Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ବିଜୟା
ବିଜୟା
★★★★★

© Amiya Bej

Inspirational

9 Minutes   7.6K    11


Content Ranking

ପାଦତଳେ ମୁଠାଏ ମାଟି , ମୁଣ୍ଡ ଉପରେ ଚେନାଏ ଆକାଶ ନଥିବା ମଣିଷକୁ ଅତ୍ୟନ୍ତ ନିଃସ୍ୱ ଭାବିନିଆଯାଇପାରେ । 'ବିଜୟା' ର ଏବେ ସେଇ ଅବସ୍ଥା । ଅନ୍ଧାର ଭିତରେ ବି ସ୍ପଷ୍ଟ ଦେଖାଯାଉଛି ତା'ଘର । ତା'ପରିବାର । 'ମଳୟ' ଶୋଇପଡିଲେଣି ନିଘୋଟ ନିଦରେ । ତାଙ୍କର ଏଇ ଅଚିନ୍ତା ନିଦକୁ ଖୁବ୍ ଇର୍ଷା କରେ ବିଜୟା । ସଫଳପୁରୁଷ ସେ । ମାଗିବା ପୂର୍ବରୁ ପହଞ୍ଚାଇଦେବାଟା ବୋଧେ ପୌରୁଷତ୍ୱ । ତା' ନିଜର ହେଉ କି 'ତାନ୍ୟା'ର , ମଳୟଙ୍କ ଠାରେ କୌଣସି ଅଭିଯୋଗ ନଥାଏ ।

ସେ କିନ୍ତୁ ଏବେ ମଳୟଙ୍କ ପାଖକୁ ନଫେରି , ଯାଇ ବସିପଡିଲା ବାଲ୍କୋନୀରେ । ବାହାରେ ବର୍ଷା । ତୁହାକୁତୁହା ବିଜୁଳି । ମୌସୁମୀ ବର୍ଷା ଈୟେ । ସହଜରେ ଛାଡୁନି । ରାତିସାରା ଢାଳୁଛି । ପାଣିଛିଟା ସାରା ବାଲ୍କୋନୀକୁ ବତୁରାଉଛି । ତା'ସହ ଭିଜୁଛି ବି ବିଜୟା ନିଜେ ପରବାଏ ନକରି । ଏଇ ଟିକକ ଆଗରୁ ତ ଲୁହରେ ଭିଜୁଥିଲା । ଲୁହଦାଗତକ ଧୋଇନେଉ ବର୍ଷା ।

ଖାଲି ଦୁଃଖ କନ୍ଦାଏନି , ବେଳେବେଳେ ସୁଖ ବି ଅସହ୍ୟ ହୁଏ !!!!

ଗୁଡନାଇଟ୍ କହି ନିଜ ରୁମ୍ କୁ ଚାଲିଗଲାପରେ , ବିଜୟା , ତାନ୍ୟାର ଶୋଇବା ଘରକୁ ପ୍ରାୟ ଯାଏନି । ପିଲାଙ୍କ ପ୍ରାଇଭେସୀର କଥା । ଟିନ୍ଏଜ୍ ପିଲାଏ ଅନ୍ୟର ଅନୁପ୍ରବେଶକୁ ସହଜରେ ନିଅନ୍ତିନି । ଏଇକଥାଟିକୁ ମା' ହିସାବରେ ସେ ବେଶ୍ ବୁଝେ । ଅଯଥା ହସ୍ତକ୍ଷେପ କଲେ , ପିଲାଏ ଜିଦଖୋର୍ ହୋଇପଡନ୍ତି । ତାନ୍ୟାକୁ ସେ ସାଙ୍ଗଟିଏ ପରି ବ୍ୟବହାର କରେ । ବାହାରର କେଉଁ ଅପାର୍ଥିବ ସୁଖବନ୍ଧୁ ଅପେକ୍ଷା , ନିଜ ଘର ଭିତରେ ନିଜପାଇଁ ବନ୍ଧୁଟାଏ ଖୋଜିନେବା ଶ୍ରେୟସ୍କର ।

କିନ୍ତୁ ଖୋଜିଲେ ପ୍ରକୃତରେ ମିଳିଯାଏ କି ? ମ୍ୟାଚୁରିଟି ପରଠାରୁ ତାନ୍ୟା ନିଜକୁ ଦୂରେଇ ରଖିବାର ପ୍ରୟାସରେ ରହୁଥିବାର ସେ ଲକ୍ଷ୍ୟ କରେ । କଥାକଥାକେ କହେବି - ମାମା , ଆମ୍ ମ୍ୟାଚୋର୍ ଏନଫ୍ ।

ଭିତରେ ଭିତରେ ଭାଙ୍ଗିପଡେ ବିଜୟା । ମା ଝିଅ ଭିତରର ଦୂରତା କମାଇବାକୁ ଅହରହ ଚେଷ୍ଟାରେ ରହୁଥାଏ ଖାଲି ।

ସବୁଚେଷ୍ଟା ସଫଳ ହୁଏନି । ଏକମାତ୍ର ଅଲିଅଳୀକୁ ନେଇ , ମଳୟଙ୍କ ଢେର୍ ଚୁନାଚୁନା ସ୍ୱପ୍ନ । ସବୁବେଳେ ସେଇ ଗୋଟାଏ କଥା -

- ବିଜି! ଝିଅ ଗୋଟେ ଭାଗ୍ୟ । ମୁଁ ଅନେକ ପୁତ୍ରବାନ୍ ସହକର୍ମୀଙ୍କୁ ଦେଖିଛି , ସେମାନଙ୍କ ଭିତରେ ଢେର୍ ଅଭାବ । ଅଥଚ ଦେଖ ଆମର ଅବଶୋଷ ଟେ ନାହିଁ ।

ସ୍ୱାମୀଙ୍କ କଥାରେ ହଁ ଭରିବାଛଡା ଅନ୍ୟ ଉତ୍ତର ନଥାଏ ବିଜୟାର। ଆଜି ସେଇଝିଅ ଘରକୁ ଆଣି ଆସିଛି ପୁଳାପୁଳା ଦୁଃଖ । କେମିତି ସମ୍ଭାଳିବେ ମଳୟ ????

ମେଘମାଳ ଆକାଶରେ ତୁହାକୁତୁହା ବିଜୁଳିର ପାଦୁର୍ଭାବ । ଏଇପରି ବେଳାରେ ବାଲ୍କୋନୀରେ ବସିରହିବା ବିପଦ । କିନ୍ତୁ ସେଇ ଭୟଠୁଁ ବି ଅଧିକ ଏବେଏବର ଛାତି ଯନ୍ତ୍ରଣା । ଦୁଇମହଲାର ବାଲ୍କୋନୀରୁ କୁଦିଗଲେ ମଣିଷ ମରିପାରେକି ନାହିଁ ବିଜୟାକୁ ଜଣାନାହିଁ । କିନ୍ତୁ ସକାଳ ହେବାଯାଏଁ ବଞ୍ଚିହେବକି ? ଇଛାକରିବି ରାହାଧରି ଜୋର୍ କରି କାନ୍ଦି ହେଉନି । ମଳୟ ଉଠିପଡିବେ । ସେ ପୁରୁଷ । ହୃଦୟର ଶକ୍ତଧକ୍କା ପୁରୁଷ ସହିପାରେନି ।

ସାମ୍ନା ନଡିଆଗଛଟାକୁ ବିଜୁଳିଟାଏ ଖୁବ୍ ଜୋରରେ ମାରିପକାଇଲା । ଦୋହଲିଯାଇ ଚଟାଣରେ ଚେୟାର୍ ଉପରୁ ଖସିପଡିଲା ବିଜୟା ।

- ମାମା!!

ଏଇତକ ଅମୃତବୋଳା ଡାକରେ ପ୍ରକୃତିସ୍ଥହୋଇ ଉପରକୁ ଚାହିଁବାରୁ ସାମ୍ନାରେ ତାନ୍ୟା ।

- ହଁ ମା ! ଝର୍କାଟା ବନ୍ଦକରିବାକୁ ଆସି ଗୋଡ ଓଦାଚଟାଣରେ ଖସିଗଲା । ତୁ ଏତବେଳେ ଉଠିଗଲୁ ଯେ ? ଡରିଗଲୁକି ?

- ହଁ ମାମା । ଖୁବ୍ ଡରଲାଗୁଛି ଆଜି ।

କୋଳେଇନେଲା ଝିଅକୁ ଏଥର ବିଜୟା ।

- ଡରେନା । ଚାଲେ ବେଡ୍ କୁ । ସକାଳେ କ୍ଲାସ୍ ଅଛି ।

- ଯିବନି ମାମା ।

- ଠିକ୍ ଅଛି । ଏବେ କିନ୍ତୁ ଶୋଇଯା ।

ଝିଅକୁ ବିଛଣାରେ ଛାଡି ଫେରିବାବେଳେ , ତାକୁ ଭିଡିନେଇ କଇଁ କଇଁ କାନ୍ଦିପକାଇଲା ତାନ୍ୟା ଏଥର । କାନ୍ଦ ଶୁଣି ମଳୟ ସେପଟ ଘରୁ ଉଠିପଡିବେ ଭାବି , ବିଜୟା ଦରଜାଟା ଭିତରପଟୁ ବନ୍ଦ କରିଦେଇ ଖଟ ଧାରରେ ଆସି ବସିପଡିଲା ।

- ଶୋଇପଡେ ମା । ରାତି ଆଉରି ଅନେକ୍ ଅଛି ।

- ନିଦ ଲାଗୁନି । ଶୋଇପାରିବିନି ଆଉ ।

- ଠିକ୍ ଅଛି ଗପଟିଏ କହୁଛି । ନିଦ ଆସିଗଲେ ଚାଲିଯିବି । ପାଖକୁ ଲାଗିଆସି ଆରମ୍ଭ କଲା ବିଜୟା -

ତୋ ଅଜାଙ୍କର ଆମେ ପାଞ୍ଚଝିଅ ଜାଣୁ । ପୁଅ ନଥିବାରୁ ଆମେସବୁ ଅଲକ୍ଷଣି । ପାଞ୍ଚଝିଅର ବାପାଟେ , ସାରା ଜୀବନରେ ଥରୁଟିଏ ହେଲେ , ଆଦୌ ଗର୍ବ କରିପାରେନି। ଅନ୍ୟ ଆଗରେ ମୁହଁ ଟେକିପାରେନି । ଭିତରେ ଭିତରେ ନିଜ ସାମର୍ଥ୍ୟକୁ ନେଇ ସବୁବେଳେ ଭାଙ୍ଗିପଡୁଥାଏ । ଅଳ୍ପକିଛି ସ୍ନେହଶ୍ରଦ୍ଧାକୁ ବାଣ୍ଟିକୁଣ୍ଟି , ଆମେ ପାଞ୍ଚୁଟାଯାକ ଖୁବ୍ ନିଅଣ୍ଟିଆ । ତୁ ଏବେ ଦେଖିପାରୁଥିବା ଅଜାଘରର ପ୍ରକୃତ ଚିତ୍ର , କିଛି ଭିନ୍ନ ଥିଲା ସେତେବେଳେ । ଏଇପରି ଭୟଙ୍କର ବର୍ଷାଦିନ ମାନଙ୍କରେ , ଆମେ ଅଣ୍ଟାଭିଡି , ଦାଣ୍ଡପାଣି ଘରୁ କାଢିବାରେ ଲାଗିପଡୁ । ଏଇତକ ଥିଲା ଆମଘରର ପୁଞ୍ଜି ।

ଅଭାବୀ ଝିଅଟେର ସଭିଙ୍କପରି ହୃଦୟଟେ ଥାଏ । କିନ୍ତୁ ସେଇ ହୃଦୟରେ ପ୍ରେମ ପରି ଶବ୍ଦ ମାନଙ୍କପାଇଁ ଜାଗା ନଥାଏ । ଆମପାଇଁ ପ୍ରେମ କହିଲେ ବାପାମା ଆଉ ଆମ ଆଖିରୁ ସମସମୟରେ ଝରୁଥିବା ଲୁହତକ ।

ବାପା , ମା କୁ ବୁଝାନ୍ତି -

- ବିକ୍ରି ହୋଇ ଏମାନଙ୍କୁ ଶିକ୍ଷିତ କରାଇପାରିବି । ବାହା ସାହା ହେବା ଠାକୁରଙ୍କ ହାତରେ ।

ମା ସବୁବେଳେ ଚୁପ୍ ରୁହେ । ତା'ର କଥାକହିବାକୁ ମୁହଁ ଟାଏ ନଥାଏ । ଅବା କେଉକାଳୁଁ ସେ କଥାକହିବା ଭୁଲିସାରିଥାଏ । କେବଳ ବଲବଲ ହୋଇ ବାପାଙ୍କୁ ଚାହିଁରହେ ।

ସେଇ ମା ର ଜାଗାଟା ଆମପାଇଁ ବଡନାନୀ ନେଇଯାଇଥାଏ । ଖୁବ୍ ସ୍ନେହ ଆକଟରେ ଆମକୁ ନାନୀ ବୁଝାଉଥାଏ -

- ମନେରଖ ! ଯେତିକି ପାଉଛନ୍ତି , ସେତିକିହିଁ ବାପା ଆମପାଇଁ କରିପାରିବେ। ତାଠୁଁ ଅଧିକା ସାମର୍ଥ୍ୟ ତାଙ୍କ ପାଖରେ ନାହିଁ । ତେଣୁ ଆମର ନା କିଛି ଜିଦ୍ ଅଛି ନା ଇଛା । ପଶୁ ଛୁଆଟେ ଦିନକେଇଟାରେ ଆତ୍ମନିର୍ଭର ହୋଇପାରୁଛି । ଆମେତ ମଣିଷ । କେହି ନିର୍ଭର ହେବାର ମନୋବୃତ୍ତି ରଖନି । ସୁରକ୍ଷିତ ରୁହ । ନିଜ ଭବିଷ୍ୟତ ହାତକୁ ନିଅ ।

ନାନୀ ଆଗଯାଇ , ଗୋଟେ ସ୍କୁଲରେ ପାଠ ପଢାଇବା ଆରମ୍ଭ କରିଦେଲା । ଅନଟ୍ରେଣ୍ଡ୍ ଥିବାରୁ , ଯାହା ଅଳ୍ପକିଛି ମିଳୁଥିଲା , ସେଇ ସାହସରେ ଦିନେ ବାପାଙ୍କୁ ରୋକଠୋକ୍ ଜଣାଇଦେଲା ସେ ସାରା ଜୀବନ କୁଆଁରୀ ରହିବ । ତା' ପାଇଁ ବାପା ଅଯଥା ବ୍ୟସ୍ତ ହେବେନି । ସମୟକ୍ରମେ ବାପା , ମଝି ତିନିଜଣଙ୍କୁ ବାହାଘର କରୁକରୁ ମୁଁ ବଡ ହୋଇସାରିଲିଣି । ସେତବେଳକୁ ମୁଁ ପ୍ଲସଟୁ । ତୋରି ବୟସରେ ।

କାହାଣୀ ଟା ପ୍ରକୃତରେ ଏତିକି ନଥିଲା ତାନ୍ୟା । ତୁ ବି ଏସବୁ କିଛିକିଛି ଶୁଣିଛୁ । ଏ ହେଲା ମୁଖ୍ୟ କାହାଣୀ ର ପୂର୍ବାଭାସ । ଶୋଇପଡିଲୁ କି ମା ???

- ନା ମାମା , ତୁମେକୁହ ।

- ପ୍ରକୃତ କଥାଟା ଯାହା ମୁଁ କହିବାକୁ ଚାହୁଁଛି ତୋତେ ଏବେ , ସେଇଟା ଭାରି ଗହନ ସତ୍ୟ । ପ୍ରତ୍ୟେକ ନାରୀଟାଏ ପାଖରେ ଢେର୍ ଅକୁହା ଗପ ରହିଯାଏ । ଯାହାକୁ ସେ ସାରା ଜୀବନ ସାଇତି ସାଉତି ମଲାବେଳେ ସାଥିରେ ନେଇ ଚାଲିଯାଏ ।

- ମାମା ???

- ହଁ ମୋ ସୁନାଝିଅ । ମୁଁ ମୋ ସାରା ପୃଥିବୀର ସାଙ୍ଗସାଥିଙ୍କୁ ତୁଚ୍ଛ କରିଦେଇ ଯେଉଁ, କେବଳ ବନ୍ଧୁଟାଏ ରଖିନେଇ ପାରେ , ସେ ହେଲା ମୋ ଝିଅ । ମୋ ମା ପରି ଶବ୍ଦହୀନ ହୋଇ ମରିବାର ଇଛା ନାହିଁ ମୋର । ମୁଁ ଚାହେଁ ମୋ କଥାପଦିକ ତୁ ମନଦେଇ ଶୁଣ୍ ଥରେ ।

ନହେଲେ ମୁଁ ଖୁବ୍ ଆଉଟି ହେଉଛି ମୋ ଭିତରେ ।

- କୁହ ମାମା ।

- ସାନ ଥିବାରୁ ମୁଁ ଖୁବ୍ ଚୁଲବୁଲି ଥିଲି । କେବଳ ବଡନାନୀକୁ ଛାଡି , ଆଉ ପୃଥିବୀକୁ ମୋର ଭୟ କିଛି ନଥିଲା। ମୋର ସବୁବେଳେ ଇର୍ଷା , ଆକାଶରେ ଉଡୁଥିବା ପକ୍ଷୀ ସବୁଙ୍କୁ। କ'ଣ ଟିକେ ଦାନା ଖୋଜିଖାଇ ଦେଇ , କେମିତି ହୋଇପାରନ୍ତି ସେମାନେ ଏତେଯାକ ମୁକ୍ତ ?? ସାରା ଆକାଶରୁ ଭୋଗିନିଅନ୍ତି ନିଜ ଇଛାତକ ? ଡେଣା ନାହିଁ ବୋଲି ଆମେକଣ ଏଡେ ଅସହାୟ ? ମୋ ପାଖରେ ଏମିତି ହଜାରେ ପ୍ରଶ୍ନ । ମୁଁ କାହିଁକି ଉଡିପାରିବିନି , କାହିଁକି ବୁଡିପାରିବିନି ଇତ୍ୟାଦି ର । ଏସବୁ ବୁଝିପାରି ନାନୀ ନିଜ କର୍ତ୍ତୃତ୍ୱ ଦେଖାଇ କୁହେ - ହୁସିଆର ! ଡେଣା କାଟିଦେବି ।

ଆମ ଗାଁ ସ୍କୁଲକୁ ନୂଆକରି ଆସିଥିବା ବିଜ୍ଞାନ ଶିକ୍ଷକଙ୍କର ମୁଁ ଛାତ୍ରୀ ନଥିଲି । ସେତବେଳକୁ ମୁଁ ପ୍ଲସଟୁ । ସେ ରହୁଥିଲେ ଭଡାନେଇ , ଆମ ଘରକୁ ଲାଗି । କେବେଠୁଁ କେଜାଣି ଦୁଷ୍ଟ ଆଖିନେଇ ମୋତେ ଚାହିଁବାରେ ଲାଗିଥିଲେ , ମୋତେ ଜଣାନଥିଲା । କିନ୍ତୁ ଯେଉଁ ଦିନ ମୁଁ ଏଇକଥାଟିକୁ ଠଉରାଇ ନେଲି , ସେଇଦିନହିଁ ଆସି ନାନୀକୁ କହିବାରୁ , ସେ ଯାଇ ପରସ୍ତେ ଶୋଧିଦେଇ ଆସିଲା ତାଙ୍କୁ ମୁହେଁମୁହେଁ । କହିଲା -

- ଚିନ୍ତା କରେନା । ନିଶ୍ଚିନ୍ତରେ ରହ ।

ନିଶ୍ଚିନ୍ତରେ ରହିଲାପରି ବୟସରେ ମୁଁ ଆଉ ନଥିଲି । ସାହି କଲେଜର, ଭାଇ ଭିଣୋଇଙ୍କର , ଚିହ୍ନାଅଚିହ୍ନାଙ୍କ ଗରମ ନିଃଶ୍ୱାସ ମୋତେ ଅସ୍ତବ୍ୟସ୍ତ କରାଉଥିଲା ଭାରି । ଏଇକଥାଗୁଡାକୁ ଆଉ ନାନୀ ପାଖରେ ଅଭିଯୋଗ ନକରିପାରି , ନିଜ ଭିତରେ ଅଭିମାନ କରିଚାଲିଲି ଖାଲି ମୁଁ । ଭାବିଲି ଦିନେ ନିଜକୁ କଠୋର କରିକରି ମୁଁ ନାନୀ ପରି ପାଲଟିଯିବି । ନିଃସଂଗ । ନିହାତି ନିଃସ୍ୱ ।

ବହୁକିଛି ଜାଣିବାର ପ୍ରବଣତା , ଦିନେ ମୋତେ ଟାଣିନେଇଗଲା ଠିକ୍ ସେଇ ଦୁଷ୍ଟ ଦୁଇଆଖି ପାଖକୁ । ସେଇଟାକୁ ମୁଁ ପ୍ରେମ ମନେକରିନେଲି । ନାନୀକୁ ଯଥାସମ୍ଭବ ଲୁଚାଇ , ମୋ'ର ଯିବାଆସିବା ଲାଗିରହିଲା ତାଙ୍କ ପାଖକୁ । ସେ କୁହନ୍ତି ଅଧାଅଧୁରା ପ୍ରେମର କିଛି ଗୋଟେ ମାନେ ନଥାଏ । ଅବିଶ୍ୱାସ କରି କାହାକୁ ଭଲପାଇହୁଏନା । ଘୃଣାକରିହୁଏ । ପ୍ରେମରେ ପୂର୍ଣ୍ଣତା ଜରୁରୀ ।

ମୋପାଖରେ ଦୁଇଟା ରାସ୍ତା ଥିଲା । ସେଇଠୁ ଛାଡି ଫେରିଆସିବାର । ନହେଲେ ସମର୍ପଣ !!!!

ଜାଣିବାରେ ଇଚ୍ଛାତୁରା ହୋଇ , ମୁଁ ଦ୍ୱିତୀୟ ରାସ୍ତାଟିକୁ ମୋ ପାଇଁ ବାଛିନେଲି ।

କହିଥିଲିନା ମା , ବଡନାନୀ ମାନେ ମା ପରି । ଆଉ ମା ମାନେ ଖୁବ୍ ସହିଷ୍ଣୁ । ନାନୀର ଆଖି ସବୁବେଳେ ମୋ ସହ ନେସିହୋଇ ରହୁଥିଲା । ଦିନେ ସେ ଠଉରାଇ ନେଲା । ବୋଧେ ସେଇଦିନଟିରେ ସେ ସର୍ବାଧିକ ଭୟଙ୍କର ହୋଇପଡିଥିଲା । କହିଲା -

- ଜାଣୁ ସେ ଲୋକଟା ବିବାହିତ ?

- ନାଃ!

- ମୁଁ ସ୍କୁଲରେ ତା'ର ସହକର୍ମୀ । ମୋତେ ଜଣା ସବୁକଥା । ଭଲପାଏ କହୁଛୁ , ଏତେବଡ କଥାଟାଏ ପୁଣି ସେ କେମିତି ତୋତେ ଛୁପାଇଛି ?

- ଜାଣିନି ମୁଁ । କେବେ ସେ କହିନାହାନ୍ତି। ସତକହୁଛି ।

- ପ୍ରେମ ନା ଚୋପା ଏଇଟା ? ମୁର୍ଖ ।

ଚଣ୍ଡୀ ରୂପନେଇ , ମୋତେ ଘରେ କବାଟ କିଳିଦେଇ , ନାନୀ ସେ ଲୋକଟା ପାଖକୁ ଚାଲିଗଲା । ଢେର୍ ସମୟ ପରେ ସେଠାରୁ ଫେରିଆସି ଆଦେଶ୍ ଦେଲା ମୋତେ - ଆଜିଠାରୁ ତୋପାଇଁ ଦିନ ଆଲୁଅ ବନ୍ଦ ।

ମୁଁ ଖୁବ୍ ଛଟପଟ ହେଉଥିଲି ଥରୁଟିଏ ଦେଖାକରିବାକୁ ତାଙ୍କୁ । ଅନେକ ପ୍ରଶ୍ନର ଉତ୍ତର ମାଗିବାକୁ । କିଛିଦିନ ପରେ ନାନୀ ହିଁ କହିଲା - ଖୋଜିବା ଦର୍କାର ନାହିଁ। ପ୍ରେମଫ୍ରେମ କିଛି ନଥିଲା ତାଠାରେ । ସେ କେବଳ ତୋ' ଦେହ ଭୋଗିବାକୁ ଚାହୁଁଥିଲା । ସେଇଥିପାଇଁ ତ ଗୋଟାଏ ମାତ୍ର ଧମକରେ ତାଲାଦେଇ ଚାଲିଯାଇଛି ଏଠୁ । ନିଜ ଚାକିରୀ ବାକିରୀକୁ ବଳି ପକାଇଦେଇ । ଖୋଜି ପାଇବୁନି ଆଉ ତାକୁ । ମୁଁ ଏ ପୁରୁଷ ଗୁଡାଙ୍କୁ ହାଡେହାଡେ ଚିହ୍ନେ ।

- ଚାଲିଗଲେ ????

- ହଁଅଁ! କାଲି ସକାଳେ ମିନୁ ଆସିବ । ତୁ ଏବେ ତାଆରି ପାଖରେ ରହି ତୋ' ପଢା ସାରିବୁ । ପ୍ରସ୍ତୁତ ହୋଇପଡ୍ ।

ତାନ୍ୟା ! ମୋ ସୁନାଝିଅ ! ଜାଣୁ , ପୁଅପିଲାଙ୍କ ହୃଦୟରେ ଢେର୍ ପ୍ରେମ ଥାଏ । କିନ୍ତୁ ସେମାନେ ଭାରି ଡରକୁଳା । ବାହୁବଳ ନେଇ ଯୁଦ୍ଧ ଜିତି ପାରୁଥିବା ପୁରୁଷ , ପ୍ରେମଯୁଦ୍ଧରେ ଖୁବ୍ ଶିଘ୍ର ହାରିଯା'ନ୍ତି । ପ୍ରେମ ପରିସ୍ଥିତିକୁ ଠିକ୍ ରେ ସାମ୍ନା କରିପାରନ୍ତିନି । ପୁରୁଷକୁ ଏକ ପଳାୟନପନ୍ଥୀ ଜୀବ କୁହାଯାଇପାରେ ।

- ସେଠୁ ମାମା ?

- ନାରୀର ଏଇ ଦେହଟିକକ ସମାଜ ପାଇଁ ସର୍ବସ୍ବ ତାନ୍ୟା । ବିବାହରାତିରୁ , ସ୍ୱାମୀ ଟିଏ ତନ୍ନତନ୍ନ କରି ଆଭ୍ୟନ୍ତରୀଣ କ୍ଷତ ଅଣ୍ଡାଳିବାରେ ବ୍ୟସ୍ତ ରୁହେ ଖାଲି । ତା'ରି ଉପରେ ନିର୍ଭରକରେ ପୁରୁଷର ବୈବାହିକ ସୁଖ ! ତୋ' ପାପାବି ଏଇ ଭ୍ରମରୁ ମୁକୁଳିପାରିନାହାନ୍ତି । ଖୁବ୍ ଖୋଜିଛନ୍ତି , ମୋ ଦେହର ଦାଗ ମାନଙ୍କୁ । ଏଇ ବାଁ ହାତ କଚଟିର କଟାଦାଗଟି ପାଇଁ , ତାଙ୍କର ଆଜିଯାଏଁ ପ୍ରଶ୍ନ ଆଉ ସନ୍ଦେହ ।

ଏଇମିତି ଚାଲିଥିବ । ପୁରୁଷ ସବୁବେଳେ ପ୍ରଶ୍ନ ହେବ । ନାରୀଟିଏ ଭ୍ରୁକ୍ଷେପ ନକରି , ତା' ବାଗରେ ଉତ୍ତର ଯୋଗାଡିନେଉଥିବ । ସେଇ ଅସନ୍ତୁଷ୍ଟତା ଭିତରେ ପୁରୁଷ , ମୁଖ୍ୟ ପୁରୋଧା ହୋଇ ସଂସାର ର ଗାଡି ଟାଣି ଚାଲିଥିବ ।

ମୁଁ କ'ଣ କେବେ କହିପାରିବି କି , ଏକ ଅସଫଳ ପ୍ରେମ ପାଇଁ , ଆତ୍ମହତ୍ୟା ପ୍ରୟାସରେ ଦିନେ ମୁଁ ମୋ' ହାତକାଟି ପକାଇଥିଲି ବୋଲି ? ଏକଥା କହିବା ଜରୁରୀ ବି ନାହିଁ । କାରଣ ଯେବେଠୁଁ ପିଜି କ୍ଲାସ୍ ରେ , ତୋ' ପାପାଙ୍କୁ ମନଦେଲି , ସେଇଦିନୁ ଆଜିଯାଏଁ ମୁଁ କେବଳ ତାଙ୍କରି ଠାରେ ସମର୍ପିତା । ସେ କେବଳ ସେତକର ହିସାବ ନିଅନ୍ତୁ । ମୋ' ଅତୀତ , ଯେଉଁଥିରେ ତାଙ୍କର ଚିହ୍ନବର୍ଣ୍ଣ ନଥିଲା , ତା'କୁ ନେଇ କି ପ୍ରଶ୍ନ ???

- ଠିକ୍ କହିଛ ମାମା ।

- ହଉ , ଏବେ ଶୋଇପଡ ଝିଅ । କାଲି ସକାଳକୁ ଅନେକ୍ କାମ ।

- ମାମା ! ତୁମେ ଟିକେ ମୋ' ପାଖରେ ଶୋଇଯା'ନ୍ତନି ? ମୋତେ ଖୁବ୍ ଏକୁଟିଆ ଲାଗୁଛି ।

- ତୁ ଭୟ କରେନା ମା । ମୁଁ ସବୁବେଳେ ତୋ' ସାଥିରେ ହିଁ ଅଛି ।

- ମାମା !

- ଉଁଉଁଉଁ?

- 'ସୁଜୟ' ଖୁବ୍ ଭଲପିଲା । ମୋତେ ଅନେକ ସାହାଯ୍ୟ କରେ । ଭଲପାଏବି ।

- ହଁ! ମୁଁ ଦେଖିଛି ତା'କୁ । ଜାଣିଛି ବି ।

- ଏଥିରେ ଏକପାଖିଆ ଭୁଲ୍ କେବଳ ତା'ର ନଥିଲା । ଆମ ଦୁହିଁଙ୍କ ମନରେ ନୂଆକିଛି ସବୁବେଳେ ଉଙ୍କି ମାରୁଥିଲା । ସେଇ ଆଗ୍ରହରେ ଆମେ ଭୁଲ୍ ଟାଏ କରିନେଲୁ । ମୁଁ କେବଳ ଯାଣିଥିଲି ଏସବୁ ଠିକ୍ ନୁହେଁ ବୋଲି । କିନ୍ତୁ ପରିଣାମ ଜଣାନଥିଲା ।

ଏବେ କଣ କରିବି ମାମା ? ବାବାଙ୍କୁ କେମିତି ସାମ୍ନାକରିବି ? ମୋତେ କେବଳ ଗୋଟାଏ ରାସ୍ତା ଦିଶୁଛି ଏବେ ....

- ଚୁପ୍ ଚୁପ୍ । ମୁଁ ସବୁ ଜାଣିସାରିଛି ଝିଅ କିଛି ସମୟ ପୂର୍ବରୁ । ତୋ' ବାଥରୁମ୍ ବ୍ୟବହାର କରିବାକୁ ଆସି ମୋତେ ମିଳିସାରିଛି , ତୁ ଥୋଇଥିବା ସବୁଯାକ ପ୍ରମାଣ । କିନ୍ତୁ ମନେରଖ , ତୋ' ମାମା ହିଁ , ତୋ'ର ସବୁଠାରୁ ବଡ ବିଶ୍ୱାସୀ ସାଥୀ । ମୋତେ ଜଣେ ମା' ହେବାର ଦାୟିତ୍ୱତକ ନିଭାଇବାକୁ ଦେ । ଏକ ଭୟାଳୁ , ପଳାୟନପନ୍ଥୀ ଜୀବ ପାଇଁ ଆତ୍ମହତ୍ୟା କରିନେବା ବେଶିଗୋଟେ ବାହାଦୂରୀ ନୁହେଁ ।

ଯେଉଁ ବୟସରେ ଠିକ୍ ଟାଏ ଜଣାପଡେନି , ତା'ର ଭୁଲ୍ କିଛି ନଥାଏ । ବରଂ ମୋ'ର ଭୁଲ୍ ଯେ' ମୁଁ ଆଉଟିକେ ମୁକ୍ତ ତୋ'ପାଖରେ ହୋଇପାରିଲିନି ।

ତେବେ ସମାନ୍ ଏକ ଭୁଲ୍ ଦ୍ୱିତୀୟଥର ପାଇଁ ହେଲେ ସେଇଟା ଭୁଲ୍ ନୁହେଁ । ଅପରାଧ । ସବୁ ଅପରାଧ ପାଇଁ ଦଣ୍ଡଟାଏ ବି ଥାଏ ଜାଣିବୁ ।

ମୁଁ ବହୁବେଳୁ ଡକ୍ଟର ଆଣ୍ଟିଙ୍କୁ ମ୍ୟାସେଜ୍ କରି ସାରିଛି । ତୁ ନିଶ୍ଚିନ୍ତରେ ଶୋଇପଡ ଏବେ । କାଲି ବାବାଙ୍କ ଅଫିସ୍ ଯିବାଯାଏଁ ।

- ଲଭୟୁ ମାମା ।

ଚାଦରଟା ତାନ୍ୟା ଦେହରେ ଘୋଡିଦେଇ ଖଟ ଉପରୁ ଉଠିଆସିଲା ବିଜୟା । ଜାଣିନେଲା ଝିଅ ଏବେ ନିର୍ଭୟରେ ଶୋଇନେବ। କେତେବେଳୁ ମଳୟଙ୍କ ଖୁଁଖୁଁ ଶୁଭିଲାଣି । ତାଙ୍କୁ ପାଣିଟିକେ କାଢି ଦେବାକୁ ହେବ । ବାଲ୍କୋନୀକୁ ଆସି , ଘଣ୍ଟାଏ ହେଲାଣି ମୁଠାଇ ଧରିଥିବା ପ୍ରେଗ୍ନେସି କିଟ୍ ଟାକୁ ନିଜ ବଳ ପ୍ରମାଣେ ରାସ୍ତା ଉପରକୁ ଫୋପାଡି ଦେଲା ବିଜୟା ଏଥର ।

ଅମୀୟ ବେଜ୍ , ଘଟଗାଁ , କେନ୍ଦୁଝର

ବିଜୟା ତାନ୍ୟା ଶିକ୍ଷକ

Rate the content


Originality
Flow
Language
Cover design

Comments

Post

Some text some message..