Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajaya Mahala

Tragedy Inspirational Others

3  

Ajaya Mahala

Tragedy Inspirational Others

ଅନ୍ଧାରର ସ୍ୱର

ଅନ୍ଧାରର ସ୍ୱର

6 mins
14.7K


“ଡୁନୁ , ଡୁନୁ !”, ମୁଁ ପାଟି କରି ଉଠୁଥିଲି ।

ଆଉ ସେ ଛିଡା ହୋଇଥିଲା ପଡୋଶୀ ଘର ପିଣ୍ଡାରେ । ପଡୋଶୀଘର ପିଲାମାନଙ୍କ ହାତରେ ଗୋଟେ ପରେ ଗୋଟେ ବାଣ ରଙ୍ଗୀନ ଆଲୋକ କରି ଜଳି ଯାଉଥିଲା । ସେ ଲଙ୍ଗଳା ହୋଇ ଠିଆ ହୋଇଥିଲା ନିର୍ବିକାର ଭାବରେ । ପହିଲି ଶୀତ ତାର କଅଁଳା ହାତ ଦିଓଟିକୁ ଛନ୍ଦି ଦେଇଥିଲା ଫୁଙ୍ଗୁଳା ଛାତି ଉପରେ ।

ମୁଁ ପ୍ରଥମ କରି ସେଥର ଯାଇଥିଲି ମୋର ବଡବାପା ଝିଅ ଭଉଣୀ ଉମା ଦେଈ ଘର ଗାଁଆକୁ । ଗୋଟିଏ ବିରାଟ ଦୁଃଖଦ ନାଟକର ଅବସାନ ପରେ ଯେତେବେଳେ ଗାଁ'ଟି ପୁଣି କୋଳାହଳମୟ ହୋଇ ଆସୁଥିଲା - ଚିରାଚରିତ ଢଙ୍ଗରେ । ମୁଁ ଉମା ଦେଈ ଘରେ ପହଁଚିବା ପରେ ତା ପରିବାରର କେହି ଆନନ୍ଦିତ ହୋଇ ନ ଥିଲେ । ପ୍ରାଣହୀନ ହସଟିଏ ହସିଦେଇ ଉମା ଦେଈ ମୋତେ ବଲବଲ କରି ଚାହିଁ ରହିଥିଲା ଯାହା । ବହୁତ କାନ୍ଦି ସାରିଥିବା ଆଖି ଦୁଇଟି ଆଉ ଅଧିକ ଦି' ଟୋପା ଅଶ୍ରୁ ନିଗାଡି ସାରିଥିଲେ ଯାହାକୁ ସେ ନିଜ ପଣତରେ ପୋଛି ଦେଉଥିଲା । ମୁଁ ସେ ଆଖିରେ ଦେଖୁଥିଲି ଏକ ବିରାଟ ଶୂନ୍ୟତା - ଜୀବନ ପ୍ରତି ଘୃଣାର ଛାପ ।

" ତୁ କାନ୍ଦନା " - ମୁଁ ଛାଏଁ ଛାଏଁ କହି ଉଠିଥିଲି । ଏତିକି କହିଲା ବେଳକୁ ମୋର ଅନଭ୍ୟସ୍ତ ଆଖି ପତା ବେଶୀ ଓଦା ହୋଇ ଆସୁଥିଲା ।

" ହୁଁ , କାନ୍ଦିବିନି "- କହି ଆଶ୍ଚର୍ଯ୍ୟଜନକ ରୂପେ ସେ କୋହ ସମ୍ବରଣ କରିନେଲା ।


ସକାଳର ଏହି କଥା ଭାବିଲାବେଳେ ମୁଁ ବସିଥିଲି ମାଙ୍କଡା ପଥର ଗଦାଟି ଉପରେ ଖଣ୍ଡେ ଗାମୁଛା ବିଛାଇ। ପଛପଟକୁ ଭଉଣୀର ଘର । ଅଧାଘର ଟାଇଲ ଛପର , ବାକି ଅଧା ଚାଳଘର । ଦୀପାବଳୀର ମଧ୍ୟରେ ଘରଟି ହଜି ଯିବାକୁ ଚେଷ୍ଟା କରୁଥିବା ସମୟରେ ରୋଷେଇଶାଳ ଠଣା ଦେଇ ଆସୁଥିବା କ୍ଷୀଣ ଆଲୁଅ ଘରଟିର ଅବସ୍ଥିତି ଜଣାଇ ଦେଉଥିଲା । ଖଣ୍ଡେ ଦୂରରେ ପଡ଼ୋଶୀଙ୍କ ଘର । ତାଙ୍କ ପିଣ୍ଡାରେ ଛିଡା ହୋଇଛି ଡୁନୁ । ସେ ନିଜ ପାଇଁ ବାଣ ଆଣିବାକୁ ଘରେ ଦାବୀ କରିନି । ତା ବାପା ମରିବା ପରେ ଯେମିତି ତାର ଅଲିଅଳ ଭାବ ଲୁଚି ଯାଇଛି ଏକ ନିରୀହ ନୀରବତା ଭିତରେ । ତାକୁ ହିଁ ସମ୍ବଳ କରି ସେ ଠିଆ ହୋଇଛି ପଡ଼ୋଶୀଙ୍କ ପିଣ୍ଡାରେ । ସହରତଳି ଏହି ଗାଁଆଟିର ପରିବେଶ ଛୁଆଟିର ଅଭାବବୋଧକୁ ଅଧିକ ଦୃଢ କରିଦେଇଛି। କିନ୍ତୁ ତାହା ସେ ଅସ୍ୱାଭିକ ଭାବେ ସହିଯାଇଛି - ବୃଦ୍ଧସୁଲଭ ଧୈର୍ଯ୍ୟ ନେଇ । ସାତ ବର୍ଷର ମୋର ଭଣଜା ଡୁନୁ ।

ଆଜି ସକାଳେ ଆଇସକ୍ରିମ ପାଇଁ ହଠାତ ବୋଉ ପାଖରେ ଜିଦ କରି ବସିଥିଲା । ଅନ୍ୟ କେଉଁ ଦିନ ହୋଇଥିଲେ ଉମାଦେଈ ସହଜରେ ପଇସା ଦେଇ ନ ଥାନ୍ତା । କିନ୍ତୁ ବିନା କିଛି ପ୍ରତିରୋଧରେ ସେ ପଇସା ବଢ଼ାଇ ଦେଲା ଆଜି। ଏକ ବାପଛେଉଣ୍ଡ ପୁଅକୁ ଗୋଟିଏ ମାଆ ଆଉ ଅଧିକ ଖୁସି କଣ ଦେଇପାରେ ? ଡୁନୁ ପଇସାଟାକୁ ହାତରେ ଧରି ନେଲା ସତ, କିନ୍ତୁ ତାକୁ ନେଇ ଆଇସକ୍ରିମବାଲା ପାଖକୁ ଧାଇଁ ଗଲାନି।

ରବି ନନା - ଡୁନୁର ବାପା। କୌଣସି ବ୍ୟାଙ୍କରେ ଚାକିରୀ କରିଥିଲେ। ଯେତେବେଳେ ସେ ଆମ ଗାଆଁକୁ ଆସୁଥିଲେ, ସେତେବେଳେ ଖୁସିର ଲହରୀ ଖେଳି ଯାଉଥିଲା ଆମ ସାହିରେ । ଯେତିକି ନମସ୍କାର କରୁଥିଲେ ବଡ ବଡ ଗୁରୁଜନ ସବୁଙ୍କୁ, ତାଠୁଁ ଅଧିକ ନମସ୍କାର ପାଉଥିଲେ ଛୋଟ ଛୋଟ ପିଲାମାନଙ୍କଠୁଁ। ମୋ ବୟସର ପିଲାମାନେ ବେଢ଼ି ଯାଉଥିଲୁ ତାଙ୍କୁ ।ହାତରେ କିଛି ଚକୋଲେଟ ଆଉ ଗାଲରେ ଛୋଟ ଚାପୁଡାଟାଏ ଦେଇ ସମସ୍ତଙ୍କୁ ବିଦା କରୁଥିଲେ । ମୋତେ ଖୁସିରେ 'ମାଙ୍କଡ଼' କହି ସମ୍ବୋଧନ କରୁଥିଲେ ସେ । ଆଉ ମୁଁ ସେହି ମାଙ୍କଡ଼ ଶବ୍ଦରେ ବହୁତ ସୌନ୍ଦର୍ଯ୍ୟ ଲୁକ୍କାୟିତ ଥିବାର ଅନୁଭବ କରୁଥିଲି। ତାଙ୍କ ଠାରୁ କ୍ୟାରମ ଖେଳ ମୁଁ ଶିଖିଥିଲି ଆଉ ଯେତେବେଳେ କୌଶଳରେ ତାଙ୍କ ପାଖାପାଖି ହୋଇଗଲି, ସେ ମୋତେ 'ଏକ୍ସପର୍ଟ' କହି ମଝିରେ ମଝିରେ ପିଠି ଥାପୁଡ଼ାଇ ଦେଉଥିଲେ। କିନ୍ତୁ ସେ ଥିଲେ ମଞ୍ଜ ଖେଳାଳୀ । ମୌକା ମିଳିବା ମାତ୍ରେ କ୍ୟାରମ ବୋର୍ଡରୁ ସବୁ ଗୋଟି ଗୋଟିକ ପରେ ଗୋଟିଏ ନିଜେ ସଫା କରି ଦେଉଥିଲେ। କେବେ ବି ଛୁଆ ଟିଏ ଭାବି ସେ ଜାଣିଶୁଣି ମୋ ଠାରୁ ହାରି ନାହାନ୍ତି। ଏହାଦ୍ୱାରା ସମ୍ଭବତଃ ସେ ଜଣାଇ ଦେବା ପାଇଁ ଚାହୁଁଥିଲେ, ଭଲ ଖେଳାଳିଟିଏ ହେବାପାଇଁ ମୋର ଆହୁରି ପରିଶ୍ରମ କରିବା ଆବଶ୍ୟକ।

ଆଉ ଉମା ଦେଈ ? ସିଏ ଯେମିତି ସ୍ନେହର ଅଵତାରଟିଏ । ମନ ତାର ବଡ । ଯେତେବେଳେ ସିଏ ଅମୁଲ ସ୍ପ୍ରେ ଡବା କାଢି ଚା' ତିଆରି କରିବାକୁ ବସେ, ମୋ ପରି ଛୁଆଟିର ଲୋଭାଣିଆ ଦୃଷ୍ଟିକୁ ସେ ସହଜରେ ପଢିନିଏ। ଆଉ ହାତରେ ଧରାଇ ଦିଏ ଚାମଚ ଚାମଚ ଦୁଧ ପାଉଡର। ମୋର ମନେ ଅଛି, ଛୁଆ ବେଳେ କିପରି ମନରେ ଆନନ୍ଦ ଫୁଟାଇ ସେହି ଅମୁଲ ପାଉଡର ଦୀର୍ଘସମୟ ପର୍ଯ୍ୟନ୍ତ ଚାଟି ଖାଉଥିଲି ।

ଆଉ ପ୍ରେମ ଦୃଷ୍ଟିରୁ ଉମାଦେଈ ଯେମିତି ରବିନନାଙ୍କ ପାଇଁ ଗଢା ଯାଇଥିଲା । ରବିନନା ବହୁତ ଭଲ ପାଉଥିଲେ ତାକୁ। ଆମ ଘରେ ଥିଲାବେଳେ ମୋତେ ଆଢୁଆଳରେ ରଖି ଉମାଦେଈକୁ କେତେ ଥର ପ୍ରେମ କରିବାକୁ ପ୍ରୟାସ କରି ନେଉଥିଲେ ନନା । ମୋ ଆଖିରେ ଧରା ପଡି

ଯାଆନ୍ତି ସେ । ଏହାର କାରଣ - ମୁଁ ସବୁବେଳେ ଅନୁଚରଟିଏ ପରି ତାଙ୍କ ସାଥିରେ ଲାଞ୍ଜଟି ପରି ଲାଗି ରହିଥାଏ। ତାଙ୍କର ପ୍ରତ୍ୟେକ ଗତିବିଧି କୁ ମୁଁ ସଦା ସର୍ବଦା ନିରେଖି ନିରେଖି ଦେଖୁଥାଏ । ସେମାନେ ମୋତେ ଛୋଟ ଛୁଆଟେ ବୋଲି ବୋଧେ ଧରି ନେଇଥିଲେ। କିନ୍ତୁ ମୁଁ ଏତେ ଛୋଟ ନ ଥିଲି।

ମୋଟ ଉପରେ ଦୁହିଁଙ୍କର ପାରିବାରିକ ଜୀବନ ବହୁତ ଆନନ୍ଦମୟ ଥିଲା। କିନ୍ତୁ କେଉଁଠି ଦୁଃଖର ଏକ କ୍ଷୁଦ୍ର ଅଗ୍ନିକଣା ସବୁ ଖୁସିକୁ ଜାଳି ଛାର ଖାର କରିବାକୁ ଉଦ୍ୟତ ହେଉଥିଲା ତାହା କେହି ଜାଣି ନ ଥଲେ । ରବିନନାଙ୍କର ବୋଧେ କିଛି ନା କିଛି ଶାରୀରିକ ଅସୁସ୍ଥତା ଲାଗି ରହୁଥିଲା । କିନ୍ତୁ ତାକୁ ନେଇ ତାଙ୍କ ମୁହଁରୁ ହସ କେବେ ଓହ୍ଲାଇ ଯାଇଥିବାର ମୁଁ କିମ୍ବା ଆମ ଘରର ଅନ୍ୟ ପିଲା ମାନେ ଲକ୍ଷ୍ୟ କରିନାହାନ୍ତି।

ଥରେ ରବିନନାଙ୍କ ବୋଉଙ୍କୁ ଭେଟ କରିବାକୁ ଜନୈକା ସ୍ତ୍ରୀ ଲୋକ ଜଣେ ଆସିଥିଲେ। ସମ୍ଭବତଃ ସେ ମନ୍ଦିରର ପୂଜାରିଣୀ ଟିଏ ଥିଲେ। ମାଆଙ୍କ ଠାରୁ ପୁଅର ରୋଗର ଖବର ଶୁଣି ସମ୍ପୂର୍ଣ୍ଣ ଆରୋଗ୍ୟ ନିମିତ୍ତ ଠାକୁର ପାଖରେ ପୁଅ ଦ୍ୱାରା ଅଧିଆ ପଡିବା ପାଇଁ ପ୍ରରୋଚନା କଲା।

ରବିନନା ଶିକ୍ଷିତ ଥିଲେ । ତା ଛଡ଼ା ତାଙ୍କର ଚାକିରୀ ବି ଥିଲା। କିନ୍ତୁ ନିଜ ବୋଉ ଦେଇଥିବା ଉପାୟକୁ ସେ ଅମୃତତୁଲ୍ୟ ପ୍ରସାଦ ମାନୁଥିଲେ। ସୁତରାଂ ମୂଳରୁ ଅମଙ୍ଗ ହେଉଥିଲେ ବି ଶେଷରେ ଯେ କୌଣସି କଥାକୁ ଅଧା ବୁଝୁଥିବା ଆଧୁନିକ ଲୋକ ପରି ରାଜି ହୋଇଗଲେ । ଯେଉଁ ମନ୍ଦିର ପାଖରେ ଅଧିଆ ପଡ଼ିବାକୁ ଥିଲା ତାହା ତାଙ୍କ ଗାଆଁ ଠାରୁ ବହୁତ ଦୂରରେ ଥିଲା । ସେଠିକୁ ରବି ନନା ଏକା ଏକା ଗଲେ। ସେଠାରେ ଦିଅଁଙ୍କ ଆଡକୁ ମୁହଁ ରଖି ପାଦେ ପାଣି ଭିତରେ ପଡି ରହିଲେ। ସାମାନ୍ୟ ଖଇ ଭୋଗ ଛଡା ପେଟରେ କିଛି ପଡୁ ନ ଥିଲା। ଅନ୍ଧ ଧାରଣାର ଭୂତ ଥେଇ ଥେଇ ନାଚୁଥିଲା ଗୋଟିଏ ଶିକ୍ଷିତ ମାନବର ପରାଜୟରେ ।

ମଣିଷ କେବେ କେବେ ଭୁଲ କରିବସେ । ପରିଣାମ କଣ ହେବ ନ ଜାଣି ବି। ଠିକ ସେଇୟା ଘଟିଲା ରବିନନାଙ୍କ ଜୀବନରେ । ବେଳେବେଳେ ଭାବେ ସେ ନିଶ୍ଚୟ ଠିଆ ହୋଇଥିବେ ଦ୍ବନ୍ଦ୍ୱର ଦୋ ଛକିରେ - ଏକ ଅସମ୍ଭବ ଅସହାୟତା କୁ ସାଥିରେ ନେଇ । ଏପଟେ ବୁଝି ନ ହେଉଥିବା ଏକ ଅସାଧ୍ୟ ରୋଗ ଆଉ ଅନ୍ୟପଟେ ସ୍ନେହ ସରାଗକୁ ସମ୍ବଳ କରି ଗଢି ହୋଇ ଆସୁଥିବା ଛୋଟ ପରିବାର ଟିଏ ।

ଅଧିଆରେ ପଡି ରହିଲେ ରବି ନନା ନିଶ୍ଚଳ ହୋଇ। ମନରେ ବିଶ୍ୱାସ, ମହାକାଳ ଶିବଙ୍କର କିଛି ତ ଆଦେଶ ଆସିବ । ତା ପାଇଁ ଲୋଡା ଅଖଣ୍ଡ ଭକ୍ତି । ଅବଶ ହୋଇ ଆସୁଥାଏ ଶରୀର। ଏଣେ ଗାଆଁରେ ଉମାଦେଈ ବିବ୍ରତ ହୋଇ ପଡ଼ିଥିଲା କିଛି ଖବର ନ ପାଇ । ଚାରିଦିନ ପର୍ଯ୍ୟନ୍ତ କୌଣସି ଖବର ନ ପାଇବାରୁ ତା ମନକୁ ପାପ ଛୁଇଁ ଆସୁଥିଲା। ଘରେ ନ ରହି ପାରି ପଞ୍ଚମ ଦିନ ବଡି ସକାଳୁ ସେ ବାହାରିଲା ମନ୍ଦିରର ପୂଜାରିଣୀ ସେହି ସ୍ତ୍ରୀ ଲୋକଟିର ଘରକୁ । ନିଶ୍ଚିତ ଅନେକ ବିଳମ୍ବରେ । ମୁଣ୍ଡ ଉପରେ ଖରା। ବିଲ ପରେ ବିଲ, ତା ପରେ କେନାଲ ବନ୍ଧ ସବୁ ଅତିକ୍ରମ କରି ବାପଘରର ଅଲିଅଳ ଝିଅ ଉମାଦେଈ ଚାଲିଛି ତତଲା ନାଲି ଗୋଡି ରାସ୍ତାରେ । ପଚାରି ପଚାରି ସ୍ତ୍ରୀ ଲୋକଟିର ଘରେ ପହଞ୍ଚି ଗଲା ଅସ୍ତ ବ୍ୟସ୍ତ କେଶ ନେଇ ।

" କଣ ହେଲା ?" - ପହଞ୍ଚିବା ମାତ୍ରେ ଉମାଦେଈ ପଚାରିଲା।

"ଠାକୁରଙ୍କ କଥା, ବ୍ୟସ୍ତ ହେଲେ ଚଳିବ" - ପୂଜାରିଣୀ ଜବାବ ଦେଲା। ତା କଥାରେ କୌଣସି ପ୍ରତିବଦ୍ଧତା ଲକ୍ଷ୍ୟ କରି ହେଉ ନ ଥିଲା ।

"ମୋତେ ମନ୍ଦିର ପାଖକୁ ନେଇ ଚାଲ" - ଉମା ଦେଇ ଜିଦି ଧରି କହିଲା ।

" ଅନ୍ୟ ଅଧିଆ ପଡିଥିବା ଭକ୍ତଙ୍କ ଧ୍ୟାନ ଭାଙ୍ଗିବା ଉଚିତ ନୁହେଁ" - ଏଥର ସାମାନ୍ୟ କର୍କଶତା ଥିଲା ପୂଜାରିଣୀର ସ୍ୱରରେ ।

"ଟିକିଏ ଭଲ କରି ଦେଖିବ ତାଙ୍କୁ", ଉମା ଦେଈ ବଡ କାକୁସ୍ଥ ହୋଇ କହିଲା । ବୋଧେ ତାର ବ୍ୟଥିତ ଆତ୍ମା ପୂଜାରିଣୀର ହୃଦୟରେ ଅନ୍ତରଙ୍ଗ ଭାବ ଉପୁଜାଇବାକୁ ଚେଷ୍ଟା କରୁଥିଲା।

ସଞ୍ଜବେଳକୁ ସ୍ତ୍ରୀ ଲୋକଟି ମନ୍ଦିର ବେଢାରୁ ଫେରିଲ। ତା ମୁହଁରେ ଲାଖି ରହିଥିବା ବେପରୁଆ ଭାବ ସ୍ପଷ୍ଟ ପଢି ହେଉଥିଲା । ଉମା ଦେଈ ସହି ପାରିଲାନି। ସ୍ଥିର କଲା ନିଜେ ଯିବ ମନ୍ଦିର ବେଢ଼ାକୁ । ନିଜ ଆଖିରେ ଦେଖି ଆସିବ ନିଜ ପତିର ଅବସ୍ଥା।

ପରଦିନ ସକାଳୁ ଉଠି ପଡି ଖାଲି ପେଟରେ ଦୌଡ଼ିଲା ମନ୍ଦିର ଆଡେ - କୌଣସ କଥାକୁ ଭୃକ୍ଷେପ ନ କରି। ସେଠାରେ ପହଞ୍ଚି ଯାହା ଦେଖିଲା ତାହା ତାକୁ ବୁଦ୍ଧିଶୂନ୍ୟ କରି ଦେଲା କ୍ଷଣିକ ପାଇଁ। ରବି ନନାଙ୍କ ଦେହ ଅସମ୍ଭବ ରୂପରେ ଫୁଲି ଯାଇଥାଏ। ଦେହ ଏକ ଦମ କଳା କାଠ । ସେ ଆଖି ବୁଜି ପଡ଼ିଥାନ୍ତି ପାଣି ଭିତରେ । ଉମା ଦେଈର ଖାଲି ପେଟ ଆହୁରି ଚକଟି ହୋଇଗଲା।

ସେ ନିଜକୁ ସମ୍ଭାଳି କହିଲା, " ହେଇଟି, ଉଠିଲ ! "

କିଛି ଜବାବ ମିଳିଲା ନାହିଁ। ସେହି ଚରମ ଅବସ୍ଥାରେ ସାମାନ୍ୟ ବିଶ୍ରାମ ନେବାକୁ ଚାହୁଁଥିଲା ତାଙ୍କର ଅବଶ ଦେହ ।

" ଶୁଭୁଛି ନା ? ଉଠିଲ" - ଦୁଇ ପାପୁଲି ମଧ୍ୟରେ ମୁଣ୍ଡକୁ ଚାପିଧରି ଉମା ଦେଈ ପାଟି କରି ଉଠିଲା।

ଅଳ୍ପ ସମୟ ପାଇଁ ଆଖି ବୋଧେ ଖୋଲିଲେ ସେ ।

" କଣ ଏତିକି ବେଳେ ଆସିଲ ? ପିଲାମାନେ କଣ କରୁଛନ୍ତି ?"- ଏତିକି କହି ସେ ଆଖି ବୁଜିଦେଲେ।

ଉମା ଦେଈର ଛାତି ଯେପରି ପଥର ହୋଇ ଯାଉଥିଲା। ଯେମିତି ସେମିତି ଅଜଣା ଲୋକଙ୍କ ସାହାଯ୍ୟରେ ଜିପରେ ଅବା ବସ୍ ରେ ଚଢାଇ ସେ ନନାଙ୍କ ସହ କଟକ ବଡ ଡାକ୍ତରଖାନାରେ ପହଞ୍ଚି ଗଲା। ଶରୀରରେ ବଳ ନ ଥାଏ ଦେଈର। ସହଜେ ତ ପୁଣି ନାରୀ । କିନ୍ତୁ ତା ମୁହଁରେ ଅସଂଖ୍ୟ ନିର୍ଦ୍ଦେଶ, ଅସଂଖ୍ୟ ବାକ୍ୟବାଣ ଡାକ୍ତର ମାନଙ୍କ ପ୍ରତି । ଡାକ୍ତର ମାନେ ପରସ୍ପର ଭିତରେ କଥା ହୋଇ ହସି ଉଠିଲେ। ସେମାନଙ୍କ ଇଂରାଜୀ ଭାଷା ଉମାଦେଈ ପାଖରେ ଅବୋଧ୍ୟ ଥିଲା। ମାତ୍ର ସେ ଠିକ ବୁଝି ପାରୁଥିଲା ଡାକ୍ତର ମାନଙ୍କ ପରିହାସ। ସେମାନଙ୍କ ଅମାନବିକ ବ୍ୟବହାର -ଏଭଳି ଅସମୟରେ ।

ଶୁଣିଛି, ପ୍ରାରମ୍ଭିକ ଚିକିତ୍ସା ପରେ କିଛି ସମୟ ପାଇଁ ରବିନନା ଉଠି ବସିଥିଲେ। ସେ ସାମାନ୍ୟ ପ୍ରଫୁଲ୍ଲିତ ଲାଗୁଥିଲେ ବି। କିନ୍ତୁ ତାହା ବୋଧେ ଥିଲା ନିଜର ପ୍ରିୟତମା ପତ୍ନୀଙ୍କୁ କିଛିଟା ଆଶ୍ୱସ୍ତ କରିବା ପାଇଁ। ତା ପରେ ଯାହା ଘଟି ଗଲା ଏବେ ତାକୁ କହି କିଛି ଲାଭ ନାହିଁ। କଟକ ବଡ ଡାକ୍ତରଖାନାରୁ କିପରି ଗୋଟିଏ ଶବ ସହ ଉମାଦେଈ ତା ଗାଁଆକୁ ଫେରିଥିଲା ତାହା ମୁଁ ଭଲ ଭାବରେ ଜାଣିନି।

ଗୋଟିଏ ତାଳ ଫୋଟକା ଆବାଜରେ ମୋର ଚିନ୍ତା ଭଗ୍ନ ହେଲା।

"ଡୁନୁ, ଡୁନୁ" - ମୁଁ ଡାକୁଥିଲି ମାଙ୍କଡା ପଥର ଗଦା ଉପରୁ । ଗୋଟିଏ ଡାକରେ ସେ ମୋ ପାଖକୁ ଦୌଡ଼ି ଆସିଲା। ମୁଁ ତାକୁ ନେଇଗଲି ସେଇ ଚଉଁରା ପାଖକୁ ଯେଉଁଠି ବଡ ବଡ଼ିଆ ଡକା ଯାଉଥିଲା। ସାହିର ଅନେକ ଲୋକ ଏକାଠି ହୋଇ ସାରିଥିଲେ। ପିତୃପୁରୁଷ ମାନଙ୍କ ପାଇଁ

ପିଣ୍ଡ କଦଳୀ ପତ୍ରରେ ପରସା ଯାଇଥିଲା। ସମସ୍ତଙ୍କ ହାତରେ କାଉଁରିଆର ଛକି ପଡିଥିବା କାଠି ଥିଲା ଯାହା ଯୀଶୁଙ୍କ କ୍ରୁଶ ପରି ଦେଖିବାକୁ। ସେଗୁଡିକରେ ଅଗ୍ନିସଂଯୋଗ କରି ସମସ୍ତେ ଗାଇ ଉଠିଲେ -

" ବଡ ବଡ଼ିଆ ହୋ...ଅନ୍ଧାରରେ ଆସ ..ଆଲୁଅରେ ଯା"

ମୁଁ ଲକ୍ଷ୍ୟ କରୁଥିଲି ଡୁନୁର ମୁଖଭଙ୍ଗୀକୁ । ରଙ୍ଗ ବେରଙ୍ଗୀ ବାଣ ତୁଳନାରେ କାଉଁରିଆ କାଠି ଜାଳିବାରେ ମଜା ନିଶ୍ଚିତ ରୂପରେ କମ ତାହା ତା ମୁହଁରୁ ଜଣା ପଡୁଥିଲା। ସମସ୍ତେ ମାଟିରେ ମୁଣ୍ଡ ଲଗାଇ ଦଣ୍ଡବତ କଲେ । ଡୁନୁ ମଧ୍ୟ ମୁଣ୍ଡ ନୁଆଁଇଲା । ସେ ନିଶ୍ଚିତ ଭାବରେ ଜାଣିନି ସେ କାହାକୁ ପ୍ରଣାମ କରୁଛିି ।


Rate this content
Log in

Similar oriya story from Tragedy