Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ପିତୃତ୍ଵ
ପିତୃତ୍ଵ
★★★★★

© Arabinda Acharya

Drama Others

6 Minutes   6.9K    16


Content Ranking

ପ୍ରଶାନ୍ତ ସବୁଦିନ ପରି ନିଜ ଅଫିସକୁ ବାହାରିପଡିଲା | କେତେବେଳୁ ଡ୍ରାଇଭର ଗାଡି ଆଣି ଘରସାମନାରେ ଠିଆ କରିଥିଲା | ଯେତେ ଶୀଘ୍ର ଉଠିଲେ ମଧ୍ୟ କେମିତି କେଜାଣି ସବୁ ସମୟ ନିଅଣ୍ଟ ପଡେ | ସକାଳୁ ସକାଳୁ ଗୁଡାଏ ଫୋନ କଲ ଆଟେଣ୍ଡ କଲା | ଆସ୍ଥା ଚ୍ୟାନେଲର ଯୋଗ ପ୍ରାଣାୟାମ ତ ସିଏ ଛାଡ଼ିପାରିବ ନାହିଁ | ତେଣୁ ସେଥିପାଇଁ ଘଣ୍ଟେ ସମୟ ସବୁଦିନ ଦିଏ |ପଛପଟରୁ ଘରଣୀ ସିପ୍ରା କାନେ କାନେ କହିଦେଉଥିଲେ ,”ମନେ ରହିଲାଟି ! ଫେରିଲା ବେଳକୁ ଗୋଟେ ଦଶ କେଜିଆ ବାସୁମତି ଚାଉଳ ପ୍ୟାକେଟ ଧରି ଆସିବ , ଭୁଲିବନି | ଆଜି ପୁରୁଣା ଚାଉଳ ବସ୍ତାରେ ଅଳ୍ପ ଅଛି | ଦିନେ କି ଦି ଦିନ ଯିବ | ମୁଁ ଆଉ କାହା ହାତରେ ମଗେଇ ପାରିବିନି , ବୁଝିଲ ? “

“ହଉ ହଉ , ଆଣିବି | କେତେ ଥର ସେଇ କଥା କହୁଛ |”

“ତୁମେ ଯେଉଁ ଭୋଳା ଲୋକ , ଏବେ କଥା ଆଉଟିକେକୁ ମନେ ନଥିବ ପରା ?”

           ଘରଣୀଙ୍କ କଥାକୁ ଶୁଣୁ ଶୁଣୁ ଗାଡି ଷ୍ଟାର୍ଟ ହେଇଯାଇଥିଲା  | ଗାଡି ଗଡିଚାଲିଲା କଲେକ୍ଟରଙ୍କ ଅଫିସ ଆଡେ | ପ୍ରଶାନ୍ତ ହେଲା କଲେକ୍ଟର |ପୂର୍ବରୁ ମାଲକାନଗିରିରେ ଥିଲା | ଏବେ ବଦଳିହୋଇ ଆସିଛି ସମ୍ବଲପୁରକୁ |  ଏଇ କେତେଦିନ ହେଲା ବହୁତ କାମ ତାକୁ ଅଥୟ କରି ଦଉଛି | ନିଜ ଘରକଥା ସବୁ ଭୁଲିଯାଉଛି | ସରକାରଙ୍କ ନୂଆ ଦରମା ପାଇବା ପାଇଁ ସବୁ ଅଫିସ ପରି ତା ଅଫିସରେ ମଧ୍ୟ କାମ ଉପରେ କାମ | ସମସ୍ତେ ଖାଲି ଡହଳ ବିକଳ କେବେ ନୂଆ ବଢା ଦରମା ପାଇବେ | ଦିନ ରାତି ଚବିଶ ଘଣ୍ଟା କେବଳ ସେଇ ଗୋଟିଏ କଥା ଆଲୋଚନା | କାହାର କେତେ ଦରମା ବଢିବ | କିଏ କେତେ ଅଧିକ ପାଇବ |

          ଏସବୁ କଥା ଶୁଣି ଶୁଣି ପ୍ରଶାନ୍ତ ମନେ ମନେ ଭାବେ ଯେ , ସବୁ ଚାକିରିଆ ଭାବନ୍ତି ଦରମା ବଢି ଗଲେ ଦୁଃଖ ଯିବ | କିନ୍ତୁ ସତରେ କଣ ସେୟା ହୁଏ ? ଯଦି ସେମିତି ହେଉଥାନ୍ତା ତା ଚାକିରି ଆରମ୍ଭରୁ ଏ ପର୍ଯ୍ୟନ୍ତ କେତେଥର ଦରମା ବଢିଛି କିନ୍ତୁ କାଇଁ କିଛି ସେମିତି ତା ଜୀବନରେ ସେମିତି ବିରାଟ ପରିବର୍ତ୍ତନ ଆସିନି ତ ? ୟାଡେ ଦରମା ବଢୁ ବଢୁ ସାଙ୍ଗେ ସାଙ୍ଗେ ଜିନିଷପତ୍ରର ଦାମ ବଢିଯାଏ | ତେଣୁ ବଢିଲା ଦରମାଟି ପୁଣି ବ୍ୟବସାୟୀଙ୍କ ମାଧ୍ୟମରେ ପୁଞ୍ଜିପତିଙ୍କ ପାଖକୁ ଚାଲିଯାଏ | ଚାକିରିଆ ଯେମିତିକୁ ସେମିତି | କିଛି ଆଖିଦୃଶିଆ ପରିବର୍ତ୍ତନ ହୁଏନି ସେମାନଙ୍କ ଜୀବନରେ |     

         ଅଫିସରେ ପହଞ୍ଚି ଫାଇଲ ଭିତରେ ନିଜକୁ ନିଯୋଜିତ କଲା ପ୍ରଶାନ୍ତ | ଫାଇଲ ପରେ ଫାଇଲ ଖେଳେଇ ଚାଲିଥିଲା | ଦସ୍ତଖତ କରିବାକୁ ପକେଟରୁ କଲମଟି କାଢିଲା | ଏଇ ସେଇ କଲମ , ତାକୁ ତା ବାପା ବହୁତ ଦିନ ପୂର୍ବରୁ ଦେଇଥିଲେ | ଆଜିଯାଏ ସିଏ ସେଇ କଲମଟିକୁ ବହୁତ ଭଲପାଏ | ସବୁବେଳେ ନିଜ ପାଖରେ ରଖିଥାଏ | ଆଜି ବାପା ବୋଉ ତା ପାଖରେ ନାହାନ୍ତି କିନ୍ତୁ ତାଙ୍କ ସ୍ମୃତିର ସନ୍ତକ କିଛି କିଛି ଅଛି | ସେ ଭିତରୁ ଏ କଲମଟି ଅନ୍ୟତମ |  କାମ କରୁ କରୁ ହଜିଯାଉଥିଲା ସେ , ପୁରୁଣା କଥା ସବୁ ମନେ ପଡିଯାଉ ଥିଲା ........

        ବାପା ଦୀନବନ୍ଧୁ ବିଶ୍ଵାଳ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ , ବୋଉ କନକଳତା ଦେବୀ , ସୁଗୃହିଣୀ | ତାଙ୍କର ଏକମାତ୍ର ସନ୍ତାନ ପ୍ରଶାନ୍ତ | ବହୁତ ଗେଲବସରରେ ପିଲାଦିନ କଟିଥିଲା ପ୍ରଶାନ୍ତର | ତା ପାଟିରୁ କଥା ନ ସରୁଣୁ , ସବୁ ଫର୍ମାଇସ ପୂରଣ କରିଦେଉଥିଲେ ତା ବୋଉ | ବହୁତ ଭଲ ପାଉଥିଲେ | ବାପା ଟିକେ କଡା ମିଜାଜର ଥିଲେ | ସବୁବେଳେ ପାଠ ପଢା କଥା ତାଗିଦ କରୁଥିଲେ | ପିଲା ବେଳେ ପ୍ରଶାନ୍ତ ଭାବୁଥିଲା ପାଠ ପଢି କଣ ସ୍ଵର୍ଗକୁ ଯିବ କି ? ସବୁବେଳେ ପାଠ ପାଠ କଣ ? ମଝିରେ ମଝିରେ ଶାଠ ବି ଦରକାର | କିନ୍ତୁ ବାପାଙ୍କୁ କିଛି କହିପାରେନି | ତାଙ୍କ ଗମ୍ଭୀର ମୁହଁକୁ ଆଖି ଉଠେଇ ଚାହିଁ ବି ପାରେନି ସିଏ | ଯାହା କୁହନ୍ତି ଶୁଣେ | କିନ୍ତୁ ସବୁବେଳେ ସବୁକଥା ମାନି ପାରେନି | ବେଳେ ବେଳେ ତା ବାପା ତାକୁ ପାଖରେ ବସେଇ ବହୁତ କଥା ବୁଝାନ୍ତି | କେମିତି ତାଙ୍କ ପଢିଲା ବେଳେ ତାଙ୍କ ଗାଁରେ ସ୍କୁଲ ନଥିଲା | କେତେ କଷ୍ଟରେ ଦଶ କିଲୋମିଟର ଚାଲିଚାଲି ଅନ୍ୟ ଗାଁରେ ଥିବା ସ୍କୁଲକୁ ତା’ ବାପା ପଢିବାକୁ ଯାଉଥିଲେ | ଘରୁ ଲୁଣ ଲଙ୍କା ସହିତ ବାସି ତୋରାଣି ପିଇ ଦିନ ସାରା ରହିବାକୁ ପଡୁଥିଲା | ଯେତେ କଷ୍ଟ ପଡୁ ପଛେ ପାଠକୁ କିଏ ଆଗ ବୁଝି ଅବଧାନ (ଗାଁ ଚାଟଶାଳୀର ଶିକ୍ଷକ )ଙ୍କୁ ଠିକ ଠିକ ଉତ୍ତର କହିବ , ସେଇଥିରେ ପ୍ରତିଯୋଗିତା ହେଉଥିଲା | ପଣିକିଆ, ଜ୍ୟାମିତି ସୂତ୍ର , ଗଣିତର ସୂତ୍ର ସବୁ ମୁଖସ୍ଥ ଥିଲା |

          ସବୁ ଶୁଣି ପ୍ରଶାନ୍ତ ଭାବୁଥିଲା , କାହିଁକି ଏତେ କଷ୍ଟ କରୁଥିଲେ କେଜାଣି ? ଏତେ ପରିଶ୍ରମ କରି ମଧ୍ୟ ଶିକ୍ଷକ ହେଲେ | ତା ସାଙ୍ଗମାନେ ଯେତେବେଳେ ନିଜ ନିଜ ବାପା ଆଉ ମାଙ୍କ ଚାକିରି କଥା କୁହନ୍ତି ସେତେବେଳେ ତାକୁ ବହୁତ ଲାଜ ମାଡେ | କାହା ବାପା ବ୍ୟାଙ୍କ ମ୍ୟାନେଜର ତ କାହା ମା କଲେଜ ପ୍ରିନ୍ସିପାଲ | ସେଇ ସାଙ୍ଗ ମାନେ ମଉଜ ମଜଲିସ କଲାବେଳେ ସେ ନିଜକୁ ତାଙ୍କଠୁ ଅଲଗା ଭାବେ | ତାକୁ ସେମାନେ କେତେଥର ନିଜ ଖର୍ଚ୍ଚରେ ବଡ ବଡ ହୋଟେଲରେ କେତେ କଥା ଖୁଆଇଛନ୍ତି | କିନ୍ତୁ ସିଏ କେବେ ବି କିଛି କରି ପାରିନଥିଲା | ସେଦିନ ଯେତେବେଳେ ସିଏ ମନକରି ପରୀକ୍ଷା ସରିଲା ପରେ ସମସ୍ତଙ୍କ ସହ ସିନେମା ଦେଖିଯିବାକୁ ବାହାରିଥିଲା ,ଆଉ ବୋଉକୁ ସେଥିପାଇଁ ପଇସା ମାଗିଥିଲା , ତା’ ବୋଉ ପଚାଶ ଟଙ୍କା ବଢେଇଦେଇଥିଲେ ,ଖାଇବା ବେଳେ|                      

           "ବୋଉ ମୁଁ ସିନେମା ଦେଖିବାକୁ ଯିବି ପରା ? ଏତିକି ଟଙ୍କାରେ କଣ ହେବ ?"ପ୍ରଶାନ୍ତ ଅଭିଯୋଗ କରି କହିଲା I "ଟିକେଟ କେତେ ଦାମ ଜାଣିଛୁ ନା ? ଆଉ ସାଙ୍ଗମାନେ ଥିବେ ମୁଁ ଏତେ କମ ଟଙ୍କା ଧରି କେମିତି ଯିବି କହିଲୁ ? ମୋର ମାନ ସମ୍ମାନ ବୋଲି କିଛି ଅଛି ନା ନାହିଁ ?" ଖାଇବା ଟେବୁଲରେ ବସିଥିବାବେଳେ ବୋଉ ଯାହା ଦେଇଥିଲେ ସେତକ ନେଇ ନିରବ ହୋଇଗଲା ପରେ ପୁଣି କହିଲା , "ବୋଉ ମୋର ଟାଇମ ହେଲାଣି ଟଙ୍କା ଦେ |" ରୋଷେଇଘରୁ ବୋଉ କହିଲେ, "ମୋ ପାଖରେ କିଛି ନାହିଁ , ତୁ ବାପାଙ୍କୁ ମାଗି ନେଇଯା |"

      ପ୍ରଶାନ୍ତ ବିରକ୍ତ ହୋଇ ଗରଗର ହେଉଥିଲା ବେଳେ ଘର ଭିତରକୁ ପଶି ଆସୁଥିବା ବାପାଙ୍କ ପଦଧ୍ୱନି ଶୁଣି ନିରବ ହୋଇଗଲା | ଭିତରକୁ ଆସି ଚପଲକୁ ଚପଲଥାକରେ ରଖି ବାପା ତା ଆଡକୁ ଚାହିଁ ପଚାରିଥିଲେ , “ କଣ ହେଇଛି ? କୁଆଡେ ଯିବ ସିଏ ?”

ବୋଉ କହିଥିଲା , “ପରୀକ୍ଷା ସରିଛି ତ , ସବୁ ସାଙ୍ଗ ମାନେ ମିଶି ସିନେମା ଦେଖିଯିବେ | ଯାଉ ପିଲାଟା , ମୋ ପାଖରେ ଯାହା ଥିଲା ଦେଇଛି | ସିଏ କହୁଛି ହବନି ବୋଲି | ତା କଥା ଟିକେ ବୁଝିଲ !”

ବାପା ପାଖକୁ ଆସି ମୁଣ୍ଡରେ ହାତ ବୁଲେଇ ଦେଇଥିଲେ | ଆଉ ପଚାରିଥିଲେ “ କେତେ ଟଙ୍କା ହେଲେ ହବ କିରେ? “

ପ୍ରଶାନ୍ତକୁ ସେ ଦିନଟି ବହୁତ ମନେ ପଡେ , ବାପାଙ୍କ ହାତ ତା ମୁଣ୍ଡଉପରେ ବୁଲେଇନେଲା ପରେ ତାକୁ ସ୍ଵର୍ଗ ସୁଖ ମିଳିଯାଇଥିଲା | ସେଦିନ ବାପା ବି ତା ସାଙ୍ଗରେ ସିନେମା ଦେଖି ବାହାରିଥିଲେ | ତା’ର ସବୁ ସାଙ୍ଗ, ତାକୁ ଆଉ ତା ବାପାଙ୍କୁ ଏକାଠି ଦେଖି ବହୁତ ଆଶ୍ଚର୍ଯ୍ୟ ହେଇଯାଇଥିଲେ | କିନ୍ତୁ ତା ବାପା ସବୁ ଠାରୁ ଅଧିକ ସେ ଦିନ ତାକୁ ଖୁସି କରେଇଥିଲେ | ତା ସାଙ୍ଗ ମାନଙ୍କ ପାଖରେ ତା ସମ୍ମାନ ବହୁତ ବଢେଇ ଦେଇଥିଲେ | ସିଏ ନିଜକୁ ବହୁତ ଗର୍ବିତ ମନେକରୁଥିଲା |ସିନେମା ଦେଖି ଫେରିବା ବାଟରେ ତା ପାଇଁ କଲମଟିଏ କିଣି ଦେଇଥିଲେ | ଆଉ ତାକୁ କହିଥିଲେ ମୁଁ ଜାଣିଛି ତୋର ସ୍ମରଣ ଶକ୍ତି ବହୁତ ପ୍ରଖର | ତୁ ଯାହା ଚାହିଁବୁ ତାହା ହାସଲ କରିପାରିବୁ , ମୁଁ ଚାହେଁ ତୁ ଗୋଟେ ଦକ୍ଷ ପ୍ରଶାସନିକ ଅଫିସର ହୋ |ସମାଜର ମଙ୍ଗଲ କର | ଲୋକେ ତୋ କାମକୁ ମନେ ରଖନ୍ତୁ | ତା ପରଠାରୁ ସେ ସଂକଳ୍ପ କରିନେଇଥିଲା ବାପାଙ୍କ ସ୍ଵପ୍ନକୁ ସାର୍ଥକ କରିବ | ପାଠ ପଢାରେ ସିଏ ବି ଆଗରୁ ଭଲ ଥିଲା | କିନ୍ତୁ ନିଜ ଶ୍ରେଣୀରେ ୨ୟ ହେଉଥିଲା | କେବେ ବି ୧ମ ସ୍ଥାନ ଅଧିକାର କରି ପାରିନଥିଲା | ସେ ଘଟଣ| ପରଠାରୁ ତାକୁ ନିଜ ଜୀବନର ଲକ୍ଷ୍ୟ ମିଳିଯାଇଥିଲା | ତା ପାଇଁ ସ୍ଵପ୍ନ ଦେଖୁଥିବା ବାପା ଓ ବୋଉଙ୍କ ସ୍ଵପ୍ନରେ ସିଏ ନିଜକୁ ଆବିଷ୍କାର କରିଥିଲା | ତାକୁ ଆଉ କେହି କେବେ ୨ୟ ହେବାର ଦେଖିନାହାନ୍ତି |

        ବାପା ବୋଉଙ୍କ କଥା ମାନି ପ୍ରଶାସନିକ ଅଫିସର ହେବାକୁ ମାନପ୍ରାଣ ଦେଇ ଲାଗିପଡିଲା | କିନ୍ତୁ ଭଗବାନଙ୍କ ଖେଳ ବିଚିତ୍ର , ତା’ର ପ୍ରଶାସନିକ ଅଫିସର ହେବାର ଦିନକେଇଟା ଭିତରେ ବାପା ଓ ବୋଉ ଡକା ହକା ହେଇ ଆରପାରିକୁ ଚାଲିଗଲେ | ନାତି ନାତୁଣୀର ମୁହଁ ଦେଖି ପାରିଲେ ନଥିଲେ | ଅବଶ୍ୟ ସିପ୍ରାକୁ ବାପା ବୋଉ ହିଁ ପସନ୍ଦ କରି ଆଣି ତା ସହିତ ବିଭା ଦେଇଥିଲେ | ସିପ୍ରା ବି ବହୁତ ମନ ଦୁଃଖ କରେ ଯେ , ନାତି ନାତୁଣୀଙ୍କ ସୁଖ ପାଇପାରିଲେନି ବାପା ବୋଉ | ପ୍ରଶାନ୍ତ ଓ ସିପ୍ରାଙ୍କର ଝିଅଟିଏ | ନା ଟି ତା’ର ସୀମା | ସିଏ ବି ଛୁଆଦିନୁ ନିଜ ଜେଜେବାପା , ଜେଜେମାଙ୍କୁ କେବଳ ଫଟରେ ଦେଖିଛି | ବେଳେ ବେଳେ ସୀମାକୁ ପ୍ରଶାନ୍ତ ତା ନିଜ ଛୋଟ ବେଳର କଥା ସବୁ କୁହେ | କିନ୍ତୁ ବ୍ୟସ୍ତ ଜୀବନରେ ତା ପାଇଁ ସମୟ ଦେଇପାରେନି | ତାକୁ କୁଆଡେ ବୁଲେଇ ନେଇ ପାରେନି | ସେଥି ପାଇଁ ସୀମା ଆଉ ସିପ୍ରା ଦୁହେଁ ମୁହଁ ଫୁଲାଇ ବସନ୍ତି | ସବୁବେଳେ କୁହନ୍ତି କି କଲେକ୍ଟର ହେଲ କେଜାଣି , ପରିବାର ବୋଲି କିଛି ନାହିଁ ?        

                ଏତିକିବେଳେ ଫୋନ ବାଜିଉଠିଲା .......  ପ୍ରଶାନ୍ତ ପ୍ରକୃତିସ୍ଥ ହେଲା | ତା ଅଜାଣତରେ ଲୁହ ଟୋପେ ଗଡିଆସିଥିଲା ତା ଗାଲ ଉପରକୁ | ଚାରି ଆଡକୁ ଚାହିଁଲା | ନାଁ ସିଏ ଏକୁଟିଆ ତା କେବିନ ଭିତରେ | ଲୁହ ପୋଛିଲା | ସିପ୍ରାଙ୍କ ଫୋନ ଆସିଥିଲା ସେପଟରୁ ସିପ୍ରା କହୁଥିଲେ ....

“ଶୁଣୁଛ ! ଆମ ଝିଅ ଆଜି multiplexକୁ ସିନେମା ଦେଖିଯିବ କହୁଛି | ତା ସାଙ୍ଗ ମାନକ ସହିତ , କଣ କହୁଛ ?”

ତର ତର ହେଇ ପ୍ରଶାନ୍ତ କହିଲା ,“ମୁଁ ବି ଜିବି ! ତୁମେ ବି ବାହାରୁନ ......ସମସ୍ତେ ଯିବା | ତାକୁ କୁହ ନେଟରେ ଆମପାଇଁ ବି ଟିକେଟ ବୁକ କରିଦେଉ | ଆଉ ତୁମ ଚାଉଳ ବସ୍ତା ମଧ୍ୟ ନେଇକି ଯିବି ... ଭୁଲିବିନି |”

ସିପ୍ରା ହସୁଥିଲେ ....

ମୋବାଇଲ : ୭୦୦୮୬୬୭୭୮୫

www.molekhaa.wordpress.com

ପ୍ରଶାନ୍ତ ସିପ୍ରା ବାପା

Rate the content


Originality
Flow
Language
Cover design

Comments

Post

Some text some message..