Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ନିପା ଭାଇରସ

ନିପା ଭାଇରସ

6 mins
7.3K


ଲୀଲାବତୀ ମହାପାତ୍ର

ବେଳକୁ ବେଳ ଖରାତାତି ବଢ଼ିବାରେ ଲାଗିଛି । ବର୍ଷକୁ ବର୍ଷ ପାରଦ ଟପୁଛି ସିନା କମିବାର ନା ଗନ୍ଧ ନାହିଁ । ଏ ବର୍ଷ ମେ ମାସରେ ଚଉରାଳିଶି ପଇଁଚାଳିଶି ଡିଗ୍ରୀ ପାରଦ ଛୁଇଁଲାଣି । ଅସହ୍ୟ ଗରମ । ଯେଉଁ ଦିଗକୁ ଅନେଇବ ମେଘକୁ ଛୁଇଁବ ଛୁଇଁବ ହେଉଛନ୍ତି କୋଠାଘର ସମୁହ । କଳକାରଖାନାର କଳା, ନାଲି ଧୂଆଁର ଚଦରରେ ବାୟୁମଣ୍ଡଳ ଢାଙ୍କି ହୋଇଗଲାଣି । ଗୋରୁ, ଗାଈ ଚରିବାକୁ କି ମଢ଼ ପୋଡ଼ିବାକୁ ଜାଗା ଟିକେ ନାହିଁ । ଜଣ ଜଣଙ୍କର ଚାରିପାଂଚଟାରୁ ବି ବେଶୀ ଘର କରି ପରିବେଶର ସନ୍ତୁଳନକୁ ବିଗାଡ଼ୁଛନ୍ତି । ରାସ୍ତାଘାଟ ଶୂନ୍ଶାନ୍ ହୋଇଗଲାଣି । ବେଳ ଯେତେ ଗଡ଼ୁଛି ଲୋକଗହଳି ସେତେ କମୁଛି । ଆଜି କ’ଣ ହୋଇଛି କେଜାଣି ବେପାରଟା ପୁରାପୁରି ମାନ୍ଦା ପଡ଼ିଯାଇଛି । ଅନ୍ୟଦିନ ମାନଙ୍କରେ ଏତେବେଳକୁ ସନାତନର ଠେଲାରୁ ଆମ୍ବତକ ସରି ସାରନ୍ତାଣି । ଆଜି କିଲୋଟିଏ ବି ବିକ୍ରି ହୋଇ ନାହିଁ । ଖଜୁରୀ କୋଳି ଯେମିତିକୁ ସେମିତି ପଡ଼ି ରହିଛି । ଫଳ ଭିତରେ ରାଜା ଆମ୍ବ । ସମସ୍ତଙ୍କର ପ୍ରିୟ । ତା ଛଡ଼ା ସନାତନର ଠେଲାରେ ବିଭିନ୍ନ ଜାତିର ଆମ୍ବ ଥାଏ । ଆମ୍ବଗୁଡ଼ିକୁ ଏପରି ଭାବରେ ସଜାଇ ରଖିଥାଏ ଯେ ନ କିଣିବା ଲୋକେ ମଧ୍ୟ ଘଡ଼ିଏ ଛିଡ଼ା ହୋଇ ତା ଠେଲାକୁ ଅନେଇ ରହନ୍ତି । ସୁନ୍ଦରୀ ଆମ୍ବ, ବାଇଗଣ ପଲ୍ଲୀ, କଲମୀ, ସୁଲତାନ, ପାନପତ୍ରୀ, ଛୋଟ ଆମ୍ବ, ବଡ଼ ଆମ୍ବ ଏହିପରି ବିଭିନ୍ନ ପ୍ରକାର ଆମ୍ବ ସନାତନର ଠେଲାରେ ସଜ୍ଜିତ ହୋଇ ରହିଥାଏ । ସନାତନ ମଧ୍ୟ ପ୍ରତିଦିନ ସକାଳୁ ତା ଠେଲା ରଙ୍ଗିଲା ଛକରେ ରଖି ଛିଡ଼ା ହୁଏ । ଛକ ଜାଗା ବହୁଲୋକଙ୍କ ଭିଡ଼ ତା ବ୍ୟବସାୟ ଠିକଠାକ୍ ଚାଲିଥାଏ । ଚାଲିବନି ବା କିପରି ଖାଲି ଠେଲା ମେଲି ସେ ଚୁପ୍ ହୋଇ ବସି ଯାଏନି । ବିଭିନ୍ନ ଆମ୍ବକୁ ନେଇ ବିଭିନ୍ନ ପ୍ରକାର ଲୋଭନୀୟ କଥା କହି ଡାକ ଛାଡ଼େ । ଯେପରି ସୁନ୍ଦରୀ ଆମ୍ବ, ଉପରେ ଯେପରି ଭିତରେ ସେପରି । ପାଟିରେ ପଡ଼ିଲେ ଯାଏ ମିଳେଇ । ବାଇଗଣପଲ୍ଲୀ ହଳଦୀରାଣୀ ଦେଖି ଲୋଭାନ୍ତି ଘରଣୀ । ଏପରି ମନରୁ ଯୋଡ଼ାଯୋଡ଼ି କରି ଡାକ ଛାଡ଼ୁଥାଏ । ଦରଦାମ ମଧ୍ୟ ଲୋକ ଦେଖି କହିଥାଏ । ଅନ୍ୟ ଠେଲା ଅପେକ୍ଷା ତାର ବେଶୀ ବିକ୍ରି ହୋଇଥାଏ ।

ସନାତନ ମୁଣ୍ଡରୁ ଝାଳ ପୋଛିଲା । ପାଣିଢୋକେ ପିଇ ହାତଘଂଟାକୁ ଦେଖିଲା । ଦିବା ବାରଟା ବାଜିବାକୁ ବସିଲାଣି । ଛାଡ଼ ଆଜି ଆଉ କିଛି ବିକ୍ରି ହେବ ନାହିଁ । ଠେଲା ଉପରେ ଓଦା କନାଟିଏ ଘୋଡ଼ାଇ ଦେଇ ତାକୁ ଛାଇ ଜାଗାରେ ରଖିଲା । ଘର ମୁହାଁ ହେବ ନା ନାହିଁ ଚିନ୍ତା କଲା । ତା ସ୍ତ୍ରୀ ସୁନୀତାକୁ ନେଇ ସଂଜରେ ସାବିତ୍ରୀ ଅମାବାସ୍ୟା ପାଇଁ ଲୁଗାପଟା କିଣାକିଣି କରିବାର ଥିଲା । ଯୋଗକୁ ଆଜି ହିଁ କିଛି ବିକ୍ରି ହୋଇ ନାହିଁ । ସନାତନ ତା ସ୍ତ୍ରୀ କଥା ଭାବି କାନ୍ଦି ପକାଇଲା । ଭାରି ଦୁଃଖିନୀ ଟିଏ । କି କପାଳ ନେଇ ଜନ୍ମ ହୋଇଥିଲା କେଜାଣି । ବଡ଼ ଘରର ଝିଅ ବିବାହ ସମୟରେ ସନାତନ ଏସ୍ଡିଓ ଅଫିସରେ ଚାକିରୀ କରୁଥିଲା । ଘରେ କିଛି ଜମି ବାଡ଼ି ଥିଲା । ଭଲରେ ଚଳୁଥିଲେ । ଭାଗ୍ୟର ବିଡ଼ମ୍ବନା, ସବୁଠାରେ ତ ସେ ସମୟର ଖେଳ । ସମୟ କାହାକୁ ରାଜ ଆସନରେ ବସାଇଦିଏ ତ କାହାକୁ ଭିକାରୀ କରି ତଳିତଳାନ୍ତ କରିଦିଏ । ସନାତନ ସମୟର କାଳଚକ୍ରରେ ପ୍ରଭାବିତ ହୋଇ ଉପର ଅଫିସରଙ୍କ ସହିତ ସାମାନ୍ୟ ବଚସାରୁ ଚାକିରୀ ଛାଡ଼ିଦେଲା । ଦୁର୍ଦ୍ଦିନ ତାକୁ ଘଂଟି ଘାଗୁଡ଼ି ବଜାଇ ଗୋଡ଼ାଇଲା । ତା ଜୀବନଟାକୁ ଓଲଟପାଲଟ କରି ଥୋଇ ଦେଲା ।

ହଠାତ୍ ସନାତନ ର ବାପା କ୍ୟାନ୍ସର ରୋଗରେ ପୀଡ଼ିତ ହେଲେ । ସୁଅ ଭଳି ପଇସା ଖର୍ଚ୍ଚ ହେବାକୁ ଲାଗିଲା । ବେମାରୀ ବି ଭଲ ହେବନି ଜାଣିଶୁଦ୍ଧା କାଳେ ଭଲ ହୋଇଯିବ ଭାବି ପାରୁପର୍ଯ୍ୟନ୍ତ ଚିକିତ୍ସା କରାଯାଉଥାଏ । କିପରି ବା କରିବେନି ନିଜର ଆତ୍ମୀୟ ସୋଜନ ଙ୍କୁ ହରାଇବାକୁ କେବେ କ’ଣ କିଏ ଚାହିଁଥାଏ କି?

ସନାତନର ଅବସ୍ଥା ସେୟା ହେଲା । ଜମିବାଡ଼ି ବିକ୍ରି ହେଲା । କିନ୍ତୁ ତା ବାପାଙ୍କ ଦେହ ଭଲ ହେଲା ନାହିଁ । ସନାତନ ଆଉ କ’ଣ କରିପାରିଥାନ୍ତା ବାଧ୍ୟ ହୋଇ ଫଳ ବ୍ୟବସାୟ କୁ ଉପାର୍ଜନର ମାଧ୍ୟମ କଲା । ଘରେ ଦୁଇଟି କଲମୀ ଆମ୍ବଗଛ ଓ କେତୋଟି ଖଜୁରୀ ଗଛ ଅଛି । ବାକି ଫଳ ସେ ହୋଲସେଲରୁ ଆଣି ବିକ୍ରି କରିଥାଏ ।

ସୁନୀତା ମଧ୍ୟ ଖରାବେଳ ସାରା ଆମ୍ବ, ଖଜୁରୀ ଗଛକୁ ଜଗି ବସିଥାଏ । ସାଇର ବାଳୁଙ୍ଗା ଟୋକା ଗୁଡ଼ିକ ଟିକିଏ ସୁଯୋଗ ପାଇଲେ ଢେଲା ମାରି ଆମ୍ବ, ଖଜୁରୀ ନେଇ ଯାଇଥାନ୍ତି । ସୁନୀତା, ପୁଅ ଚନ୍ଦନ ଓ ଝିଅ ଚମ୍ପିକୁ ନେଇ ସନାତନର ଛୋଟ ପରିବାର । ପିଲାମାନଙ୍କୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଢ଼ାଇବାକୁ ସୁନୀତାର ଭାରି ଇଚ୍ଛା ଥିଲା । କିନ୍ତୁ ସବୁବେଳେ ସମସ୍ତଙ୍କ ଇଚ୍ଛା ତ ପୂର୍ଣ୍ଣ ହୋଇ ନଥାଏ । ପରିସ୍ଥିତି ଆଗରେ ମୁଣ୍ଡ ନୁଆଇଲା । ସୁନୀତା, ସରକାରୀ ବିଦ୍ୟାଳୟରେ ପିଲାମାନେ ପାଠ ପଢ଼ୁଛନ୍ତି । ଭଲ ପଢ଼ା ହେଉଛି । ପିଲାମାନେ ମଧ୍ୟ ଠିକଠାକ୍ ପଢ଼ୁଛନ୍ତି ।

ଏବେ ତ ଗ୍ରୀଷ୍ଣଛୁଟି ହୋଇଛି । ପିଲାମାନେ ଘରେ ଥିଲେ । ସୁନୀତା ଆଜି କ’ଣ ରୋଷେଇ କରିଥିବ କେଜାଣି ? ବିକ୍ରି ବଟା ତ ନାହିଁ । ଘରଆଡ଼େ ଯାଇ ଘେରାଏ ବୁଲି ଆସିଲେ ଭଲ ହେବ । ସୁନୀତା ହାତର ପଖାଳ ଭାତରେ ଯେଉଁ ସୁଆଦ ଏ ହୋଟେଲର ଶୁଖିଲା ଭାତ ସେ ଆତ୍ମତୃପ୍ତି କାହୁଁ ଦେଇ ପାରିବ । ଏତକ ଭାବି ସନାତନ ଠେଲା ଧରି ଘର ମୁହାଁ ହେଲା ।

ମୁଣ୍ଡ ଉପରେ ଓଦା ଗାମୁଛାଟାଏ ଘୋଡ଼େଇ ଠେଲାକୁ ଗଡ଼େଇ ଗଡ଼େଇ ଚାଲିବାକୁ ଲାଗିଲା । ସତରେ ‘ଭାଗ୍ୟ ଫଳତି ସର୍ବତ୍ର ନ ଚ ବିଦ୍ୟା ନ ଚ ପୌରୁଷ’ ଏ କଥାଟି ଯିଏ କହିଛି କିଛି ମିଛ କହିନାହାନ୍ତି । ସେ ଯଦି ଆଜି ଚାକିରିରେ ଥାନ୍ତା ପ୍ରମୋସନ ପାଇ ପାଇ କେତେ ଉପରକୁ ଉଠି ଯାଆନ୍ତାଣି । ଠେଲା ଗାଡ଼ିଟି ସଙ୍ଗେ ସଙ୍ଗେ ତା ଭାବନା ରାଜ୍ୟରେ ଏସି କାର ହୋଇଗଲା । ସ୍ତ୍ରୀ ସୁନୀତା ସହ ସେ ଏକ ଲମ୍ବାରାସ୍ତା ପାର କରିବାକୁ ଚେଷ୍ଟା କରୁଛି । ସମୟର ଚୋରାବାଲିରେ ତାଳ ଦେଇ ବହୁ ବାଟ ଅତିକ୍ରାନ୍ତ କରିଚାଲିଛି । ସତରେ ଭାବନାଟି କେତେ ସୁନ୍ଦର, ଆନନ୍ଦ ଦାୟକ । କ୍ଷଣକ ପାଇଁ ମଧ୍ୟ ହେଉ ଲୋକଙ୍କ ମନରୁ ଦୁଃଖ ଅବସାଦ ଦୂରେଇ ଦେଇଥାଏ । ହଠାତ୍ ପିଲାଙ୍କ କୋଳାହଳରେ ସନାତନ ଭାବନା ରାଜ୍ୟରେ ବସିଥିବା ଏସି କାର ର ଦ୍ୱାର ଖୋଲିଗଲା । ବାପା ତମେ କ’ଣ ଆଜି ଶୀଘ୍ର ଆସିଗଲ? ଅଦ୍ଭୁତ ଦୃଷ୍ଟି ନିକ୍ଷେପ କରି ପୁଅ ଚନ୍ଦନ ପଚାରିଲା । କାରଣ ସେ ପ୍ରତିଦିନ ସକାଳ ନଅଟାରୁ ଘରୁ ବାହାରେ ଯେ ଆସି ପହଂଚେ ରାତି ନଅଟାକୁ । ପୁଅର ମୁଣ୍ଡକୁ ଆଉଁସି ଦେଇ ଠେଲାଟିକୁ ଘର ଭିତରକୁ ନେଇ ଆସିଲା । ତମେ ସବୁ ଖାଇସାରିଲଣି ? ଯା ମାକୁ କହିବୁ ମୋ ପାଇଁ ମଧ୍ୟ ଖାଇବା ବାଢ଼ିଦେବ ।

ସମସ୍ତେ ଏକାଠି ବସି ଖାଇବା ସମୟରେ ସୁନୀତା ପଚାରିଲା ଆଜି କ’ଣ ବଜାର ଆଡ଼େ ଯିବା ? ସନାତନ ମୁଣ୍ଡହଲାଇ ମନା କଲା । ସୁନୀତା ପୁଣି ପ୍ରଶ୍ନିଳ ଦୃଷ୍ଟିରେ ଅନେଇ ରହିଲା କ’ଣ ହୋଇଛି ଆଜି ପୁରା ଚୁପଚାପ୍ । ସୁନୀତା ସନାତନର ଏପରି ଶୁଖିଲା ମୁହଁ ଦେଖିଲେ ଆଦୌ ସହ୍ୟ କରି ପାରେନା । କିପରି ପାରିବ? ଯେଉଁ ସନାତନ ତାର ସମସ୍ତ ଟିକିନିଖି ସୁବିଧା ଅସୁବିଧାକୁ ମହତ୍ୱ ଦେଇଥାଏ । ତା ହସରେ ହସେ ତା ଦୁଃଖରେ କାନ୍ଦେ । ପ୍ରକୃତରେ ଏମାନେ ହିଁ ସ୍ୱାମୀ ସ୍ତ୍ରୀ । ଏକ ପରିପୂର୍ଣ୍ଣ ଯୋଡ଼ି ।

ଆଜି କାହିଁକି ବେପାରଟା ମାନ୍ଦା ହେଲା । ଆମ୍ବ ଖଜୁରୀ କୋଳିକୁ କିଏ ବି ହାତ ଲଗାଇଲେ ନାହିଁ । ଏତକ ଅତ୍ୟନ୍ତ କରୁଣ ସ୍ୱରରେ କହି ପଖାଳ କଂସାଟିକୁ ଟେକି ଧରି ତୋରାଣି ତକ ଢକଢକ କରି ପିଇ ଉଠି ପଡ଼ିଲା । ସୁନୀତା ମନ କଷ୍ଟ ହେଲା ସେ ମନେ ମନେ ଭାବିଲା କାହିଁକି ପଚାରିଲା ଶାନ୍ତିରେ ଗଣ୍ଡାଏ ଖାଇ ଥାନ୍ତେ ।

ସନାତନର କଥା ଶୁଣି ଚନ୍ଦନ କହିଲା ବାପା ଜାଣି ନା କି ନିପା ଭାଇରସ ପରା ଏ ଆମ୍ବ ଓ ଖୁଜରୀ କୋଳିରେ ଅଛି । କାଲି ରାତିରୁ ଟିଭିର ସବୁ ନ୍ୟୁଜ ଚେନେଲରେ ବାରମ୍ବାର ଘୋଷଣା କରାଯାଉଛି । ସନାତନ ଚନ୍ଦନକୁ ପଚାରିଲା ଏ ନିପା ଭାଇରସ ପୁଣି କ’ଣ? ଏହା ସହିତ ଆମ୍ବ, ଖଜୁରୀ କୋଳିର କି ସମ୍ପର୍କ ଅଛି ? ଚନ୍ଦନ ଛୋଟ ପିଲା ହେଲେ ମଧ୍ୟ ଭାରି ବୁଦ୍ଧିଆ । ସେ ସନାତନର ହାତ ଧରି କହିଲା ବାପା ଏଠାରେ ବସନ୍ତୁ । ମୁଁ କହୁଛି ଶୁଣ ।

୧୯୯୮ ମସିହାରେ ମାଲେସିଆର ସୁଂଗଇ ନିପାହରେ ପ୍ରଥମେ ଏହି ରୋଗ ହୋଇଥିଲା । ତେଣୁ ସେ ଗ୍ରାମର ନାମ ଅନୁସାରେ ଏ ରୋଗର ନାମକରଣ କରାଯାଉଛି । ଏବେ ଆମ ଭାରତର କେରଳ ରେ ଏ ରୋଗ ବ୍ୟାପିଛି । ଘୁଷୁରୀ ଓ ବାଦୁଡ଼ି ପକ୍ଷୀଙ୍କ ଦ୍ୱାରା ଏହି ରୋଗ ହୋଇଛି । ବାଦୁଡ଼ି ପକ୍ଷୀ ଆମ୍ବ, କଦଳୀ, ଖଜୁରୀ, ପିଜୁଳି ଇତ୍ୟାଦି ଫଳରେ ବସି ତା ଭାଇରସ ଛାଡ଼ୁଛି । ତେଣୁ ଏହି ଫଳ ସବୁ ଖାଇଲେ ଆମେ ଏହି ରୋଗରେ ଆକ୍ରାନ୍ତ ହେବା । ଏହି ରୋଗର ଲକ୍ଷଣ ହେଲା । ମୁଣ୍ଡ ବୁଲାଇବା, ନିଃଶ୍ୱାସ ପ୍ରଶ୍ୱାସ ନେବାକୁ କଷ୍ଟ ହେବ । ଜ୍ୱର ଜୋରରେ ହେବ । ଦେହ ହାତ ଜଳିବ । ମୁର୍ଚ୍ଛା ହୋଇଯିବ । ଅଠଚାଳିଶି ଘଂଟା ମଧ୍ୟରେ ଚିକିତ୍ସା ନ କଲେ ରୋଗୀଟି କୋମାକୁ ଚାଲିଯିବ । ଧନୀ, ଗରିବ, ଜାତି, ଅଜାତି, ସାନବଡ଼ ଏ ରୋଗ କାହାକୁ ମାନୁନି । ଏହା ଏକ ସଂକ୍ରମଣ ରୋଗ । ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ନିପାହ ଏକ ଭୂତାଣୁ ଜନିତ ରୋଗ । ଏହା ମନୁଷ୍ୟ ଓ ପଶୁମାନଙ୍କ ପାଇଁ ଏକ ଭୟାନକ ରୋଗ । ଡକ୍ଟର ଅରୁଣ କୁମାର ଏହି ଭୁତାଣୁ ବିଷୟରେ ପ୍ରଥମେ ଆବିଷ୍କାର କରି ଲୋକମାନଙ୍କୁ ସଚେତନ କରାଇଥିଲେ ।

ସନାତନ ଆଶ୍ଚର୍ଯ୍ୟ ହୋଇ କହିଲା ମୁଁ ତ ପିଲାବେଳେ ରାତିରେ ଆମ ବାରଣ୍ଡା ଉପରେ ବାଦୁଡ଼ି ଅଇଁଠା କରି ପକାଇଥିବା ପିଜୁଳି, ଆମ୍ବ ଇତ୍ୟାଦି ଫଳ ବହୁତ ଖାଇଛି । କାହିଁ ମୋର ତ କିଛି ହୋଇନି । ଏହା ଗୋଟାଏ ସଜମାଛରେ ପୋକ ପକାଇବା ପରି କଥା । କେତେବେଳେ ମେଗି ଖରାପ, ଅଟା ଖରାପ, ପ୍ଲାଷ୍ଟିକ୍ ଚିନି, ପ୍ଲାଷ୍ଟିକ୍ ଚାଉଳ ଖାଲି ପ୍ରଚାର ପ୍ରସାର କରି ଆମ ମାନଙ୍କ ବେପାର ମାନ୍ଦା କରିବା ଛଡ଼ା ଆଉ କିଛି ନୁହେଁ ।

ଚନ୍ଦନ ଠୋ ଠୋ ହୋଇ ହସି ଗଡ଼ିଗଲା । ବାପା ତମେ ସତରେ ବାଦୁଡ଼ି ଅଇଁଠା ଖାଉଥିଲ ? ଏହା ପରା ଏକ ଭିନ୍ନ ପ୍ରଜାତିର ବାଦୁଡ଼ି ଦ୍ୱାରା ବ୍ୟାପୁଛି । ଏଥିପାଇଁ ଔଷଧ ମଧ୍ୟ ବାହାରିଲାଣି ବାପା । ପ୍ରକୃତି ମଣିଷ ଉପରେ ଯେତେ ଦାଉ ସାଧୁଛି । ମନୁଷ୍ୟ ତା ବୁଦ୍ଧି ବଳରେ ପ୍ରକୃତିର ପ୍ରକୋପକୁ ସେତିକି ପରିମାଣରେ ଦବାଇ ରଖୁଛି । ତୁଳସୀ, ନିମ୍ବ, ଗଙ୍ଗଶିଉଳୀ ପତ୍ର ଏହି ରୋଗର ମହୋଷଧୀ । ଏହାର ନିରାକରଣ ପାଇଁ ଟୀକା ମଧ୍ୟ ବାହାରିଲାଣି । ଚନ୍ଦନ ଗପି ଚାଲିଛି । ପିଲା ଲୋକ ସେ ବା କାହୁଁ ଜାଣିବ ନିଜ ଘର ଚୁଲିମୁଣ୍ଡ କଥା ।


Rate this content
Log in

Similar oriya story from Classics