Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Mahapatra

Tragedy

4.4  

Pranati Mahapatra

Tragedy

ମାତୃ ଅଭିଶାପ

ମାତୃ ଅଭିଶାପ

6 mins
1.6K


ମାତୃ ଅଭିଶାପ

(ଦୁଇଟି ଛୋଟ ଅନୁଭୂତି)

( ୧ )

ଅନେକ ଦିନ ତଳର କଥା, ପ୍ରାୟ ମୋତେ ୫/୬ବର୍ଷ ହୋଇଥାଏ।ଗାଁ ଗହଳିରେ ମୁଁ ବଢିଛି।ସେତେବେଳେ୫/୬ବର୍ଷ ବୟସରେ ଏବେକାର ଭଳି ପିଲାମାନେ ପୁସ୍ତକ କୀଟ ନ ଥିଲେ।ସାଥି ପିଲାଙ୍କ ସହ ଦାଣ୍ଡରେ ଧୂଳି, ବାଲି,ମାଟି, ଗୋଡି,ପତର,ଫୁଲ ଇତ୍ୟାଦି କୁ ନେଇ ସଢେଇରେ ଭାତ ତିଅଣ ରାନ୍ଧିବା, ବୋହୁ ବୋହୁକା ଖେଳିବା, ମେରି,ଜହ୍ନି ଫୁଲ ଠୋ ଠା ଖେଳିବା ,ଗୁତ,ଆଉ ବରକନିଆଁ ଖେଳିବା ପ୍ରଧାନ ଖେଳ ଓ କାମ ଥିଲା।ଘରୁ ପଖାଳ ଗଣ୍ଡେ ଖାଇ ଦେଇ ଦିନ ୧୨ ଟା ଯାଏଁ ମନ ଖୁସିରେ ଖେଳୁ।ମାଆର ଡାକରେ ଘରକୁ ଯାଇ ଖାଇପିଇ ଘାଲେଇକି ଶୋଇରହୁ।

ଯେମିତି ୪ଟା ବାଜିଯାଏ ଉଠିପଡ଼ି ପୁଣି ଧାଉଁ ଖେଳିବାକୁ।ଯେଉଁ ଖେଳ ଏତେ ଆନନ୍ଦ ଦିଏ ଯେ ଦିନରାତି ମାଲୁମ ପଡେ ନାହିଁ।ଘର ପାଖରେ ଜଗନ୍ନାଥ ମନ୍ଦିରରେ ସଞ୍ଜ ଘଣ୍ଟ ବାଜିଲେ ଘରକୁ ଆସି ଗୋଡ଼ହାତ ମୁହଁ ଧୋଇ ଜେଝା ଜେଝାର ପିଣ୍ଢାରେ ବସି ପଡୁ ପ୍ରାର୍ଥନା କରିବାକୁ।ଦୀପଂ ଜ୍ୟୋତି, ଅହଲ୍ୟା ଦ୍ରୌପଦୀ ତାରା,ନମୋ ଗଣେଶ, ଆହେ ଦୟାମୟ,ତୁମେତ ଜଗତ କରତା, କଜ୍ୱଳ ପୁରିତ,ଗୁରୁବ୍ରହ୍ମା ଗୁରୁ ବିଷ୍ଣୁ, ପଣିକିଆ,ଫଳା ଇତ୍ୟାଦି ଇତ୍ୟାଦି ଶେଷ କରି,ବର୍ଣ୍ଣବୋଧ ଧରି ବସିଯାଉ।ଟିକିଏ ସମୟ ରଅ ଠଅ କରି ପଢିଦେଇ ଭାଗବତ ଶୁଣିବାକୁ ଜେଜେ, ଜେଜେ ମାଆ ସହିତ ପଳେଇ ଯାଉ।ଏ ହେଲା ଗାଆଁରେ ପିଲାଦିନର ଅଭୁଲା ସ୍ମୃତି ଓ ଦିନଚର୍ଯ୍ୟା।

ଦିନକର କଥା।ଏବେ ଏବେ ଝାପସା ଝାପସା ମନେ ପଡୁଛି।ଆମେ ମାନେ ଖୁବ୍ ହସଖୁସିରେ ଖେଳୁଥାଉ।ସାହିର ବୁଢୀମା ବୟସର ସ୍ତ୍ରୀଲୋକ କେତେ ଜଣ ଜଣେ ଦାଦାଙ୍କ ପିଣ୍ଢାରେ ବସି କଥା ହେଉଥାନ୍ତି।ଏହି ସମୟରେ ଗୋପିଆ ଦାଦା ଆସି ତାଙ୍କ ମାଆଙ୍କୁ ଘୋଷାଡି ଘୋଷାଡି ନେଉଥାନ୍ତି।ଏବେକାର ଘର ଭଳି ସେତେବେଳର ଘର ସବୁ ନୁହେଁ।ସେତେବେଳେ ପ୍ରାୟ ସମସ୍ତଙ୍କର ମାଟି ଘର।ପିଣ୍ଢା ଗୁଡ଼ିକ ବହୁତ ଉଚ୍ଚା।ପିଣ୍ଢାରେ ପ୍ରାୟ୫/୬ଟି ପାହାଚ ଥାଏ।ସେହି ପିଣ୍ଢା ଉପରୁ ଗୋପିଆ ଦାଦା ତାଙ୍କ ମାଆଙ୍କୁ ଘୋଷାଡି ଆଣୁ ଥାନ୍ତି।ସେଠାରେ ଥିବା ଅନ୍ୟମାନେ ହାଁ ହାଁ କରୁଥାନ୍ତି।ଆରେ ଆରେ ଏ ବୁଢ଼ୀ ଟାକୁ ଏମିତି ଘୋଷାଡି ଘୋଷାଡି ନେଉଛୁ କାହିଁକି?ହେଲେ ସେ ଜମା ଶୁଣୁ ନ ଥାଏ।ବଡ଼ ପାଟିକରି ଖାଲି ଗର୍ଜନ ଛାଡୁଥାଏ।ଆଉ କହୁଥାଏ...

ସବୁବେଳେ, ଯେତେବେଳେ ଦେଖ ,ଏ ଘରେ ନ ଥିବ।ମଣିଷ ଖଟିଖଟି ବିଲରୁ ଆସିବ।ଗଣ୍ଡେ ଭାତ ବାଢିଦେବାକୁ ଯେତେ ଡାକ

ଏ ମାଆ ମୋର ଘରେ ନ ଥିବ।ପେଟ କାଉଁ କାଉଁ ହେଲାଣି।ସେପଟେ ତାକୁ ଯଦି ଖାଇବାକୁ ମାଗିବ ,ସେ ବି ଗାଧୋଇ ନ ଥିବ।ତା ଛୁଆ ଧନ୍ଦା କରୁଥିବ।ମୁଁ କଣ ମରିବି ନା ଖାଇବି ବୋଲି ଜଗି ବସିଥିବି।ଚାଲ ଆଜି ଚାବି ପକେଇ ଆଜିଠାରୁ ତୋତେ ରଖିବି।ତୋ ହାତରୁ ଗଣ୍ଡେ ଖାଇଲେ ମୋତେ ଅମୃତ ଖାଇଲା ଭଳିଆ ଲାଗେ।ଆଉ ଯେତେ ଯିଏ ଦିଅନ୍ତୁ ମୋ ପେଟ ପୁରେ ନାହିଁ।ଏକଥା କଣ ତୁ ଜାଣି ନାହୁଁ।ସବୁବେଳେ, ସବୁଦିନ ବିଲରୁ ଆସି ତୋତେ ଗାଆଁ ସାରା ଖୋଜି ବୁଲିବି।ସମସ୍ତଙ୍କୁ ପଚାରି ପଚାରି ବୁଲୁଥିବି, ମୋ ମାଆ କୁଆଡେ ଗଲା କେହି ଦେଖିଛକି?ମୋ ମାଆ କାହା ଘରେ ଅଛି କେହି ଜାଣିଛକି।

ଭୋର ୪ଟା ବେଳରୁ ବିଲକୁ ଯାଇ ପରିବା ତୋଳି ଘରେ ଆସି ଗଣ୍ଡେ ଖାଇବ କଣ।ୟାକୁ ତାକୁ ଖାଇବାକୁ ମାଗି ମାଗି,ଏ ମାଆକୁ ଖୋଜି ଖୋଜି ବେଳ ଯାଉଛି।ଚାଲ୍,ଆଜି ତୋର ଦିନେ କୁ ମୋର ଦିନେ।ଭୋକରେ ଗୋପିଆ ଦାଦା ରାଗି ଯାଇଥାଏ ବହୁତ।ତାଙ୍କ ମାଆକୁ ଘୋଷାଡି ଘୋଷାଡି ନେଉଥାଏ।ବୁଢ଼ୀ ଏଣେ କହୁଥାଏ, ଇରେ ଗୋପିଆ ମୋତେ ଛାଡରେ,ମୋ ହାତ ଗୋଡ ଛିଡି ଗଲାଣି ରେ।ମୋତେ ଘୋଷାଡି ନେଏ ନାହିଁ।ମୁଁ ଯାଉଛି।ହେଲେ ଗୋପିଆ ଦାଦା କିଛି ଶୁଣୁ ନ ଥାଏ।ଆହୁରି ରାଗରେ ବୁଢ଼ୀ କୁ ମାରୁଥାଏ।ସହିବାର ସୀମା ଟପି ଯାଇଥାଏ।ବୁଢ଼ୀ କାନ୍ଦି କାନ୍ଦି କହିଲା, ରେ ଗୋପିଆ ତୁ ଯୋଉ ହାତରେ ମୋତେ ଘୋଷାଡୁଛୁ,ତୋ ହାତ ଗୋଡରେ ଖୋଡ଼କୋଷ୍ଠ ବେମାର ହୋଇଯାଉ।ତୁ ପଙ୍ଗୁ ହେଇଯା।ତୁ ୧୫ ଦିନରେ ମରିଯା ରେ।ମୋତେ କେତେ କଷ୍ଟ ଦେଉଛୁ।ସେ କାଳିଆ ତୋତେ ବିଚାର କରୁ।ତୋ ପାଟିକୁ ହାତ ନ ଯାଉ।ରାଗରେ ଜେଜେମା କେତେ କଣ ଗାଳି ଦେଉଥାଏ।ସେଥିପ୍ରତି ନିଘା ନ ଦେଇ ଗୋପିଆ ଦାଦା ବୁଢ଼ୀ କୁ ଘରକୁ ଘୋଷାଡି ଘୋଷାଡି ନେଇଗଲା।ସାହିର ଅନ୍ୟାନ୍ୟ ସବୁ ଲୋକ ଦଉଡ଼ି ଦଉଡି ଗଲେ।ସମସ୍ତଙ୍କ କୁହାବୋଲାରେ ଗୋପିଆ ଦାଦା ବୁଢ଼ୀ କୁ ଛାଡିଲା। କେହିଜଣେ ଗୋପିଆ ଦାଦାଙ୍କୁ ଭାତ ବାଢି ଦେଲା।ବୁଢ଼ୀ ଦେହହାତ ସବୁ ଖଣ୍ଡିଆ ଖାବରା ହୋଇ ରକ୍ତ ବାହାରୁ ଥାଏ।ପଡୋଶୀ ଟିକ ନାନୀ ତାଙ୍କ ଘରୁ ମଲମ ଆଣି ବୁଢ଼ୀ ଦେହରେ ଲଗାଇ ଦେଲେ।ସେଦିନର କଥା ସରିଲା।ଆମେ ସବୁ ଏସବୁ ଦେଖି ପୁରା ଚୁପଚାପ ହୋଇ ଯାଇଥିଲୁ।ସେଦିନ ବେଳାବେଳି ଘରକୁ ପଳେଇଆସିଲୁ ସମସ୍ତେ।

ତହିଁ ପରଦିନ।ସେମିତି ଖେଳୁଥାଉ।ଗତ ଦିନର କଥା ଆମେମାନେ ସବୁ ଭୁଲି ଯାଇଥିଲୁ।

ସାଙ୍ଗ ମାନେ ଖେଳୁଥିଲୁ।ହଠାତ ଗୋପିଆ ଦାଦାଙ୍କ ସ୍ତ୍ରୀ ମାନେ ଖୁଡି କାନ୍ଦବୋବାଳି କଲା।ସମସ୍ତେ ଭାବିଲେ ଖୁଡି କୁ ବୋଧହୁଏ ଗୋପିଆ ଦାଦା ବାଡୋଉଛନ୍ତି କି କଣ।ସାହିରେ କାହାର କିଛି ହେଲେ କି ଶୁଣିଲେ ସମସ୍ତେ ରୁଣ୍ଡ ହୋଇଯାନ୍ତି।ସମସ୍ତେ ଯାଇ ସେଇଠି ପହଞ୍ଚି ଗଲେ।କଣ ହୋଇଛି, କଣ ହୋଇଛି, ବୋଲି ବୁଝୁ ବୁଝୁ, ଗୋପିଆ ଦାଦା ବିଛଣାରୁ ଉଠି ପାରୁ ନାହାନ୍ତି।ବିଲକୁ ଯାଇ ପାରିଲେ ନାହିଁ, କି ଚା ପିଇବାକୁ ଡାକିଲାରୁ ଉଠି ପାରିଲେ ନାହିଁ, କି ଖାଇବାକୁ ଡାକିଲେ ବି ଏକଦମ ଚୁପ ହୋଇ ଯାଇଛନ୍ତି।ହାତ,ପାଦ ହଲେଇ ପାରୁ ନାହାଁନ୍ତି।କଣ କରିବେ, କଣ କରିବେ ବୋଲି ଖୁଡି ଖାଲି କାନ୍ଦୁଥାଏ।

ଏଣେ ଜେଜେମା ବି ଖାଲି କାନ୍ଦୁଥାଏ।ଗୋପିଆ ରେ ,ଉଠରେ ଖାଇବୁ।ହେଲେ ଗୋପିଆ ବଲବଲ କରି ଅନେଇ ଥାଏ ଓ ଆଖିରୁ ଲୁହ ଗଡାଉଥାଏ। ଏମିତି ଏମିତି ଭିତରେ କେହିଜଣେ କହିଲେ, ଏଇ ପାଖ ଗାଆଁରେ ଜଣେ ସାଧୁ ମହାତ୍ମା ହୁକୁମ ଦେଉଛନ୍ତି ।ବାବା ମଣିଙ୍କ ଦୟାରୁ ସମସ୍ତେ ଭଲ ହୋଇ ଯାଉଛନ୍ତି।ସେଠିକାର ଲୋକମାନେ କହନ୍ତ ସେ ମଣିବାବା ସାକ୍ଷାତ ଜୀବନ୍ତ ଠାକୁର।ଡାକିଲେ ଓ ବୋଲି ଶୁଣନ୍ତି।ସେଇଠିକୁ ନେଇଗଲେ ସେ ଭଲ କରିଦେବେ।

ସାହିର କେତେଜଣ ଲୋକ ମିଶି ଗୋପିଆ ଦାଦାଙ୍କୁ ସେଇଠିକୁ ନେଇଗଲେ।ସେଠାରେ ଦାଦାଙ୍କୁ କିଛି ଦିନ ରଖିବା ପରେ ମଣିଙ୍କ ଦୟାରୁ ନିର୍ଦ୍ଦେଶ ଆସିଲା।ଗୋପିଆ ତୁ ଯାହା କଲୁ କିଛି ଠିକ୍ କଲୁନି।ଏବେ ଘରକୁ ଯାଅ ।ମାଆକୁ ପୂଜା ଖରି ଶାନ୍ତି ଦେଲେ ଯଦି ତା ପାଟିରୁ ତୋ ପାଇଁ ସୁକଲ୍ୟାଣ ବାହାରିବ।ତେବେ ଯାଇ ତୁ ଭଲ ନିଶ୍ଚୟ ହୋଇଯିବ।

ସେଠାରୁ ଗୋପିଆ ଦାଦାଙ୍କୁ ଘରକୁ ନେଇ ଆସିଲେ।ସେ ତ ଉଠି ବସି ପାରୁ ନଥାନ୍ତି।ଖାଲି ମାଆର ଗୋଡ ଧରି କାନ୍ଦୁଥାନ୍ତି।ଧୀରେ ଧୀରେ ଗୋପିଆ ଦାଦା ର ଦେହ ହାତ ସବୁ ଘାଆ ହୋଇଗଲା। ଆଉ କିଛି ଖିଆପିଆ କରୁ ନ ଥାନ୍ତି।ଖାଲି ମାଆକୁ ଅନେଇ ଆଖିରୁ ଲୁହ ଗଡେଇ ଚାଲିଥାନ୍ତି।ମାଆ ମନ।ମାଆବି ପୁଅକୁ ଆଉଁସି ଆଉଁସି କାନ୍ଦୁଥାଏ।

ନିଜକୁ ନିଜେ ଗାଳି ଦେଉଥାଏ।କାହିଁକି ଏମିତି ନିଉଛୁଣା କଥା କହି ଗାଳିଦେଲି ବୋଲି ନିଜକୁ ଧିକ୍କାର କରୁଥାଏ ଜେଜେମା।ପୁଅକୁ କେତେ ଭଲପାଏ ଜେଜେମା।ତା ମୁହଁରେ ଟିକିଏ ବି ହସ ନ ଥାଏ।ଏମିତି ପଡି ପଡି ଗୋପିଆ ଦାଦାର ଦିନକୁ ଦିନ ଦେହହାତ ସାରା ଘାଆ ଘାଉଡ଼ ହୋଇଗଲା।ଏମିତି କି ପାଟି ବି ପଡିଗଲା।ପଡିପଡି ୧୭ଦିନ ଭିତରେ ଗୋପିଆ ଦାଦା ମରିଗଲା।ଗୋପିଆ ଦାଦା ମରିବାର ମାସଟିଏ ନ ପୁରୁଣୁ ତାଙ୍କର ୯ବର୍ଷର ପୁଅ ହରିଆ ବି ଜ୍ଵର ରୈ ପଡି ମରିଗଲା।ବାକି ରହିଲେ ଖୁଡି ଆଉ ତାଙ୍କ ତିନି ଝିଅ।ସାତବର୍ଷର, ପାଞ୍ଚ ବର୍ଷର, ତିନି ବର୍ଷର ତିନୋଟି ଝିଅ।ଜେଜେମା ସବୁବେଳେ ପୁଅ ନାତି କଥା ଭାବି ଭାବି କାନ୍ଦୁ ଥାଏ।ସମସ୍ତେ କୁହାକୁହି ହେଉଥାନ୍ତି ମାତୃ ଅଭିଶାପ ଅକାଟ୍ୟ।ଜେଜେମା ରାଗରେ ରାଗରେ ଯାହା କିଛି ଗାଳି ଦେଇଥିଲା ସବୁ ପଡିଗଲା ଗୋପିଆ ଦାଦା ଆଉ ତା ପରିବାର ଉପରେ।ରାଗରେ ଆଉ ଯନ୍ତ୍ରଣା ସମୟରେ ବୁଢ଼ୀ ପାଟିରୁ ବାହାରି ଯାଇଥିଲା ଯେ , ତୋ ବଂଶ ବୁଡିଯାଉ ବୋଲି।

ତା ବି ହେଲା। ଜେଜେମା ବି ଚାଲିଗଲା।ହେଲେ ଏବେ ପର୍ଯ୍ୟନ୍ତ ସେ ବଂଶରେ ଗୋଟିଏ ହେଲେ ପୁଅ ନାହାନ୍ତି କି ସେ ବଂଶରେ ଥିବା ଝିଅ ମାନଙ୍କର ଦୂରାବସ୍ଥା କହିଲେ ନ ସରେ।ଏବେବି ଲୋକଙ୍କ ମନରେ ଗୋପିଆ ଦାଦା ତାଙ୍କ ମାଆଙ୍କୁ ଘୋଷାଡି ଘୋଷାଡି ଆଣୁଥିବା ଓ ଜେଜେମା ର ଗାଳି କଥା ମନେ ପଡିଯାଉଛି।ଏବେ କାର ଜେଜେମା ମାନେ ନାତିନାତୁଣୀଙ୍କୁ ସେହି କଥା ଗପ ଛଳରେ କହୁଛନ୍ତି।

(୨ )

ଗାଆଁରେ ସେତେବେଳେ ବାଦାମ ଉପୁଡା ସମୟ ଓ ବାଦାମ ଛଡେଇବା ସମୟ।ଗରିବ ଲୋକଙ୍କର ଜମିବାଡ଼ି ନ ଥାଏ।ସେମାନେ ଆସି ଯେଉଁ ମାନଙ୍କର ବାଦାମ ଗଛସହ ଆସେ ,ସେମାନଙ୍କ ଘରକୁ ଆସି ଛଡାଇ ଥାନ୍ତି।୧୨ପାଛିଆ ଛଡେଇଲେ ଗୋଟିଏ ପାଛିଆ ତାଙ୍କୁ ଦିଆଯାଏ।ସେଥିପାଇଁ ପ୍ରାୟ ପରିବାରର ଶାଶୁ, ଶ୍ୱଶୁର, ପୁଅ,ବୋହୁ,ନାତିନାତୁଣୀଙ୍କୁ ଧରି ସମସ୍ତେ ଚାଲି ଆସନ୍ତି ବାଦାମ ଛଡେଇବାକୁ।ଠିକ୍ ୧୨ବେଳକୁ ବୋହୁଟି ପଳେଇ ଯାଏ ରୋଷେଇ କରିବାକୁ।ଅନ୍ୟମାନେ ୧/୨ଟା ବେଳକୁ ଯାଆନ୍ତି।ନାରଣ ବୋଲି ଜଣେ ଲୋକ।ତା ପରିବାର ସାରା ସମସ୍ତେ ପଳେଇ ଆସନ୍ତି।ନାରଣର ସ୍ତ୍ରୀଲୋକଟି ବହୁତ ଦୁଷ୍ଟ ପ୍ରକୃତିର।ତାକୁ ସେ ପରିବାରର ସମସ୍ତେ ଭୟ କରନ୍ତି।ସେମାନେ ସବୁ ବାଦାମ ଛଡେଇବା ପାଇଁ ଆସନ୍ତି।ହେଲେ ନାରଣ ମାଆ ୧୨ଟା ବେଳକୁ ଘରକୁ ଯାଏ,ରୋଷେଇ କରି ରଖିଥାଏ।ଏମାନେ ଘରକୁ ଗଲେ ଖାଆନ୍ତି।ବୁଢ଼ୀ କୁ ବୋହୁ ସବୁ କାମ କରାଏ।ବୁଢ଼ୀ କିଛି କୁହେନି।ଭାରି ସରଳିଆ ବୁଢ଼ୀ ଟିଏ।ଦିନେ କଣ ହୋଇଛି।ସବୁ ଲୋକ ହୋ ହାଲ୍ଲା ହେଲେ।ଆମେ ତ ଛୁଆ।ଆମେ କଣ ବା ଜାଣିଛୁ।ସମସ୍ତେ ଦଉଡା ଦଉଡି ହୋଇ ଗଲେ ନାରଣ ଘରକୁ ।ଘଟଣା କଣ ବୁଝୁବୁଝୁ ,ବୁଢ଼ୀ ପିଠିରେ ବୋହୁର ହାତ ଲାଖି ଯାଇଛି ଯେ ବାହାରୁନି।ଏ କଣ ? ପଚାରିଲାରୁ ବୋହୁର ପାଟି ଚୁପ୍।ଲାଜରେ ବୋହୁ କିଛି କହୁ ନ ଥାଏ।ବୋହୁକୁ ଡ଼ରି ବୁଢୀ ବି କିଛି କହୁ ନ ଥାଏ।

ଧୀରେ ଧୀରେ କଥା ବାହାରିଲା।ଶାଶୁ ଗୋଟିଏ କଳସୀ ପାଣି ଦାଣ୍ଡ କଳରୁ ଆଣିବା ସମୟରେ କଳସୀ ଟି ତଳେ ପଡି ଭାଙ୍ଗିଗଲା। ବୁଢ଼ୀ ବୋହୁର ଭୟରେ ଆଉ ରନ୍ଧା ବଢା କିଛି ନ କରି ଗୁମ୍ ମାରି ବସିଥାଏ।

ବୋହୁ ଘରେ ପହଞ୍ଚି ବୁଢ଼ୀ ର ଏସବୁ କଥା ଦେଖି ରାଗ ପଞ୍ଚମ କୁ ଉଠି ଯାଇଥିଲା।ରାଗରେ ବୁଢ଼ୀ ପିଠିକୁ ପିଠିକୁ ମାରି ଚାଲିଲା।ବୁଢ଼ୀ ବୋହୁର ମାଡ ସହି ନ ପାରି ଗାଳିଦେଲା।କହିଲା ତୋତେ ଦଇବ ବିଚାର କରୁ।ତୋ ହାତ ତୋ ପାଖକୁ ନ ଯାଉ।ଏମିତି ନାନା କଥା ଭିତରେ ବୋହୁର ହାତ ବୁଢ଼ୀ ପିଠିରେ ଅଠା ପରିକା ଲାଗି ଗଲା।

ଧୀରେ ଧୀରେ ଲୋକ ସବୁ ଦେଖିଲେ, ବୋହୁ କୁ ନାନା ପ୍ରକାର ଛି ଛାକର କରି ଗାଳି ଦେଲେ।ବଡ଼ବଡ଼ ଗୁରୁ ଗୁରୁଜନ ଲୋକ ବୋହୁ କୁ କହିଲେ ଯେ ଶାଶୁ କୁ ଭୁଲ ମାଗ।କାଳେ ହାତ ବାହାରି ଯିବ।

ହେଲେ ଯେତେ ଯାହା ଚେଷ୍ଟା କଲେ ବି ହାତ ବାହାରିଲା ନାହିଁ।ଠାକୁର, ବାକୁର ପାଖରେ ଅଧିଆ ପଡିଲେ,୨୨ଦିନ ପରେ ଶାଶୁ ପିଠିରୁ ବୋହୁର ହାତ ବାହାରିଲା।ଠାକୁର ବୋହୁକୁ କଣ ସ୍ଵପ୍ନାଦେଶ ଦେଲେ କେଜାଣି, ସେଦିନ ଠାରୁ ବୋହୁ ଶାଶୁ ଶଶୁରଙ୍କୁ ଠାକୁର ଭଳି ପୂଜା କରି ରଖିଲା।ସେମାନଙ୍କୁ କିଛି କାମ କରାଇଲା ନାହିଁ।ସେମାନେ ସେଦିନ ଠାରୁ ଖୁସିରେ ରହିଲେ।

ପ୍ରଣତି ମହାପାତ୍ର

ଫକୀରମୋହନ ନଗର

ବାଲେଶ୍ଵର


Rate this content
Log in

Similar oriya story from Tragedy