Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tushar Bky

Inspirational Children

4.4  

Tushar Bky

Inspirational Children

ଅଜବ ଦୁନିଆକୁ ରାସ୍ତା

ଅଜବ ଦୁନିଆକୁ ରାସ୍ତା

6 mins
487



ଏ ଅଜବ ଦୁନିଆରେ ତତେ ସମସ୍ତେ କେତେ କଥା କହନ୍ତି । ହେଲେ ତୁ କେବେ କାହାରି କଥାକୁ ମନକୁ ନ ନେଇ ତୋର କାମ କରି ଯାଉ । ଦିନେ ଦିନେ ମୋର ମନେ ହୁଏ ତୁ ଏମିତି ଏକ ଅଜବ ଦୁନିଆର ରାସ୍ତାରେ ପାଦ ଦେଇ ଆଗକୁ ପଳେଇ ଆସିଛୁ । ଯୋଉ ଦୁନିଆରେ ସମସ୍ତେ ନିଜ ପାଇଁ ଚିନ୍ତା କରୁଥିବା ବେଳେ ତୁ କେବଳ ଘର ପରିବାର ପାଇଁ ଚିନ୍ତା କରୁ । ଯୋଉ ଦୁନିଆରେ ଏତେ ତ୍ୟାଗ, ଏତେ ଭଲ ପାଇବା,ଏତେ ପରିଶ୍ରମର ପାରିଶ୍ରମିକ କିଏ ଦବ?




ଥରେ ନୁହେଁ ହଜାରେ ଥର ଭାବେ ତୋ ପାରିଶ୍ରମିକ ଯେତେ ଦେଲେ ବି ଟିକେ କମ୍ ଜଣା ପଡିବା ! କାହିଁକି ନା ସେ ପ୍ରେମ ସମ୍ପୂର୍ଣ୍ଣ ନିଃସ୍ଵାର୍ଥପର ଆଉ ସଚ୍ଚୋଟ । 

ପ୍ରତିଟି ନାରୀ ଏମିତି ଏକ ଦୁନିଆର ରାସ୍ତାରେ ପାଦ ଦେଇ ଆଗକୁ ବଢି ଚାଲେ । ଯୋଉ ଦୁନିଆରେ ଅନ୍ୟ ପାଇଁ ଦିଆଯାଇ ଥିବା ତ୍ୟାଗ ଆଉ ଭଲ ପାଇବା ଢେର୍ ଅଧିକ । କିନ୍ତୁ ନିଜ ପାଇଁ କିଛି ବି ନଥାଏ । କେତେ ଝଡ଼ କେତେ ଝଞ୍ଜା ଆସେ । କେତେ ଦୁଃଖ କେତେ କଷ୍ଟ ଆସେ । କିନ୍ତୁ ସେ ସବୁକୁ ମୁଣ୍ଡ ପାତି ସହିବ । ସମ୍ଭବପର ନୁହେଁ । ବହୁତ ବଡ଼ ବଡ଼ କଥା ମୁଁ ଶୁଣିଛି ଆଉ କହିଛି ମଧ୍ୟ । କିନ୍ତୁ ଦୁଇରୁ ଚାରି ଦିନ କଲା ପରେ ଆପଣାଛାଏଁ ସେ କାମରୁ ଦୂରେଇ ଯାଇଛି । ସବୁ ଋତୁରେ ସେ ସେମିତି କାମ କରି ଆସୁଥାଏ, କାରଣ ସେ ହେଉଛି ମମତାମୟୀ ନାରୀ । 

 ମାନେ ମା/ବୋଉ/ମମ୍/ମମି । 

ନାରୀ ସବୁବେଳେ ସବୁ ସମୟରେ ସମ୍ମାନୀୟା, ପୂଜନୀୟା ଆଉ ବନ୍ଦନୀୟା । ବୋଉ ତୋ ପାଇଁ ଯଦି ମୁଁ କିଛି ଉଲ୍ଲେଖ କରିବି, ସେ ବହୁତ୍ କମ୍ ପଡି ଯିବ । 


(ଏକା ରହୁଥିବା ଗୋଟେ ଗାଉଁଲି ପୁଅ, ଦୈନନ୍ଦିନ ଜୀବନର ଶୈଳୀକୁ ଉପସ୍ଥାପନା କରୁଥିବା ଗୋଟେ ପୁଅ ନିଜ ମାଆ ଆଗରେ । ଯଦି କିଛି ତୃଟି ଥାଏ,ତେବେ କ୍ଷମା କରି ଦେବେ । ଆଉ ମତାମତ ଟିକେ ଜଣାଇବେ)


ବୋଉଲୋ .......ବୋଉ.....

ତୋ କଥା କାହିଁ ଭାରି ମନେ ପଡୁଛି । ସକାଳୁ ସକାଳୁ ତୁ ଯେବେ ମୁଣ୍ଡ ଆଉଁସି ଦେଇ ଆସୁ ମତେ ଆଶୀର୍ବାଦ କଲା ଭଳି ଜଣା ପଡ଼େ । ସକାଳୁ ଆଉ କେହି ଡାକି ଉଠେଇ ଦେଉନାହାନ୍ତି । ତୋ ଭଳିଆ ମିଛ କେହି କହୁନାହାନ୍ତି । ଯେମିତି ଏତେ ବେଳ ହେଲାଣି ଆଜି ଯିବୁନି କି ? ୮.୪୫ ହେଲାଣି । ଶୋଇଥା । ମୋର କଣ ଯାଉଛି । ତୁ ଗାଳି ଖାଇବୁ । ଆଉ ବାପାଙ୍କର ସେଇ କେଇ ପଦ ଟାଣୁଆ କଥା । ପୁଅକୁ ଟିକେ ଥାପୁଡେଇ ଆସ । କୁଳନନ୍ଦନଙ୍କୁ ଆଉ ଟିକେ ଶୋଇ ଦିଅ । 

ଏମିତି ଆହୁରି ଅନେକ । ତୁ ସେମିତି ମୁଣ୍ଡ ଉପରେ ବସେଇକି ରଖି ଥାଉ । 

ତୁ ସିନା ମିଛ କଥା କହି ବିଛଣାରୁ ଉଠେଇ ଦଉ, ହେଲେ ଏ ଆଲାରାମ୍ ଘଣ୍ଟାଟା ମୋତେ ନିଦରୁ ଉଠେଇ ପାରୁନି । ନା ତାକୁ ମିଛ କହି ଆସୁଛି । ନା ମତେ ନିଦରୁ ଉଠେଇ ପାରୁଛି । ଗୋଟେ ଚାପୁଡ଼ା ଦେଇ ଦଉଛି । ସେ ପୁରା ଚୁପ୍ । ପୁଣି ମନ ଇଚ୍ଛା ଶୋଇଲି ଆଉ । ତତେ ସିନା ତୋ ପୁଅର ଚିନ୍ତା ସେ ଆଲାରମ ଘଣ୍ଟାର କଣ ଯାଉଛି ! ସେ କଣ ପାଇଁ ତୋ ପୁଅ କଥା ଚିନ୍ତା କରିବ !


ୱାଟର ହିଟର କି ସେ ଗିଜର୍ ତୋ ଭଳିଆ ଗରମ ପାଣି ଦେଇ ପାରୁନାହାନ୍ତି । ତୋ ଚୁଲି ଫୁଙ୍କା ନଖ ଉଷୁମ ପାଣି ମୋତେ ବହୁତ୍ ଭଲ ଲାଗେ ଗାଧେଇବାକୁ । କିନ୍ତୁ ଏ ମେସିନ ଚାଳିତ ପାଣିରେ ସେ ଭଳି ପାଣି ଦେଉନି । କେତେ ବେଳେ ଦେହ ପୋଡ଼ି ଯାଉଛି ତ ଆଉ କେତେ ବେଳେ ସୁଦୁ ଥଣ୍ଡା ପାଣିରେ ଗାଧେଇ କି ଆସୁଛି । ଟିକେ ଢଙ୍ଗରେ ପାଣି ଦେଇ ପାରୁନି ସେ ମେସିନ । 


ଗାଧେଇ ଆସିବା ପରେ ତୋ ସେ ନାଲି ଅଦା ଛେଚା ଲୁଣିଆ ଚାହା ମତେ ଯେତିକି ଭଲ ଲାଗେ, ସେ କ୍ଷୀର ପକା ମସଲା ଚାହାର ମଜା ସେମିତି ଆସୁନି । ଚାହା ନିଜେ କରି ପିଉଛି । ହେଲେ ସେ ଚାହା ପିଇଲା ବେଳକୁ ଖାଲି ଗ୍ୟାସ୍ ହୋଇ ଯାଉଛି । ତୋ ସେ ଲୁଣିଆ ଚାର ସ୍ୱାଦ କେବଳ ମୁଁ ହିଁ ପାଇଛି । 


ତୋ ସେ ଚୁଡା ଛତୁଆ ପାଉନି ମୁଁ ଖାଇବାକୁ । କେବେ କେବେ ନିଜେ ତିଆରି କରି ଦଉଛି ଚୁଡା ସନ୍ତୁଳା । ହେଲେ ତୋ ଛତୁଆ ଆଗରେ ସେ ଫେଲ୍ । ମୁଁ ନିଜେ ତିଆରି କରୁଛି ସେଇଥି ପାଇଁ ପ୍ରତିବାଦ ନ କରି ଚୁପକିନା ଖାଇ ଅଫିସକୁ ପଳେଇ ଯାଉଛି । କେବେ କେବେ ସମୟ ଅଭାବରୁ ରାସ୍ତା କଡ଼ରେ ଥିବା ଠେଲାରୁ ଖାଇ ଦଉଛି । କିନ୍ତୁ ସେ ଗୁଡାକ ବି ଭଲ ଲାଗୁନି ମତେ । 


ଅଫିସକୁ ଯିବ । ସମୟରେ ମନ୍ଦିରକୁ ବି ଯାଉଛି । ସେ ମନ୍ଦିରର ପୂଜାରୀ କେତେ ମନ୍ତ୍ର ଉଚ୍ଚାରଣ କରି ସେ ମନ୍ଦିର ପ୍ରାଙ୍ଗଣକୁ ପ୍ରକମ୍ପିତ କରି ପକାଉଛି । ମନ୍ଦିରର ଚାରି କାନ୍ଥ ମଧ୍ୟରେ ସେଇ ମନ୍ତ୍ର ଗୁଡ଼ିକ ଗୁଞ୍ଜରିତ ହୋଇ ଉଠୁଛି । ବୋଉ ତୋ ଭଳି କିନ୍ତୁ ସେ ପୂଜା ପାଠ କରୁନି । ତୁ ଯେମିତି ୨ରୁ ୩ଟା ମନ୍ତ୍ରକୁ ଜପ କରୁ ବାରମ୍ବାର । ଓମ୍ ନମ୍ଃ ଶିବାୟ । ଓମ୍ ନମ୍ଃ ଭଗବତେ ବାସୁଦେବାୟ । ଓମ୍ ସାଇ ରାମ୍ । ଓମ୍ ଲକ୍ଷ୍ମୀ ନାରୟଣ । । ଏଇ ଭଳି ମନ୍ତ୍ର ଉଚ୍ଚାରଣ କରି ଥିଲେ, ହୁଏତ ତାହା ମୁଁ ସଂପୂର୍ଣ୍ଣ ବୁଝି ପାରିଥାନ୍ତି । 

ତୁ ଯୋଉ କହୁନା, ହେ ପ୍ରଭୁ ମୋ ପୁଅକୁ ଘଣ୍ଟ ଘୋଡେଇ ରଖିବ । ଠିକ୍ ସେମିତି ସେ ପୂଜାରୀ ମୋ ମୁଣ୍ଡରେ ଗୋଟେ ବଡ଼ ଘଣ୍ଟଟିଏ ଭଳି ଜିନିଷ ରଖି ପୁଣି ମନ୍ତ୍ର ପାଠ କରୁଛି । ତୁ ଯେତେ ବେଳେ ମୋ ମୁଣ୍ଡରେ ହାତ ବୁଲେଇ ଦଉ । ମତେ କୋଟି ଆନନ୍ଦ ଲାଗେ । ତୋ ପୂଜା ମତେ ସେ ମନ୍ଦିର ପୂଜାରୀ ଠାରୁ ବେଶୀ ଭଲ ଲାଗେ,କାରଣ ମୁଁ ସେ ସଂସ୍କୃତ ଭାଷାକୁ ବୁଝି ପାରେନା । 


ତୁ ଜାଣିଛୁ ନା ବୋଉ, ତୋ ବିଞ୍ଚଣାର ସେ କେଁ କେଁ ହୱା ଏ.ସି./କୁଲାର ଠାରୁ ଅଧିକା ଥଣ୍ଡା ରହେ ଲୋ । ମୋ ଶରୀରକୁ ଥଣ୍ଡା କରିବା ସାଙ୍ଗେ ସାଙ୍ଗେ ମୋ ମନକୁ ମଧ୍ୟ ଥଣ୍ଡା ରଖେ । ଦିନେ ଦିନେ ସେ ମେସିନ ହାୱ । ରେ ବସିଲ । ବେଳକୁ ମୁଣ୍ଡ ବିନ୍ଧୁଛି,ତ କେତେବେଳେ ଥଣ୍ଡା ଧରି ନାକରୁ ପାଣି ଗଡୁଛି । ତୋ ସେ ତାଳ ପତ୍ର ତିଆରି ବିଞ୍ଚଣାର ପବନକୁ ମୁଁ ବହୁତ୍ ମିସ୍ କରୁଛି । 


ମୁଁ ଭୁଲ କଲେ ସିନା ତୁ ଗାଳି କରୁ,ଆଉ ବାପାଙ୍କ ନା କହି ମତେ ଡରାଉ । ହେଲେ ମୁଁ କାମ କରୁ ଥିବା ଅଫିସରେ ନିୟୋଜିତ ଥିବା ମ୍ୟାନେଜର ମତେ ସିଧା କହୁଛି । ଇଚ୍ଛା ଅଛି ତ କାମ କର ନହେଲେ ଅନ୍ୟ ରାସ୍ତା ଦେଖ । ସେ ତୋ ଭଳି କାହା କଥା କହି ଡରାଉନି । ତୋ ଭଳିଆ କିଏ ହବ ଲୋ ବୋଉ । 


ଖରାବେଳେ ତୋ ସେ ହାତ ରନ୍ଧା ଭାତ, ବିରି ଡାଲି, ଶାଗ ଭଜା, ବଢ଼ିଚୁରା ପାଉନି ଖାଇବାକୁ । ସବୁ ଆଡେ ମିଳୁଛି ସେଇ ଡାଲ ଫ୍ରାଏ ଆଉ ଫ୍ରାଏଡ୍ ରାଇସ , 

ପାମ୍ପଡ,ଆଚାର,ଆଉ ମିକସ୍ କରି । ତୋ ସେ ରସୁଣ ଛେଚା ବିରି ଡାଲି ଖାଇବ । ତ ଦୂରର କଥା ବାସ୍ନା ବି ଟିକେ ପାଉନି । ଶାଗ ଭଜା ଚିଲିକା ମାଛ ଆଉ ତୋ ବଢ଼ି ଚୁର । ସାତ ସ୍ୱପ୍ନ ହୋଇ ଯାଇଛି ମୋ ପାଇଁ । ଖାଇବା ପରେ ତୋ ସେ ପଣତ କାନିରେ ମୁହଁ ପୋଛିବକୁ ପାଉନି ମୁଁ । ପାଉଛି ଖାଲି ସେ ଧୋବ ଫରଫର ଚାରି କୋଣିଆ କାଗଜର ମେଞ୍ଚାଏ ଗୁଚ୍ଛ । ଯୋଉ ସ୍ନେହ ଆଉ ମମତା ତୋ ପଣତ କାନିରେ ମିଳୁ ଥିଲା, ତାହା ସେ ଟିସ୍ୟୁ ପେପରରେ ମିଳେନି ଲୋ ବୋଉ । 


ସନ୍ଧ୍ୟାର ସେ ସଂଜ ସଳିତା, ସେ ଝୁଣାର ମହକ ମୁଁ ପାଉନି । ବଡ଼ ବଡ଼ ମନ୍ଦିରରେ ନାଦ କରୁ ଥିବା ସେଇ ଯନ୍ତ୍ର ଚାଳିତ ଘଣ୍ଟ ଆଉ ଢୋଲର ଧ୍ଵନି । ଆଉ ସେ ଆଲୋକ ମାଳ । ମତେ ଟାଣି ନେଇ ଯାଏ ସେ ମନ୍ଦିର ମଧ୍ୟକୁ । କିନ୍ତୁ ସେ ଭଳି ଭକ୍ତି ଭାବ ସୃଷ୍ଟି ହୋଇ ପାରେନା ମୋ ଭିତରେ । ତୋ ସେ ଚଉଁରା ମୂଳରେ ଥିବା ଦୀପରେ ଜଳି ଉଠୁ ଥିବା ସଂଜ ସଳିତା ବେଶୀ ମନେ ପଡେ । ତୋ ସେ ଝୁଣାରେ ମତେ ମନେ ହୁଏ ମୁଁ ଇନ୍ଦ୍ର ଭବନରେ ପାଦ ଦେବା ଭଳି । 


ସନ୍ଧ୍ୟାରେ ତୁ ତିଆରି କରି ଥିବା ଚକୁଳି ପିଠା ମତେ କାହିଁ ବହୁତ୍ ସୁଆଦିଆ ଲାଗେ । ରାସ୍ତା କଡ଼ରେ ଥିବା ମସଲା ଦୋସାକୁ ଖାଇ ଦିଏ ସତ । କିନ୍ତୁ ସେଥିରେ ସେଇ ପରିମାଣରେ ଖୁସି ନ ଥାଏ । ସେଥିରେ ପିଆଜ,ଆଳୁ ଚକଟା, ଚଟଣୀ ଆହୁରି କେତେ କଣ ଦେଇ ତିଆରି କରି ଥାଏ ସେ ରାସ୍ତା କଡ଼ର ବୁଲା ବିକାଳୀ । କିନ୍ତୁ ତୋ ସେ ତେଲ ପକା ଚକୁଳି ଆଗରେ ସମ୍ପୂର୍ଣ୍ଣ ଫିକା । 


ରାତିର ସେ ପଖାଳ କଂସା ଆଉ ଆଳୁ ଭଜା ମୁଁ ପାଉନି ଖାଇବାକୁ । ମିଳୁଛି ତ କେବଳ ଦମ୍ ବିରିୟାନୀ, ନାନ୍ ଆଉ ପିଜା । ତୋ ପଖାଳ ଭାତକୁ ମୁଁ ଆଡ଼େଇ ଦେଇ ଋଷି ବସେ, ନ ଖାଇବି ବୋଲି । ଆଜି ସେ ସବୁ କିଛି ନାହିଁ । ଆଜି ସେଇ ପଖାଳ କଂସା ପାଇଁ ମୁଁ ପାଗଳ ହୋଉଛି ଖାଇବା ପାଇଁ । ଆଜି ମୁଁ ତାରି ପରିଣାମ ଭୋଗୁଛି । 


ବୋଉଲୋ.....ବୋଉ......


ତୁ ମାଆ ନା ଦେବୀ । ତୁ କଣ ତୋ ସନ୍ତାନ ପାଇଁ ଏତେ ଦୁଃଖ କଷ୍ଟ ସହିପାରୁ । ଆଜି କାଲିର ଏ ବିଜ୍ଞାନ ଯୁଗରେ କିଏ କାହାର ? ସମସ୍ତେ ଏଠି ପରିବର୍ତ୍ତନ ହେଉଛନ୍ତି ସମୟକୁ ନେଇ । ରିତୁକୁ ନେଇ, ପରିସ୍ଥିତିକୁ ନେଇ ହେଲେ ତୁ ସେମିତି ରହି ଆସିଛୁ । ମୁଁ ଜନ୍ମ ହେଵା ଦିନ ଠାରୁ ଆଜି ଯାଏ, ମୁଁ ଖାଲି ଦେଖି ଆସିଛି ତୋ ତ୍ୟାଗ, ତୋ ଭଲ ପାଇବା ଆଉ ତୋ ପ୍ରେମ । 


କି ଖରା, କି ବର୍ଷା, କି ଶୀତ ତୋର ସବୁ ସମୟରେ ସେଇ ରୁଟିନ ଲାଇଫ । ପାହାନ୍ତି ସକାଳୁ ରାତିର ଶେଷ ପ୍ରହର ଯାଏ ତୁ ତୋର ବହୁ ମୂଲ୍ୟ ସମୟ ଆଉ ପରିଶ୍ରମ ଦେଇ ଚାଲୁଛୁ ମୋ ଘର ଆଉ ପରିବାର ପାଇଁ । 


ଜାଣିନି ତୋ ପାରିଶ୍ରମିକ କିଏ ଦେଇ ପାରିବ କି ନାହିଁ?କିନ୍ତୁ ଏତିକି କହିବି ତୋ ପାରିଶ୍ରମିକ ଯେତେ ଦେଲେ ବି କମ୍ ପଡି ଯିବ । ଏ ଜନ୍ମ କଣ ସାତ ଜନ୍ମ କଟି ଗଲେ ବି ମୁଁ ତୋର ଋଣ ଶୁଝେଇ ପାରିବିନି । ଦିନେ ପାଣି ଗଡ଼େଇ ମାଠି ଆରୁ ପିଉ ନଥିଲା ସେ ଆଜି ସବୁ କାମ ନିଜେ କରୁଛି । ବୋଉଲୋ ତୋ କଥା ବହୁତ୍ ମନେ ପଡୁଛି । 



Rate this content
Log in

Similar oriya story from Inspirational