Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rama Chandra Padhi

Tragedy

3  

Rama Chandra Padhi

Tragedy

ଶେଷ ସନ୍ତକ

ଶେଷ ସନ୍ତକ

5 mins
544


ଚାରିପଟେ ଘେରି ବସିଥିବା, ଦୁଇ ପୁଅ, ବୋହୁ, ଏକମାତ୍ର ଅଲିଅଳି ଝିଅ କାଦମ୍ବିନୀ ଓ ନାମୀ ଘରୋଇ ବ୍ୟାଙ୍କ ରେ ମ୍ୟାନେଜର ଥିବା ଜୋଇଁକୁ ଏକା ସଙ୍ଗେ ପାଖରେ ଦେଖି ବି ସେଦିନ କାହିଁକି ଲକ୍ଷ୍ମୀଧର ମାଷ୍ଟ୍ରେଙ୍କ ମନରେ ତିଳେ ବି ଖୁସି ନଥିଲା।

ମାଷ୍ଟ୍ରେ ଏବେ ସରକାରୀ ପେନସନ ଭୋଗୀ। ଚାରି ବର୍ଷ ହେଲା ସ୍ତ୍ରୀ ଆରପାରିରେ। ତିରିଶି ବର୍ଷ ଧରି ବହୁ ଛାତ୍ରଛାତ୍ରୀଙ୍କୁ ଉଦ୍ଭିଦ ବିଜ୍ଞାନର ଜ୍ଞାନ ଦେବାପରେ, ଆଜି ସେ ଜ୍ଞାନ ନେଉଥିଲେ ନିଜ ସନ୍ତାନ ମାନଙ୍କ ଠୁ। ଦେଖା ହେବାକୁ ତର ନ ଥିବା ମଣିଷ ଗୁଡିକ ଆଜି ହଠାତ ଏକଜୁଟ ହୋଇଛନ୍ତି। ବହୁ ଦିନ ପରେ ପୁରା ପରିବାର ତାଙ୍କ ପାଖରେ ଅଛି। ଯୋଉମାନେ ବାପାଙ୍କୁ କ୍ଷଣେ ସମୟ ଦେଇ ପାରୁନଥିଲେ, ଆଜି ଚାତକପରି ଅନାଇ ବସିଛନ୍ତି। ବାପାଙ୍କ ମୁହଁରୁ ପଦୁଟିଏ କଥା ଶୁଣିବାକୁ।

ବାପା କିଛି ତ କୁହ, ବାହାରେ ଲୋକମାନେ ଅପେକ୍ଷା କରିଛନ୍ତି।

ବଡ଼ପୁଅ ହାତ ପାପୁଲିକୁ ଜାବୁଡି ଧରି କହିଲା। ମାଷ୍ଟ୍ରେଙ୍କ ସ୍ମୃତିରୁ ହଜିଯାଇଥାଏ, ଶେଷଥର କେବେ ଏମିତି ସେ ତାଙ୍କ ପାପୁଲିକୁ ଧରିଥିଲା। ବୋଧେ ପିଲାବେଳେ, ଯେତେବେଳେ ସେ ଚାଲି ଶିଖୁଥିଲା, ପଡିଯିବା ଭୟରେ ତା କୁନି, କୁନି ହାତରେ ତାଙ୍କ ଆଙ୍ଗୁଟି କୁ ଜାବୁଡି ଧରି ପକାଉଥିଲା। ସେ ଦିନ ବି ତା'ର ସ୍ୱାର୍ଥ ଥିଲା, ଆଜି ବି ତା ସ୍ୱାର୍ଥ ତାକୁ ଟାଣି ଆଣିଛି ବାପାର ହାତ ପାଖକୁ।

ବାପା ତମେ କଣ ଚାହୁଁନ ଆମେ ଭଲରେ ଚଳିବୁ? ଆମ ପିଲାମାନେ ବଡ଼, ବଡ଼ ସ୍କୁଲରେ ପଢିବେ। ଆମ ପାଖରେ ବି ଦାମିକା କାର, ବ୍ୟାଙ୍କ ବଲାନ୍ସ ରହିବ। ସାନବୋହୂ ଅଧା ଓଢଣି ତଳୁ ମୁହଁକୁ ଫୁଲାଇ କହିଲା।

ଆରେ, ତମେମାନେ କାହିଁକି ବାରମ୍ବାର ଗୋଟିଏ ପ୍ରଶ୍ନ ପଚାରି ବାପାଙ୍କୁ ହଇରାଣ କରୁଛ। ସେ କ'ଣ କେବେ ଆମ ଖୁସି ପାଇଁ କୋଉ କଥାରେ ଅରାଜି ହେଇଛନ୍ତି ଯେ ଆଜି ମନା କରିବେ। ତମେ ଜାଣିନା ଭାଉଜ, ପିଲାବେଳେ ନା ବାପା ଆମମାନଙ୍କ ଖୁସିପାଇଁ ବହୁ କଷ୍ଟ ସହିଛନ୍ତି, ତ୍ୟାଗ କରିଛନ୍ତି। ଆଜି କଣ ସେ ଆମର ଏ ଛୋଟ କଥା ରଖିବେନି!

ମାଷ୍ଟ୍ରେ ବୁଲି ଚାହିଁଲେ ଗେହ୍ଲା ଝିଅ ଆଡକୁ, ଚଷମା ତଳେ ଆଖିରୁ ବହିବା ଅପେକ୍ଷାରେ ଥିବା ଦୁଇ ଟୋପା ଲୁହକୁ କେହି ବି ଦେଖି ପାରୁ ନ ଥିଲେ କିମ୍ବା କେହି ଦେଖିବାକୁ ଚାହୁଁ ନ ଥିଲେ। ଲାଗିଲା ଝିଅ ତାଙ୍କର ବହୁତ ବଡ଼ ହେଇଯାଇଛି। କେବଳ ଶାରୀରିକ ସ୍ତରରେ ନୁହେଁ, ମାନସିକ ସ୍ତରରେ ବି। କଥାର ଚାତୁରୀରେ ସେ ସିଦ୍ଧହସ୍ତ ପାଲଟିଯାଇଛି। ଏ ସେହି ଝିଅ ଯାହାକୁ ସେ କଥା କହିବା ଶିଖାଇଥିଲେ। କହିବା ଶୈଳୀ ଆଜି ସେ ତାଙ୍କୁ ଶିଖାଉଥିଲା।

ମାଷ୍ଟ୍ରେ, ଆଖିର ଲୁହକୁ ପୋଛିଦେଇ ଝରକା ପଛରୁ ଦେଖା ଯାଉଥିବା ବାରିପଟ ନଡ଼ିଆ ଗଛକୁ ଚାହିଁଲେ। ସବୁ ମୋହମାୟା, ଛନ୍ଦ, କପଟ, ଯନ୍ତ୍ରଣାରୁ ଉର୍ଦ୍ଧରେ ଗଛଟି ପବନକୁ ସାଥି କରି ଆନନ୍ଦରେ ଦୋହଲୁ ଥାଏ। ନିଃସ୍ୱାର୍ଥରେ ଝୁଲାଉଥାଏ ପକ୍ଷୀ ଛୁଆମାନଙ୍କୁ, ଯାହାଙ୍କୁ ମା ପକ୍ଷୀମାନେ ବିଶ୍ୱାସରେ ତା କୋଳରେ ଛାଡିଦେଇ ଯାଇଛନ୍ତି ଖାଦ୍ୟର ଅନ୍ୱେଷଣରେ। ସତେ ଯେମିତି ସେ ସେହି କୋମଳ, ନିରୀହ ଛୁଆ ପକ୍ଷୀ ଗୁଡିକର ନିଜ ମା।

ମା, ପ୍ରକୃତିର କି ଅପୂର୍ବ ସୃଷ୍ଟି। ସ୍ୱାର୍ଥହୀନ ତ୍ୟାଗର ଭଣ୍ଡାର ଭଗବାନ କେବଳ ତା'ରି ହୃଦୟରେ ଭରି ଦେଇଛନ୍ତି। ମା କୁ ଛାଡିଦେଲେ ବାକି ସବୁ ଲାଗନ୍ତି ଯେମିତି ଏ ପୃଥିବୀକୁ ସେମାନେ ଆସିଛନ୍ତି ନିଜ ନିଜ ସ୍ୱାର୍ଥ ହାସଲ କରିବାକୁ। ମାଷ୍ଟ୍ରେ ଭାସିଗଲେ ଅତୀତର ସ୍ରୋତରେ।

ବୟସ ବୋଧେ ତାଙ୍କୁ ଛ କି ସାତ ହେବ। ସେତେବେଳେ ଆଜିକାଲିକା ଭଳି ଅସରାଏ କି ଦି ଅସରାଏ ବର୍ଷା ହୋଇ ଛାଡି ଯାଉ ନଥିଲା। ସାତ ଦିନିଆ ଝିପିଝିପି ବର୍ଷାରେ ଭିଜି ଯାଉଥିଲା ଧରିତ୍ରୀ। କିନ୍ତୁ ବର୍ଷାର ଅଧିକାଂଶ ଜଳ ସମୁଦ୍ରକୁ ବୋହି ନ ଯାଇ ସାଇତି ହୋଇଯାଉଥିଲା, କୂଅ, ପୋଖରୀ ଏବଂ ପୃଥିବୀର ଗର୍ଭରେ। ଭବିଷ୍ୟତରେ ମଣିଷର ଉପଯୋଗରେ ଆସିବାକୁ। ବାପ କୁହନ୍ତି, ଏମିତି ବର୍ଷା ଆମ ଚାଷୀଙ୍କ ପାଇଁ ଅମୃତ ତୁଲ୍ୟ। ଆଉ ତାଙ୍କ ପାଇଁ ଏ ବର୍ଷା ଆଣି ଦେଇଥାଏ ଅପାର ଖୁସିର ଉପହାର। ସ୍କୁଲ ଛୁଟି ସାଙ୍ଗକୁ, ମୁଢି, ଚଣା, ପିଠାପଣାରେ ଘର ଭାସି ଉଠୁଥିଲା।

ସେ ଦିନ ବି ବୋଉ ପିଠା କରିବାକୁ ରାଧୁଆ ଦାଦାର ବୋହୁ ଆଣିଥିବା ଗୋଟା ନଡ଼ିଆକୁ ଖଟ ତଳୁ କାଢ଼ିଲା। ନଡ଼ିଆଟି ଶୁଖି ଗଜା ହେଇଯାଇଥାଏ।

ବୋଉ ଏ ନଡ଼ିଆଟା ଏମିତି କ'ଣ ହେଇଛି? ସେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ। ଜୀବନରେ ସେ ପ୍ରଥମ ଥର ପାଇଁ ନଡ଼ିଆ ଗଜା ଦେଖିଲେ।

ଏଇଟା ତୋ ପରି ଛୋଟ, କୁନି ନଡ଼ିଆ ଗଛଟା, ୟାକୁ ମାଟିରେ ପୋତିଦେଲେ ବଡ଼ ଗଛ ହେଇଯିବ। ବୋଉ ହସିଦେଇ କହିଲେ।

ଏ ନଡ଼ିଆକୁ ଭାଙ୍ଗିଦେଲେ, ଏ କୁନି ଗଛଟା ମରିଯିବନି?

ନ ଭାଙ୍ଗିଲେ ପିଠା କେମିତି ହେବ, ତୁ ଖାଇବୁ କେମିତି?

ବୋଉ ମୋତେ ପିଠା ଦରକାର ନାହିଁ, ଚାଲେ ବାରିରେ ପୋତିବା। ପୁଅର ଅଳି ଆଗରେ ବାଧ୍ୟ ହେଲେ ବୋଉ।

ସମୟ ସହ ତାଳ ଦେଇ ବଢି ଚାଲିଲା ନଡ଼ିଆ ଗଛ ଆଉ ମାଷ୍ଟ୍ରେ ବି। ସେ ଗଛଟା ତାଙ୍କ ପାଇଁ କେବଳ ଯେ ଗୋଟେ ଗଛ ଥିଲା ତାହା ନୁହେଁ, ସେ ଥିଲା ତାଙ୍କର ସାନ ଭାଇ, ଅନ୍ତରଙ୍ଗ ବନ୍ଧୁ, ବୋଉ ଚାଲିଗଲା ପରେ ଗଛଟି ତାଙ୍କର ବୋଉ ବନିଯାଇଥିଲା।

କେତେ ଖେଳିଛନ୍ତି ଏହାର ବାହୁଙ୍ଗାରେ, ଗଛରେ ଚଢ଼ି କଥା ହେଇଛନ୍ତି ଚଢେଇ ଛୁଆ ମାନଙ୍କ ସଙ୍ଗେ। ଆଉ ଟାଣ ଖରାରୁ ବୁଲି ଆସିଲା ବେଳେ ବୋଉ ଆଣି ଦଉଥିଲା ପଇଡ଼ ପାଣି। ଓଃ କି ଶାନ୍ତି ଲାଗୁଥିଲା। ଆଜି ବି ତା ଛାଇ ତଳେ ଠିଆ ହେଲେ ଲାଗେ ଯେମିତି ବୋଉ ପଣତ କାନିର ଓଢଣୀ ଭିତରେ ସୁରକ୍ଷିତ ଅଛନ୍ତି ସେ। ଏହା ଏକ ଗଛ ନୁହେଁ ଶେଷ ସନ୍ତକ ବୋଉର। କିନ୍ତୁ ଏ ସ୍ୱର୍ଥୀ ପିଲାମାନେ ଏକଥା କାହୁଁ ବୁଝିବେ। ଗଲା କିଛି ଦିନରୁ ସେମାନେ ମାଷ୍ଟ୍ରେଙ୍କ ପଛରେ ପଡିଯାଇଛନ୍ତି, ଗଛଟିକୁ କାଟି ବାହାର କରିବାକୁ। ସେଠି ବଡ଼ କୋଠା ହବ, ଲକ୍ଷ ଲକ୍ଷ ଟଙ୍କା ମିଳିବ। ଏ ଗଛଟା କିଛି ନଡ଼ିଆ ବ୍ୟତୀତ କ'ଣ ବା ଦଉଛି।

ଯଦି ଗଛ ହିଁ ନଥିବ ଟଙ୍କାକୁ ଧରି ମଣିଷ କରିବ କ'ଣ? ସେ ମନେ ମନେ ଭାବିଲେ, କେମିତି ଗଛଟିକୁ କାଟିବାକୁ କହିବେ।

ତାହାଲେ ବାପା ମୁଁ ଯାଉଛି କହିଦେବି ଗଛଟା କାଟି ଦେବା ପାଇଁ। ସାନ ପୁଅର ନିର୍ଦୟୀ ଶବ୍ଦ ବାଣ ତାଙ୍କ ହୃଦୟକୁ କ୍ଷତାକ୍ତ କରିଦେଲା। ସେ ତାକୁ ଅଟକାଇବାକୁ ଚାହୁଁଥିଲେ, କିନ୍ତୁ ପାରିଲେନି। ଗଳା ଶୁଖିଗଲା, ମୁହଁରୁ ଶବ୍ଦ ବହାରିଲାନି, ଶରୀର ଶକ୍ତିହୀନ ହେଇଗଲା। ସେ ମୁକ, ବଧିର ଭଳି ଚୁପ ଚାପ ଚାହିଁ ରହିଥିଲେ ପୁଅର ଯିବା ପଥକୁ।

କାଲିର ମଫସଲ ଗାଁ ଆଜି ସହରର କେନ୍ଦ୍ରସ୍ଥଳ ପାଲଟି ଯାଇଛି। ମୂଲ୍ୟହୀନ ଜମି ହଠାତ ମୂଲ୍ୟବାନ ହୋଇଯାଇଛି। ସେଇ ଜମି ଆଗରେ ମୂଲ୍ୟହୀନ ହେଇଯାଇଛି ମଣିଷର ମଣିଷତ୍ୱ। ଟଙ୍କା ଲୋଭରେ ଅନ୍ଧ ହୋଇ କାଟି ଚାଲିଛି ସହ ସହ ଗଛ, ଗଢି ଚାଲିଛି କଂକ୍ରିଟର ଜଙ୍ଗଲ। ଖୋଳି ଚାଲିଛି ନିଜ କବର।

ହଜିଗଲା ସେ ଦିନସବୁ ପଖାଳ ଭାତ ସହ ବାରିର ଶାଗ ଭଜାର ସ୍ୱାଦ। ବାରି ଟମାଟୋ, ବାଇଗଣ ପୋଡ଼ାରେ କଞ୍ଚା ଲଙ୍କାର ମଜ଼ା। ବୋଉର ହାତ ଲଗା କିଆରୀରେ ଝୁଲିଥିବା ପନିପରିବାକୁ ଦେଖିଲେ ମନ ଭରିଯାଉଥାଏ। ଆଉ ବସନ୍ତର ସୁଲୁ ସୁଲିଆ ପବନ ସ୍ରୋତରେ ଭାସି ଆସୁଥିବା ବାରି ଫୁଲ ମହକରେ ମହକି ପଡୁଥିଲା ପୁରା ଘର। କିନ୍ତୁ ଆଜିର ମଣିଷକୁ କୁତ୍ରିମତା ଗ୍ରାସ କରିସାରିଛି। ଅମୃତ ବିଷ ମଧ୍ୟରେ ପାର୍ଥକ୍ୟ କରିବାର ଶକ୍ତି ତାର ଆଉ ନାହିଁ। ନିଜ ଉପାର୍ଜନର ଅମୃତ ଠାରୁ ଆଦରି ନେଇଛି ପର ହାଥର ବିଷକୁ।

ହଠାତ କଡ଼ମଡ଼ ଶବ୍ଦରେ କମ୍ପି ଉଠିଲା ଚାରି ଦିଗ, ଦୋହଲି ଗଲା ଘର ଭିତରଟା ସତେ ଯେମିତି ଭୂମିକମ୍ପ ଆସିଲା। ମାଷ୍ଟ୍ରେ ପୁଣିଥରେ ବୁଲି ଦେଖିଲେ ଝରକା ବାହାରକୁ, କିଛି ସମୟ ଆଗରୁ ହସୁଥିବା ଗଛଟା ଶୋଇପଡ଼ିଥିଲା ଭୁଇଁ ଉପରେ। ହାରି ଯାଇଥିଲା ମଣିଷର ଲୋଭ ଆଗରେ। ଦୁଃଖୀ ଲାଗୁଥିଲା, ବୋଧେ ତା କୋଳରେ ବଢୁଥିବା ଚଢେଇ ଛୁଆ ଗୁଡିକର ରକ୍ଷା ନ କରି ପାରିଥିବା ହେତୁ। ଏବେ ବି ତା ଚାରି ପାଖରେ ଘେରି ରହିଥିଲେ କିଛି ଅମଣିଷ, ଯେମିତି ଅଭିମନ୍ୟୁକୁ ଘେରି ରହିଥିଲେ ମହାଭାରତ ଯୁଦ୍ଧରେ। ପରିଣତି ହେଲା କ'ଣ? କୌରବ ବଂଶର ମୂଳ ଲୋପ। ଏ ମଣିଷ ବି ନିଜକୁ ଲୋପ କରିବା ପଥରେ ବଢୁଛି। ନିଜ ସ୍ୱାର୍ଥ ପାଇଁ ଏ ସୁନ୍ଦର ପୃଥିବୀର ସୌନ୍ଦର୍ଯ୍ୟକୁ ନଷ୍ଟ କରୁଛି।

ଜେଜେ, ଜେଜେ ନଡ଼ିଆ ଗଛ ତ ବାପା କାଟିଦେଲେ, ଏ ଛୁଆ କାଉ ରହିବ କୋଉଠି? ତା ଘର ଭାଙ୍ଗି ଆମ ଘର କରିବା କଣ ଠିକ କି? ପାଞ୍ଚ ବର୍ଷର ନତୁଣୀ କାଉ ଛୁଆଟିଏ ହାତରେ ଧରି ପଚାରିଲା। ଲୁହ ଝରାଇବା ବ୍ୟତୀତ ଅନ୍ୟ କିଛି ଉତ୍ତର ନ ଥିଲା ମାଷ୍ଟ୍ରେଙ୍କ ପାଖରେ। ଶିକ୍ଷକତା ଜୀବନ ମଧ୍ୟରେ ସେ ପ୍ରଥମ ଥର ଗୋଟେ କୁନି ଝିଅର ପ୍ରଶ୍ନର ଉତ୍ତର ଦେବାରେ ଅସମର୍ଥ ଥିଲେ।

ତମେ ମନ ଦୁଖ କରନା ଜେଜେ, ମୁଁ ନା ଡାଡିଙ୍କୁ ଲୁଚାଇ ବହୁତ ଗଛ ଲାଗେଇବି। ଏ କାଉ ଛୁଆ ଭଳି ବହୁତ ଚଢେଇ ଛୁଆକୁ ସେଠି ରଖିବି। ତମେ, ଆଉ ମୁଁ ମିଶି ସେମାନଙ୍କ ସାଙ୍ଗେ ଖେଳିବା। ଗୋଟେ ହାତରେ କାଉ ଛୁଆଟିକୁ ଧରି, ଅନ୍ୟ ହାତରେ ପୋଛି ଦେଉଥାଏ ଜେଜେ ଆଖିରୁ ବହି ଯାଉଥିବା ଲୁହର ଧାରକୁ।

ନିଜ କୋହକୁ ମାଷ୍ଟ୍ରେ ସମ୍ଭାଳି ପାରିଲେନି, ନାତୁଣୀକୁ ଜାବୁଡି ଧରି ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ। ବାସ କିଛି କ୍ଷଣ ମଧ୍ୟରେ ସେ ପୁଣି ନିରବ ହେଇଗଲେ।

ଡାଡି, ଡାଡି ଦେଖ ଜେଜେଙ୍କ କଣ ହେଲା, ସେ ତଳେ ପଡିଗଲେ। ଝିଅଟି ରଡିବାକୁ ଲାଗିଲା। ସମସ୍ତେ ଦୌଡ଼ି ଆସିଲେ କିନ୍ତୁ ସେତେବେଳକୁ ଲଷ୍ମୀଧର ମାଷ୍ଟ୍ରେ ଚାଲି ଯାଇଥିଲେ ଆରପାରିକୁ।


Rate this content
Log in

Similar oriya story from Tragedy