାରୁଥିଲା। ମୁଁ ମଧ୍ୟ ତାର ଉତ୍ତରକୁ ଅପେକ୍ଷା କରିବାର ଆବଶ୍ୟକତା ଅନୁଭବ କରି ପାରି ନଥିଲି। ଦୁହିଁଙ୍କ ଆଖି ନିଦରେ ଟଳମଳ। ଦୁହେଁ ଶୋଇ ଯାଇଥିଲୁ। ବାହାରେ ଚକୋରୀଟିଏ କରୁଣ ରାଗିଣୀ ତୋଳୁଥିଲା।

ତା ପରଦିନ ଠାରୁ ଏ ପର୍ଯ୍ୟନ୍ତ ଶୀପ୍ରା ଆଖିରେ ମୁଁ କେବେହେଲେ ଅଭିଯୋଗ ଦେଖି ନାହିଁ। ସର୍ବଂସହା ଧରିତ୍ରୀ ପରି ସେ, ସୁଖ-ଦୁଃଖ, ହର୍ଷ-ବିଷାଦ, କୃପା-କଟାକ୍ଷ, ଅଳି-ଅର୍ଦ୍ଦଳି ସବୁ ଆତ୍ମସାତ କରୁଥିଲା ମୋତେ ସର୍ବାନ୍ତକରଣରେ ସୂଖି କରିବା ପାଇଁ।ମୁଁ ଗୌରବାନ୍ୱଇତ ହେଉଥିଲି ଶୀପ୍ରାକୁ ଅର୍ଧାଙ୍ଗିନୀ ରୂପରେ ପାଇ।

ବିବାହର ପ୍ରାୟ ତିନିମାସ ପରେ ସେ ତା ବାପଘରକୁ ପକ୍ଷକ ପାଇଁ ଯାଇ ଫେରିଥାଏ। ତାକୁ ଶୋଇବା ଘରେ ପାଇବା ପାଇଁ ମୋ ମନ ଉଚ୍ଛନ୍ନ ହୋଇ ପଢୁଥାଏ। ଚକୋରୀର କରୁଣ ରାଗିଣୀ ରେ ଚନ୍ଦ୍ର ବିରହ ଫୁଟି ଉଠି ମୋତେ ଅଶାନ୍ତ କରୁଥାଏ। ବିଳମ୍ବିତ ରାତ୍ରିରେ କାମଦାମ ସାରି ସେ ଆସିଲା, ମୁଁ ବହିଟିଏ ଆନମନା ହୋଇ ଓଲଟା ଧରିଥାଏ। ସେ ଆସି ମଧୂର ହସ ଖେଳାଇ ବହିଟିକୁ ସିଧା କରୁକରୁ ମୁଁ ସ୍ୱଭାବ ସୁଲଭ ଭାବରେ ତାର ଜୁଡ଼।ଟିକୁ କୋହଳ କରି ଖୋଲିଦେଲି। ମୋତେ ତାର ଆଲୁଳାୟିତ ଖୋଲା କେଶ ବିଶେଷ ପସନ୍ଦ ଥିଲା। କଳା ବଉଦ ଭଳି ଘନ କୋମଳ କେଶରାଶି।

ସେ ଶଯ୍ୟା ପାର୍ଶ୍ଵରେ ବସିଲା। ମୁଁ ତା କେଶ ସହିତ ଖେଳୁ ଖେଳୁ ତାଙ୍କ ଗାଁ ସମ୍ବନ୍ଧରେ କେତେ କଥା ପଚାରିଲି। ସେ ଅତି ଉତ୍ସାହିତ ହୋଇ ଉତ୍ତର ଦେଉଥିଲା। ହଠାତ ସେ କହିଲା,

-ମୋତେ କଣ ଦେବ ବୋଲି କଥା ଦେଇଥିଲ ନା?

-ହଁ, କଣ ଦରକାର କହୁନ।

-ଆମେ ହନିମୁନ ଯିବା? ଜାଣିଛ, ମୋ ସାଙ୍ଗର ବାହାଘର ଏକାଦିନରେ ହୋଇଥିଲା, ଆମସହ। ତାର ଲଭ୍ ମ୍ୟାରେଜ। ସେମାନେ ହନିମୁନ ଯାଇଥିଲେ, କନ୍ୟାକୁମାରୀ। ମୁଁ ତାର ହାତ ପାପୁଲିକୁ ଦୁଇ ହାତରେ ଚାପି ଧରିଲି।

-ଆରେ, ମୋର ତ ହନି ବି ଏଇଠି, ଆଉ ମୁନ୍ ବି ଏଇଠି। ତାର ସୁନ୍ଦର ନିଟୋଳ ଚେହେରାକୁ ଦୁଇ ହାତରେ ତୋଳି ଧରି ଦୁଷ୍ଟାମୀରେ ତାର ଆଖିରେ ଆଖି ମିଶେଇ ଦେଲି।

- ତା ଛଡ଼ା ,ଆମେ କାହିଁକି ଯିବା ଯେ ହନିମୁନ? ଆମର କଣ ଲଭ୍ ମ୍ୟାରେଜ? ତାଙ୍କର ବିବାହ ପୂର୍ବରୁ ମିଶାମିଶି କରି ମନ ଛାଡ଼ି ଯାଇଥିବ କି ନା। ତାକୁ ତାଜା କରିବା ପାଇଁ ହନିମୁନ ଯାଇଥିବେ। ଆଉ ଆମର ତ ଏକଦମ ଫ୍ରେଶ୍ ସମ୍ପର୍କ। ହଁ କି ନାଇଁ? ତାର ସଜଫୁଟା ମୁହଁଟା ଝାଉଁଳି ପଡ଼ିଲା କି ନାହିଁ, ମୁଁ ଧ୍ୟାନ ଦେଇ ନଥିଲି।

- ହୁଁ.....

- ଆରେ, ଆମେ ମଧ୍ୟ ଯିବା ନା ।ହନିମୁନ ପାଳିବାକୁ। ଯେତେବେଳେ ଆମେ ପରସ୍ପର ନିମନ୍ତେ ବାସି ହୋଇଯିବା। ଯେବେ ଦୁହେଁ ଦୁହିଁଙ୍କ ଠାରୁ ବୋର ହୋଇଯିବା। ଯେତେବେଳେ ମୋତେ ମୋର ଅଫିସ ଭଲ ଲାଗୁଥିବ, ଆଉ ତୁମକୁ ଆମର ପିଲାମାନେ।

ବଡ଼ କୁଣ୍ଠିତ ଧୀର ସ୍ୱରରେ ସେ କହିଲା,

- ତୁମେ କାହିଁକି ଭାବୁଛ ଯେ ଆମେ ଦୁହେଁ ବାସି ହୋଇଯିବା ବୋଲି। ଦେଖିବ, ମୁଁ ତୁମକୁ ଜମା ବୋର୍ ହେବାକୁ ଦେବିନାହିଁ।

ସତକୁ ସତ ବିବାହର ଦୀର୍ଘ ତିରିଶ ବର୍ଷ ବିତି ଗଲାଣି। ଆଜି ମଧ୍ୟ ସେ ମୋତେ ସଦ୍ୟ ପ୍ରସ୍ଫୁଟିତ କଇଁ ଟିଏ ପରି ମୋତେ ମନେହୁଏ। ତାର ନିତ୍ୟ ନୂତନ ରୂପରେ ସେ ମୋତେ ସବୁଦିନ ମୁଗ୍ଧ କରେ।।ତାର ସର୍ବଗୁଣ ସମ୍ପନ୍ନ ଚରିତ୍ରଟି ମୋତେ ସର୍ବଦା ସଜ ମନେହୁଏ। ହଁ, ଏ ପର୍ଯ୍ୟନ୍ତ ମୁଁ ମୋର ଅଫିସକୁ ଭଲ ପାଇ ପାରିନାହିଁ।

ସେ କିନ୍ତୁ, ମୋର ଭାଇ ଭଉଣୀ ,ପୁତୁରା ଝିଆରୀ, ପୁଅ ଝିଅ ସମସ୍ତଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରି ସାରିଛି। ଆଉ ମୋ ହୃଦୟରେ ମଧ୍ୟ କୌଣସି ଅଧିଷ୍ଠାତ୍ରୀ ଦେବୀ ସଦୃଶ୍ୟ ବିରାଜମାନ କରି ସାରିଛି।

ବୋଉ ବଞ୍ଛିଥିଲା ପର୍ଯ୍ୟନ୍ତ ସେ ତାର ଛାଇ ହୋଇ ରହିଥିଲା। ଏପରିକି ମୃତ୍ୟୁ ଶଯ୍ୟାରେ ମଧ୍ୟ ସେ ଶୀପ୍ରାର ନାମ ନେଇ ବାଉଳି ଚାଉଳି ହେଉଥିଲା। ଶୀପ୍ରା କୋଳରେ, ଶୀପ୍ରା ମୂଖକୁ ଚାହିଁ, ଓ ଶୀପ୍ରା ହାତରୁ ତୁଳସୀ ଜଳ ପାଇ ସେ ନିଶ୍ଚିନ୍ତ ହୋଇ ଆରପାରିକୁ ଯାଇଥିଲା।

ମୋ ଭାଇ ଭଉଣୀ ମାନେ ଶୀପ୍ରା ଆଗରେ ତାଙ୍କର ଅଳିଅର୍ଦ୍ଦଳି ବାଢୁଥିଲେ। ବଡ଼ ଭାଉଜ ତାଙ୍କର ଭଉଣୀ ମାନଙ୍କୁ ଭୂଲି ଯାଇଥିଲେ ଶୀପ୍ରାକୁ ପାଇ। ବଡ଼ ଭାଇଙ୍କୂ ସେ ଓଢ଼ଣା ଦେଉ ନଥିଲା। ସାନ ଭଉଣୀ ପରି ତାଙ୍କର ସେବା କରୁଥିଲା। ତାଙ୍କ ସହିତ ପୁରାଣ ଚର୍ଚ୍ଚା କରୁଥିଲା। ତା ବ୍ୟତୀତ ସେ ସୁନ୍ଦର ଗୀତ ଗାଇବା ସହ , ପତ୍ରିକା ମାନଙ୍କରେ ଲେଖାଲେଖି ମଧ୍ୟ କରୁଥିଲା। ମୋତେ ବେଳେବେଳେ ଲାଗୁଥିଲା, ମୁଁ ବୋଧେ ଏ ମହିୟସୀ ମହିଳାର ଯୋଗ୍ୟ ସ୍ୱାମୀ ହୋଇ ପାରିଲନି। ସତରେ, ସେ ମୋତେ ଏ ପର୍ଯ୍ୟନ୍ତ ବୋର୍ ହେବାକୁ ସୁଯୋଗ ଦେଇ ନାହିଁ।

ବର୍ତ୍ତମାନ ସବୁ ଦାୟିତ୍ୱ ଶେଷ। ପୁଅବୋହୂ କଲିକତାରେ, ଝିଅ ଜ୍ୱାଇଁ ଅଷ୍ଟ୍ରେଲିଆରେ। ଭାଇ ଭଉଣୀ ମାନେ ତାଙ୍କ ଘରେ ସୁଖି। ପୁତୁରା ଝିଆରୀ ମାନେ ତାଙ୍କ ସୁଖି ସଂସାରରେ ବ୍ୟସ୍ତ। ଭାଇ ଭାଉଜ ତାଙ୍କ ପୁଅ ପାଖରେ। ସେଦିନ ଅଫିସରେ ଗୋଟେ ପିଲାର ଛୁଟି ସେଂକ୍ସନ କରୁ କରୁ ଦେଖିଲି ସେ ହନିମୁନ ଯିବା ପାଇଁ ଦରଖାସ୍ତ ଦେଇଛି।

ମୋ ମନଟା ଭାରାକ୍ରାନ୍ତ ହୋଇଗଲା। ବିଚାରୀ ଶୀପ୍ରା! ସେଇ ମାତ୍ର ଗୋଟିକ ଅନୁରୋଧ କରିଥଲା, ଯାହାକି ମୁଁ ଏ ଯାବତ୍ ପୂରା କରି ପାରିଲନି। ବାଟସାରା ଚିନ୍ତନ ମନନ କରୁଥାଏ, ଅଡ଼ୁଆ ଖିଅ ଖୋଲୁଥାଏ, ନିଜର ଦୋଷ ହୀନତା ଖୋଜୁଥାଏ। ମୋର ଯେ ସୁନ୍ଦରୀ ନବବଧୂକୁ ନେଇ ହନିମୁନର ଏକାନ୍ତକୁ ଉପଭୋଗ କରିବାର ଇଚ୍ଛା ନଥିଲା ତା ନୁହେଁ, ସମ୍ବଳହୀନତା ହିଁ ମୋତେ ସେହି ମନଲୋଭା ଭାବନାରୁ ବିରତ କରିଥିଲା। ଯେତେବେଳେ ମନ ଥିଲା ଧନ ନଥିଲା। ଆଉ ଯେତେବେଳେ ସ୍ୱଚ୍ଛଳତା ଆସିଲା , ଦାୟିତ୍ବ ଓ ଜଞ୍ଜାଳ ମାନେ ମସ୍ତିଷ୍କର ଅଭ୍ୟନ୍ତର ପର୍ଯ୍ୟନ୍ତ ଏପରି ଖୁନ୍ଦାଖୁନ୍ଦି ହୋଇ ରହିଥିଲେ ଯେ ହନିମୁନ ପରି ପ୍ରଗଳ୍ଭା ଚିନ୍ତାଟିଏ ସେଥିରେ ମୋଟେ ଗଳି ପାରି ନଥିଲା। ଯା ହେଉ ଏବେ ତ ମୁଁ ଓ ଶୀପ୍ରା ସବୁ ଦାୟିତ୍ବରୁ ମୁକ୍ତ। ଧନ ସମ୍ପତ୍ତିର ଅଭାବ ନାହିଁ। ବର୍ତ୍ତମାନ ତାକୁ ନେଇ ମୁଁ ଦେଶ ବିଦେଶ ଚାରିଆଡ଼େ ହନିମୁନ ପାଳନ କରିବାକୁ ଯିବି।

ଅଫିସରୁ ଆସିଲା ପରେ ମୁଁ ବେଡରୁମରେ ବସିଥାଏ, ପ୍ରତିଦିନ ପରି ଚାହା କପ ଦୁଇଟି ଧରି ଶୀପ୍ରା ଆସି ପାଖରେ। ବସିଲା। ଅଭ୍ୟାସଗତ ଭାବେ ସେ ଆଜି ମଧ୍ୟ ତାର କେଶକୁ କବରୀର ବନ୍ଧନରେ ବାନ୍ଧି ରଖିଥିଲା ଓ ଆଜି ମଧ୍ୟ ମୁଁ ତାର କବରୀକୁ ଉନ୍ମୁକ୍ତ କରିଦେଲି। ମୁଁ ଜାଣେ ସେ ଜାଣିଶୁଣି କବରୀ ବାନ୍ଧି ଥାଏ ତା କେଶରେ ମୋର ଏହି ସାମାନ୍ୟ ସ୍ପର୍ଶ ଟିକକ ପାଇ ଆହ୍ଲାଦିତ ହେବାକୁ।

ତାକୁ ଆଜି ଭଲକରି ନିରିକ୍ଷଣ କଲି। ମୁହଁଟା ପିଲାଳିଆ ହେଲେ ମଧ୍ୟ କଳା କେଶରେ ମଝିରେ ମଝିରେ ରଜତର ସୂକ୍ଷ୍ମ ତାର ସଦୃଶ ବେଶ କେଇଟା କେଶ ଚକ୍ ଚକ୍ କରୁଥାଏ। ସ୍ୱୟଂ ସମ୍ପୂର୍ଣ୍ଣ ଚେହେରାଟି ତାର ଅତି କମନୀୟ ଲାଗୁଥାଏ। ମୋର ନିର୍ନିମେଷ ଦୃଷ୍ଟିକୁ ସହ୍ୟ କରି ନପାରି ସେ ମୂଖନତ କରି ବସିଲା ଓ କଣେଇ ଚାହିଁ ପ୍ରଶ୍ନବାଚୀ ଦୃଷ୍ଟିଟିଏ ନିକ୍ଷେପ କଲା। ମୋ ମନର ନିର୍ଦ୍ଦିଷ୍ଟ ବାତାୟନଟି ଖୋଲି ଯାଇଥିଲା।

- ଯିବା, ହନିମୁନ?

ଆହୁରି ଲାଜେଇ ଗଲା ସିଏ। କିନ୍ତୁ ଉତ୍କଣ୍ଠା ତାର ସ୍ୱରରେ ଅଛପା ରହିଲା ନାହିଁ। ତଥାପି କୌତୁକରେ କହିଲା,

- କାହିଁକି, ଆମର ପ୍ରେମ କଣ ଫିକା ହୋଇଗଲା କି? ନା ମୁଁ ବାସି ହୋଇ ଗଲିଣି ?

- ଆରେ ନା, ମୋତେ ଲାଗୁଛି ମୁଁ କାଳେ ବାସି ହୋଇ ଯାଇଥିବି। କୁହ ପ୍ରଥମେ କୁଆଡ଼େ ଯିବ?

- କନ୍ୟାକୁମାରୀ...

ଅତି ଆଗ୍ରହରେ ଅନାବିଳ ଭାବରେ ତା ମୁହଁରୁ ବାହାରି ପଡ଼ିଲା ଶବ୍ଦଟି। ସତେଯେମିତି ଏହି ଶବ୍ଦଟିକୁ ଅସଂଖ୍ୟ ଶବ୍ଦ ମାନେ ବନ୍ଦୀ କରି ରଖିଥିଲେ, ଯୁଗ ଯୁଗରୁ , ଆଜି ସେ ଉନ୍ମୁକ୍ତ ହେବାର ସୁଯୋଗକୁ କୌଣସି ପ୍ରକାର କରଛଡ଼। କରିବାକୁ ଚାହୁଁ ନାହିଁ। ଦୁଇଦିନ ପରେ କନ୍ୟାକୁମାରୀ ପାଇଁ ରିଜର୍ବୈସନ କରି ମୁଁ ମଧ୍ୟ ଛୁଟି ଦରଖାସ୍ତ ଦେଇଦଲି। ଛୋଟ ଶିଶୁ ଭଳି ମୋ ମନରେ ମଧ୍ୟ ଆନନ୍ଦ ଲହରୀ ଖେଳି ଯାଉଥାଏ। ମୁଁ ମଝିରେ ମଝିରେ ମନେମନେ କୁରୁଳି ଉଠୁଥାଏ।

ଘରକୁ ଆସିଲା ବେଳକୁ ଦାଣ୍ଡଘରେ ମୁଁ ଶୀପ୍ରାକୁ ପାଇଲି ନାହିଁ, ଯାହାକି ଏକ ବ୍ୟତିକ୍ରମ। ବେଡରୁମରେ ସେ ଖଟରେ ଶୋଇଥିଲା। ପ୍ରଥମ ଥର କରି ତାର କେଶ କବରୀରୁ ଖୋଲି ଯାଇ କେରି କେରି ହୋଇ ଖଟ ତଳକୁ ଝୁଲୁଥିଲା। ମୁଦ୍ରିତ ନୟନା ଶୀପ୍ରାକୁ ଦେଖି ମୋର ଅନ୍ତରତମ ହୃଦୟ ଥରି ଉଠୁଥିଲା। ସେ କଣ ଅସୁସ୍ଥା ହୋଇ ପଡ଼ିଛି? ଖୁବ୍ ସ୍ୱାସ୍ଥ୍ୟବତୀ ଶୀପ୍ରାକୁ ବ୍ୟାଧି କେବେହେଲେ କବଳିତ କରି ପାରିନାହିଁ। ସାମାନ୍ୟ ଥଣ୍ଡା ଜ୍ୱର ହେଲେ ସେ କେବେ ବିଛଣାରେ ପଡେ଼ ନାହିଁ।

କପାଳରେ ହାତ ମାରିଲି, ତାତିରେ ଖଇ ଫୁଟୁଛି। ଚେତାଶୂନ୍ୟ ଅବସ୍ଥାରେ ତାକୁ ଦେଖି ମୋର କଲିଜା ତଣ୍ଟି ପାଖକୁ ଆସି ଯାଇଥିଲା।ଗୃହର ଅନ୍ୟ ଏକ ପାର୍ଶ୍ବରେ ରହୁଥିବା ସାନଭାଇକୁ ଡାକିଲି। ଡାକ୍ତର ଆସିଲେ, ଔଷଧ ଦେଲେ, ଇଞ୍ଜେକ୍ସନ ଦେଲେ। ଶୀପ୍ରା ସୁସ୍ଥ ହେବା ପରିବର୍ତ୍ତେ ସ୍ଥିତି ଆହୁରି ଗମ୍ଭୀର ହେବାକୁ ଲାଗିଲା। ବଡ଼ ହସ୍ପିଟାଲ ନେଲୁ। ଟେଷ୍ଟ ପରେ ଟେଷ୍ଟ ଚାଲିଲା। ପିଆଜ ପାଖୁଡା ପରି ପରସ୍ତ ପରସ୍ତ ଖୋଲିଲେ ସୁଦ୍ଧା ପରିଣାମ ଶୂନ୍ୟ। ହେଲେ ସେହି ଶୂନ୍ୟ ଭିତରେ ଯେ ବିରାଟ ଏକ ପ୍ରଶ୍ନବାଚୀ ଆମର ସମଗ୍ର ପରିବାରଟାକୁ ଦୋହଲେଇ ଦେବ , ସମସ୍ତଙ୍କ ଭରସାର ମୂଳୋତ୍ପାଟନ କରିବ ସେକଥା କିଏ ଜାଣିଥିଲା?

ଶୀପ୍ରା ନାମ୍ନୀ ଲତାଟି କର୍କଟ କୀଟ ଦଂଶନରେ ଆକ୍ରାନ୍ତ ହୋଇ ପଡ଼ିଥିଲା, ସମସ୍ତଙ୍କୁ ହତବାକ୍ କରି ଦେଇ!!।ଶୀପ୍ରାକୁ ଲଂଗ କ୍ୟାନ୍ସର!!!

ପ୍ରାଥମିକ ପରୀକ୍ଷଣରେ ହିଁ ଜଣା ପଡି଼ଯାଇଥିଲା ଯେ ଲଂଗ କ୍ୟାନ୍ସରର ଏଡଭାନ୍ସ ଷ୍ଟେଜ। ମୋର ଦୁନିଆ ,ମୋର ସ୍ୱପ୍ନ, ମୋର ସର୍ବସ୍ବ ଧୂଳିସାତ୍ ହୋଇ ଯାଇଥିଲା। ଡ୍ରେସିଂ ଟେବୁଲ ଉପରେ ରିଜର୍ବୈସନ ଟିକେଟ ଦୁଇଟା ଇତସ୍ତତଃ ପଡ଼ି କରୁଣ ଚିତ୍ରଟିଏ ତୋଳି ମୋର ହୃଦୟକୁ ଚୂର୍ଣ୍ଣ ବିଚୂର୍ଣ୍ଣ କରୁଥିଲେ। ବାହାରେ ଚକୋରୀଟାର କରୁଣ ସ୍ୱର ମୋତେ ଖତେଇ ହେଉଥିଲା। ତତ୍କାଳୀନ ଭିତ୍ତିରେ ମୁମ୍ବାଇ ପାଇଁ ରିଜର୍ବୈସନ କରାହେଲା।

ପ୍ଲେନରେ ବସି ସେ ମୋର ହାତଟିକୁ ମୁଠେଇ ଧରିଥାଏ।ତାର ଶୀତଳ ହାତ ମୁଠା ଭିତରେ ମୋର ହାତଟି ଘର୍ମାକ୍ତ ହୋଇ ତରଳି ଯାଉଥାଏ। ନିଜର ଲୁହ ଲୁଚେଇବା ପାଇଁ ସେ ତୁଚ୍ଛା ଆକାଶଟାରେ ନିଜର ଦୃଷ୍ଟି ନିବଦ୍ଧ ରଖିଥାଏ। ମୁମ୍ବାଇ ମାଟିରେ ପାଦ ଥାପୁ ଥାପୁ ମୁଁ ଚମକି ପଡ଼ିଲି ଶୀପ୍ରାର କୋହ ଜର୍ଜରିତ ବାଷ୍ପାକୂଳ କଣ୍ଠସ୍ୱର ଶୁଣି।

- ମୁଁ କଣ ସତରେ ତୁମକୁ ଛାଡ଼ି ମରିଯିବି, ମୁଁ ବର୍ତ୍ତମାନ ମରିବାକୁ ଚାହେଁନା, ପ୍ଲିଜ ପ୍ଲିଜ ପ୍ଲିଜ ,ମୋତେ ବଞ୍ଚାଅ, ମ...ତେ.....ଚା...ଅ....!!!! ତାର ଚେତନା ଶୂନ୍ୟ ଶରୀରଟି ମୋର ବାହୁରେ ଢଳି ପଡ଼ିଥିଲା।

*******

ପ୍ରାଥମିକ ଚିକିତ୍ସା ପରେ ସେ ବର୍ତ୍ତମାନ ଟିକେ ଷ୍ଟେବଲ୍ ଜଣା ପଢୁଛି। ପୁଅ ଝିଅ ,ଭାଇ ଭଉଣୀ, ପୁତୁରା ଝିଆରୀ ,ସମସ୍ତେ ମୁମ୍ବାଇ ଆସିବା ପାଇଁ ବ୍ୟାକୁଳ।କେତେଜଣ ହୁଏତ କାଲି ସୁଦ୍ଧା ଆସି ପହଞ୍ଚିବେ।

ଡାକ୍ତରଙ୍କ ଠାରୁ ଅନୁମତି ନେଇ ଶୀପ୍ରାକୁ ଧରି ମୁଁ ଆସିଛି ମୁମ୍ବାଇର ପ୍ରସିଦ୍ଧ ଜୁହୁ ବେଳାଭୂମିକୁ। ମୋ କାନ୍ଧରେ ତାର ମୁଣ୍ଡ ଥାପି ନିଜର କେଶରାଶି ଖେଳାଇ ସେ ଆନମନା ହୋଇ ଶୂନ୍ୟ ଦୃଷ୍ଟିରେ ଚାହିଁ ରହିଛି ସୀମାହୀନ ଲହରୀମାଳାକୁ। ଆଉ ମୁଁ ସେ ଲହରୀମାଳାକୁ ଭୟପୂର୍ଣ୍ଣ ଆଖିରେ ଅନେଇ ରହିଛି, ହୁଏତ କେଉଁ ଏକ ଦୁର୍ଦ୍ଦାନ୍ତ ଲହରୀ ମୋ ଜୀବନରେ ଭରିଦେବ ସୁନାମୀ ର ଅଖଣ୍ଡ ନୀରବତା।

(ଛଦ୍ମ ନାମ ବ୍ୟବହୃତ ସତ କଥା। ଭଗବାନ କରନ୍ତୁ ତାଙ୍କ ଜୀବନରେ ସୁନାମୀର ଝଡ଼ ନ ଆସୁ )

ଆରତୀ ସାହୁ

ବସନ୍ତ ବିହାର

ନୂଆଦିଲ୍ଲୀ


Rate this content
Log in

Similar oriya story from Tragedy