Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଅପୂର୍ବ ସଂଯୋଗ
ଅପୂର୍ବ ସଂଯୋଗ
★★★★★

© Biswa Bharati Dash

Inspirational

5 Minutes   7.1K    17


Content Ranking

ଆଃ , ପୁଣି ଥରେ ସେଇ ଡାକ ! ଯାହା ଦିନେ ଏକ ଅନୁଢା ମାତୃତ୍ୱର ଅନୁଭବ ଦେଉଥିଲା ! ସେଇ ଛୁଆଁ , ସେଇ ଭାବ , ଜାଣେନା କାହିଁକି ଏ ଅସମୟ ଛୁଆଁ ! ସତରେ କ'ଣ ଏମିତି ହୁଏ ? ତେବେ ଏଇ ସଂପର୍କକୁ କେଉଁ ନାମ ଦେବି !!

ପଛକୁ ଫେରେଇ ନେଇଯାଉଥିଲା ଏ ସମୟର ପାଦ । ଠିକ୍ ଯେମିତି ଭିଡିଓ ରିଲ୍ ପଛକୁ ଫେରେ ଝିକ୍ ଝିକ୍ ଏପଟ ସେପଟ ହୋଇ ସେଇ କଳା ଧଳା ରଂଗରେ । ସେଇ ପଢା ସମୟର କିଛି ଅଭୁଲା ଦିନ ତକ !ଘରଠୁ ଦୂରରେ ମାତ୍ର ଗୋଟିଏ ଛାତ ତଳେ , ଚାରିକାନ୍ଥ ଭିତରେ , ଚାରୋଟି ଝାପ୍-ସା ମୁହଁ ଓ ଅଚିହ୍ନା ଅଜଣା ଠିକଣାର ଚାରୋଟି ମନ ! କେତେ ଯେ ଅନ୍ଧାର ରାତି , ଆଲୁଅର ଛୁପାଛୁପି , ସବୁ ସେଇ ଗୁଂଫା ଭିତରେ ! ହଁ , ଗୁମ୍ଫା କହିଲେ କିଛି ଅତ୍ୟୁକ୍ତି ହେବନାହିଁ !!

ଚାରୋଟି ଝାଞ୍ଜି ତାତି , ମଞ୍ଜ ଥରି ଯାଉଥିବା ଶୀତ ରାତି , ଦେହ ମନ ସବୁ ଭିଜେଇ ଦେଉଥିବା ବର୍ଷା ଗୀତି .... ଚାରୋଟି ଥାକ, ଚାରୋଟି ଥାଳି , ଚାରୋଟି ପାନିଆ , ଚାରୋଟି ବ୍ରସ୍ ଜିଭଛେଲା , ଚାରୋଟି ତକିଆ , ଚାରିହଳ ଯୋତା , ଚାରୋଟି ଭଗବାନ୍ ଓ ଚାରୋଟି ଭିନ୍ନ ପରିଧିର ଶରୀର ! ଆଉ ଏସବୁ ଭିତରେ ଥାଏ , ଗୋଟିଏ ଠାକୁରଙ୍କ ଥାକ , ଗୋଟିଏ ଚୁଲି , ଗୋଟିଏ ରନ୍ଧାପାତ୍ର , ଗୋଟିଏ ବ୍ରସ୍ ଷ୍ଟାଣ୍ଡ୍ , ଗୋଟିଏ ସସ୍-ପେନ୍ , ଗୋଟିଏ କମ୍ବଳ ଓ ଗୋଟିଏ ମାତ୍ର ଦର୍ପଣ , ଯାହାକୁ ଆମେ ସମସ୍ତେ ଭାଗବାଣ୍ଟ ହେଉ । ସେଇ ଭାଗବଣ୍ଟାରେ ଥାଏ କିନ୍ତୁ ଅନେକ୍ ତୃପ୍ତି । ସମୟ ବି ନଈ ପରି ଅଣ୍ଟା ଦୋହଲାଇ ପ୍ରେମ ଢାଳିଢାଳି ଚାଲିଥାଏ । ଆଉ ତା ସହ ଆମ ପ୍ରେମ ଓ ଆମ ସଂପର୍କ ବି !

ସମୟର ତାଳେ ତାଳେ ସେ ବି ଅନେକ୍ ଭିତରେ ମୋତେ ଏକ ନୂଆ ସ୍ପର୍ଶ ଦେଇସାରିଥାଏ । ତ' ବି ଏକ ସୌଭାଗ୍ୟ ! ଜନ୍ମରୁ ହିଁ ନାରୀ ଓ ପୁରୁଷ ତାଙ୍କ ସ୍ବପ୍ରକୃତି ସହ ଭୂମିଷ୍ଠ ହୁଅନ୍ତି । ପ୍ରତ୍ୟେକ ମଣିଷ ସ୍ନେହ କାଙ୍ଗାଳ , ପ୍ରକାଶ୍ୟରେ ବା ଅପ୍ରକାଶ୍ୟରେ । ଏକଥା କେବେବି ଭୁଲ୍ ନୁହେଁ ! ଆଉ ମା'ଟିଏ ହୋଇ ପାରିବା ବା ପାଇ ପାରିବା ,ୟେ ବି ସହଜ ନୁହେଁ । ଅନ୍ତଫାଡି ଜନ୍ମ ଦେଇ ଦେଲେ ଖାଲି ମା ହୋଇ ଯାଆନ୍ତି ନି । ମା'ର ମମତା ଯେଉଁଠୁ ଗଙ୍ଗାପରି ବୋହିଯାଏ , ମନ ତ ସେଇଠି ଆପେ ବାନ୍ଧି ହୋଇ ଯାଏ ! ସେମିତି ବୋଧେ ମୋ ସହ କିଛି ଘଟିଗଲା !

କେବଳ ମୁହଁର ସୁନ୍ଦରତାକୁ ନେଇ ସଂପର୍କ ବାନ୍ଧି ହୁଏନା । ସଂପର୍କ ତ ଏମିତି ଏକ ଚେର , ତାକୁ କେବଳ ବାହାରେ ନୁହେଁ , ଅନ୍ତରରେ ଅନୁଭବ କରିହୁଏ । ସେଇଠି ହିଁ ସୁନ୍ଦରତା ମାପି ହୋଇଯାଏ ,ଦୁଇ ପାଖର। ଆଉ ମନ ଭେଦିବାକୁ ମାପକାଠି ଟିଏ ଲୋଡେ ସେତେବେଳେ ! ସେ ଯା'ବି ହେଉ , ସଂପର୍କ ଯେ ଏକ ଅଜଣା ଦ୍ବୀପର ମଞ୍ଜି ଏକଥା ସମସ୍ତଙ୍କୁ ଜଣା । ପାଣି ପବନ ସୁହାଇଲେ ବଞ୍ଚିଲା , ନହେଲେ .... ।

ହଁ , ମୁଁ ସେମାନଙ୍କୁ ନାମ୍ ଦେଇଥିଲି ଗୋରୀ , କାଣୀ ଓ ଛୋଟୁ(ମୁଁ ଗେହ୍ଲରେ ଡାକେ ଟମ୍ପେଠୁ) ! ଭଲପାଇବା ଯେମିତି ଥିଲା ,ମୋ ପ୍ରତି ଭୟ ବି ସେମିତି ଥାଏ । ଜାଣେନା କାହିଁକି । ବୋଧହୁଏ , ମୋ ଅନୁଶାସନ ପାଇଁ ! ଯେତେ ଗାଳିମନ୍ଦ କଲେ ବି ରାତିରେ ମୋରି ଉପରେ ସମସ୍ତେ ଗୋଡ଼ ହାତ ଲଦି ନ ଶୋଇଲେ , ସେମାନଙ୍କୁ ନିଦ।ହୁଏନି , କି ମୋତେ ବି । ଧୀରେ ଧୀରେ ମୋର ବି ଆଦତ୍ ପଡ଼ିଗଲା । ମୁଁ କିନ୍ତୁ ଶୋଇ ପାରେନି କେହି ମୋ ଦେହରେ ଲାଗିକି ଶୋଇଲେ । ଘରେ ବି ସେମିତି , ମୋ ଜିନିଷରେ କେହି ହାତ ମାରନ୍ତି ନି, ମୁଁ ଖୁବ୍ ବିଗିଡେ । ମୋ ରୁମ୍ ରେ ମୁଁ ଏକୁଟିଆ ଶୁଏ । ଆମ ଘରକୁ ମୁଁ ନିଜେ ସଜାଡି ରଖେ । ସେମିତି ଏଠି ବି କରେ । ସେମାନେ ସବୁ ଶୋଇ ଗଲା ପରେ , ରୁମ୍ ସଜାଡ଼ିକି ରଖେ ।ଛୋଟ ଘରଟିଏ ହେଉ ପଛେ , ପରିଷ୍କାର ରହୁ । ଯେତେ କହିଲେ ବି ଶୁଣନ୍ତି ନି , ହସି ଦେଇ ଚୁପ୍ ହୋଇ ଯାଆନ୍ତି , ଜାଣନ୍ତି ମୁଁ କରିଦେବି ବୋଲି ! ସମୟ ବି ପାଖେଇ ଆସୁଥାଏ ,ଘର ବାହୁଡା଼କୁ । ଭିତରେ ଭିତରେ ସମସ୍ତେ ଖୁସି ଥାଉ କି ଦୁଃଖ କରୁ , ମାପିନି ; କିନ୍ତୁ ଭଉଣୀଟିଏର ଅଭାବରେ ମୁଁ ପୁଣି ଥରେ ଯେ ହଜିଯିବି , ସେତିକି ଜାଣିପାରୁଥାଏ ଓ ରାତିରେ ସେମାନେ ଶୋଇଗଲା ପରେ ସେମାନଙ୍କୁ ଦେଖି ଚୁପ୍ ଚାପ୍ ଲୁହ ଗଡ଼ି ଆସେ କୋଉଠୁ କେଜାଣି ! ବୁଝି ପାରେନି ଏମାନେ ମୋତେ ବାନ୍ଧି ଦେଇଛନ୍ତି ନା ମୁଁ ନିଜେ ବାନ୍ଧି ହୋଇ ଯାଇଛି ସେମାନଙ୍କ ସହ କେଉଁ ସଂପର୍କରେ !

କଥାରେ ଅଛି, ସମ୍ପର୍କ, ଯେତେ ଶୀଘ୍ର ଯୋଡ଼ି ହୁଏ , ସେତେ ଶୀଘ୍ର ଭାଙ୍ଗି ଯାଏ । ହେଲେ ମୁଁ ଭାବେ ,ସମ୍ପର୍କ , ଏକ ଏମିତି ବନ୍ଧନ , ଯାହା ଥରେ ଯୋଡ଼ି ହୁଏ , ତାହା କେବେବି ଭାଙ୍ଗେନି । ଯଦି ଭାଙ୍ଗେ , ତେବେ ଏ ଶରୀରରୁ ପ୍ରାଣ ଛାଡ଼ି ଗଲା ପରେ, ହୁଏତ । ମଣିଷ ନିଜକୁ ସଂପର୍କଠୁ ଦୂରେଇ ରଖିବା ଏକ ମିଛ ଦୁନିଆରେ ବଞ୍ଚିବା ସହ ସମାନ୍ । ଅର୍ଥାତ୍ ଜ୍ଞାତ ସାରରେ ହେଉ ବା ଅଜ୍ଞାତ ରେ ସେଇ ସଂପର୍କକୁ ବେଶୀ ମନେପକାଏ ସେ ! ତେଣୁ ସଂପର୍କ କେବେ ଆପଣାଛାଏଁ ମରିଯାଏ ନି , ତାକୁ ମାରିଦିଆଯାଏ !

ସେମିତି କିଛି ସଂପର୍କରେ ବୋଧେ ଆମେ ପରସ୍ପରେ ବାନ୍ଧି ହୋଇଥିଲୁ । ଥରେ ମୁଁ ନଥିବା ସମୟରେ ,ଆର ଦୁଇ ଜଣ ଛୋଟୁଟିକୁ କଣ କଥାରେ କହିଲେ ,ଦିଦିର ଚେଲି ,ଆଜି ତୋ ଦିଦି ନାଇଁ, ଆମେ ତୋ ଦିଦି । ସଙ୍ଗେ ସଙ୍ଗେ ମୁହଁ ଫଣ୍ ଫଣ୍ କରି କହିଲା," ଏ , ତୁମ ପାଇଁ ସିନା ସେ ଅପା ! ମୋ ଦିଦିକୁ ମୁଁ ମାର ସମ୍ମାନ ଦିଏ ।ତାଙ୍କୁ ମା ଭଳି ଭାବେ । ତାଙ୍କ ଜାଗା ତୁମେ ମାନେ କେବେବି ନେଇ ପାରିବନି ! କେବେବି ନୁହଁ ! " ଅନ୍ୟ ଦୁଇ ଜଣଙ୍କ ମୁହଁରୁ , ତା ଅଲକ୍ଷ୍ୟରେ ଯେବେ ଏକଥା ଶୁଣିଲି , ଆଶ୍ଚର୍ଯ୍ୟ ହୋଇଗଲି ! କଣ ମୁଁ ଦେଇଛି ଏମାନଙ୍କୁ ? ହେଲେ ସତରେ କଣ ଏମିତି କେହି ଏତେ ଭଲ ପାଇପାରେ ? ଏତେ ଅନ୍ତରରୁ ? ସେତେବେଳେ ମୋ ଭିତରେ ଏକ ମା'ର ଅନୁଭବ ଆସୁଥାଏ । ଆଖିରେ ଲୁହ ଆସି ଯାଉ ଥାଏ । ତାପରେ ଏ ଦୁଇ ଜଣ ବି ଆସି ମୋତେ କୁଣ୍ଢେଇ ପକେଇଲେ । କହିଲେ ଆମେ ବି ତୁମକୁ ବହୁତ୍ ଭଲ ପାଉ ! ରୋକି ପାରୁ ନଥାଏ ସେ ଅମାନିଆ ଲୁହଗୁଡ଼ିକୁ । ସତରେ ସେଇ ଛୋଟୁର ଡାକଟା ଟିକେ ବେଶୀ ଛୁଇଁ ଯାଉଥିଲା ମୋତେ । ସମୟ ସ୍ରୋତରେ , ବୋଧେ ବାଟବଣା ହୋଇ ଯାଏ କିଛି ସଂପର୍କ , ଭୁଲ୍ ଠିକ୍ ଜାଣି ପାରେନି । ତାର ପରିଣତି ଦୂରତା ଓ ଶୂନ୍ୟତା । କର୍ପୂର ପରି ଉଡି ତ ଯାଏନି ,କିନ୍ତୁ ଛିଡି ଯାଏ ସେ ସଂପର୍କ ,ଆଉ କନା ପରି ପଡ଼ି ରହେ କିଛି ଅଭୂଲା ସ୍ମୃତି । ସେଦିନଠୁ , ବୋହି ଯାଇଥିଲା କି ଭୂମିକମ୍ପରେ ପଶି ଯାଇଥିଲା ସେ ଡାକ ଜାଣେନି ......

ଏଇ ଏବେ ଏବେ ହିଁ ତ ଭେଟିଛି ! ଦେଖିଲା ଦିନଠୁ ଆଖିଟା ଲାଖି ଯାଇଛି । ଅନେକ୍ ପ୍ରଶ୍ନର କୁହେଳି ଭିତରେ ଥାଇ ବି ଓଠ ମୋର ଥିଲା ଚୁପ୍ । ଖାଲି ଯେମିତି ତାକୁ ମୋରି ଭିତରେ ଲୁଚାଇ ଦେବାର ସେଇ ଆଦିମ ଇଚ୍ଛାଟିକୁ ,କାହିଁକି କେଜାଣି ମନେମନେ ଚାପି ଦେଇଥିଲି । ନା ହୁଏତ ସେ କୌଣସି ସଂପର୍କରେ ସଂପର୍କିତ ହେବାକୁ ନଚାହିଁ ପାରେ ! ସେଇ କଷ୍ଟରେ , ନୀରବ ରହିବା ହିଁ ଶ୍ରେୟ ମଣିଲି । ଫେରି ଆସିଲି ଘରକୁ , ତାଠୁ କିଛି ଚୋରେଇ ଆଣିଥିଲି ସାଙ୍ଗରେ ଅବଶ୍ୟ ! ଅନେକ୍ ସମୟରେ ତା କଥା ଭାବେ ,ହେଲେ ସାହସ୍ ପାଏନି ଏତିକି କହିବାକୁ ,ଏ ତୁ କାହିଁକି ଏତେ ଭଲ ଲାଗୁଛୁରେ ! ଲାଗୁଥିଲା ଯେମିତି ମନଟା କେଉଁ ଗୋଟେ ସୁଡ଼ଙ୍ଗ ଦେଇ ବୋହିଯାଇଛି ତା'ରି ପାଖକୁ । ଦୁଇ ଦିନ୍ ପରେ ମୋ ସହ କଥା ହେଲା । ଖୁବ୍ ଖୁସି ଲାଗିଲା । ହଠାତ୍ କହିଦେଲା , 'ମାମୁନି ଦିଦି' ଡାକିବି ତୁମକୁ , ଆଉ ମ୍ୟାମ୍ କହିବିନି । ମୋତେ ଲାଗିଲା ଭୂଗର୍ଭକୁ ପଶି ଯାଇଥିବା ସଂପର୍କ ପୁଣି ଆଗ୍ନେୟଗିରି ଫଟେଇ ଆଜି ବାହାରି ଆସିଛି ।

ଓଃ .... ସେଇ ୧୫ ବର୍ଷ ତଳର ସେଇ ଡାକ କାନରେ ବାଜି ଛାତି ଭିତରକୁ ପଶିଯାଉଥାଏ । ଅମାନିଆ ଲୁହଗୁଡା ପୁଣି ଆସିଲେ ଖୁସି ମିଶା । କହିଲି ଆଉଥରେ ଡାକ୍ ! ମୋ ଖୁସି ଆଉ ଲୁହ ଏକାକାର୍ ହୋଇ ଯାଉଥାନ୍ତି । ଇଚ୍ଛା ହେଉଥିଲା ଧାଇଁ ଯାଇ ତା ଗାଲରେ ଅଜସ୍ର ଗେହ୍ଲ କରି କୁଣ୍ଢେଇ ପକେଇବିକି ଆଉ ! ଅନେକ ଦିନର ହଜି ଯାଇଥିବା ସେଇ ଡାକ, ବୋଧେ ବହୁତ୍ ଝୁରି ହୁଏ ବୋଲି ଆଉ ଏକ ମିଠା ସଂପର୍କରେ ବାନ୍ଧି ହୋଇ ଆସିଗଲା ? ଖୁବ୍ ମିଠା ଲାଗୁଥିଲା ଏ ଡାକ ତାର , କହିଲି , ତୁ ଆଜିଠୁ ମୋ ପାଇଁ 'ସୁଇଟି' । ଅଭାବିମନ ବୋଧେ ଖୋଜି ପାଇଯାଏ ତାର ହଜିଲା ଧନକୁ !! ତେବେ ଏଇଟା ପୁନର୍ଜନ୍ମ ନା ଜୀବନ୍ୟାସ ସେଇ ସଂପର୍କର ନା ଆଉ କ'ଣ !!

ଅପୂର୍ବ ସଂଯୋଗ ସଂପର୍କ ପ୍ରେମ

Rate the content


Originality
Flow
Language
Cover design

Comments

Post

Some text some message..