Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajaya Mahala

Tragedy

3.4  

Ajaya Mahala

Tragedy

ଫୁଲଗଛ

ଫୁଲଗଛ

7 mins
15.4K


ବେବି ଫୁଲଙ୍କ ଭିତରେ ଫୁଲଟିଏ । ମାଆ ସହ ନିଜ ବାଡ଼ିରେ ବୁଲେ। ଗଛ ଲଗାଏ, ନୂଆ ଗଛ ଲଗାଇ ଜୀବନ୍ନ୍ୟାସର ପ୍ରଥମ ପାଣି ଦିଏ । କେବେ କାକୁଡିଲତା ସହ କଥା ହୁଏ ତ କେବେ ଲହକା ମନ୍ଦାର ଡ଼ାଳଟି ପାଖକୁ ଟାଣି ଆଣି ଫୁଟିଟିବା ଫୁଲଟିକୁ ଭଲ ଭାବରେ ଦେଖିନିଏ- ପାଖୁଡ଼ା ଠାରୁ କେଶର ଯାଏ । ପୁଣି ଛାଡି ଦିଏ ଡାଳକୁ ତା ଜାଗାରେ। ତା ନାକ, କାନ ଆଉ ଆଖିର କୋମଳ ଧାର ସବୁ ଯେମିତି ଗୋଲାପ ଫୁଲପାଖୁଡାର ଧାର ପରି । ଉଦାସ, ସୁନ୍ଦର ଆଉ ମହକ ଭରା ।

ମା' ମଲା ପରେ ଯେବେ ତା ବାପା ଦ୍ଵିତୀୟ ବିବାହ କରିଲେ, ସିଏ ଅଧିକ ସାଥି ହୋଇ ବସିଛି ଫୁଲ ମାନଙ୍କର। ସ୍କୁଲରୁ ଆସିଲା ପରେ ଘରେ ନ ବସି ବସ୍ତାନୀ ଫୋପାଡ଼ି ବାଡ଼ିକୁ ଚାଲିଯାଏ । ମାଆ ନାହିଁ ଯେ ହଠାତ କୌଣସି ଜଳଖିଆ ତିଆରି କରି ଡାକିବ । ବାଡ଼ି ପିଜୁଳି ଦୁଇଟି ଖାଇ ପେଟ ଭରି ନିଏ । ବାପା କେବେ ପଚାରନ୍ତି, "ଖାଇଛୁ ନା ରେ ମା ?" ବେବି ମୁଣ୍ଡ ଟୁଙ୍ଗାରି ଦିଏ । ସେହି ଗୋଟିଏ ପ୍ରଶ୍ନରୁ ଅଧିକ ପ୍ରଶ୍ନ ପଚାରନ୍ତି ନାହିଁ ବାପା।

ସାହି ଲୋକେ ସମସ୍ତେ ଆଦର କରନ୍ତି ବେବିକୁ । ବିଶେଷ କରି ମା ଛେଉଣ୍ଡ ହେବା ଦିନରୁ । ଯାଉ ଯାଉ କିଏ ତା ମୁଣ୍ଡ ଆଉଁସି ଦିଏ । ସମସ୍ତେ କିପରି ଅନୁକମ୍ପା ଦେଖାଇ ବସନ୍ତି ତାକୁ । ବେବି ବଲ ବଲ ହୋଇ ଚାହିଁ ରହେ । ଦଶ ବର୍ଷ ବୟସର ବେବି ଜାଣି ପାରେ ଲୋକେ କାହିଁକି ତାକୁ ଏତେ ଭଲପାଇ କଥା କହନ୍ତି। ନିଶ୍ଚୟ ତା ମାକୁ ମନେ ପକାଇ ସେମାନେ ଏପରି କରନ୍ତି । ସିଏ କାନ୍ଦି ପାରେନା । ଛୋଟଛୁଆଟା ମାଆକୁ ମନେ ପକାଇ କାନ୍ଦିବ କଣ ଯେ । ଯେମିତି ତା ସରଳ ଆଖି ଯୋଡିକ ପଛ ପଟରେ ସବୁ ଲୁହ ଏକାଠି ହୋଇ ଚାଲିଛି। ବୁଝିଲା ସୁଝିଲା ବୟସ ହୋଇଗଲେ ଏକା ଥରକେ ମନ ଭରି କାନ୍ଦିବ । କାନ୍ଦର ବି ତ ବୟସ ସହ କିଛି ସମ୍ପର୍କ ଅଛି ନା !

ନିଜ ସାହିର ଚାରି ଘର ଛଡା ବେବି ଆଉ କେଉଁ ଆଡେ ଯାଏନା । ବାପା ଆଉ ଥରେ ବାହା ହେଲାପରେ ସାହିର ବାକି ତିନିଘର ଲୋକେ ଏକ ପ୍ରକାରରେ ତାଙ୍କ ଘରକୁ ବି ଆସିବା କମ୍ କରି ଦେଇଛନ୍ତି। ସାବତ ମାଆ ବି ନିଜ ଦୁନିଆଁରେ ହଜି ଯାଇଥାଏ।ସବୁବେଳେ ଫୋନ ଧରି କାହା ସହ ଗପୁଥାଏ। ବେବିର କିନ୍ତୁ ସାହିରେ ସମସ୍ତ ଘରକୁ ଅବାଧିତ ଗତି। ଯେମିତି ସିଏ ସାହିରେ ସମସ୍ତଙ୍କର ଝିଅ ହୋଇ ଯାଇଛି । ସମସ୍ତେ ତା ଫୁଲ ଗଛ ସବୁକୁ ନେଇ ତାର ପ୍ରଶଂସା କରନ୍ତି। ସଦାବିହାରି ଠାରୁ ଆରମ୍ଭ କରି ଗଙ୍ଗଶିଉଳି ପର୍ଯ୍ୟନ୍ତ ସବୁ ଗଛ ତା ବାଡ଼ିରେ । ସାବତ ମା ପ୍ରାୟ ବାଡିକୁ ଆସନ୍ତି ନାହିଁ ଦେହ ଖରାରେ କଳା ପଡ଼ିଯିବ ବୋଲି । ସେଥିପାଇଁ ଏତେ ବଡ ବାଡି ଟିର ସିଏ ଏକଛତ୍ର ରାଜକୁମାରୀ !

ସେହି ସାହିରେ ରବିନନାଙ୍କ ଘର । ହିସାବରେ ବଡ ବାପାଙ୍କ ପୁଅ ଭାଇ। କିନ୍ତୁ ବୟସରେ ବହୁତ ବଡ଼। ରବି ନନା ଆସି କହନ୍ତି କୁଆଡେ ଭୁବନେଶ୍ୱର ରେ ଥିବା ତାଙ୍କ ଅଫିସ ବଗିଚାରେ ସୁନ୍ଦର ସୁନ୍ଦର ଫୁଲ ଗଛ। ରଙ୍ଗ ବେରଙ୍ଗୀ ଫୁଲ ।ଉଭୟ ଦେଶୀ ଆଉ ବିଦେଶୀ। ମାଳୀ ମାନେ ଅଛନ୍ତି ଫୁଲଗଛର ଯତ୍ନ ନେବାକୁ । କୁଆଡେ ଡାଲିଆ ଗୁଡିକ ବହୁତ ସୁନ୍ଦର । ବଡ ବଡ ହୋଇ ଯାଆନ୍ତି କେଇଟି ଦିନରେ। ଟୋକେଇ ପରି ବଡ । ଡାଲିଆ ଫୁଲ କଥା ଶୁଣି, ବେବିର ଆଗ୍ରହ ଆଉ କୌତୁହଳ ବଢି ଯାଏ। ରଙ୍ଗବେରଙ୍ଗ ଡାଲିଆ ଫୁଲ। ନଖପାଲିସ ପରି ଭଳିକି ଭଳି ରଙ୍ଗ ତାଙ୍କର !ଭାବି ବସେ, କେଡେ ସୁନ୍ଦର ହୋଇ ଯିବନି ତାର ବାଡ଼ି ସେହି ଫୁଲ ମାନଙ୍କୁ ନେଇ ! ବେବି ମାଗି ବସେ, " ରବି ନନା, ମତେ ଡାଲିଆ ଗଛ ଟିଏ ଆଣି ଦିଅନ୍ତ ନାହିଁ ?"

ରବିନନା ବଡ ଅଫିସରେ ଚାକିରୀ କରୁଛନ୍ତି ବୋଲି ଗାଆଁରେ ସମସ୍ତେ ପଚାରନ୍ତି। ସିଏ "ନା" କହି ନାକ କଟାଇବେ ନା କଣ ! ସୁତରାଂ ହଁ କହି ଦିଅନ୍ତି। କେଉଁ ଗୋଟାଏ ବଡ କଥା ଯେ। ତାଙ୍କ ପାଇଁ ଛୋଟ କଥା ସତ ବେବି ପାଇଁ ଡାଲିଆ ଫୁଲଟିଏ ବହୁତ ବଡ଼ କଥା। ବିଦେଶୀ ଫୁଲ ହୋଇଥିବାରୁ ସହଜରେ ଗାଆଁରେ ମିଳେ ନାହିଁ। ଥରେ ଫୁଲ ଫୁଟୁ। ଫୁଲରୁ ମଞ୍ଜି ସାଇତି ରଖିବ। ଆଗକୁ କାହାକୁ ମାଗିବାକୁ ପଡିବ ନାହିଁ। ସିଏ ତା ପାଇଁ ଚଉଁରା ପଛପଟ ଜାଗା ସ୍ଥିର କରି ରଖିଛି। ସେଇଟା ତା ମାଆର ପ୍ରିୟ ଜାଗା ଥିଲା। ମାଆ ସହିତ ଚଉଁରା ରୁ ଗୋଡ ଓହଳାଇ କେତେ ଥର ସେହି ଯାଗାରେ ବସିଛି। ଡାଲିଆ ଗଛଟି ସେଇଠି ଲାଗିଲେ ତୁଳସୀ ଚଉଁରା ସୁନ୍ଦର ଦିଶିବ । ତା ଛଡା ରାସ୍ତାରେ ଚାଲି ଯାଉଥିବା ଲୋକ ବି ଦେଖି ପାରିବେ ।

ପ୍ରତି ଥର ଭୁବନେଶ୍ୱରରୁ ଫେରିଲା ବେଳକୁ ବେବି ବାଟ ଚାହିଁ ରହିଥାଏ । ମାତ୍ର ପ୍ରତିଥର ନିରାଶ ହେବାକୁ ପଡେ ତାକୁ। ଭୁବନେଶ୍ୱର ମାଟିରେ ଗୋଡ ଦେବା ମାତ୍ରକେ ରବି ନନା ଭୁଲି ଯାଆନ୍ତି ବେବିର ଫରମାଇସ । ଅଫିସରେ ବଡ଼ସାହବଙ୍କ ଜି ହାଜିରି କରିବା ଛଡା ଆହୁରି ହଜାରେ କାମ । ତା ଛଡା ନିଜ ବସାଘର କଥା । ଅଫିସ ଫେରିବା ବାଟରେ ପନି ପରିବା କିଣି ଫେରିବାକୁ ହେବ ପ୍ରତିଦିନ। ତା ପରେ ରୋଷେଇ, ଖିଆପିଆ ଆଉ ଶୋଇବା । ପୁଣି ସକାଳକୁ ଉଠି ଅଫିସ ଦୌଡା। ଏମିତି ଏମିତି ଦିନ ଗୁଡିକ କଟିଯାଏ। ମାସ ଶେଷ ଶନିବାରକୁ ବସ୍ ଧରନ୍ତି ନିଜ ଗାଆଁକୁ। ଗାଁଆ ମୁଣ୍ଡରେ ପହଞ୍ଚି ଥିବେ କି ନାହିଁ ମନେ ପଡି ଯାଏ ବେବି କଥା । ନିଜକୁ ଧିକ୍କାର କରନ୍ତି କାହିଁକି ଭୁଲଗଲେ ବୋଲି ଛୁଆଟିର କଥା।

ଆଜି ବି ସେମିତି ଭୁଲି ଗଲେ ସେ ଫୁଲଗଛ କଥା। କିନ୍ତୁ ଏଥର ବସ୍ ରେ ବସିବା ପରେ କଥା ଟା ମନେ ପଡ଼ିଲା। ବାଟ ତ ଜଗି ବସିଥିବ ସିଏ । ବାଟ ଚାଲୁ ଚାଲୁ କି ମିଛ କହି ଛୁଆଟି ଠାରୁ ବଞ୍ଚିବେ, ସେହି କଥା ଭାବି ବସନ୍ତି। ସେ ସାମାନ୍ୟ ପରିସ୍ଥିତିରେ ମିଛ କହିବା ଲୋକ ନୁହନ୍ତି। କିନ୍ତୁ ନାହିଁ କହି ଝିଅଟିର ମନ ବି ଭାଙ୍ଗି ପାରିବେନି। ସୁତରାଂ ମିଛର ଶରଣ ପୁଣି ନେବାକୁ ଚେଷ୍ଟିତ ହୁଅନ୍ତି ।ପଛ ତିନି ମାସରେ ତିନି ପ୍ରକାରର ମିଛ କହି ସାରିଛନ୍ତି। ଏବେ ନୂଆ କିଛି କହିବାକୁ ସ୍ଥିର କରି ବସନ୍ତି।

"ନୂଆ ମଞ୍ଜି ଆସିଛି ପରା, ରହ ଟିକେ ବୁଣା ଯିବା ପର୍ଯ୍ୟନ୍ତ" । ମନ ଭିତରେ ଘୋଷି ନିଅନ୍ତି ମିଛ ଏତକ । ଯେମିତି ଅନର୍ଗଳ କହିଯିବେ ଝିଅଟି ଆଗରେ।ଦୋଷଭାବନାକୁ ଯଥା ସମ୍ଭବ ଚାହାଣୀରେ ଲୁଚାଇ।

ଘରେ ପହଁଚିବା ପୂର୍ବରୁ ସାହିପିଲାଙ୍କର ଭିଡ ଲାଗି ସାରିଥାଏ ଘରେ। କିଛି ନା କିଛି ନୂଆ ଜିନିଷ ଅବା ଖେଳନା ଘରକୁ ଆସିଥାଏ। ସାଙ୍ଗରେ ମିଠାଇ ବି। ମିଠାଇ ବକଟେ ବକଟେ ସମସ୍ତଙ୍କୁ ମିଳେ ଖାଇବାକୁ। ବାକି ରହିଲା ଆସିଥିବା ଅନ୍ୟ ଜିନିଷ ସବୁ। ଯାହାଲାଗି ଆସିଥାଉ ନା କାହିଁକି ସମସ୍ତେ ଦେଖି କରି ମଜା ନିଅନ୍ତି। ଯେମିତି ଏଥର ରବିନନାଙ୍କ ପୁଅ ବାବୁଲ ପାଇଁ ଆସିଛି ଗ୍ଲୋବଟିଏ - ସମସ୍ତେ ଦେଖି ଖୁସି ହେଉଛନ୍ତି ତାକୁ ଦେଖି। ଗ୍ଲୋବ - ପୃଥିବୀର କ୍ଷୁଦ୍ର ପ୍ରତିକୃତି । କେତେ ନୀଳ ମହାସାଗର, ଦେଶ ମହାଦେଶ ଅଙ୍କିତ ହୋଇଛି ତା ଉପରେ। ଆଲୋଚନା କରିବସନ୍ତି ସମସ୍ତେ ନିଜର ସୀମିତ ଭୌଗୋଳିକ ଜ୍ଞାନ । ଭାରତରେ ରାତି ହୋଇଥିବା ବେଳେ ଆମେରିକାରେ କାହିଁକି ଦିନ ହୋଇଥିବ ଏଇନେ। ଏମିତି କେତେ କଥା।

ବେବି ବି ଆସିଛି ଏଥର ତାଙ୍କ ଘରକୁ । ରବି ନନା ନିଜର ସଙ୍କୁଚିତ ମନ ନେଇ ତାକୁ ଦୂରରୁ ଦେଖିଲେ । ଡାଲିଆ ଫୁଲର ଚାରା ବିଷୟରେ ଆଜି ସେ ପଚାରିନି । ବୋଧହୁଏ, ସିଏ ଜାଣି ସାରିଛି ଯେ ତା ଡାଲିଆ ଚାରା ଆସିନାହିଁ। ରବିନନା ନିଜ ଭିତରେ ସଜିଲ କରି ରଖିଥିବା ମିଛ ସଫେଇଟିକୁ ଆଉ ପ୍ରସ୍ତୁତ କରନ୍ତି ନାହିଁ । ଅଯଥା ଦୋଷୀ ହେବାର ଜଘନ୍ୟ ପୀଡ଼ାରୁ ନିଜକୁ ବଞ୍ଚାଇ ପାରିଥିବାରୁ ଆଶ୍ୱସ୍ଥ ହୁଅନ୍ତି । କିନ୍ତୁ ପରେ ତାଙ୍କ ମନକୁ ନୈତିକତାର କୀଟ କାମୁଡି ବସିଲେ। ସେଠି ପାଇଁ ବେବି ପାଖକୁ ଯାଇ ନଇଁ ପଡି କହିଲେ, " ମା ଲୋ, ଏଥର ପୁଣି ଭୁଲି ଗଲି, କିନ୍ତୁ ଆର ଥରକୁ ଭୁଲିବି ନାହିଁ"

ବେବିର ଢଳ ଢଳ ଆଖି ରବି ନନାଙ୍କ ସ୍ମଶ୍ରୁଭରା ମୁହଁକୁ ମାପି ନେଇ ଯାଏ। ବିଚାରକ ସୁଲଭ ଚାହାଣୀରେ ତା ଆଖି ଯୋଡିକ ଯେମିତି ମାଫି ଦେଇ ଦିଅନ୍ତି ଜଣେ ଅମାୟିକ ପ୍ରୌଢ ଅଭିଯୁକ୍ତକୁ। ମୁହଁ ତାର ପୁଣି ପ୍ରଭାଦୀପ୍ତ ହୋଇଯାଏ ପୁଣି ନୂଆ ଆଶା ନେଇ। ଭରସାର ଦୀପ ଏମିତି ତ ଜଳି ରହିଥାଏ ମଣିଷର କଥାରେ।

ବେବି ବକଟେ ଛୁଆ ହେବନି। ତା ଆଗରେ ପ୍ରତିଶ୍ରୁତିଟିଏର ମାନେ କଣ ? କିପରି ଦଣ୍ଡିତ କରି ବସିବ ସିଏ ପୁଣି ଥରେ ଯଦି ସେ ଭୁଲି ଯାଆନ୍ତି ଡାଲିଆର ଚାରା ଟିଏ ଆଣିବାକୁ। ତାର ସାମର୍ଥ୍ୟ କାହିଁ ବଳପୂର୍ବକ ମନାଇ ନେବାକୁ। ଦେଖିବାକୁ ଗଲେ ସିଏ ତାଙ୍କ ନିଜ ପରିବାରର ବି ନୁହେଁ । ପୁଣି ନୈତିକତା ଧିକାର କରେ। ଯେମିତି ଛୋଟ ଛୁଆଟିର ବିଶ୍ୱାସ ଭାଙ୍ଗିବାରେ ସେ ଦେଖିବାକୁ ପାଆନ୍ତି ଆଇନ କାନୂନର ପ୍ରାଚୀର ସବୁକୁ ଭାଙ୍ଗି ଖସି ପଡୁଥିବାର ।

ପୁଣି ଭାବି ବସନ୍ତି ଝିଅଟିର କଥା। ଫୁଲଗଛ ଲଗାଇବା ତାର ସଉକ। ତା ହାତ ବାଜିଲେ ମରି ଆସୁଥିବା ଫୁଲଗଛ ବି ସିଧା ହୋଇ ଛିଡାହୁଏ । ତା ଛୋଟ ବାଡିଟିରେ ଟେବୁଲ ଗୋଲାପ ଠାରୁ ଆରମ୍ଭ କରି ମନ୍ଦାର ପର୍ଯ୍ୟନ୍ତ ନାନା ଜାତି ଫୁଲ। ଇଏ ତ ହେଲା ବାହାର ଦୁନିଆଁରୁ ଦେଖା ଯାଉଥିବା ତା ଫୁଲ ବଗିଚାର ଚିତ୍ର । ତା କୁନି ମନଟିର ବଗିଚା ଭିତରେ ଘଟି ଯାଉଥିବା ଘଟଣା ଆଉ ପରିବର୍ତ୍ତନକୁ କିଏ ଲକ୍ଷ୍ୟ ରଖୁଛି । ଅସଂଖ୍ୟ ଫୁଲ ଫୁଟି କେବେ ଝଡି ଯାଉଛନ୍ତି । ଅସଂଖ୍ୟ କୋମଳ ମନକଳିକା ଛାଏଁ ଛାଏଁ ପାକଳ ହୋଇ ଆସୁଛନ୍ତି କେଉଁପଟେ। ଆଉ ଆଶାର ଫୁଲଟିଏ ଏବେ କାଁ ଭାଁ ଫୁଟୁଛନ୍ତି କି ନା। ମାଛେଉଣ୍ଡ ଦଶବର୍ଷିଆ ଝିଅଟିର ମନଭିତରକୁ ଉଙ୍କି ମାରି ଦେଖୁଛି କିଏ?

ଏବେ ତ ତା ସାବତ ମାଆର ପୁଅ ଟିଏ ହୋଇଛି ।ଆହୁରି ଅବହେଳିତ ହୋଇ ଯାଇଛି ନୂଆ ମା'ର ପୁଅଟିଏ ହେବା ପରେ। କିନ୍ତୁ ତା ମନରେ ଖୁସି ଛୁଆଟିକୁ ଦେଖି । କେଡେ ଗୁଲୁୁଗୁଲିଆ ହୋଇଛି । ବଡ ହେଲେ ତା ସହ ଖେଳିବ । ତାର ସାଥିଟିଏ ତାରି ଘର କାନ୍ଥ ଭିତରେ । ତା ନିଜ ବଗିଚାର ଫୁଲଟିଏ ।

ପୁଅଟିକୁ ଧରିବାକୁ ଦେଇଛନ୍ତି ମା' ତାଙ୍କୁ କିଛି ସମୟ ପାଇଁ। ସିଏ ତାକୁ କୋଳରେ ଧରି ବାଡ଼ି ପଟ ଦ୍ୱାର ବନ୍ଧରେ ବସିଛି । ସାବତ ମାଆ ମଝିରେ ମଝିରେ ଅନାଇ ଦେଉଥିଲେ ତାଙ୍କ ନବଜାତ କୁନିପୁଅଟି ଆଡେ। ଆଉ ବେବିବି ଅନାଇ ଥିଲା ତାଙ୍କ ଆଡକୁ।

ଲୁଗା ଶୁଖାଇଲା ବେଳେ ସାବତ ମାଙ୍କ ପାଦତଳେ ଦଳି ହେଉଥିଲେ ତା ଲଗାଇଥିବା ଗେଣ୍ଡୁଗଛ କେତୋଟି । ବେବି ଜାବୁଡି ନେଉଥିଲା ତାଠୁଁ ବି ଆହୁରି ଅଜ୍ଞାନ କୁନିପୁଅଟିକୁ କୋଳରେ । ଆହା, ନାରୀର ମନ !

ଏଥର ବି ସେହି ଭୁଲ ହେଲା । କ୍ୟାଲେଣ୍ଡେରରେ ନାଲି ଗାର ମାରିବା ପରେ ବି କଥା ମନେ ରହିଲାନି

ରବି ନନାଙ୍କର । ବସ୍ ରେ ବସି ସାରିଲେଣି।ଗାଡି ରସୁଲଗଡ଼ ଛକ ପାରି ହେବାକୁ ଯାଉଛି। କାହିଁ ନିଜ ଛୁଆଙ୍କର ସବୁ ଜିନିଷ ଗୋଟି ଗୋଟି କରି ପ୍ୟାକିଙ୍ଗ କରି ଆଣିଛନ୍ତି ସେ । ସେମାନେ ନ ମାଗିଥିବା କେଇଟି ଜିନିଷ ମଧ୍ୟ ଯାହାସବୁ ପଇସା ଦେଇ କିଣିଛନ୍ତି ସେ। ମାତ୍ର ବେବି ମାଗିଥିବା ଫୁଲଗଛ କେତୋଟି ନେବାପାଇଁ ସେ ଭୁଲିଗଲେ କେମିତି, ଯାହାପାଇଁ ପଇସା ବି ଖର୍ଚ୍ଚ କରି ବାକୁ ପଡି ନ ଥାନ୍ତା ବି ତାଙ୍କୁ । କାର୍ଯ୍ୟାଳୟରେ କାମ କରୁଥିବା ମାଳୀଠାରୁ ମାଗି ରଖି ଥାନ୍ତେ ଯାହା ସେଗୁଡିକୁ । ଭଲ ମଣିଷଟିଏ ବି ପ୍ରାୟ ନିଜ ପରିବାର ଠାରୁ ଅଧିକ ଦୂର ଭାବି ପାରି ନ ଥାଏ !

ସ୍ଥିର କଲେ ଏଥର ଫେରି ଯିବେ ରାସ୍ତାରୁ ସେ। ବିନା ଫୁଲଗଛ ନେଇ ଗାଁଆକୁ ଫେରିବେନି। ଟିକିଏ ଡେରି ହେବ ତ ହେଉ । ବସ୍ ନ ମିଳିଲେ କାଲି ସକାଳୁ ପୁଣି ଗାଁକୁ ବାହାରିବେ।

କଣ୍ଡକ୍ଟରକୁ ଗାଡି ରଖିବାକୁ କହିଲେ ରବି ବାବୁ ଆଉ ଓହ୍ଲେଇ ଗଲେ ବି ବସ୍ ରୁ । ରିକ୍ସାଟିଏ କରି ପହଞ୍ଚି ଗଲେ ଅଫିସରେ।

ଅଫିସ କେବେଠୁଁ ଛୁଟି ହୋଇ ସାରିଲାଣି। ମାଳୀ ବି ମିଳିବ କେଉଁଠି ଏବେ ! ଚଉକିଦାରକୁ ଅନୁରୋଧ କରି ଅଫିସ ହତା ଭିତରକୁ। ଅନ୍ଧାରରେ ବଗିଚାରୁ ଦଶ ବାରଟି ହୃଷ୍ଟପୃଷ୍ଟ ଚାରା ଉପାଡ଼ି ଲୁଚାଇଦେଲେ ନିଜ କଳା ଛତା ଭିତରେ । ପୁଣି ଭଦ୍ରବ୍ୟକ୍ତି ପରି ଚଉକିଦାରକୁ ଧନ୍ୟବାଦ କହି ଅଫିସ ହତାରୁ ବାହାରି ଆସିଲେ।

ପରଦିନ ସକାଳେ ରବି ବାବୁ ସବୁଠୁଁ ପ୍ରଥମ ବସ୍ ଧରିଲେ ଗାଁକୁ। ମନରେ ଗୋଟିଏ ଅସମ୍ଭବ ତୃପ୍ତି । ବହୁଦିନର ଗୋଟିଏ ପ୍ରତିଶ୍ରୁତି ପୂରା କରି ପାରିଛନ୍ତି ବୋଲି। କାଲି ସଞ୍ଜ ବେଳ ଆଉ ଆଜି ସକାଳ ଭିତରେ ବ୍ୟବଧାନ ବାର ଘଣ୍ଟା ନୁହେଁ, ମାତ୍ର ବାରଟି ଫୁଲଗଛର, ଅପରିମିତ ଭରସାର ଆଉ ଅଖଣ୍ଡ ପ୍ରତିଶ୍ରୁତିର ।

ଘରେ ପହଞ୍ଚି ଶୁଣିବାକୁ ମିଳିଲା, ବେବିକୁ ତା ବାପା କଟକର ସ୍କୁଲ ହଷ୍ଟେଲରେ ଛାଡି ଦେଇଛନ୍ତି ଘରେ ତାର ଯତ୍ନ ନେଇ ହେଉନି ବୋଲି। ସେଦିନ ନୂଆ ମାଆଙ୍କ ନିଜ ମା ଆସିଥିଲେ ଝିଅ ଘର ବୁଲିବାକୁ। ହଠାତ ଗୋଟିଏ ଦିନରେ କୁଆଡେ ସବୁ କଥା ସ୍ଥିର କରା ଯାଇଥିଲା । ସାହି ଲୋକେ ଯିଏ ପଚାରିଥିଲେ, ତାର ଗୋଟିଏ ଜବାବ ସମସ୍ତଙ୍କୁ ମିଳିଥିଲା - "ଗାଁଆ ସ୍କୁଲରେ ମାଷ୍ଟର ପାଠ ପଢ଼ାଉଛନ୍ତି ? କଟକ ସ୍କୁଲରେ ପାଠପଢ଼ା ବହୁତ ଭଲ ।"

ରବି ବାବୁ ଫୁଲ ଚାରା କେତୋଟି ଧରି ପହଁଚିଲେ ଦାଦାଙ୍କ ବାଡ଼ିରେ । ଠିଆ ହୋଇ ରହିଲେ ସେଠି ଭାବନାରେ କେଇ ମୂହୁର୍ତ୍ତ । ସତରେ ବେବି ହଷ୍ଟେଲ ଚାଲିଗଲା ! ନାଚି ଗଲା ଆଖି ଆଗରେ ତା ନୁଖୁରା ବାଳ କେରାକ । ଆଉ ଅଣ୍ଟା ପାଖରେ ସିଲାଇ ଖୋଲି ଯାଇଥିବା ତା ଫିକା ରଙ୍ଗର ପୁରୁଣା ଫ୍ରକ ।

ସହରରୁ ଫୁଲଗଛ ଆସିଥିଲା ଗାଆଁକୁ । ଗାଆଁର ଫୁଲ ଚାଲି ଯାଇଥିଲା ସହରକୁ ।

ତୁଳସୀ ଚଉଁରା ପାଖରେ ପୋତି ଦେଲେ ସିଏ ଡାଲିଆ ଗଛ କେତୋଟି।


Rate this content
Log in

Similar oriya story from Tragedy