Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rama Chandra Padhi

Tragedy Others

4.5  

Rama Chandra Padhi

Tragedy Others

ମୃତ୍ୟୁ ଅପେକ୍ଷାରେ

ମୃତ୍ୟୁ ଅପେକ୍ଷାରେ

5 mins
482


ମହାପାତ୍ର ବାବୁ ସବୁଦିନ ଭଳି ସନ୍ଧ୍ୟା ଭ୍ରମଣ ରେ ଆସି ପାର୍କର ଗୋଟେ କୋଣେ ପଡିଥିବା ବେଞ୍ଚ ଉପରେ ବସି ଅପେକ୍ଷା କରିଥିଲେ ନିଜ ବନ୍ଧୁମାନଙ୍କୁ। ସାମ୍ନାରେ ସ୍ୱାମୀ, ସ୍ତ୍ରୀ ଦୁଇ ଜଣ ନିଜ ଛୋଟ ଝିଅଟି ସହ ଖେଳୁଥାନ୍ତି। "କେତେ ଭାଗ୍ୟବାନ ଲୋକଟି, ପରିବାର ସହ ଜୀବନକୁ ଉପଭୋଗ କରୁଛି" ସେ ମନେ ମନେ ଭାବିଲେ। କିନ୍ତୁ ତାଙ୍କୁ ବି ଲୋକେ ଦେଖିଲେ କୁହନ୍ତି ଭାଗ୍ୟବାନ ବୋଲି, ଆଜି ବି କହୁଛନ୍ତି। ସେ ସତରେ କ'ଣ ଦୁନିଆର ସବୁଠୁ ସୁଖୀ ମଣିଷ? ମଣିଷ ଅନ୍ୟକୁ ମିଛ କହିପାରେ କିନ୍ତୁ ନିଜକୁ ନୁହେଁ। ସେ ନିଜକୁ ଉତ୍ତର ଦେଇ ଦୁଃଖୀ ହେବାକୁ ଚାହୁଁ ନ ଥିଲେ।

ମହାପାତ୍ର ବାବୁ କେବେ ବି ଦୁଃଖକୁ ତାଙ୍କ ଜୀବନରେ ପ୍ରବେଶ କରିବାକୁ ଅନୁମତି ଦେଇ ନାହାନ୍ତି। ଯେତେବେଳେ ଯାହା ଚାହିଁଛନ୍ତି, ଭଗବାନ ତାଙ୍କୁ ଦେଇଛନ୍ତି। ସମାଜରେ ମାନ, ସମ୍ମାନ, ଡାକ୍ତର ପୁଅ, ଡାକ୍ତର ବୋହୁ, ସୁନ୍ଦର କଣ୍ଢେଇ ଭଳି ଛ ବର୍ଷର ନାତୁଣୀ। ଆଉ ବା କ'ଣ ଦରକାର ତାଙ୍କୁ ଏ ବୟସରେ। ବୟସ ସତୁରୀ ପାର ହେବ। ତଥାପି ବୟସ ତାଙ୍କ ଆଗରେ ହାରି ଯାଇଛି। ତାଙ୍କ ଫୁର୍ତ୍ତି କୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୁଅନ୍ତି। ଆଉ ସେ ଗର୍ବରେ ଛାତି ଫୁଲାଇ କୁହନ୍ତି ଏମିତି ସ୍ୱାସ୍ଥ୍ୟ ପାଇବା ସହଜ ନୁହେଁ। ଏଥିପାଇଁ କଠିନ ପରିଶ୍ରମ, ଦୃଢ଼ ମନୋବଳ, ସମୟାନୁବର୍ତ୍ତି ହେବା ଦରକାର। ଖରା ହୋଉ କି ବର୍ଷା ଅଥବା କାମର ବ୍ୟସ୍ତତା ଯୋଗୁଁ ସେ ପରିବାର କୁ ବି ସମୟ ନ ଦେଇପାରନ୍ତି କିନ୍ତୁ ଭୁଲନ୍ତିନି ପ୍ରତିଦିନ ବେୟାମ କରିବା। ତା ସହ ସତେଜ ପନିପରିବା ଖାଆନ୍ତି। ସମୟରେ ଶୁଅନ୍ତି ଆଉ ସମୟରେ ଉଠନ୍ତି।

ସ୍ୱାସ୍ଥ୍ୟ କୁ ସମ୍ପଦ ଭାବୁଥିବା ମହାପାତ୍ର ବାବୁ କିଛିଦିନ ହେବ ସ୍ୱାସ୍ଥ୍ୟ ପ୍ରତି ଆଉ ଧ୍ୟାନ ଦେଉ ନାହାନ୍ତି। ବୋଧ ହୁଏ ଦୁଇ କି ତିନି ମାସ ରୁ। ଯେବେ ଠୁ ତାଙ୍କ ସ୍ତ୍ରୀ ସୌଦାମିନୀ ଚାଲିଗଲେ ଆରପାରିକୁ। ପ୍ରଥମ କିଛିଦିନ ସେ ଏହାକୁ ସୃଷ୍ଟି ର ନିରାଟ ସତ୍ୟ ଭାବି ନିଜକୁ ଆଶ୍ୱାସନା ଦେଲେ। କିନ୍ତୁ ସ୍ତ୍ରୀ କୁ ହରାଇବା ଦୁଃଖ ଧୀରେ ଧୀରେ ତାଙ୍କ ହୃଦୟକୁ ଗ୍ରାସ କରିବାକୁ ଲାଗିଲା। ତା ଠୁ ଅଧିକ ଏକୁଟିଆପଣ। ତାହା ଅସହଣୀୟ ଥିଲା ତାଙ୍କ ପାଇଁ। ଯେମିତି ସେ ସୌଦାମିନୀ କୁ ଦେଇଥିଲେ। ବୁଝି ପାରିନଥିଲେ ତା ମନର କଷ୍ଟକୁ। ଆଜି କିନ୍ତୁ ସମୟ ବୁଝେଇ ଦେଇଛି ସେହି ଦୁଃଖର ଯନ୍ତ୍ରଣା କୁ।

ସର୍ବଦା ସମୟ କୁ ମହତ୍ତ୍ୱ ଦେଇ ଆସୁଥିବା ମହାପାତ୍ର ବାବୁ, ସୌଦାମିନୀ ଚାଲିଯିବା ପର ଠୁ ସମୟ ଦେଖିବା ଭୁଲି ଯାଇଛନ୍ତି। ସମୟ ହେବା ପୂର୍ବରୁ ପାର୍କ ଆସି ନିରୋଳାରେ ବନ୍ଧୁମାନକୁ ଅପେକ୍ଷା କରନ୍ତି। ଚୁପଚାପ ବସି ଦେଖନ୍ତି ପରିବାର ସହ ଆସି ଜୀବନକୁ ଉପଭୋଗ କରୁଥିବା ମଣିଷ ଗୁଡାକୁ। ଯେମିତି ତାଙ୍କୁ ଜୀବନର ସମସ୍ତ ସୁଖ ମିଳେ ସେଠାରେ ଅଥବା ସେ ପ୍ରାୟଶ୍ଚିତ କରୁଥିଲେ ଅତୀତରେ ଅନ୍ୟଙ୍କୁ ଅପେକ୍ଷା କରାଇଥିବା ଯୋଗୁ। ଲୋକେ ବି ଅପେକ୍ଷା କରିବାକୁ ବାଧ୍ୟ ଥିଲେ ତାଙ୍କ ଭଳି ଜଣେ ଜଣାଶୁଣା ନାମୀ ଓକିଲଙ୍କ ସହ ଗୋଟେ ସାକ୍ଷାତକାର ପାଇବା ପାଇଁ।

"ଯେଉଁମାନେ ତାଙ୍କ ପାଇଁ ଅପେକ୍ଷା କରିଛନ୍ତି, ସେମାନେ ନିଜ ସ୍ୱାର୍ଥ ପାଇଁ କରିଛନ୍ତି ଏଥିରେ ତାଙ୍କର ବା କ'ଣ ଭୂଲ" ସେ ନିଜକୁ ବୁଝାନ୍ତି। "କିନ୍ତୁ ସୌଦାମିନୀ? ଯିଏ ନିଜ ଜୀବନ ଠୁ ବି ଅଧିକ ତମକୁ ଭଲ ପାଉଥିଲା, ସେ ତ ସମସ୍ତଙ୍କ ଠୁ ଅଧିକ ଅପେକ୍ଷା କରିଛି, ତା'ର ବା କ'ଣ ସ୍ଵାର୍ଥ ଥିଲା?" ଉତ୍ତର କିଛି ବି ଦେଇ ପାରନ୍ତିନି ନିଜକୁ। ମୃତ୍ୟ ପରେ ଯେତେ ମନେ ପଡୁଛି ସୌଦାମିନୀ ପଚାଶ ବର୍ଷ ଜୀବିନର ସାଥି ହୋଇ ରହିବା ଭିତରେ ସେ ଏତେ କେବେ ଖୋଜି ନ ଥିଲେ ତାଙ୍କୁ।

ମହାପାତ୍ର ବାବୁଙ୍କ ମନେ ପଡିଯାଉଥାଏ ପଚାଶ ବର୍ଷ ତଳର କଥା। ସେ ବିବାହ କରି ପ୍ରଥମ ଥର ପାଇଁ ସାଥିରେ କଟକ ନେଇ ଆସିଥିଲେ ସୌଦାମିନୀଙ୍କୁ। ସେତେବେଳେ ମହାପାତ୍ର ବାବୁ ସଂଘର୍ଷରତ ହାଇକୋର୍ଟ ଓକିଲ। ସମାଜରେ ନିଜକୁ ପ୍ରତିଷ୍ଠିତ କରିବାକୁ ଏତେ ବ୍ୟସ୍ତ ହୋଇଯାଆନ୍ତି ଯେ ନବ ବିଭାହିତ ସ୍ତ୍ରୀ କଥା ବି ଭୁଲି ଯାଆନ୍ତି। ମଫସଲ ଝିଅ ସେ ଏ ସହରୀ ସଭ୍ୟତା ରୀତିନୀତି ବିଷୟ ରେ ଜାଣିବ କେମିତି? ଘରଟା ଭିତରେ ଚୁପ ଚାପ ଏକା ପଡି ରୁହେ। ରାତିରେ ଦରଜା ଆବାଜ ଶୁଣିଲେ ସେ ଲୁହ ପୋଛି ଦୌଡ଼ି ଆସି କବାଟ ଖୋଲେ। ଖାଇବା ବାଢି ଦେଇ ଜଳଜଳ ହୋଇ ଅନେଇ ରୁହେ। ଲାଗେ ମନର କିଛି ବ୍ୟଥା କହିବାକୁ ଚାହୁଁଛି ହେଲେ ସେ କହି ପାରେନି ତାଙ୍କ ଥକା ଚେହେରା କୁ ଦେଖି। ମହାପାତ୍ର ବାବୁ ବି କେବେ ଚେଷ୍ଠା କରି ନାହାନ୍ତି ସୌଦାମିନୀଙ୍କ ମନର କଥା ଜାଣିବାକୁ। ଦି'ଟା କଣ ଖାଇଦେଇ ଶୋଇପଡନ୍ତି ପର ଦିନର ଜୀବନ ସଂଘର୍ଷ ପ୍ରସ୍ତୁତିରେ। ପ୍ରତ୍ୟେକ ଥର ସେ ମନରେ ଭାବିଛନ୍ତି ଲକ୍ଷ୍ୟଟି ପୂରଣ ପରେ ସ୍ତ୍ରୀ କୁ କିଛି ସମୟ ଦେବେ। ତାଙ୍କ ହୃଦୟ ର ବ୍ୟଥାକୁ ମନ ଦେଇ ଶୁଣିବେ। ବୁଲେଇ ନେବେ ସୌଦାମିନୀ କୁ ତା ସ୍ବପ୍ନ ର ରାଇଜକୁ କିନ୍ତୁ ତାହା କେବେ ସମ୍ଭବ ହୋଇନି। ଗୋଟିଏ ଲକ୍ଷ୍ୟ ପୂରଣ ହେବା ପୂର୍ବରୁ ଅନ୍ୟ ଗୋଟେ ଲକ୍ଷ୍ୟକୁ ପାଇବା ଆଶା ତାଙ୍କୁ ଘାରିଛି।

ପୁଅଟି ଜନ୍ମ ହେବ ପରେ ସୌଦାମିନୀ ନିଜକୁ ବୁଝାଇ ନେଇଛନ୍ତି। କେବେ ବି ଆଉ ତାଙ୍କ ମନର ବ୍ୟଥା କୁ ଚେହେରା ଉପରକୁ ଆସିବାକୁ ଦେଇନାହାନ୍ତି। ବୋଧେ ଚାପି ଦେଇଥିଲା ନିଜ ସ୍ବପ୍ନ କୁ ହୃଦୟର ଗଭୀରତା ଭିତରେ। ଭାଗ୍ୟର ଲୀଳା ଭାବି ହଜେଇ ଦେଇଥିଲା ନିଜକୁ, ନିଜର ସମସ୍ତ ସ୍ୱପ୍ନକୁ ମାତୃତ୍ୱର ମମତା ଭିତରେ। ପୁଅର ଲାଳନ ପାଳନରେ ଅପେକ୍ଷା କରିବା ଛାଡି ଦେଇଥିଲେ ମହାପାତ୍ର ବାବୁଙ୍କୁ।

ପିଲାବେଳେ ପୁଅ କିନ୍ତୁ ସବୁବେଳେ ଚାହୁଁଥିଲା ବାପାଙ୍କ ସାଙ୍ଗେ ସମୟ ବିତେଇବା, ବାହାରେ ବୁଲିବାକୁ, ତାଙ୍କ ସଙ୍ଗେ ଖେଳିବାକୁ। ନିଜ ମୂଲ୍ୟବାନ ସମୟ ରୁ ସେ କ୍ଷଣେ ବି ଦେବାକୁ ଅସମର୍ଥ ଥିଲେ। କାଲି କାଲି କହି ସବୁବେଳେ ଟାଳି ଆସିଛନ୍ତି ପୁଅକୁ। କାଲିର କାଲି ଟା ଆଜି ପୁଅର ଅଧିନ କୁ କେମିତି ଚାଲିଗଲା ସେ ଜାଣିପାରିଲେନି। ଆଜି ପୁଅ, ବୋହୂ ସଙ୍ଗେ ମନ ଖୋଲି କଥା ହେବାକୁ ଇଚ୍ଛା ହେଉଚି। ନାତୁଣୀ ସଙ୍ଗେ ଖେଳିବାକୁ ମନ ଟାଣୁଛି କିନ୍ତୁ କାହା ପାଖେ ବି ସମୟ ନାହିଁ। କେମିତି କହିବେ ସେ ପୁଅକୁ ଟିକିଏ ସମୟ ଦେ ବୋଲି। ସେ ବି ତ ଏହା ହିଁ କରିଥିଲେ ସମାଜରେ ପ୍ରତିଷ୍ଠିତ ହେବା ପାଇଁ। ମାନ ସମ୍ମାନ ପାଇବା ପାଇଁ। କାଲି ଯୋଉ କାମନା ରୂପୀ ଗଛଟା ସେ ପୋତିଥିଲେ ତାହା ଆଜି ତା'ର ବିରାଟ କାୟା ବିସ୍ତାର କରି ସାରିଛି। ତା କାୟା ର ପରିଧି ଭିତରେ ବନ୍ଦୀ କରି ଦେଇଛି ତାଙ୍କ ପୁରା ପରିବାରକୁ।

ଉଚ୍ଚକାଂକ୍ଷା ସର୍ବଦା ମଣିଷକୁ ଅବନତି ଆଡକୁ ନେଇଛି। ଯଦି ମଣିଷ ଜୀବନରେ ପ୍ରେମ, ସମ୍ପର୍କ, ଭାବନା ର ମହତ୍ତ୍ୱ ନ ରହିବ ତା ଭିତରେ ଆଉ ଏକ ଯନ୍ତ୍ର ଭିତରେ କ'ଣ ବା ଫରକ? ଏହି ଯନ୍ତ୍ର ହିଁ ତ ଏ ସୃଷ୍ଟି ର ବିନାଶର କାରଣ ହେବାକୁ ଯାଉଛି। ଏଥିରେ ସାମିଲ ହୋଇ ଯାଇଛି ଶିକ୍ଷିତ ଆଧୁନିକ ମଣିଷ। ସେ କଣ ଏହା ରୋକି ପାରିବେ? ନା ଏବେ ସେ ଦୁର୍ବଳ, ସମୟ ପାଖରେ ହାରି ଯାଇଥିବା ଜଣେ ସାଧାରଣ ମଣିଷ। ସେ ବା କଣ କରି ପାରିବେ। 

ସୌଦାମିନୀ ଥିବାବେଳେ ସେ କେବେ ବି ସମୟର ପ୍ରବାହ କୁ ଅନୁଭବ କରି ନ ଥିଲେ। ସେ ଚାଲିଯିବା ପରେ ଲାଗେ ଯେମିତି ସମୟ ଟା କୋଉଠେ ଅଟକି ଯାଇଛି। ମୂଲ୍ୟବାନ ଦୁନିଆଟା ଅଚାନକ ମୂଲ୍ୟହୀନ ହୋଇପଡିଛି। ଯୋଉ ଧନସମ୍ପତ୍ତି, ପ୍ରତିଷ୍ଠା, ସମ୍ମାନ ପାଇବାକୁ ସେ ସାରା ଜୀବନ ସଂଘର୍ଷ କରିଥିଲେ ତାହା ନିରର୍ଥକ ଲାଗୁଛି। ସେ ଓକିଲାତି ଛାଡି ଦେଇଛନ୍ତି କିନ୍ତୁ ପାଇ ନାହାନ୍ତି ସୌଦାମିନୀ କୁ। ଯୋଉ ସମୟ ଟିକକ ତାଙ୍କର ପାଇବା ପାଇଁ ସେ ସର୍ବଦା ଲାଳାୟିତ ଥିଲା। ଆଜି ସେ ସମୟକୁ ଉପଭୋଗ କରିବାକୁ ସେ ହିଁ ନାହିଁ। ବିବେକ ତାଙ୍କୁ ଧିକ୍କାର କରୁ ଥାଏ। ସମୟ ତାଙ୍କ ଅସହାୟତା ଦେଖି ହସୁଥାଏ।

ଏକ ଦୀର୍ଘ ନିଶ୍ଵାସ ମାରି ସେ ନିର୍ମଳ ନୀଳ ଆକାଶ କୁ ଚାହିଁଲେ। ପକ୍ଷୀ ଗୁଡିକ ଦଳ ଦଳ ହୋଇ ଘରକୁ ଫେରୁଥିଲେ। ସତେ ଅବା ଘର ପରିବାର ପ୍ରତି ମଣିଷ ଠୁ ଅଧିକ ଦାୟିତ୍ୱବୋଧ ତାଙ୍କର ଅଛି। ନିଜର ସମସ୍ତ ତେଜ, ଚମକ କୁ ହରାଇ ସବୁଜ ଘଞ୍ଚ ଗଛ ଗୁଡିକ ଭତରେ ପଶ୍ଚିମ ଆକାଶରେ ଢଳି ଯାଉଥିବା ଲାଲ ସୂର୍ଯ୍ୟ ଟା ଯେମିତି ମଣିଷ ମାନକୁ ସୁଚେଇ ଦେବାକୁ ଚାହୁଁଥିଲା। ସମୟ ଆଗରେ ସମସ୍ତେ ଦୁର୍ବଳ। ମଣିଷ ଜୀବନ ଯାକ ଉପାର୍ଜନ କରିଥିବା ଧନସମ୍ପତ୍ତି, ମାନସମ୍ମାନ ର ବା କି ମୂଲ୍ୟ। ତେଣୁ ନିଜର ଅପୁରଣୀୟ ଲାଳସା କୁ ଛାଡି, ମଣିଷ ତା'ର ପ୍ରତିଟି ଦାୟିତ୍ୱ କୁ ଠିକ ରୂପ ତୁଲାଇବା ଉଚିତ। ଜୀବନର ପ୍ରତିଟି ମୁହୂର୍ତ୍ତ କୁ ଆପଣାର ମାନଙ୍କ ସଙ୍ଗେ ଉପଭୋଗ କରିବା ଉଚିତ। କିଏ ଜାଣେ ଆଜିର ଏ ସମୟ କାଲି ଥିବ କି ନଥିବ।

ବନ୍ଧୁମାନେ ଆସିଲେନି, କିଛି ସମୟ ମଧ୍ୟରେ ଚାରିଆଡେ ଅନ୍ଧାର ଘୋଟିଯିବ। ଯେମିତି ତାଙ୍କ ଜୀବନରେ ପ୍ରବେଶ କରିସାରିଛି। ତାଙ୍କୁ ଘରକୁ ଫେରିଯିବାକୁ ହେବ କିନ୍ତୁ ସେ ଘରେ ପହଞ୍ଚି କରିବେ କ'ଣ? ପୁଅ ବୋହୂ ଫେରିବା ବେଳକୁ ରାତି ଏଗାର ହବ, ନାତୁଣୀ ତା ପାଠ ର ବୋଝ ବୋହି ହାଲିଆ ହୋଇ ଶୋଇ ପଡିବ। ସେ ଚାରି କାନ୍ଥ ଭିତରେ ଖଟିଆ ଉପରେ ପଡି ରହି କେବଳ ଟିଭି ଦେଖିବେ। ବରଂ ଏଠାରେ ଆଉ କିଛ ସମୟ ବସି ଅପେକ୍ଷା କରିବି, "ଏ ଅପେକ୍ଷା ତ ମୋତେ ମୃତ୍ୟୁ ପର୍ଯ୍ୟନ୍ତ କରିବାକୁ ପଡିବ" ସେ ଉଡିଯାଉଥିବା ପକ୍ଷୀ ଗୁଡିକୁ ଦେଖି ଭାବିଲେ।

ମହାପାତ୍ର ବାବୁ ବୁଝି ପାରିଥିଲେ "ମାନ, ସମ୍ମାନ, ଲୋଭ ଠାରୁ ଉର୍ଦ୍ଧରେ ପରିବାର, ବନ୍ଧୁ, କୁଟୁମ୍ବଙ୍କ ସହ ସର୍ବଦା ସାଥି ହୋଇ ରହୁଥିବା ପକ୍ଷୀ ଗୁଡିକ ହିଁ ପ୍ରକୃତରେ ଭାଗ୍ୟବାନ। ମଣିଷ ନା କୁ ମାତ୍ର ନିଜକୁ ଶ୍ରେଷ୍ଠ ଜୀବ ଭାବୁଛି। ବଞ୍ଚିବାର ପ୍ରକୃତ ଜ୍ଞାନ, ସମ୍ପର୍କର ବୋଧ ଭଗବାନ ଏ ପକ୍ଷୀ ଗୁଡାକୁ ହିଁ ଦେଇଛନ୍ତି।"


Rate this content
Log in

Similar oriya story from Tragedy