Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଶୁଭ-ଲଗ୍ନା
ଶୁଭ-ଲଗ୍ନା
★★★★★

© Pratibha Priyadarshini

Inspirational

7 Minutes   14.2K    13


Content Ranking

ଶୁଭ-ଲଗ୍ନା
°°°°°°°°

ଆଉ ଦଶ ଦିନ ପରେ ଲଗ୍ନାର ବାହାଘର। ଦୁଇ ଦିନ ଆଗରୁ ଜାଇ ଅନୁକୂଳ ହୋଇଛି। ନିମନ୍ତ୍ରଣ ପତ୍ର ବାଣ୍ଟିବାକୁ ହାତରେ ଖୁବ୍ କମ୍ ସମୟ। ଅବଶ୍ୟ ଶୁଭାଶିଷ ଙ୍କ ସହିତ ଲଗ୍ନାର ବିବାହ ଦୁଇ ବର୍ଷ ହେଲା ସ୍ଥିର ହେଲାଣି। ତିଥୀ ମଧ୍ୟ ପାଞ୍ଚମାସ ଆଗରୁ ନିର୍ଦ୍ଧିଷ୍ଟ ହୋଇସାରିଛି। ସେଥିପାଇଁ ଅନ୍ୟାନ୍ୟ ଆନୁଷଙ୍ଗିକ ଆୟୋଜନ ଓ କିଣାକିଣି କାମ ଖୁବ୍ ଆଗରୁ ହୋଇପାରିଛି। ପ୍ରଥମ ଝିଅର ବାହାଘର,ଘରଟା କୋଳାହଳରେ ଫାଟିପଡିବା କଥା। ଅଥଚ ଏଠି ପସରା ମେଲିଛି ଅସମ୍ଭବ ଗୋଟେ ଉଦାସୀ ନୀରବତା। କାହିଁକି? ବାପା, ବୋଉ, ଭାଇ, ଭଉଣୀ ସମସ୍ତେ ଯେମିତି ଜଡ ପାଲଟି ଯାଇଛନ୍ତି। ସତେ ଅବା ଚଳତ୍ ମାନ ପାଷାଣ ମୂର୍ତ୍ତି। ଏସବୁ ପାଇଁ ସେ ନିଜେହିଁ ଦାୟୀ। ଏମିତି ନିଜକୁ ଦୋଷ ଦେଇ ଝର୍କା ସେପାଖ ଗଙ୍ଗଶିଉଳୀ ଗଛକୁ ଅପଲକ ଚାହିଁ ରହିଥାଏ ସୁଲଗ୍ନା। ଗରମ ଲୁହରେ ଗୋଟାପଣେ ଭିଜିଯାଇଥାଏ।

ସୁଲଗ୍ନା ଭାବୁଥାଏ। ଯଦି ସେ ନିଜ ଜିଦ୍ ରେ ଶୁଭାଶିଷଙ୍କୁ ବାହା ହେବାପାଇଁ ବାପାଙ୍କୁ ବାଧ୍ୟ କରିନଥାନ୍ତା, ଏମିତି ଗୋଟାଏ ବିଚିତ୍ର ଧର୍ମ ସଙ୍କଟରୁ ତା ପରିବାର ବର୍ତ୍ତି ଯାଇଥାନ୍ତେ! କାହିଁକି କେଜାଣି ସେ ଅଶୁଭ ଫଗୁଣ ଦ୍ବୀପ୍ରହରଟା ଆସିଥିଲା ତା ଜୀବନରେ? ସେଦିନ ଶୁଭାଶିଷଙ୍କ ସହ ଦେଖା ନହେଇଥିଲେ ସେ ଆଜି ଶାନ୍ତିରେ ଥାଆନ୍ତା। ବାଣୀବିହାର ର ସୁରମ୍ୟ ପରିବେଶ। ସେଦିନ ସୁଲଗ୍ନା ପ୍ରଥମ କରି ଏମ୍.ଫିଲ୍ ଗାଇଡ୍ ଙ୍କ ପାଖକୁ ଯାଇଥିଲା ତା ଥେସିସ୍ ବିଷୟରେ ଆଲୋଚନା କରିବାକୁ। ପ୍ରଫେସର ଙ୍କ ପ୍ରକୋଷ୍ଠକୁ ଲାଗି ଲାବୋରେଟୋରୀ। ସେଠି ତାଙ୍କ ତତ୍ତ୍ବାବଧାନରେ ଗବେଷଣା କରୁଥିବା ୩-୪ ଜଣ ପୁଅଝିଅ ଥାଆନ୍ତି। ପ୍ରଫେସର ମିଶ୍ର ନିଜେ ସୁଲଗ୍ନାକୁ ବାଛିଥିଲେ ତାଙ୍କ ପାଖରେ କାମ କରିବାକୁ। ତାଙ୍କ ଭଳି ନାଁ କରା ପ୍ରଫେସର ନିଜେ ତାକୁ ଚୟନ କରିବା ସୁଲଗ୍ନା ଲାଗି ଗର୍ବର ବିଷୟ ଥିଲା। ଆଲୋଚନା ପରେ ସ୍ଥିରହେଲା, ସୁଲଗ୍ନା କାମ କରିବ ଶୁଭାଶିଷଙ୍କ ସହିତ। ଶୁଭାଶିଷ ସେତେବେଳେ ପିଏଚ୍ଡି କରୁଥାନ୍ତି। ତାଙ୍କୁ ସହାୟତା କରିବା ସହିତ ତା ନିଜ ଥେସିସ୍ କାମବି ହେଇଯିବ। ଶୁଭାଶିଷ ଆଚାର୍ଯ୍ୟ, ଖୁବ୍ ଭଲ ଛାତ୍ର, ସ୍ବଚ୍ଛଳ ଆଭିଜାତ୍ୟ ପୂର୍ଣ ପରିବାରର କନିଷ୍ଠ ସନ୍ତାନ। ପ୍ରାଚୁର୍ଯ୍ୟ ପରିପୂର୍ଣ ଜୀବନ, କିନ୍ତୁ ସେ ଅତି ସହଜ ଓ ସାଧାରଣ, ସୌମ୍ୟ ବ୍ୟବହାର ଓ ମିଷ୍ଠଭାଷି। ସୁନ୍ଦର ରୂପ ଓ ଗୁଣ ଦେଖି ଯେ କୌଣସି ଝିଅ ସହଜେ ଆତ୍ମସମର୍ପଣ କରିପାରେ ତାଙ୍କ ପାଖେ। ସେ କିନ୍ତୁ ଖୁବ୍ ସଂଯମି। କମ୍ କଥା କୁହନ୍ତି। ମାତ୍ର ଲଗ୍ନା ତାଙ୍କ ଜୀବନରେ ଚଞ୍ଚଳତାର ବାର୍ତ୍ତାନେଇ ପ୍ରବେଶିଲା। କାମ ଭିତରେ ଅହରହ କଥାକହେ ଚାବିଦିଆ କଣ୍ଢେଇଟେ ଭଳି। ଅନୁଢା ମନର ଅସରନ୍ତି ଉଚ୍ଛ୍ବାସ ଶବ୍ଦରେ ଫୁଟିପଡେ। କିଛିଦିନରେ ସେ ପ୍ରଫେସରଙ୍କ ଠାରୁ ଆରମ୍ଭକରି ଅନ୍ୟ ସିନିୟର ମାନଙ୍କ ପ୍ରିୟ ହୋଇଗଲା। ତା ଉପସ୍ଥିତିରେ ନିର୍ଜୀବ ଲାବୋରେଟୋରୀ ଜୀବନ୍ତ ଆଉ ପ୍ରଗଳ୍ଭ ମନେହୁଏ। ଶୁଭାଶିଷ ଙ୍କ ଚେୟାର ପଛ ଝର୍କା କୁ ଲାଗି ବିରାଟ ଏକ କୃଷ୍ଣଚୂଡା ର ଡାଳ ଧକ୍କାଖାଏ। ପେନ୍ଥା ପେନ୍ଥା ରଙ୍ଗୀନ କୃଷ୍ଣଚୂଡା ପବନର ହିଲ୍ଳୋଳରେ ଝର୍କା ଡେଇଁ ରଙ୍ଗେଇ ଦିଅନ୍ତି ଲଗ୍ନାର ଖିଆଲୀ ମନକୁ। ରଙ୍ଗରେ ହଜି କେବେ ସେ ଗୀତଗାଏ, କେବେ କବିତା ଲେଖେ। ଶୁଭାଶିଷ ଚୁପ୍ଚାପ ଉପଭୋଗ କରନ୍ତି ଏସବୁ ଚପଳାମି। ଏମିତି ଅନ୍ୟମନସ୍କ ହୋଇ ଦିନେ ତାଙ୍କ ଗବେଷଣା ରେକର୍ଡ ଖାତାରେ ଦୁଇଧାଡି କବିତା ଲେଖି ପକାଇଥିଲା,"ସଜାଇଦିଅ ମୋ ମଥାରେ କୃଷ୍ଣଚୂଡାର ରଙ୍ଗ, ଗ୍ରୀଷ୍ମକୁ ସାକ୍ଷୀ ରଖି ସିନ୍ଦୁର ଭାବିନେବି।' ସେ ଡରୁଥିଲା କାଳେ ଶୁଭାଶିଷ ରାଗିବେ, ହେଲେ ତାପରଠୁ ସେ କେମିତି ଅଲଗା ବ୍ୟବହାର କରନ୍ତି। ଲଗ୍ନା ଲାବୋରେଟୋରୀ ରେ ଅନ୍ୟ ମାନଙ୍କୁ ଭାଇ/ଦିଦି ବୋଲି ଡାକେ, କିନ୍ତୁ ଶୁଭାଶିଷଙ୍କୁ ଶୁଭ ସାର୍ ବୋଲି କହେ।

ଧୀରେ ଧୀରେ ଦୁହେଁ ଦୁହିଁଙ୍କ ସଙ୍ଗ ଓ ସହଚର୍ଯ୍ୟ କୁ ଆପଣେଇ ସୁଖୀ ହେଉଥିଲେ। ପ୍ରାୟତଃ ଚୁପ୍ ରହୁଥିବା ଶୁଭାଶିଷ, କାମ ଭିତରେ ଲଗ୍ନା ସହ ଖୁବ୍ ଗପନ୍ତି। କାମ ସରୁ ସରୁ ପ୍ରାୟତଃ ସଂନ୍ଧ୍ୟା ହୋଇଗଲେ ଲଗ୍ନାକୁ ହଷ୍ଟେଲ୍ ରେ ଛାଡିବାକୁ ଯାଆନ୍ତି ଶୁଭାଶିଷ। ପ୍ରେମର ମହକରେ ବାସୁଥାଏ ମହୁଲି ସାୟାହ୍ନ ଯେବେ ହଷ୍ଟେଲ ଯାଏଁ ଚଲାବାଟ ଭବିଷ୍ୟତର ସ୍ବପ୍ନରେ ହଜିଯାଏ। ଧୀରେ ଧୀରେ ଅନ୍ୟ ଗବେଷଣାରତ ସାଥୀ ଓ ପ୍ରଫେସର ମିଶ୍ର ମଧ୍ୟ ଜାଣିପାରିଥିଲେ ଦୁହିଁଙ୍କ ମଧ୍ୟରେ ଅଙ୍କୁରିତ ନୂଆ ସମ୍ପର୍କଟିକୁ। ଏ ଭିତରେ ଶୁଭାଶିଷଙ୍କୁ ରିସର୍ଚ୍ଚ ଆସୋସିଏଟ ପଦରେ ନିଯୁକ୍ତି ବି ମିଳିଯାଇଥାଏ। ପିଏଚ୍ଡି ସରିବାକୁ ଆଉ ବର୍ଷେ ପ୍ରାୟ ସମୟ ଲାଗିବ। ନିଜ କାମ ସହିତ ଲଗ୍ନା ତାଙ୍କର ଗୁଡାଏ କାମ କରେ ଓ ଶୁଭ ଥେସିସ୍ ଲେଖାରେ ମନ ଦିଅନ୍ତି।

ସେଦିନ ଲଗ୍ନା ଖୁବ୍ ଉତ୍କଣ୍ଠାରେ ଅପେକ୍ଷା କରିଥାଏ। ଶୁଭ ଆଜି ଘରୁ ଫେରିବେ। ତାଙ୍କ ଦୁହିଁଙ୍କ ସମ୍ପର୍କ କଥା ଜଣେଇଥିବେ ଘରେ। କ'ଣ ଥିବ ତାଙ୍କ ପରିବାରର ପ୍ରତିକ୍ରିୟା? ଏଇ ପ୍ରଶ୍ନଟା ବାରମ୍ବାର ତାକୁ ବ୍ୟତିବ୍ୟସ୍ତ କରୁଥାଏ। ପହଞ୍ଚିଲେ ଶୁଭ, କିନ୍ତୁ ତାକୁ ଅପେକ୍ଷା କରିବାକୁ କହି ପ୍ରଥମେ ଚାଲିଗଲେ ପ୍ରଫେସର ମିଶ୍ରଙ୍କ ପାଖକୁ। ଦିନସାରା କିଛି କହିଲେନି। ତାଙ୍କ ନିରବତା ପ୍ରତି କ୍ଷଣକୁ ଲମ୍ବା କରୁଥିଲା ଯେମିତି। ସଂନ୍ଧ୍ୟାରେ ସେ ଆଉ ଅପେକ୍ଷା ନକରି ପଚାରିଲା,"ଶୁଭ, ଘରେ କ'ଣ ଅରାଜି ହେଲେ? ମୁଁ ଅପସନ୍ଦ ହେଲିକି? ତୁମ ଯୋଗ୍ୟା ଭାବିଲେନି କି?' ଉତ୍ତରରେ ଯେବେ ଶୁଭାଶିଷ କହିଲେ ତାଙ୍କ ମା ଆଦୌ ରାଜି ନୁହନ୍ତି, ନଷ୍ଟ ନକ୍ଷତ୍ରଟି ଭଳି ଗଳି ପଡିବା ବେଳେ ତାକୁ କୋଳେଇନେଲେ ଶୁଭାଶିଷ। ତା ଛଳଛଳ ମୁହଁକୁ ପାପୁଲିରେ ତୋଳିଧରି ସାନ୍ତ୍ବନା ଦେଲେ,"ଲଗ୍ନା, ବ୍ୟସ୍ତ ହୁଅନି। ପ୍ରଫେସର ମିଶ୍ର ବାପାଙ୍କ ସହିତ କଥା ହୋଇଛନ୍ତି। ବାପା ରାଜି। ସେ ମା ଙ୍କୁ ମନେଇବେ। ତୁମେ ଖାଲି ଧୈର୍ଯ୍ୟଧରି ଅପେକ୍ଷା କର। ମୋ ଉପରେ ବିଶ୍ବାସ ରଖ।'

ପୁଣି କେଇବୁନ୍ଦା ଉତ୍ତପ୍ତ ଲୁହରେ ମୋହଭଙ୍ଗ ହେଲା। ସେ ଭାବୁଥିଲା, କେତେବଡ ଭୁଲ୍ କରିଥିଲା ସେଦିନ ଶୁଭ ଙ୍କର ସେଇ କଥାରେ ବିଶ୍ବାସ କରି। ବର୍ଷେରୁ ଉର୍ଦ୍ଧ ଶୁଭଙ୍କ ମା, ବାପା, ଭଉଣୀ ସମସ୍ତଙ୍କ ସହ ସମ୍ପର୍କ ଯୋଡିବାକୁ ଚ୍ୟେଷ୍ଟାକଲା। ଲଗ୍ନା ଭଳି ପ୍ରାଣପ୍ରାଚୁର୍ଯ୍ୟରେ ଭରା ମେଳାପି ଝିଅଟି ଲାଗି ସେମାନଙ୍କ ମନ ଜିଣିବା ସେମିତି ବଡ ଅସମ୍ଭବ କାର୍ଯ୍ୟ ନଥିଲା। ଏଇ ଭିତରେ ଶୁଭ ଡକ୍ଟରେଟ୍ ପାଇ ଭଲ ଗୋଟିଏ ଚାକିରୀ କରିସାରାଥିଲେ। ଏଥର ବିବାହ ପ୍ରସଙ୍ଗ ଜୋର ଧରିଲା। ପ୍ରଫେସର ମିଶ୍ରଙ୍କ ମଧ୍ୟସ୍ଥତାରେ ଉଭୟଙ୍କ ବାପା ସାକ୍ଷାତ ଆଲୋଚନା କରି ସବୁ ସ୍ଥିର କଲେ। ବରପକ୍ଷର ପ୍ରତ୍ୟେକ କଥାକୁ ସାଦରେ ମାନିନେଇଥିଲେ ଲଗ୍ନାର ବାପା। ଶୁଭାଶିଷଙ୍କ ଭଳି ଯୋଗ୍ୟ ପାତ୍ରଟିଏ ପାଇ ସେ ଅନ୍ୟ ସବୁକଥାକୁ ସହଜେ ଗ୍ରହଣ କରିବାକୁ ପ୍ରସ୍ତୁତ ଥିଲେ। କିନ୍ତୁ ବିବାହ ଅନୁକୂଳ ବିଧୀ ଦିନ ରାତିରେ ଶୁଭାଶିଷଙ୍କ ମା ଫୋନ୍କରି ରୋକଠୋକ୍ ଦାବି ଜଣାଇଦେଲେ ଯୌତୁକ ବାବଦରେ। ତାଙ୍କ ଦାବି ମାନିନେବା ଲଗ୍ନାର ଶିକ୍ଷକ ପିତାଙ୍କ ଲାଗି ଅସମ୍ଭବ ଥିଲା। ବୋଉ ଯେବେ ଅସାମର୍ଥ୍ୟ ବୁଝେଇବାକୁ ଚ୍ୟେଷ୍ଟା କଲା, ଶୁଭଙ୍କ ଯୋଗ୍ୟତା, ତାଙ୍କ ଆଭିଜାତ୍ୟ ଓ ସାମାଜିକ ପ୍ରତିଷ୍ଠା ଆଡରେ ତାଙ୍କ ମା'ଙ୍କ କଠୋର ବାକ୍ୟବାଣରେ ଆହାତ ଲଗ୍ନାର ବୋଉ ଆଯିଯାଏ କାନ୍ଦୁଛନ୍ତି। ଲଗ୍ନାକୁ ଖୁବ୍ ବାଧିଲା ବାପା ଯେବେ ସକାଳେ କହିଲେ,"ମା'ରେ ତୁ ମୋ ଗର୍ବ ଓ ଅଭିମାନ ଥିଲୁ। ତୋ ବୁଦ୍ଧିମତ୍ତା ଉପରେ ମୋର ଅନ୍ଧ ବିଶ୍ବାସ ଥିଲା। ହେଲେ ମଣିଷ ଚିହ୍ନିବାରେ ଭୁଲ୍ କରି ମୋ ହାତଗୋଡ ବାନ୍ଧିଦେଲୁ। ଭଲ ବର ସହିତ ଭଲ ଘରଟିଏ ବି ଆବଶ୍ୟକ ସୁଖୀ ଭବିଷ୍ୟତ ଲାଗି।' ସବୁଠୁ ବେଶୀ ବ୍ୟଥୀତ ହୋଇଥିଲା ଶୁଭଙ୍କୁ ଫୋନ୍କରି। ମାତୃଭକ୍ତ ପୁତ୍ର ଯେବେ କହିଥିଲେ ,"ମା ର ଈଚ୍ଛାଥିଲା ମୋ ଲାଗି କନ୍ୟା ସେ ବାଛିବ। ମୁଁ ତା'ର ସେ ଆଶା ପୂରଣ କରିପାରିନି। ନିଜ ପସନ୍ଦ ଲଦିଦେଇ ତାକୁ ଖୁବ୍ ଦୁଃଖୀ କରିଛି। ଏବେ ସେ ଯାହା ଚାହିଁବେ, ଯେମିତି ଚାହିଁବେ, ଏ ବିବାହ ସେମିତି ହେବ। ଯଦି ତୁମେ ତୁମ ପରିବାରକୁ ମା କଥା ମାନିବାକୁ ବୁଝାଇ ପାରୁନ,ଏ ସମ୍ପର୍କ ବରଂ ଯୋଡା ନହେଉ। ମା କୁ ଅସନ୍ତୁଷ୍ଟ କରି ମୁଁ ମୋ ଯୁଗ୍ମ ଜୀବନର ଆରମ୍ଭ କରିପାରିବିନି। ତୁମେ ମୋତେ କ୍ଷମା କରିଦିଅ ଲଗ୍ନା।' ଏସବୁ ଶୁଣି ବୋଉ ବାଚାଳ ଭଳି କହୁଥିଲା,"ଲଗ୍ନା, ତୋ ବାପା ଜୀବନସାରା ପରିଶ୍ରମ କରି ରୋଜଗାର କରିଛନ୍ତି କେବଳ ସମ୍ମାନ। ଯଦି ବାହାଘର ନହୁଏ ସେ ସମ୍ମାନ ଟିକକ ମାଟିରେ ଲୋଟିବ'।

ଏତକ ଭାବିବା ବେଳକୁ ଲଗ୍ନାର ମୁଣ୍ଡରୁ ପାଦଯାଏଁ ଯେମିତି ନିଆଁରେ ଜଳୁଥାଏ। ଗୁଡାଏ ଚଢେଇଙ୍କ କିଚିରିମିଚିରି ଭିତରେ ତା ଦୃଷ୍ଟି ଗଙ୍ଗଶିଉଳି ଗଛରୁ ଯାଇ ଲାଖିଗଲା ନାଲି ଟହଟହ ମନ୍ଦାର ଫୁଲଟିରେ। ବିଳମ୍ବିତ ଫଗୁଣର ଅପେକ୍ଷାକୃତ ଉଷ୍ମ ଆପରାହ୍ନରେ ରକ୍ତବର୍ଣା ମନ୍ଦାର ଫୁଲଟା ବୃନ୍ତସହ ଆନନ୍ଦରେ ଝୁଲୁଥାଏ ପବନ ସହ ତାଳଦେଇ। ଯେମିତି ମା ଦୁର୍ଗାଙ୍କ ଗଳା ମଣ୍ଡିବାକୁ ବିଭୋର ନିବେଦନର ବାର୍ତ୍ତା ପଠଉଛି। ହଠାତ୍ ଲୁହଝରା ଲଗ୍ନାର ଆଖି ଦୁଇଟି ଉଜ୍ଜ୍ବଳ ଦିଶିଲା କିଛି ଗୋଟେ ନୂଆ ସମ୍ଭାବନାର ଆସ୍ବାଦନରେ। ନିଜକୁ ସମ୍ଭାଳି ନେଇ କହୁଥିଲା,"ମୁଁ ଶେଫାଳୀ ହୋଇ ତୁମ ପାଦତଳେ ଲୋଟିବିନି ଶୁଭ। ତୁମେ ଯଦି ମୋ ଠାରୁ ଭିନ୍ନ ହୋଇ ଖୁସି, ମୁଁ ବି ସୁଖି ହେବାକୁ ହକଦାର। ମୁଁ ମନ୍ଦାରଟିଏ। ଶକ୍ତିର ପ୍ରତୀକ। ଗ୍ରୀଷ୍ମ ଦାହରେ ଝରିଯାଇ ମାଟିରେ ଲୋଟିବିନି, ବରଂ ସମ୍ପୂର୍ଣ ଫୁଟିବି ଆଉ ହସିବି।' ଏତିକି କହି ଫୋନ୍ ଆଣି ନମ୍ବର ମିଳାଇଲା। ଅପରପକ୍ଷ ଫୋନ୍ ଉଠାଇବା ପରେ ବିନା ଗୌରଚନ୍ଦ୍ରିକାରେ ସିଧାସଳଖ ପଚାରିଲା, "ଶୁଭେନ୍ଦୁ, ତୁମେ କ'ଣ ମୋତେ ବିବାହ କରିବାକୁ ଏବେବି ପ୍ରସ୍ତୁତ? ହଁ କି ନାଁ ରେ ଉତ୍ତର ଦେବ। ଯଦି ନାଁ ତେବେ କିଛି ଆପତ୍ତି କରିବିନି। ଆଉ ଯଦି ହଁ, ତେବେ ମଉସା ମାଉସୀଙ୍କୁ ନେଇ ଆଜି ସନ୍ଧ୍ୟାରେ ଆମ ଘରକୁ ଆସ।'

ଶୁଭେନ୍ଦୁ ମହାପାତ୍ର, ଲଗ୍ନାର ବନ୍ଧୁ। ସ୍କୁଲ୍ ଦିନର ସାଙ୍ଗ। ତାରୁଣ୍ୟରୁ ସେ ଲଗ୍ନାକୁ ପସନ୍ଦ କରନ୍ତି। ଲଗ୍ନା ଖୁବ୍ ଭଲ ପାଠ ପଢେ। ଉଜ୍ଜ୍ବଳ କ୍ୟାରିୟର ତା'ର। ଶୁଭେନ୍ଦୁ ଖରାପ ନହେଲେ ବି ସାଧାରଣ ଥିଲେ ପାଠପଢାରେ। ଖୁବ୍ ସାହସ ସଞ୍ଚୟ କରି ଆସିଥିଲେ ବାଣୀବିହାର ହଷ୍ଟେଲକୁ, ଲଗ୍ନାକୁ ମନକଥା କହିବାକୁ। କିନ୍ତୁ କହିପାରିଲେନି। ଲଗ୍ନା ତାଙ୍କ ମନଦଶା ବୁଝିପାରିଥିଲା। ତାଙ୍କୁ ବୁଝାଇଥିଲା କିଛି ଗୋଟାଏ ଦୃଢ ସଂକଳ୍ପ କରି ଆଗେଇବାକୁ। ଶୁଭେନ୍ଦୁ ନିଜ ମାନସୀ ପ୍ରେମିକାର କଥାକୁ ଆଦେଶ ଭଳି ଗ୍ରହଣ କଲେ। ନିଜକୁ ଲଗ୍ନା ଲାଗି ସୁଯୋଗ୍ୟ ପାତ୍ରଟିଏ କରିବାକୁ ଲାଗିପଡିଲେ। ୩ ବର୍ଷ ପୂର୍ବେ ସାଧାରଣ ସ୍ନାତକ ଡିଗ୍ରୀଧାରୀ ଶୁଭେନ୍ଦୁ ୟା ଭିତରେ ଏମ୍.ବି.ଏ କରି ଭଲ ଚାକିରୀଟିଏ କରିଛନ୍ତି। ତାଙ୍କ କଠିନ ପରିଶ୍ରମ ଓ କର୍ତ୍ତବ୍ୟ ନିଷ୍ଠା ଯୋଗୁଁ ଡବଲ୍ ପ୍ରମୋସନ୍ ବି ପାଇଛନ୍ତି। ସଫଳତାର ସବୁ ଶ୍ରେୟ ଲଗ୍ନାକୁ ଉତ୍ସର୍ଗ କରି ସେ ଯେଉଁଦିନ ବିବାହ ପ୍ରସ୍ତାବ ରଖିଥିଲେ, ଲଗ୍ନା କେବଳ ଏତିକି କହିଥିଲା,"ଡେରି କରିଦେଲ ଶୁଭେନ୍ଦୁ, ମୁଁ ଏବେ ଅନ୍ୟଜଣଙ୍କ ବାଗ୍ ଦତ୍ତା। ତୁମେ ସେଦିନ ବାଣୀବିହାରରେ କ'ଣ କହିବାକୁ ଆସିଥିଲ ମୁଁ ବୁଝିପାରିଥିଲି। କିନ୍ତୁ ଚାହିଁଥିଲି ତୁମେ ଆତ୍ମସମ୍ମାନର ସହ ନିଜ ପ୍ରସ୍ତାବ ରଖ। ହେଲେ ଏଇ ଭିତରେ ମୋ ଜୀବନରେ ଶୁଭଙ୍କ ଆଗମନ ସହିତ ବେଶ୍ କିଛି ପରିବର୍ତ୍ତନ ଆସିସାରିଛି। ଏବେ କ'ଣ କରିବି କୁହ?' ଶୁଭେନ୍ଦୁ ତାଙ୍କ ସହଜ ହସ ଫୁଟାଇ କହିଦେଲେ,"ଶୁଭାଶିଷ ବାବୁ ଏ ଜନ୍ମରେ ସିନା ବାଜି ମାରିନେଲେ, ୟା ପର ଜନ୍ମତକ ମୋର।'

ସନ୍ଧ୍ୟାରେ ଶୁଭେନ୍ଦୁ ତାଙ୍କ ବାପା-ମା ଙ୍କୁ ନେଇ ପହଞ୍ଚିଲେ। ଉଭୟ ପରିବାର ଖୁବ୍ ପରିଚିତ ପୂର୍ବରୁ। କିନ୍ତୁ ଏଭଳି ପରିସ୍ଥିତିରେ କିଏ, କେଉଁଠୁ ଏବଂ କେମିତି କଥା ଆରମ୍ଭ କରିବେ ଦ୍ବିଧାରେ ଥାଆନ୍ତି। ଏତିକିବେଳେ ସୁଲଗ୍ନା ନୀରବତା ଭାଙ୍ଗି କହିଲା,"ବାପା,ଶୁଭେନ୍ଦୁ ପିଲାଟି ଦିନରୁ ମତେ ପସନ୍ଦ କରନ୍ତି। ମୋ ଯୋଗ୍ୟହୋଇ ମୋତେ ବିବାହ ପ୍ରସ୍ତାବ ଦେଲାବେଳକୁ ଶୁଭାଶିଷଙ୍କ ସହିତ ମୋ ବିବାହ ସ୍ଥିର ହୋଇସାରିଥିଲା। ସେଥିପାଇଁ ସେ ସାରା ଜୀବନ ଅବିବାହିତ ରହିବାର ସଂକଳ୍ପ କରିବସିଲେ। ଏବେ ଏଇ ପରିସ୍ଥିତିରେ ମୁଁ କେବଳ ତାଙ୍କୁହିଁ ବିଶ୍ବାସ କରି ପାରିଲି। ଆଉ ମଉସା ଆପଣ ବା ମାଉସୀ ଯଦି ମୋତେ ଆପଣେଇବାକୁ ଏତେଟିକେ ବି କୁଣ୍ଠିତ, ତେବେ ମନା କରିଦେଲେ ମୁଁ ଦୁଃଖ କରିବିନି। ଆପଣ ଆସିଲେ, ସେତିକି ମୋ ଲାଗି ବଡକଥା।' ଏତକ କହିସାରିବା ବେଳକୁ ତା କଣ୍ଠ ବାଷ୍ପଋଦ୍ଧ ହୋଇଯାଇଥିଲା। ଶୁଭେନ୍ଦୁଙ୍କ ମା ତାକୁ କୋଳେଇ ନେଇ କହିଥିଲେ ସେ ବି ପିଲାଟି ଦିନରୁ ଲଗ୍ନାକୁ ବୋହୁ ଭାବେ ପାଇବାକୁ ଈଚ୍ଛା କରିଥିଲେ। ଉଭୟ ପରିବାର ସହଜ ହୋଇଯାଇଥିଲେ। ବଡମାନେ କଥା ହେବାବେଳେ ଶୁଭେନ୍ଦୁ ଚପଳତା କରି କହିଥିଲେ,"ଦେଖ ଲଗ୍ନା, କାର୍ଡର ପ୍ରଛଦ୍ଦ ବଦଳେଇବାକୁ ପଡିବନି। ଶୁଭ-ଲଗ୍ନାଙ୍କ ଶୁଭପରିଣୟ ଲେଖାଟା ଆମ ଦୁହିଁଙ୍କ ଲାଗିବି ଚଳିଯିବ। ବୋଉ ମତେ ଶୁଭ ବୋଲି ଡାକେ, ଏବେ ତୁମେବି ଡାକିବ ଏଇ ନାଁ ରେ।' ତାଙ୍କ ଚପଳ ହସରେ ଶୁଭାଶିଷଙ୍କ ସ୍ବାର୍ଥପରତା ଯେମିତି ତନ୍ତୁ ତନ୍ତୁ ହୋଇ ହଜି ଯାଉଥିଲା। ଝର୍କା ସେପଟ ମନ୍ଦାର ଫୁଲଟି ସାରାଦିନର ହିଲ୍ଲୋଳ ପରେ ଧିରେ ଧିରେ ସବୁଜ ପତ୍ର କୋଳରେ ଝାଉଁଳି ପଡିଥିଲା, ଠିକ୍ ଯେମିତି ଲଗ୍ନା ଅଜଣାତରେ ମୁଠେଇ ଧରିଥିଲା ଶୁଭେନ୍ଦୁଙ୍କ ହାତ।

ଶୁଭାଶିଷ ସୁଲଗ୍ନା ଶୁଭେନ୍ଦୁ ଗଙ୍ଗଶିଉଳି ମନ୍ଦାର ଶକ୍ତି

Rate the content


Originality
Flow
Language
Cover design

Comments

Post

Some text some message..