Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bismita Sahoo

Tragedy Inspirational

4.9  

Bismita Sahoo

Tragedy Inspirational

ନୂଆ ସକାଳ

ନୂଆ ସକାଳ

7 mins
755



ବାଡ଼ିରେ ସୁନ୍ଦର ଶାଗ ପଟାଳି। ବାଇଗଣ, ଝୁଡୁଙ୍ଗ, ଟମାଟ ଭର୍ତ୍ତି କିଆରୀ। ଦି ଟା କଦଳୀ ଗଛରେ କାନ୍ଧି ପଡ଼ିଛି। ଗଲା ବର୍ଷ ବାପା ସାବିତ୍ରୀ ଅମାବାସ୍ୟାକୁ ସପୁରୀ ଆଣି ଦେଇଥିଲେ। ତାର ମୁଣ୍ଡିକୁ କାଟି ସରିତା ଗଛ ଲଗେଇଛି। ସେଇ ଗଛଟିରେ ଆଉ ମାସେ ଦି ମାସ ଭିତରେ ଫଳ ଧରିବ। ଟିଣ ଡବାରେ ମାଟି ପୁରେଇ ଦିଇଟା ଶୁଖିଲା ନଡ଼ିଆ ପୋତିଥିଲା। ପ୍ରତିଦିନ ପାଣି ଦେଲାବେଳେ ସେ ମାଟିକୁ ଅନାଏ। ନା ଗଜା ଟିକିଏ ବି ବାହାରୁନି। ସରିତା ଭାବୁଛି ସେ ନଡ଼ିଆଗୁଡିକ ମାଟିରୁ ବାହାର କରି ଫିଙ୍ଗି ଦେବ, ପୁଣି ଭାବେ ନା ଥାଉ ସେମିତି। ତାର ତ କିଛି ଅସୁବିଧା ହେଉନି। ଗଛ ନ ଉଠିଲେ ନାଇଁ ମାଟିଟା ବତୁରୁଥାଉ। ଟିକିଏ ବର୍ଷା ପଡ଼ିଲେ ସେ ଟିଣରେ ଦି ଚାରିଟା ଧାନୁଆ ଲଙ୍କା ଚାରା ଲଗେଇ ଦେବ। ଆଳୁଟିଏ ପୋଡ଼ି ଦେଇ ସେଥିରେ ଫାଳେ ଧାନୁଆ ଲଙ୍କା ଓ ରସୁଣ ଚକଟି ଦେଲେ ଶାରୀ ବାପା ମନଭରି କଂସେ ପଖାଳ ଖାଇ କାମକୁ ଯିବେ।


ଆମ୍ବ ଖାଇ ଟାକୁଆ ପଡ଼ି ଦିଟା ଗଛ ଉଠିଥିଲା। ସାତ ଆଠ ବର୍ଷ ହେବ ସେଥିରେ ଗୋଟେ ବି ବଉଳ ହେଉନଥିଲା। ହେଲେ ଗଲା ବର୍ଷଠୁ ତା କୁନି ଝିଅ ଶାରୀ ଗଛ ଦୁଇଟିର ଏତେ ଯତ୍ନ ନେଉଛି ଯେ ଏଇ ବର୍ଷ ଗଛ ଦିଟା ଯାକ ଫଳରେ ଲଦି ହେଇଛନ୍ତି। ଗଲା ଆଇଲା ଲୋକ ଆଖି ପକାଉଛନ୍ତି। ଦଳେ ଶୁଆ ପ୍ରତିଦିନ ଆସି ଆମ୍ବ ଗୁଡ଼ିକୁ ଖୁଣ୍ଟି ଖାଉଛନ୍ତି। କୋଉଟା ପାଚିଛି କେ ଜାଣି ? ଜମା ଜଣା ପଡୁନି। ହେଲେ ଗୋଟେ ଦିଟା ପାଚିଲା ଆମ୍ବ ନିହାତି ତଳେ ପଡିଥିବ। 


     ଶାରୀ ସେ ଦୁଇ ଆମ୍ବ ଗଛ ସହିତ ସଙ୍ଗାତ ବସିଛି। ସେଥିପାଇଁ ଗଛତଳେ ପତ୍ର ଟିଏ ବି ପଡ଼ିବାକୁ ଦିଏନି। ସାତ ବର୍ଷର ଝିଅ ହେଇଥିଲେ ବି ଝାଡୁଟିଏ ଧରି ପ୍ରତିଦିନ ଗଛମୂଳକୁ ଝାଡୁ କରେ। ସେଇଠି ବସି ପାଠ ପଢ଼େ। ରଙ୍ଗ ତୁଳୀ ଧରି ଚିତ୍ର ଆଙ୍କେ। ବେଳେବେଳେ ଖାଇବା କଂସା ଆମ୍ବଗଛ ମୂଳକୁ ଆଣିବାକୁ ଜିଦ୍ଦି କରେ। 


     ସେଦିନ ଶାରୀର ଜନ୍ମଦିନ ଥିଲା। ଚକୁଳି ଓ କ୍ଷୀରି ଷଠିମା ଠି ଭୋଗ ଲଗାଇ ଶାରୀ ହାତକୁ ସରିତା ଗିନାଏ କ୍ଷୀରି ଧରେଇ ଦେଲା। କ୍ଷୀରି ଦେଖି ଶାରୀ ର କି ସୁନ୍ଦର ନାଚ ! ସେ ସେମିତି ଆମ୍ବଗଛ ମୂଳେ କ୍ଷୀରି ଗିନା ଧରି ବସିଗଲା। 


   ଇଆଡ଼େ ଡେରି ହେଇଯିବ ବୋଲି ସରିତା ତରତର ହୋଇ ରୋଷେଇ ଘରକୁ ଗଲା। ତେଣେ ରମା ହମ୍ବାଳିଲାଣି। ତାକୁ ଟିକିଏ କୁଣ୍ଡା ତୋରାଣି ନ ଦେଲେ ତା ରଡ଼ିରେ ଘରଟା ଖାଲି ଉଠେଇବ ପକେଇବ। ଜନ୍ମଦିନ ବୋଲି ଶାରୀ ଇସ୍କୁଲ ପଢ଼ିବାକୁ ଯାଇନି। ଦଶଟା ବାଜିଲାଣି। ତାକୁ ଭୋକ ଲାଗିବଣି। ଆଳୁ ଦିଟା ଶିଝେଇ ସେଥିରେ ମିକିଚର ଟିକେ ପକେଇ ଭାତ ଖୋଇବାକୁ ଶାରୀ ପାଖକୁ ଗଲା।



      ହେଲେ ଇଏ କଣ ! ଶାରୀ ହାତରେ ଛୋଟିଆ ଶୁଆଟିଏ। ତା ଦେହରେ ଭଲରେ ପର ବି ଉଠିନି। ତା ଥଣ୍ଟ ମେଲା କରି ଚାମଚରେ କ୍ଷୀରି ଖୁଆଉଛି ଶାରୀ। ସରିତାକୁ ଦେଖି କହିଲା- ବୋଉ ଆମ୍ବଗଛରୁ ଶୁଆଟି ତଳେ ପଡ଼ିଗଲା। ଦଳେ କାଉ ୟା ଦେହସାରା ଖୁମ୍ପୁଥିଲେ। ମୁଁ ସେମାନଙ୍କୁ ଘଉଡ଼ାଇ ଛୁଆଟିକୁ ନେଇ ଆସିଲି। 


    ସେଦିନଠାରୁ ସରିତା ଘରେ ଶୁଆ ଶାରୀ ଦିଟାଯାକ ଏକାଠି ରହିଲେ। ଶାରୀ ତ ତା ମିଠୁକୁ କ୍ଷଣଟେ ପାଇଁ ତା ଠାରୁ ଅଲଗା କରୁନି। ଶାରୀଠୁ ଶିଖି ତା ମିଠୁ ' ଆହେ ଦୟାମୟ ବିଶ୍ବବିହାରୀ, ଘେନ ଦୟାବହି ମୋର ଗୁହାରୀ' ସକାଳ ହେଲା ମାନେ ଗାଉଛି। ଖାଇବା ସମୟ ହେଇଗଲେ "ମା, ଭାତ ଦେ, ଭାତ ଦେ" କହି ଉଚ୍ଛନ୍ନ କରି ଦେଉଛି। 


     ଏମିତି ଖୁସିରେ ଖୁସିରେ ସରିତାର ଦିନଗୁଡ଼ିକ କଟି ଚାଲୁଛି। "ମା ବୁରୁନ୍ଦାବତୀ ଲୋ, ମୋ ସଂସାର ଏଇମିତି ହସଖୁସିରେ ରହିଥାଉ। ମୋ ଶଙ୍ଖା ସିନ୍ଦୂର ବଜର ହେଉ ଲୋ ମା" । ସବୁଦିନ ସକାଳେ ସଂଜେ ତୁଳସୀ ଚଉରା ରେ ଦୀପ ଦେଲାବେଳେ ସରିତା ତା ପରିବାରର ଶୁଭ ମନାସେ। 


     ସେଦିନ ଶାରୀ ଦାଣ୍ଡ ରୁ ରଡ଼ି ଛାଡିଲା - ମା ବାତିଆ ମାଡ଼ି ଆଇଲାଣି। ଦୁଇଶହ ବେଗରେ କୁଆଡ଼େ ପବନ ବହିବ। ସଭିଏଁ କହୁଛନ୍ତି ୧୯୯୯ ରେ ଯେମିତି ହେଇଥିଲା ଠିକ୍ ସେଇମିତି ହେବ। 



    ଏହାଶୁଣି ଭୟରେ ସରିତା ଦେହ ଥରିବାକୁ ଲାଗିଲା। ସେ ବରଷ ବାତିଆ ବେଳକୁ ସେ ଶାରୀ ପରି ଛୋଟିଆଟିଏ ହେଇଥିଲା। ବାତିଆରେ ତାଙ୍କ ଘରେ ପାଣି ପଶିଲା। ଛପର ଉଡ଼ିଗଲା। ରୋଷେଇ ଘରେ ଅଣ୍ଟା ଯାଏ ପାଣି। ଭୋକରେ ସେମାନେ କେତେ ଆଉଟୁ ପାଉଟୁ ହେଇଥିଲେ। ଠିକ୍ ସେତିକି ବେଳକୁ ଜେଜୀବୁଢ଼ୀକୁ ଜର ହେଲା। ବାପା ସେ ବର୍ଷାରେ ଜେଜୀକୁ ନେଇ ଡାକ୍ତରଖାନା ଯିବେ କେମିତି? ତଥାପି ପଖିଆଟିଏ ମୁଣ୍ଡରେ ଘୋଡେ଼ଇ ବଇଦ କାକା ପାଖକୁ ଯିବାକୁ ବାହାରିଲେ। କାକା ତୁଟୁକା ଚିକିଚ୍ଛା କରନ୍ତି। ତାଙ୍କଠୁ ଉଷୁଅ ମୁଳିକା ଘେନି ଆଇଁଲେ ଜେଜୀ ଭଲ ହେଇଯିବ। ହେଲେ ବାପାଙ୍କ ହାତକୁ ପଛରୁ ଭିଡ଼ି ଧରିଲା ଜେଜୀ। କହିଲା - ତୁ ମତେ ଛାଡି ଯା'ନା। ମୁଁ ତ ଶୁଖିଲା ପତର କେତେବେଳେ ଉଡ଼ିଯିବି ତୁ ଏଇ ବାତିଆରେ ଏକୁଟିଆ ଘରୁ ବାହାରେନା। ତୋତେ ମୋ ରାଣ। 



    ବାପା ତୁନି ହେଇ ଜେଜୀ ଗୋଡ଼ ତଳେ ବସିଗଲେ। ଧଡ଼ାସ୍ କରି ଘର ସାମ୍ନାରେ ଥିବା ନିମ୍ବ ଗଛଟି ଭାଙ୍ଗି ଗଲା। ତାର ଗୋଟେ ବଡ଼ ଡାହି ପଡ଼ିଲା ସିଧା ଘର ବାରଣ୍ଡାରେ। ବାପାଙ୍କ ସାଇକେଲ କୁଚୁକୁଚା ହେଇଗଲା। ଏବେ ବାପା ବାହାରକୁ ଯାଇଥିଲେ କଣ ହେଇଥାନ୍ତା? 



    ବାପାଙ୍କ ପାଟିରୁ ବାହାରିଗଲା ମା ଲୋ ତୁ ମତେ ବଞ୍ଚେଇ ଦେଲୁ। ହେଲେ ଜେଜୀ ଆଉ ଉଠିଲାନି। ସମସ୍ତଙ୍କୁ ଛାଡି ସବୁଦିନ ପାଇଁ ଚାଲିଗଲା।

 

           - ମା 

  ଶାରୀ ତା କାନିଧରି ଟାଣୁଛି। ସରିତା ଭାବନା ରାଇଜରୁ ଫେରି ଆସିଲା। ଏବେ ସେ କଣ କରିବ? ତାକୁ କିଛି ବୁଦ୍ଧି ଦିଶୁନଥିଲା। ବାଡ଼ିରେ ଯେତିକି ପରିବା ହେଇଥିଲା ସବୁ ତୋଳି ଟୋକେଇରେ ରଖିଲା। ଆଟୁ ଉପରେ ଥିବା ଲଣ୍ଠନକୁ ଆଣି ତା କାଚକୁ ଭଲରେ ପୋଛିଲା। ସରିଯାଇଥିବା ଉଷୁଅ ଵୋତଲର ଠିପି କଣ୍ଟାରେ ପିଟି କଣା କଲା। ପୁରୁଣା ସୁତା ଲୁଗା ଚିରି ବତୀ ତିଆରିଲା। ସେ ଡିବିରି ରେ କିରାସିନି ପୂରେଇ ରଖିଲା। 

    କିଏ ଜାଣେ ବାତିଆ କଥା। ଲାଇନି କେତେ ଦିନ ଯାଏ ଆସିବନି। ଅନ୍ଧାର କୁ ଡିବିରି ସାହା ଭରସା। ଶାରୀ ବାପା ଚୁଡା, ଗୁଡ଼, କଦଳୀ କିଣି ଆଣିଲେ। ମା ବାପ ଝିଅ ତିନିହେଁ ଶୋଇଲେ। ହେଲେ ସରିତା ଆଖିକୁ ନିଦ ନାହିଁ। ବାତ୍ୟାର କରାଳ ରୂପ ତା ଆଗରେ ନାଚି ଯାଉଛି। ହଠାତ ଭୁସ୍ ଭୁସ୍ ଶବ୍ଦ ହେଲା। ବନ୍ଦ ହେଇଯାଇଥିବା ଝରକା ଗୁଡିକ ମନକୁ ମନ ଖାଲି ପିଟିହେଲା। ସେ ଝରକା ପଟେ ପଶି ଆସିଲା ପାଣି। ଘର ସାରା ପାଣି ଭର୍ତ୍ତି। ଶାରୀ ବାପା ଶାରୀକୁ କୋଳରେ ଧରି ଗୋଟେ କଣକୁ ବସିଥାନ୍ତି। ସେ ବିକଳ ହୋଇ ଗୁହାଳକୁ ଯାଇ ରମାର ପଘା ଖୋଲିଦେଲା। ଗୁହାଳ ଯଦି ଭାଙ୍ଗି ରମା ଉପରେ ପଡିଯିବ ତେବେ ତାର କଣ ହେବ? ତା ଅପେକ୍ଷା ବିନା ପଘାରେ ସେ ଯୁଆଡେ ଯାଉ ବଂଚିକି ଥାଉ। ବାତ୍ୟା ପରେ ଗୁହାଳକୁ ଫେରିଲେ ଫେରୁ ନ ହେଲେ ନାହିଁ, ତା ଶାରୀ କ୍ଷୀର ଟୋପାଏ ନ ପାଉ ହେଲେ ରମା ବଂଚିକି ଥାଉ। ଆଖିରୁ ଲୁହ ପୋଛି ସରିତା ରମା ର ଯିବା ବାଟକୁ ଚାହିଁ ରହିଲା। ତା ଆଖି ଆଗରେ କଡ୍ କଡ୍ କରି ଆମ୍ବଗଛର ଡାଳ ଭାଙ୍ଗି ଗଲା। ଆମ୍ବ ସବୁ ଟପ୍ ଟପ୍ କରି ତଳେ ଗଦେଇ ହେଲାଣି। 


  - ସେଠି କଣ କରୁଛ? ଘର ଭିତରକୁ ଆସି କବାଟ ଦିଅ। ସେ ଆମ୍ବ ଫାମ୍ବ ଗୋଟେଇବା କଥା ଏବେ ଚିନ୍ତା କରନି।

ଶାରୀ ବାପା ପାଟି କଲେ। ପବନ କି ବର୍ଷା କେହି ବି ଥମିବାର ନାଁ ଧରୁନାହାନ୍ତି। ତା ପଅରଦିନ ସନ୍ଧ୍ୟା ବେଳକୁ ବର୍ଷା ପବନ ବନ୍ଦ ହେଲା। ହେଲେ ରୋଷେଇ କେମିତି କରିବ? ରୋଷେଇ ଘରେ ଆଣ୍ଠୁଏ ପାଣି। ସ୍ୱାମୀ ସ୍ତ୍ରୀ ଦୁହେଁ ବାଲ୍ଟି ବାଲ୍ଟି କରି ସବୁ ପାଣି ବାହାରକଲେ। ସରିତା ଚୁଡା ଚକଟିଲା। ତାକୁ ଖାଇ ଘର ଓଦା ହେଇଥିବାରୁ ଅଖା ପକେଇ ଶୋଇଲେ। 


     ସରିତା ନିଜକୁ ସମ୍ଭାଳି ପାରିଲାନି। ସିନ୍ଦୂରା ନ ଫାଟୁଣୁ ଦୌଡ଼ିଲା ବାଡ଼ି ପଟକୁ। 

ଇସ୍ ...କଦଳୀ ଗଛ ଗୁଡିକ ଭାଙ୍ଗି ତଳେ ଶୋଇ ଯାଇଛି। ଗୁହାଳର ଟିଣ ଉଡ଼ି ଯାଇଛି। ରମା ରମା ବୋଲି ଯେତେ ଡାକିଲେ ବି ଜବାବ୍ ନାହିଁ। ଯୋଉ ବାଡ଼ି ତା ଭାତ ହାଣ୍ଡି ଥିଲା ସେ ପୁରା ଛିନ୍ ଛତର୍ ହେଇ ଯାଇଛି। ଏବେ ଦାଣ୍ଡ କେଉଁଟା ବାରି କେଉଁଟା ଜଣା ପଡୁନଥିଲା। ସବୁ ଭାଙ୍ଗି ରୁଜି ଏକାକାର ହେଇ ଯାଇଛି। 

ଶାରୀ ତା ମିଠୁକୁ ଖୋଜୁଛି। ହେଲେ ସରିତା ଶାରୀକୁ କେମିତି କହିବ ଯେ ତାଙ୍କ ପରି ବାତ୍ୟାରେ ହଇରାଣ ନ ହେଉ ବୋଲି ସେ ନିଜେ ମିଠୁକୁ ଉଡେଇ ଦେଇଛି। 


      ଶାରୀ ବାପା ମୁଣ୍ଡରେ ହାତ ଦେଇ ବସିଛନ୍ତି। କୋଉଠୁ ଆରମ୍ଭ କରି କୋଉଠି ଶେଷ କରିବେ ସେ ଜାଣି ପାରୁନଥିଲେ। ଘରର ଅଧା ଛପର ଉଡ଼ି ଯାଇଛି। ଏଇନା ଯଦି ଟିକେ ବର୍ଷା ହେବ ଘର ପୁରା ସମୁଦ୍ର ପାଲଟି ଯିବ। ଗାଈ ଟା ବି ନାହିଁ। ଶାରୀ ପାଇଁ କ୍ଷୀର ଟୋପାଏ ନାହିଁ। କଦଳୀ କାନ୍ଧି ଦିଟା ଦର ପାଚିଲା ହେଇ ଗଛରେ ଓହଳି ଥିଲା, କାଟି ଆଣିଥିଲେ ହେଇଥାନ୍ତା। ଲୋଭ କରି ଗଛରେ ଛାଡିଲେ ଯେ ଗଛ ତ ଭାଙ୍ଗିଲା ତା ସାଙ୍ଗକୁ କାନ୍ଧି ଦିଟା ବି କିଏ ଉଠେଇ ନେଇଛି। ଆଜି ସେମାନେ କଣ ଖାଇବେ ? ତିନି ଦିନ ହେଲା କାମକୁ ଯାଇ ନାହାନ୍ତି। ପକେଟରେ ଆଠଣି ଟେ ବି ନାହିଁ। 

       ଏଇ ଅବସ୍ଥାରେ ହାତରେ ହାତ ଧରି ବସି ରହିଲେ ତ ହେବନି। ଟାଙ୍ଗିଆ ଧରି ଶାରୀବାପା ବାଡ଼ି ପଟକୁ ଗଲେ। ବାଡ଼ି ସଫା କରିବାକୁ ପଡ଼ିବ। ଏଇ ବାଡିରୁ ପରିବା, ଶାଗ ବିକି ଦି ପଇସା ସେ ରୋଜଗାର କରନ୍ତି। ପଡିଥିବା କଦଳୀ ଗଛ ଗୁଡ଼ିକୁ ଉଠେଇ ତାର ମଞ୍ଜା ହାଣୁଛନ୍ତି ଅଧା ଭାଙ୍ଗିଥିବା ଆମ୍ବଗଛର ଡାଳଟି ତାଙ୍କ ଉପରେ ପଡ଼ିଲା ଓ ହାତରୁ ଟାଙ୍ଗିଆ ଛିଟିକି ପଡ଼ିଲା ପାଦ ଉପରେ। 

       ଡାଳ ଭାଙ୍ଗିବାର ପ୍ରଚଣ୍ଡ ଶବ୍ଦ ଶୁଣି ସରିତା ଦୌଡ଼ି ଆସିଲା। ହେ ଭଗବାନ ! କେତେ ରକ୍ତ।ପାଦ ଟି ଗୋଡ଼ରୁ କଟି ଛଟ୍ ଛଟ୍ ହେଉଛି। ଏବେ ସେ କଣ କରିବ? କାହାକୁ କହିବ? କେମିତି ତା ଲୋକକୁ ଡାକ୍ତରଖାନା ନେଇକି ଯିବ? ତା ମୁଣ୍ଡରେ କିଛି ବୁଦ୍ଧି ପଶୁନଥିଲା। ଶାରୀ ଦୌଡ଼ିଯାଇ ସାହି ପିଲାଙ୍କୁ ଡାକି ଆଣିଲା। ସଭିଏଁ ମିଶି ଟେକାଟେକି କରି ଶାରୀବାପାଙ୍କୁ ଡାକ୍ତରଖାନା ନେଇକି ଗଲେ। 

           ସାତ ଦିନ ପରେ ଶାରୀବାପା ଆଜି ଘରକୁ ଫେରିଛନ୍ତି। କଟି ଯାଇଥିବା ପାଦଟି ଯୋଡ଼ି ହେଇପାରିଲାନି। ଶାରୀବାପା କୋହ ଉଠେଇ କାନ୍ଦୁଛନ୍ତି। ସରିତା କିନ୍ତୁ ପଥର। ଆଖିରେ ତାର ଟୋପାଏ ଲୁହ ନାହିଁ। କଣ ଦେବ ତା ସ୍ୱାମୀଙ୍କୁ ଖାଇବାକୁ? ଯିଏ ସାଇକେଲ ରେ ଘର ଘର ବୁଲି ପରିବା ବିକେ ତାକୁ ତ ଠାକୁର ଅକର୍ମଣ୍ୟ କରି ଘରେ ପକେଇଦେଲେ। ଏବେ କିଏ ଦାନା ଆଣି ସେମାନଙ୍କ ମୁହଁରେ ଦେବ? ପାଣି ପଶି ଡାଲି, ଚାଉଳ ସବୁ ଫିମ୍ପି ମରିଯାଇଛି। ସେ ଡାକ୍ତରଖାନାରେ ଥିବାରୁ କିଛି ଶୁଖେଇ ପାରିଲାନି। ଘରେ ସାଇତିଥିବା ପରିବା ପଚି ଗନ୍ଧ ହଉଛି। ସେ ଚାରିଆଡ଼େ ଅନେଇଲା। ଡବାରେ ଚୁଡ଼ା ମୁଠେ ପଡିଛି। ସେଥିରେ ଗୁଡ଼ ପକେଇ ଚକଟି ଝିଅକୁ ଓ ତା ସ୍ୱାମୀକୁ ଦେଇ ଘର ସଜାଡ଼ିବାରେ ଲାଗିଲା। ଶୋଇବା ଘରୁ ଶାରୀବାପାର ଖୁଁ ଖୁଁ କାଶ ଶୁଭୁଛି। ଦଇବ ଆଉ କେତେ ଦାଉ ସାଧିବ କେଜାଣି? ସେ ଜାଣେ ଏଇ ଲୋକକୁ କାଶ ହେଲେ ସହଜରେ ଛାଡିବନି। ତୁଳସୀ ପତ୍ର , ଅଦା ପକେଇ ନାଲି ଚା ଟିକେ ଯଦି ପିଇଦେବେ ତାଙ୍କ କାଶ କମିଯିବ। 

              ହେଲେ ତୁଳସୀ ଗଛଟି ବଞ୍ଚିଥିବ ତ? ଯେଉଁଠି ଏଡ଼େ ବଡ଼ ଗଛଗୁଡିକ ପବନର ମାଡ଼କୁ ସମ୍ଭାଳି ପାରିଲେନି ସେଠି ଏଇ ଛୋଟ ଗଛଟିର କେତେ ବଳ? ତୁଳସୀ ଗଛର କିଛି ହେଇନଥିଲା। ସେ ସରିତାକୁ ଦେଖି ଖିଲିଖିଲି ହେଇ ହସୁଥିଲା। ସରିତାକୁ ଲାଗିଲା ତାର ଅସହାୟତାକୁ ଦେଖି ଗଛଟି ଥଟ୍ଟା କରୁଛି। 

 ସରିତା ଚୁଲିରେ ଚା ଚଢ଼େଇଲା। ରୋଷେଇ ଘରର ଗୋଟେ କଣରୁ ଚୁଲି ଯାଏ ପିମ୍ପୁଡ଼ି ର ଧାର ଲମ୍ବିଛି। ଚୁଡ଼ା ଚକଟିଲାବେଳେ ସେଥିରୁ ଟିକେ ଚକଟା ତଳେ ପଡ଼ି ଯାଇଛି ଯାହାକୁ ଖାଇବା ପାଇଁ ପିମ୍ପୁଡ଼ି ମାନେ ଲାଗି ପଡ଼ିଛନ୍ତି। ଏଡ଼ିକି ଟିକିଏ ଜୀବଗୁଡ଼ା ନିଜ ପାଇଁ, ନିଜ ପରିବାର ପାଇଁ କେତେ ସହଜରେ ଖାଦ୍ୟ ସଂଗ୍ରହ କରି ପାରୁଛନ୍ତି ଆଉ ସେ ଏମିତି ହାତ ଉପରେ ହାତ ରଖି ଚୁପଚାପ ବସି ଖାଲି ନିଜ ଭାଗ୍ୟକୁ ନିନ୍ଦୁଥିବ? 

       ସରିତା ରାତି ସାରା ଶୋଇ ଶୋଇ ଭାବୁଥିଲା ଯେଉଁଠି ଏତେ ବଡ଼ ଆମ୍ବଗଛ ପବନ ମାଡ଼ରେ ଭୂଇଁରେ ମାଟି କାମୁଡ଼ି ପଡ଼ି ରହିଲା ସେଠି ଏତେ ଛୋଟ ତୁଳସୀ ଗଛର ଟିକିଏ ବି କ୍ଷତି କେମିତି ହେଲାନି? 

   ବଡି ଭୋରରୁ ଉଠି ବାସି ପାଇଟି ସାରି ସରିତା ବାଡ଼ି ପଟକୁ ଗଲା। ଶାଗ ପଟାଳୀରେ ପୁଣିଥରେ ଶାଗ କଅଁଳିଛି। କଞ୍ଚା ଆମ୍ବ ଏବେ ବି ଗଛ ତଳେ କିଛିଟା ପଡ଼ିଛି।। ସେ ଶାଗ ତୋଳି ଡାଲାରେ ଭରିଲା। ଆମ୍ବ ଗୁଡ଼ିକୁ ଭଲରେ ଧୋଇ ଡାଲା ରେ ରଖିଲା। ରଙ୍ଗନାନୀ ଘରକୁ ଯାଇ ବାଇଗଣ ଦି କେ. ଜି ଓ କଖାରୁ ଫଡାଏ ଧାର କରି ଆଣିଲା। ପରିବା ଡାଲାକୁ ସାଇକେଲରେ ଭଲରେ ବାନ୍ଧିଲା।


ଛୋଟ ବେଳେ ଜିଦ୍ଦି କରି ଶିଖିଥିବା ସାଇକେଲ ଏପରି ତା କାମରେ ଆସିବ ବୋଲି କେବେ ଭାବିନଥିଲା। ନୂଆ କରି କାମକୁ ଯାଉଛି ବୋଲି ଚଉରା ମୂଳେ ମୁଣ୍ଡ ଟେକୁଛି ତା ନଜର ପଡ଼ିଲା ସେ ଟିଣରେ ଲଗେଇଥିବା ନଡ଼ିଆ ତାଡ଼ ଉପରେ। ସେଥିରୁ ଗଜା ବାହାରିଛି। 


    ସରିତା ମନରେ ଖୁସିର ଝଲକ। ସେ ଆକାଶକୁ ଅନେଇଲା। ଅନ୍ଧାର ହଟୁଥିଲା। ସତେ ଯେମିତି ସୁରୁଜ ଦେବତା ତା ପାଇଁ ନୁଆ ସକାଳ ନେଇ ଆସିଥିଲେ। ତା ସ୍ବାମୀ ଓ ଶାରୀ ଶୋଇଛନ୍ତି, ସେମାନେ ଉଠିବା ପୂର୍ବରୁ ତାକୁ କାମରୁ ଫେରିବାକୁ ପଡ଼ିବ। ସେ ସାଇକେଲରେ ଗୋଡ଼ ଥାପିଲା।

      -ମା ଭାତ ଦେ। ଭାତ ଦେ।

   କିଏ ଗୋଟାଏ ଡାକୁଛି। ସରିତା ପଛକୁ ବୁଲି ଅନେଇଲା। ତା ଶାରୀର ମିଠୁ ଘର ଅଗଣାରେ ବସି ବୋବାଉଛି। ଠପ୍ ଠପ୍ କରି କେଇ ବୁନ୍ଦା ଲୁହ ଝରିଗଲା ସରିତା ଆଖିରୁ। ବଡ଼ ପାଟିରେ କହିଲା

        - ମିଠୁଲୋ, ସବୁଦିନ ମୋ ଶାରୀ ତୋତେ ଜଗୁଥିଲା ଆଜି ତୁ ଟିକିଏ ତାକୁ ଦେଖୁଥିବୁ। ମୁଁ କାମରୁ ଆଇଲେ ତୁମ ଦୁହିଁଙ୍କୁ କୋଳରେ ବସି ଖୁଆଇବି। 


ସରିତା ସାଇକେଲ ଘଣ୍ଟି ବଜେଇ ଚାଲିଗଲା। ସରିତାର ଖୁସିରେ ଖୁସି ହେଇ ସକାଳର ସୂର୍ଯ୍ୟ କିରଣ ଆହୁରି ଝଲସି ଉଠିଲା। 


    



Rate this content
Log in

Similar oriya story from Tragedy