Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
କଣ୍ଢେଇ
କଣ୍ଢେଇ
★★★★★

© Arabinda Rath

Tragedy

13 Minutes   14.8K    15


Content Ranking

ଲେଖା- ଅରବିନ୍ଦ ରଥ

ଧଇଁସଇଁ ହୋଇ ଘର ଆଗରେ ପହଞ୍ଚିଲା ମଦନା। ଗୋଡରେ ପଥର ବାଜି ଖଣ୍ଡିଆ ହୋଇଯାଇଛି। ତାର ସେ ଆଡକୁ ନିଘା ନାହିଁ। ହାତରେ କଣ ଗୋଟେ ଜାକିଜୁକି ଧରିଛି। ତା ମୁହଁରୁ ବ୍ୟସ୍ତ ଭାବ ସ୍ପଷ୍ଟ ଦିଶୁଛି। ପେଜୁଆ ଆଖିରୁ ମନ ଭିତରର ଦୁଃଖଟା ବାଦଲ ତଳେ ଲୁଚିଥିବା ଜହ୍ନ ପରି ଉଙ୍କି ମାରୁଛି। କିନ୍ତୁ ଏ କଣ? ତା ଘର ଆଗରେ ଏତେ ଲୋକ କଣ ପାଇଁ ଜମା ହୋଇଛନ୍ତି। ମିଲିର ଏକ ମାତ୍ର ସାଙ୍ଗ ନଖି ଏମିତି କାନ୍ଦିକାନ୍ଦି ଭୂଇଁରେ ଲୋଟି ଯାଉଛି କଣ ପାଇଁ? ତେବେ କଣ ସେ ଆସିବାରେ ଡେରି କରିଦେଲା, ନା ସମୟର ଚକ ଜଲଦି ଗଡିଗଲା..... ଲୋକ ମାନଙ୍କୁ ଆଡେଇ ମଦନା ଘର ଆଡକୁ ଅଗ୍ରସର ହେବାରେ ଲାଗିଲା। ତାକୁ ଦେଖି ଜମା ହୋଇଥିବା ପଡୋଶୀ ଗୁଡା ମୁହଁ ତଳକୁ ପୋତି ଛିଡା ହେଲେ।

---- ଆରେ କଣ ହେଲା.... ମୋତେ କିଛି ତ କୁହ।

କିନ୍ତୁ ସମସ୍ତଙ୍କ ମୁହଁରେ ଝଡ ପୂର୍ବର ନିସ୍ତବ୍ଧତା। କେହି କିଛି କହିବାକୁ ନାରାଜ୍। ତେବେ କଣ ମିଲି.......

ଚାରିଆଡେ ଦଶହରା ପୂଜାର ଗହଳି ଆରମ୍ଭ ହୋଇଗଲାଣି। ଦୋକାନ ଗୁଡିକରେ ଭଳିକି ଭଳି ଜିନିଷର ସମ୍ଭାର ଦେଖି ଆଖି ଖୋସି ହୋଇଯାଉଥାଏ। ସବୁଦିନ ପରି ଆଜି ବି ସେଇ ଖେଳନା ଦୋକାନ ଆଗରେ ଅପଲକ ନୟନରେ ଚାହିଁ ରହିଥିଲା ମିଲି। କେଜାଣି କାହିଁକି ସେ ପରୀ କଣ୍ଢେଇଟା ଉପରୁ ଜମା ନଜର ହଟେଇ ପାରୁ ନ ଥିଲା । କେତେ ସୁନ୍ଦର ହୋଇଛି ମ, ଦେଖିଲେ ଲାଗୁଛି ଏହିକ୍ଷଣି ବାହାରକୁ ଆସି କଥା କହିବ। ତା ଦେହରେ ନାଲି ରଙ୍ଗର ଜାମାଟା ବହୁତ୍ ମାନୁଛି। ସୁନେଲି ରଙ୍ଗର କେଶରେ ହେୟାର କ୍ଲିପ୍ ବି ଲାଗିଛି। ତା ସାଙ୍ଗକୁ ପାଦ ତଳେ ଜୋତା ଓ ହାତରେ ଭ୍ୟାଲିଟି ବ୍ୟାଗ୍। ମିଲିର ଆକର୍ଷଣର କେନ୍ଦ୍ର ବିନ୍ଦୁ ଥିଲା କଣ୍ଢେଇଟିର ନୀଳ ଆଖି ଦୁଇଟି। ସେ ଆଖି ଉପରୁ ଯେତେ ଚାହିଁଲେ ବି ନଜର ହଟେଇ ପାରୁ ନ ଥିଲା। ବେକରେ ଝୁଲିଛି ଚକମକିଆ ପଥର ବସାଏକ ଚେନ୍। ଚୁମ୍ବକ ଲୁହାକୁ ଟାଣିଲା ପରି ଟାଣି ଧରିଥାଏ ସେ କଣ୍ଢେଇଟା ମିଲିର ମନକୁ। କେମିତି ସେ କଣ୍ଢେଇଟା କୋଳକୁ ଆସିବ ଓ ତା ସହିତ ଖେଳିବ ଅସରନ୍ତି ସମୟ ଯାଏ ସେଇ ଭାବନା ରେ ସେ ବୁଡି ରହିଥିଲା।

ମିଲି, ଜମା ଆଠ ବର୍ଷର କୁନି ଝିଅଟେ। ମାଆ ପିଲା ଦିନରୁ ଛାଡି ଆରପାରି କୁ ଚାଲି ଯାଇଛି। ବାପ ରିକ୍ସା ଟାଣେ ଏଇ ସହରରେ। ସେତିକି ରେ ପଇସା ଅଣ୍ଟେନି ବୋଲି ମିଲି ସକାଳୁ ବାହାରି ପଡେ ଜରି,କାଗଜ ଓ ବୋତଲ ଉଠେଇବା ପାଇଁ। ଦିନସାରା ଖରାତରାରେ ବୁଲି ସେ ବଡ ଅଖା ବ୍ୟାଗ୍ ଟା ଭର୍ତ୍ତି କଲେ, ମାଲିକ ଦବ ଦଶ ଟଙ୍କା । ସେତିକି ପଇସା ଧରି କୋଟି ନିଧି ପାଇଲା ପରି ଖୁସିରେ ଦଉଡି ଆସେ ଘରକୁ। ଦିନସାରା ବାହାରେ ଯାହା ଟିକେ ଖାଇବା ମିଳେ ସେତିକି ଖାଇ ନଳକୂଅରୁ ପେଟେ ପାଣି ପିଇ ଦିଏ। ଦିନ ଖାଇବାଟା ଯାହା ହେଲେ ବି ଚଳିବ,କିନ୍ତୁ ରାତିରେ ଭାତ ସାଙ୍ଗକୁ ବାପା ଆଣିଥିବା ଆଳୁ ଚପ୍ ନ ହେଲେ ବରାଟେ ଖାଇଦେଲେ ତା ମନଟା ତୃପ୍ତ ହୋଇଯାଏ। ସେତିକି ଖାଇବା ରେ ବାପ ଝିଅଙ୍କ ପେଟ ପୁରୁ କି ନ ପୁରୁ ଆତ୍ମା ଶାନ୍ତି ରେ ପୁରି ଉଠେ। ତା ବାପା ମଦନା ଦିନ ସାରା ଖଟିଖଟି ଭଙ୍ଗା ଗଛ ପରି ପଡି ରହେ। କୁନିକୁନି ହାତରେ ବାପର ଗୋଡ ହାତ ଘଷିଦିଏ ମିଲି। ବାପକୁ ତାର କଷ୍ଟ ହେଉଥିବ ଯେ..

ପାହାନ୍ତା ପହରୁ ମଦନା ମିଲିକୁ ଉଠେଇ ଦେଇ ରିକ୍ସା ନେଇ ବାହାରି ପଡେ। କିଛି ସମୟ ଭିତରେ ପହଞ୍ଚି ଯାଏ ମିଲିର ଏକ ମାତ୍ର ସାଙ୍ଗ ନଖି। ବାପ ଛେଉଣ୍ଡ ପିଲାଟା। ତା ମାଆ ଲୋକଙ୍କ ଘରେ କାମ ପାଇଟି କରି ପେଟ ପୋଷେ। ପୁଅ ନଖି ଘର ଚଳାଇବା ପାଇଁ ବଡ ଅଖା ବ୍ୟାଗ୍ ଧରି ବାହାରି ଯାଏ ମିଲି ସହ। ସେଇ ଜରି ଉଠା ସମୟ ତକ ସେମାନେ ଖେଳନ୍ତି ,ଗପନ୍ତି, ମିଶି ଖାଇବା ବି ଖୋଜନ୍ତି। ସବୁ କିଛି ଠିକଠାକ୍ ଚାଲିଥିଲା। କିନ୍ତୁ ଯେବେ ଠୁ ମିଲି ଦୋକାନରେ ସେ କଣ୍ଢେଇ ଟିକୁ ଦେଖିଲାଣି କେମିତି ଆନମନା ହୋଇ ରହୁଛି।

– ଆରେ ମିଲି କଣ ହେଇଛି ତୋର, ଏମିତି ଭାବୁଛୁ କଣ ଯେ?

– ନଖି, ସେ ଦୋକାନ ରେ ସଜେଇ ହୋଇ ବସିଥିବା କଣ୍ଢେଇଟା ଦେଖିଛୁ? କେତେ ସୁନ୍ଦର ହୋଇଛି ନା। ଯଦି ଆମ ପାଖରେ ସେ କଣ୍ଢେଇଟା ଥାଆନ୍ତା କେତେ ମଜା ହୁଅନ୍ତା। କେତେ ଖେଳନ୍ତେ ଆମେ ତା ସହ। ପୁରା ମଣିଷ ପିଲାଟେ ପରି ଦିଶୁଛି।

– ସେ କଥା ଠିକ୍ ଯେ ସେ ଜିନିଷକୁ କଣ ତୁ କିଣି ପାରିବୁ? କେତେ ଦର ପଡିବ ବୁଝିଛୁ?

– ଆରେ ନାଁ, ମୋର କଣ ଏତେ ସାହାସ ଅଛି ଯେ ଦୋକାନରୁ ଯାଇ ଦର ବୁଝିବି?। ଆଛା, ନଖି ତୁ କହିଲୁ କେତେ ଦର ହୋଇଥିବ ସେ କଣ୍ଢେଇର। ବହୁତ ମହରଗ ହେଇଥିବ ନାଇଁ?

– ହିଃ ହିଃ ହିଃ.... ଭୁଲି ଯା ମିଲି ସେ କଣ୍ଢେଇକୁ। ଆଲୋ ବେଶୀ ଦର ନ ଥିଲେ ସେ ଦୋକାନ ରେ କଣ ପାଇଁ ସଜେଇ ହୋଇ ବସି ଥାଆନ୍ତା। ତୁ ମନ ଉଣା କରନି, ମୋ ମାଆକୁ କହିଦେବି ତୋ ପାଇଁ କନାରେ କଣ୍ଢେଇଟେ କରିଦବ। ମୋ ପାଇଁ କରି ଦେଇଛି ଯେ ମୁଁ ମନଭରି ଖେଳୁଛି। ନାଁ କଣ କହୁଛୁ?

– ମୁଁ ତୋତେ କଣ କହୁଛି ତୁ ମୋତେ କଣ କହୁଛୁ? ମୋର ସେଇ କଣ୍ଢେଇଟା ଦରକାର। ଟିକେ ଚାଲିଲୁ ଯିବା ସେ ଦୋକାନକୁ।

ଦୁଇ ଜଣ ଯାଇ ପହଞ୍ଚିଲେ ଦୋକାନ ରେ। ବେଶୀ ଭିଡ ନାହିଁ। ମିଲିର ସାହାସ ହେଉ ନ ଥିଲା ଦୋକାନ ଭିତରକୁ ପଶିବାକୁ....... ସେ ନଖି କୁ ଠେଲିଲା।

ନଖିର ବି ସାହାସ ହେଲାନି। ସେ ମିଲିକୁ ଧରି ସେ ଦୋକାନକୁ ଲାଗି କାନ ଡେରି ଛିଡା ହେଲା। ଜଣେ ସ୍ତ୍ରୀ ଲୋକ କଣ୍ଢେଇ କୁ ଧରି ଏପଟ ସେପଟ କରୁଛି।

ବୀର ପୁଙ୍ଗବ ପରି ନଖି ଯାଇ ଦୋକାନ ପାହାଚ ପାଖରେ ଛିଡା ହେଲା। କାନ ଡେରି କଣ ଶୁଣିଲା କେଜାଣି ଦଉଡି ଆସିଲା ମିଲି ପାଖକୁ.......

– ଆଲୋ ମିଲି, ସେ ସ୍ତ୍ରୀ ଲୋକଟାକୁ ଦୋକାନୀ କହିଲା କଣ୍ଢେଇର ଦର ଦୁଇଶହ ଟଙ୍କା। ସ୍ତ୍ରୀ ଲୋକଟା କହିଲା ଏତେ ଦର କଣ ଯେ, କମେଇଲେ ନେବି। ମାତ୍ର ସେ ଦୋକାନୀ କହିଲା ଟଙ୍କାଟେ ବି କମେଇବନି। ମାଇପି ଲୋକଟା ମୁହଁ ଭୁରିଡି କରି ପଳେଇଲା।

ସେତିକି ଶୁଣି ମିଲି ଅଚାନକ୍ ଭେଁଭେଁ ହୋଇ କାନ୍ଦିବା ଆରମ୍ଭ କଲା। ନଖି ବୁଝି ସାରିଥିଲା ସେ କାନ୍ଦର କାରଣଟା। ଦୁଇ ଶହ ଟଙ୍କାଟା ସେ ଦୁଇ ଜଣଙ୍କ ପାଇଁ ନିହାତି ଅପହଞ୍ଚ ବିଷୟ ଥିଲା।

– – ନଖି, ମୁଁ କଣ ଜମା ସେ କଣ୍ଢେଇଟା କିଣି ପାରିବିନି!! ?!!

– ଆରେ ରହ ତୁ ଏତେ ବ୍ୟସ୍ତ କଣ ପାଇଁ ହେଉଛୁ। ଚାଲ୍ ଆମେ ଯେତିକି ପଇସା ସେ ଟିଣ ଡବାରେ ପୁରେଇ ମାଟି ତଳେ ପୋତିଛେ ସେତିକି ଗଣିବା। କେତେ ପଇସା ହେଉଛି ଆଗ ଦେଖିବା।

ଦୁଇ ଜଣ ଜାଣିଥିଲେ ସେ ଡବାରେ କେତେ ପଇସା ଅଛି। ତଥାପି ମନ ବୁଝେଇବାକୁ ଗଲେ।

– ଆରେ ଏ ଡବାରେ ଗାଏମୋଟ ବାଇଶି ଟଙ୍କା ପଚାଶ ପଇସା ଅଛି। ଏତିକି ପଇସାରେ କଣ ହେବ?

– ସେମିତି କହନି ସେ ନଖି । ସେ କଣ୍ଢେଇଟା ନ ପାଇଲେ ମୁଁ ଆଉ ରହି ପାରିବିନି ଜମା। ଯେମିତି ହେଲେ ତାକୁ ଆଣିବାକୁ ହେବ।

ନଖି ମୁଣ୍ଡ କୁଣ୍ଡେଇ ମିଲିର କେବେ ପୂରଣ ହେବାର ଆଶା ନ ଥିବା ସ୍ବପ୍ନ ବିଷୟରେ ଭାବୁଥିଲା, ମାତ୍ର ପାଟିକୁ ଚୁପ୍ କରି ରଖିଥିଲା। କିଛି ବି କହିଲେ ମିଲି ଆଖିରୁ ପୁଣି ବୋହିବାକୁ ଆରମ୍ଭ ହେବ ଲୁହର ବନ୍ୟା। ସେ ବଡ ମୁଣାଟା ଦେଖି କହିଲା

– ମିଲି, ଏତେ ବେଳ ହେଲାଣି, ଆଜି ମୁଣିଟା ଅଧା ବି ହେଇନି। ଆଜି ବୋଧେ ମାଲିକ ଦଶ ଟଙ୍କା ଦେବନି। ପାଞ୍ଚ ଟଙ୍କା ଧରି ଆସିବାକୁ ହେବ।

ମିଲି କିନ୍ତୁ ନିରୁତ୍ତର ଥିଲା। ନଖି କଥାରେ କୌଣସି ପ୍ରତିକ୍ରିୟା ଦେଖେଇବାର ଆବଶ୍ୟକତା ଅନୁଭବ କଲାନି ସେ।

ପରିସ୍ଥିତି କୁ ହାଲୁକା କରିବାକୁ ନଖି ସେ ଛିଣ୍ଡା ବ୍ୟାଗ୍ ରୁ କାଢିଲା ଗୋଟେ ଭଙ୍ଗା ଦର୍ପଣ।

– - ଦେଖିଲୁ ମିଲି, ତୁ କଣ ସେ କଣ୍ଢେଇ ଠୁ କମ୍ ସୁନ୍ଦର ଦିଶୁଛୁ ନା କଣ? କଣ ପାଇଁ ତୋ ସୁନ୍ଦୁରିଆ ମୁହଁଟାକୁ ଆଲୁରୁବାଲୁରୁ କରୁଛୁ କହିଲୁ.....

ନିଜ ମୁହଁକୁ ନିରେଖି ଦେଖିଲା ମିଲି। ନୁଖୁରା ଚୁଟି, କାହିଁ କେତେ ଦିନରୁ ତେଲ ବାଜିନି ସେ ଚୁଟିରେ। ଚୁଟି ଗୁଡା କେମିତି ଖଇରିଆ ରଙ୍ଗ ଦିଶୁଛି । ବହୁତ୍ ଦିନରୁ ସେ କୁଣ୍ଡେଇନି ବୋଲି ଜଟ ବି ଭିଡି ଦେଲାଣି। ମୁହଁଟା ଶେତାଳିଆ ଦିଶୁଛି। ଆଖି ଗୁଡାକ କୋରଡକୁ ଗଲାଣି। ଗାଲ ଦି’ଟା ଭିତରକୁ ପଶି ଯାଇଛି, ସତେ କି ମାଣେ ଚାଳ ଧରିବ ତା ଗାଲରେ। ସାନ ପିଲାଟେ ହେଲେ ବି ଚମଡାଟା ଗୋଧି ଚମଡା ପରି ରୁକ୍ଷ ଦିଶୁଛି।

-ଓଃ ….. ନଖି ସେ ଆଇନାକୁ ହଟେଇ ଦେ ମୋ ଆଗରୁ।

ନିଜ ମୁହଁର ଏମିତି ଅବସ୍ଥା ଦେଖି ଘାବରେଇ ଗଲା ମିଲି। କାହିଁ କେତେ ଦିନରୁ ସେ ଆଇନା ରେ ମୁହଁ ଦେଖିନି। ଦେଖିବାର ଅବକାଶ ବି ଆସିବ କୁଆଡୁ। ସକାଳ ପାହି କେତେବେଳେ ସଞ୍ଜ ହୋଇଯାଏ ସେ ଜାଣି ପାରେନି। ଆଜି ଦିନ ସାରା କଣ ହେଲା ବୋଲି ଭାବିଲା ବେଳକୁ, ତା ଆଗରେ ଆସି ପହଞ୍ଚିଯାଏ ଆଉ ଗୋଟେ ଦିନ।

ମିଲି ମନରେ ଏବେ ଦୁଇଟି ଛବି। ଗୋଟେ ତା ନିଜର ଆଉ ଗୋଟେ ସେ ପରୀ କଣ୍ଢେଇର। ସେ ପୋଇଲି ପରି ଦିଶିଲା ବେଳକୁ କଣ୍ଢେଇଟା ମହାରାଣୀ ପରି ଦିଶୁଛି। ତଥାପି ତାର ସେଇ କଣ୍ଢେଇଟା ଦରକାର। ଯେତେ ଯାହା ହେଲେ ବି ଦରକାର। ସେ ପରା ତାର ଅତି ନିଜର ପରି। ଦେଖିବା ଦିନରୁ ତ ସେ ତା ମନ, ପ୍ରାଣ ଭିତରେ ପଶି ଯାଇଛି। ତାଆରି ଭାବନାରେ ତ ସଦା ବେଳେ ସେ ବାଉଳା ହେଉଛି।

- - ନଖି, ମୋ ଦେହ ଭଲ ଲାଗୁନି, ତୁ ମାଲିକ ପାଖକୁ ଯାଆ। ମୁଁ ଘରକୁ ଯାଉଛି। ମୋ ମୁଣ୍ଡ କଣ ହେଇଯାଉଛି।

- - ହଉ ଠିକ୍ ଅଛି। କିନ୍ତୁ କାଲି କୁ ଆସିବୁ କି ନାହିଁ ।

- - ଜାଣିନି, କାଲି ଆସୁ ଦେଖିବା। ମୋ ପାଇଁ ଗୋଟେ କାମ କରିବୁ ନଖି, ଆମେ ଯେତିକି ପଇସା ରଖିଛେ ସେତିକି ନେଇ ସେ ଦୋକାନୀ କୁ ଦବୁ। କହିବୁ ସେ ପରୀ କଣ୍ଢେଇ କୁ କାହାକୁ ବିକିବନି। ସେତିକି କାମ ମୋ ପାଇଁ କରି ଦେବୁ ନା?

- - ନଖି ପାଖରେ କହିବାକୁ କିଛି ନ ଥିଲା। ସେ ମୁଣ୍ଡ ହଲେଇ ହଁ କଲା।

- - ଆଲୋ ମା , ତୋ ଦେହ ଭଲ ଲାଗୁନି ନା କଣ? ଆଜି ଏତେ ବେଳୁ ଶୋଇଛୁ ଯେ। ଆସେ ଆଜି ତୋ ପାଇଁ ଚାର୍ଟ ଆଣିଛି। ଖାଇଦେ, ଭାରି ସୁଆଦ ଲାଗୁଛି।

– ନାଇଁ ବାପା, ମୋ ଦେହ ଜମା ଭଲ ଲାଗୁନି। ଆଛା କହିଲ ଦେଖି....ଦୁଇଶହ ଟଙ୍କା ବହୁତ୍ ବେଶୀ ନା କମ୍।

– ବହୁତ୍ ଅଧିକା ଲୋ ଝିଅ....କିନ୍ତୁ ତୋର କଣ ଦରକାର କହୁନୁ।

- - ଆଛା ବାପା, ତୁମ ପାଖରେ କଣ ସେତିକି ପଇସା ଅଛି?

– - ନାଇଁ ରେ ମାଆ, ତୋର ଏ ଗରୀବ ବାପ ପାଖରେ ଏତେ ଗୁଡେ ଟଙ୍କା ଆସିବ କୁଆଡୁ?

- - ତୋର କଣ ଦରକାର କହୁନୁ ମୋତେ? ମୁଁ ତୋ ପାଇଁ ଆଣି ଦେବି।

- - - ବାପା ଦଶହରା ପାଇଁ ଚାରିଆଡେ କେତେ ଗହଳି। ସବୁ ପିଲା ନୂଆ ଜାମା, ପ୍ଯାଣ୍ଟ କିଣିବାରେ ଲାଗିଛନ୍ତି। ଖେଳନା, ବାଜା, ବେଲୁନ ଆହୁରି କେତେ କଣ....ମୁଁ ଜରି ଉଠେଇ ଗଲା ବେଳକୁ ଦେଖୁଛି ସବୁଦିନ। ମୁଁ ଯାହା ମାଗିବି ମୋତେ ଦେବ ବାପା?

– - କହୁନୁ, ଯଦି ମୁଁ ତୋ ପାଇଁ ଆଣି ପାରିବି ନିହାତି ଆଣିଦେବି।

- - ବାପା, ମୁଁ ଗୋଟେ ପରୀ କଣ୍ଢେଇ ଦେଖିଛି। ଦେଖିବା ପାଇଁ ଏତେ ସୁନ୍ଦର ଯେ, ଯିଏ ବି ଦେଖିବ ତା ନଜର ହଟିବନି। ତାକୁ ଦେଖିଲେ ଲାଗିବ ସେ ସାଙ୍ଗେସାଙ୍ଗେ ବାହାରକୁ ଆସି ତୁମ ସହ ଖେଳିବ। ବାପା, ମୁଁ ଆଜି ଯାଏ କିଛି ଜିନିଷ ପାଇଁ ଲୋଭ କରିନି, କିନ୍ତୁ ସେ କଣ୍ଢେଇଟା ମୋର ଦରକାର। କୁହ ବାପା, ମୋ ପାଇଁ ତାକୁ ଆଣି ଦେବ ତୁମେ? ଅତି ଉତ୍ତେଜିତ ହୋଇ ଗୋଟେ ନିଶ୍ବାସରେ କହିଗଲା ମିଲି। କହିଲା ବେଳେ ତା ନିରୀହ ଆଖି ଯୋଡିକ ଚମକିଲା ପରି ଜଣା ପଡୁଥିଲା।

– ହଁ ଯେ..... ତା ଦର କେତେ , ଆଉ ମିଳୁଛି କେଉଁ ଦୋକାନରେ ।ଛେପ ଢୋକି ପଚାରିଲା ମଦନା।

- - ବାପା ସେ ପରୀ କଣ୍ଢେଇଟା, ବଜାର ପାଖ କଣ୍ଢେଇ ଦେକାନରେ ମିଳୁଛି। ତା ଦର ହେଲା ଦୁଇଶହ ଟଙ୍କା।

- - କଣ ହେଲା..........ଏତେ ଟଙ୍କା ସେ କଣ୍ଢେଇଟା। ଦାମ୍ ଶୁଣି ମଥା ଘୁରେଇ ଦେଲା ମୋର। ଆରେ ସେତିକି ପଇସାରେ ପରା ଆମେ ମାସେ କାଳ ଆରାମରେ ଦୁଇ ଓଳି ଭଲରେ ଖାଇ ପିଇ ରହି ପାରିବା। ସେଇ ପଇସାରେ ଆମ ଭଙ୍ଗାଚାଳଟା ମରାମତି ହୋଇଯିବ। ତୋ ପାଇଁ ଭଲରେ ଜାମା ଖଣ୍ଡେ କିଣି ପାରୁନି, ଏତେ ପଇସାଦେଇ କଣ୍ଢେଇଟେ କେମିତି ଆଣିବି ଲୋ ମାଆ।

ମଦନାର କଣ୍ଠଟା ଟିକେ ଗମ୍ଭୀର ହୋଇ ଆସିଥିଲା। ସେତିକି ବାରି ସାରିଥିଲା ମିଲି। କିନ୍ତୁ ସେ କଣ କରିବ?କେମିତି ବୁଝେଇବ ବାପକୁ ତା ଜୀବନରେ ପରୀର ଗୁରୁତ୍ବ କଣ ବୋଲି। ସେ ବି ବୁଝି ପାରୁଥିଲା ତା ବାପର ଦୟନୀୟ ଅବସ୍ଥା। ସେ ଭଲରେ ଜାଣିଛି ଯେ ସେତିକି ପଇସା ଯୋଗାଡ କରି ପରୀ କୁ ଆଣିବା ଅସମ୍ଭବ ପ୍ରାୟ। କିନ୍ତୁ ମନର ଘୋଡାକୁ କିଏ ବା ବାନ୍ଧି ପାରିଛି ଯେ ସେ ପାରିବ।

– – କିରେ ମାଆ କାନ୍ଦୁଛୁ କଣ ପାଇଁ। ସେ ପରୀକୁ ଭୂଲି ଯା। ଆମ ପରି ଗରୀବ ଲୋକେ ସେମିତି ସ୍ଵପ୍ନ ଦେଖିଲେ କେବଳ କାନ୍ଦିବାଟା ହିଁ ସାର। ଭୁଲିଯା ତାକୁ.... ଟିକେ ଚଢା ଗଳାରେ କହିଲା ମଦନା।

ଚୁପଚାପ୍ ହୋଇ କଡ ମାଡି ଶୋଇ ପଡିଲା ମିଲି। ମନରେ ତାର ଝଡ ଉଠୁଛି, ଆଉ କେବଳ ସେ ହିଁ ଅନୁଭବ କରିପାରୁଛି ସେ ଝଡର ତୀବ୍ରତା। ଆଖି ଆଗରେ ତାର ନାଚୁଛି କେବଳ ପରୀ ର ହସହସ ମୁହଁ ଆଉ ସେ ଚକମକିଆ ଆଖି ଦୁଇଟି। କୁନି ପିଲାଟା ଜୀବନରେ ସେଇ ଗୋଟିଏ ଜିନିଷ ପାଇଁ ଜିଦି ଧରିଥିଲା, ମାତ୍ର କିଏ ପୂରଣ କରିପାରିବ ସେ ଜିଦିକୁ..... କେହି ବି ତ ନାହିଁ। ତା ବାପ ରିକ୍ସା ଚଲାଏ, ଦୁଇଶହ ଟଙ୍କା ଆଣିବ କୁଆଡୁ? ମୁଣ୍ଡରେ କିଛି ପଶୁ ନଥିଲା ତାର। ସେଦିନ ବହୁତ୍ ମନେ ପଡିଲା ତା ମାଆର କଥା। ମାଆର ଭଲପାଇବା କଣ ସେ ଜାଣି ପାରିଲାନି। ତା ମୁହଁଟା କେମିତି ମନେ ପକେଇଲେ ବି ମନେ ପଡୁନି। ତାକୁ ଜନମ କରିବାର ବର୍ଷେ ପରେ ତ ନିଆଶ୍ରୀ କରିଚାଲିଗଲା ଆରପାରିକୁ। ଯଦି ସେ ଆଜି ଥାଆନ୍ତା ତେବେ କଣ ତା ଲୁହ ଦେଖି ପାରି ଥାଆନ୍ତା? ନଖି କୁହେ ତା ମାଆ ତାର ସବୁ କଥା ଶୁଣେ। ଯାହା ଅଳି କରେ ମାଆ ସବୁ ଯୋଗେଇ ଦିଏ। ଯଦି ମାଆ ତାର ବଞ୍ଚିଥାଆନ୍ତା କଉ ବାବୁ ଘରେ କାମ ପାଇଟି କରି ପଇସାଟିକେ ଯୋଗାଡ କରିଥାଆନ୍ତା ନିହାତି। ପରୀ ପାଇଁ ତାକୁ ଏତେ ହୀନିମାନିଆ ହେବାକୁ ପଡନ୍ତାନି। ହଠାତ୍ ତାକୁ ଦିଶିଲା ତା ଆଖି ସାମନା ରୁ କିଏ ଜଣେ ପରୀ କୁ ଛଡେଇ ନେଉଛି ତା ପାଖରୁ।

---- ପରୀ, ମୋତେ ଛାଡି ଯାଆନି ଲୋ.... ମୁଁ କେମିତି ରହିବି ତୋ ବିନା।.. ବାପା ତୁମେ କିଛି କରି ମୋ ପାଇଁ ପରୀ କୁ ଆଣି ପାରିବନି?

କିଛି ଉତ୍ତର ନ ପାଇ ମିଲି ମୁଣ୍ଡ ବୁଲେଇ ଦେଖିଲା ତା ବାପା ଶୋଇ ଘୁଙ୍ଗୁଡି ମାରୁଛି।

ତାର ଏମିତି ଅବସ୍ଥାରେ କେହି ବି ସାନ୍ବନା ଦେବାକୁ ନ ଥିଲେ। ମାଆ ଥିଲେ ତା କୋଳରେ ମୁଣ୍ଡ ରଖି କେତେ କାନ୍ଦି ଥାଆନ୍ତା ସେ । କିନ୍ତୁ...... କି ଫଟା କପାଳ ତାର। ନା ତାକୁ ବୋକ ଦେବାକୁ ମାଆ ଅଛି, ନା ସେ ବୋକ ଦେବାକୁ ପରୀ ଅଛି।

– ମିଲି....ଏ ମିଲି...ଆଲୋ ଏତେ ବେଳ ହେଲାଣି କଣ ହେଁସ ଛାଡିନୁ। ଦେହ ଅକସ ଲାଗୁଛି କି? ହଉ ଶୁଣ୍, ଆଜି ବାହାରକୁ ଯାଆନି। ତୋ ପାଇଁ ପଖାଳ ଟିକେ ଆଉ ଆଳୁ ତୁଣ ଟିକେ କରିଦେଇଛି। ତାକୁ ଖାଇ ଘରେ ଶୋଇଥିବୁ। ମୁଁ ଆଜି ସହଳ ଚାଲିଆସିବି। ନଖି ମାଆ କୁ କହିଦେଇ ଯାଉଛି, ସେ ତୋ ଉପରେ ନିଘା ରଖିଥିବ। ଦେହ ବେଶୀ ଖରାପ ଲାଗିଲେ ନଖି ମାଆ ପାଖକୁ ଚାଲିଯିବୁ....... ଆଲୋ ଶୁଣୁଛୁ କି ନାହିଁ ମ----

ମିଲି ନିରୁତ୍ତର, ଅଭିମାନର ପଥର ସବୁ ତା ତଣ୍ଟି ପାଖରେ ଲଦି ହୋଇ ତା କଣ୍ଠ କୁ ବନ୍ଦ କରିଦେଇଛି। ରାତି ସାରା କାନ୍ଦିକାନ୍ଦି ଆଖିରେ ଲେଞ୍ଜରା ଭର୍ତ୍ତି। ତକିଆଟା ଲୁହରେ ଭିଜି ଯାଇଛି। ସେସବୁ କାଳେ ବାପା ଜାଣିଯିବ ଭାବି ଶେଯରେ ପଡି ରହି ବଡ କଷ୍ଟରେ କହିଲା--

--- ହୁଁଃ.....କିନ୍ତୁ ବାପା ତୁମେ ମୋ ପାଇଁ ପରୀ କୁ ଆଣି ଦେବ କି ନାହିଁ?

ତରତରରେ ବାହାରି ଯାଉଥିବା ମଦନା ଟିକେ ଚିଡିଲା ପରି କହିଲା -

– କଉ ପରୀ ମ, ସେମାନେ ତ ସ୍ବର୍ଗରେ ଥାଆନ୍ତି...ତାଙ୍କୁ ଆଣିବା କଣ ଖେଳଘର କଥା ନା କଣ? ବେକାର ଟାରେ କାଲି ଠୁ ଗଜର ଗଜର ହଉଛୁ । କିଛି କଣ୍ଢେଇ ଆଣି ହବନି... ମୁଁ ଯାଏ ତେଣେ ମୋର ଡେରି ହେଲାଣି।

– – ଆଛା …......ହଉ ଠିକ୍ ଅଛି। ମୁହଁ ତଳକୁ ପୋତି କହିଲା ମିଲି।

ଘରୁ ବାହାରକୁ ଆସି ଦୀର୍ଘ ନିଶ୍ବାସ ପକେଇଲା ମଦନା। ସେ ଜାଣିଛି ମିଲିର କଣ ଦରକାର ଓ କଣ ପାଇଁ ତା ଦେହ ଖରାପ। କିନ୍ତୁ ସେ କଣ କରିବ? ଦିନ ସାରା ଖଟିଲେ ବି ଦୁଇ ଓଳି ଭଲରେ ଖାଇବା ମିଳୁନି। ଏମିତି ଅବସ୍ଥାରେ ମିଲି ପାଇଁ ଏତେ ଦାମିକା କଣ୍ଢେଇଟେ ଆଣିବା ନିହାତି ଅସମ୍ଭବ ବ୍ୟାପାର। ସେ ଭାବିଥିଲା ମିଲିଟା ପିଲା ଲୋକ। ନିଜେ ବୁଝିଯିବ। ତେଣୁ ତାକୁ ଆଉ ବୋଧ କରିବାକୁ ଉଚିତ୍ ମନେ କଲାନି।

ଷ୍ଟେସନ୍ ପାଖରେ ରିକ୍ସା ଧରି ଗ୍ରାହକ ପାଇଁ ଅପେକ୍ଷା କଲା ବେଳକୁ ଦେଖିଲା ନଖି ତା ଆଡକୁ ଦଉଡି ଆସୁଛି।

– ମଦନା କାକା, ଜଲଦି ଚାଲ-- ତେଣେ ମିଲି ରାସ୍ତା ଉପରେ ଚେତା ହରେଇ ପଡିଛି। ମୁଣ୍ଡରୁ ରକ୍ତ ବାହାରୁଛି।

– -ଆରେ କଣ ହେଲା ମୋ ଝିଅର। ସେ ରାସ୍ତାକୁ କେମିତି ଗଲା। ତା ଦେହ ଭଲ ନାହିଁ ବୋଲି ତ ଘରେ ଶୋଇଥିଲା।

– - ହବ ଆଉ କଣ?ଆମ ମିଲି ପରା ସେ ପରୀ କଣ୍ଢେଇ ପଛରେ ବାୟାଣୀ ହୋଇ, ଯାଇଥିଲା ସେଇ ଦୋକାନ କୁ। ତା ଦିହରେ ତ ବଳ ନାହିଁ, ମୁଣ୍ଡ ବୁଲେଇ ପଡିଲା ସେଇ ନୂଆ ଖୋଳା ହେଇଥିବା ନାଳ ଭିତରେ । କେହି ବି ଆସିଲେନି ଉଠେଇବାକୁ। ମୁଁ ସେଇ ପାଖରେ ଥିଲି, ଟାଣି କାଢିଲା ବେଳକୁ ଦେଖିଲି ମୁଣ୍ଡରୁ ରକ୍ତ ବାହାରୁଛି। ତୁମେ ଜଲଦି ଚାଲ......

ଖଟ ଉପରେ ଶୋଇଛି ମିଲି। ମୁଣ୍ଡରେ ପଟି ଓ ଶେଯ ପାଖରେ ଓୌଷଧ ଶିଶି । ମୁଣ୍ଡରେ ପଟି ଭିଡିଲା ବେଳକୁ ଡାକ୍ତର କହିଲେ ପିଲା ଦେହରେ ଜ୍ବର ଅଛି। ରକ୍ତ ପରୀକ୍ଷା କଲେ ଜଣାପଡିବ କଣ ହୋଇଛି। କିନ୍ତୁ ପରୀକ୍ଷାରୁ କିଛି ବାହାରିଲାନି। ସେ କହିଲେ କିଛି ଗୋଟେ ଚିନ୍ତାରେ ପିଲାଟାକୁ ଜ୍ବର ହୋଇଛି। ପଚାରିଲେ ମଦନାକୁ

-- ତୁମ ଝିଅ କଣ ପାଠକୁ ଡରୁଛି ନା କଣ?ସେଥି ପାଇଁ ବି ହୋଇପାରେ।

କିଛି ନ କହି ମୁଣ୍ଡ ଆଉଁସିଲା ସେ, କେମିତି କହିବ ଯେ ମିଲି କେବେ ସ୍କୁଲ୍ ର ଦାଣ୍ଡ ଦୁଆର ବି ମାଡିନି ବୋଲି। ତା ହେତୁ ଆସିବା ଦିନରୁ କାନ୍ଧରେ ଅଖା ବୋହି ବାପର ଘର ଚଳେଇବା ବୋଝକୁ ଦୁଇ ଭାଗ କରିଚାଲିଛି।

ମିଲିର ମୁଣ୍ଡକୁ ଧିରେ ଧିରେ ସାଉଁଳୁଥିଲା ବେଳେ ଶୁଣିଲା--

- – ପରୀ ଲୋ.... ତୋତେ କଣ ମୁଁ ସତରେ ପାଇପାରିବିନି। ତୋତେ କେତେ ଝୁରି ହଉଛି, ତୁ କଣ କିଛି ଜାଣି ପାରୁନୁ ? କେତେ ସଜବାଜ ହେଇ ବସିଛୁ ଦୋକାନ ଭିତରେ ଆଉ ମୁଁ ତୋ ପାଇଁ ଏଠି ବାଇଆ ହଉଛି। ଥରେ ମୋ ପାଖକୁ ଚାଲି ଆସେ ଲୋ ଧନ..... ତୋତେ ଦେଖିଲେ ମୋର ସବୁ ଦୁଃଖ ଦୂର ହୋଇଯିବ.......

- - ସେ କଣ୍ଢେଇଟା ମିଲିକୁ ଏମିତି ଭାବରେ କବଳିତ କରିବ, ସ୍ଵପ୍ନରେ ସୁଦ୍ଧା ଭାବି ନ ଥିଲା ମଦନା। ସେ ଜାଣି ସାରିଥିଲା ତା ଝିଅର ଜୀବନଟା ଏବେ ଗୋଟେ ଚକା ଭଉଁରୀ ଭିତରେ ଫଶି ଯାଇଛି। ତାକୁ ଯଦି କିଏ ଉଦ୍ଧାର କରି ପାରିବ, ସେ ହେଲା କେବଳ ସେ କଣ୍ଢେଇଟା। କିନ୍ତୁ ଏତେ ପଇସା ଆଣିବ କୁଆଡୁ? ଭାବିଲା ତା ରିକ୍ସାଟା ବିକିଦେବେ ନ ହେଲେ ବନ୍ଧା ପକେଇ ଟଙ୍କା ଆଣିବ। ପୁଣି ଭାବିଲା ସେ ରିକ୍ସା ଟି ହିଁ ତାର ଭାତ ହାଣ୍ଡି। ତାକୁ ଛାଡିଦେଲେ ତ ଦୁଇ ଜଣ ଯାକ ଭୋକ ଉପାସରେ ମରିଯିବେ। କିନ୍ତୁ ମିଲିକୁ ଦେଖିଲେ ଛାତି ଭିତରଟା କୋରି ହେଲା ପରି ଲାଗୁଛି। ଗୋଲାପ ଫୁଲ ପରି ଝିଅଟି ତାର ସାଙ୍କୁଡି ମାଙ୍କୁଡି ହୋଇ ପଡିଛି। ପିଲା ବେଳର ସେ ଗୁଲୁଗୁଲିଆ ଚେହେରା ଆଉ ନାହିଁ। ଏବେ ତ ଖାଲି ହାଡ ଉପରେ ଚମଡା ଟିକେ ଘୋଡେଇ ଅଛି ଯାହା। ମିଲି ଦେହ ରେ ହାତ ମାରି ଦେଖିଲା

… ଦେହରେ ଖଇଫୁଟା ତାତି। ଡାକ୍ତର ତ ପଥି ଦେଲେ କିନ୍ତୁ ପିଲାଟାର ତାତି ନ କମି ବେଳକୁ ବେଳ ବଢୁଛି। ନିଦରେ ଖାଲି ବାଉଳି ଚାଉଳି ହେଇ ପରୀ ଲୋ... ପରୀ ଲୋ... ଡାକ ଛାଡୁଛି।

ତା ଗଣ୍ଠିଧନର ଏମିତି ଅବସ୍ଥାରେ ସେ କରିବ କଣ? ତା ଭାଗ୍ୟଟା ହିଁ ଏମିତି। ପୁଣି ଭାବିଲା – ଆଜି ଯାଏ ମିଲି କିଛି ବି ଜିନିଷ ପାଇଁ କେବେ ଅଳି କରିନି। ସେ ଯାହା ବି ଦେଇଛି କୌଣସି ଥିରେ ତାର ଆପତ୍ତି ନାହିଁ। କେତେ ପୂଜା,ପାର୍ବଣ ଯାଇଛି ତାର ହିସାବ ନାହିଁ। କିନ୍ତୁ କେବେ ଦିନେ ବି ପିଲାଟା ଅଝଟ କରିନି ନୂଆ ଜାମା ପଟା ପାଇଁ। ଯଦି ତାର ମାଆ ବଞ୍ଚିଥାଆନ୍ତା ତେବେ କଣ ପିଲାଟା ଏମିତି ହିନୀମାନିଆ ହେଇ ବଢିଥାଆନ୍ତା?

ମିଲିକୁ ବର୍ଷେ ହେଲା ବେଳକୁ ରୋଗରେ ପଡି ଆରପାରିକୁ ଚାଲିଗଲା କମଳା। ଆଜି କାହିଁକି କେଜାଣି କମଳାର ଅନୁପସ୍ଥିତିରେ ଘାଇଲା ହୋଇଯାଉଥିଲା ସେ। ଗୋଟେ ଟିଣ ବାକ୍ସରେ ସାଇତା ହୋଇ ରହିଛି କମଳାର ଅସ୍ତିତ୍ବର ସନ୍ତକ ମାନ। ବାକ୍ସ ଖୋଲି ଦେଖିଲା ଦୁଇ ତିନିଟି ଶାଢୀ, କିଛି କାଚ ଚୁଡି ଓ ହଳେ ରୂପା ପାଉଁଜି। ବହୁତ୍ କଷ୍ଟରେ ପଇସା ସଞ୍ଚି ମଦନା ଉପହାର ଦେଇଥିଲା ସେ ହଳକ ପାଉଁଜି।

କାନେ କାନେ କହିଯାଇଛି କମଳା-

– ମୋ ଝିଅକୁ ବିଦା କଲା ବେଳେ ଏଇ ହଳକ ମୋ ଝିଅ କୁ ଦେବ। ତାକୁ ନାଇ ମୋ ଝିଅ ରୁଣୁଝୁଣୁ କରି ଚାଲିବ ।ମୋ ନିଶ୍ବାସ ବେଳକୁ ବେଳ ସରି ଆସୁଛି। ମୋ ଝିଅଟିକୁ ଭଲରେ ରଖିବ। ତା ଆଖିରେ କେବେ ଲୁହ ଦେବନି। ମୁଁ ସେପାରିରୁ ଦେଖୁଥିବି ସବୁ।

ମଦନାର ହାତ ଧରିଥିବା ଅବସ୍ଥାରେ କମଳା ଆରପାରି କୁ ଚାଲିଗଲା। କମଳା ଯିବା ପରେ, ତାକୁ ହିଁ ନିଭାଇବାକୁ ପଡିଛି ଉଭୟ ବାପା ଓ ମାଆର ଦାୟୀତ୍ଵ। କିନ୍ତୁ ଆଜି ଯାଏ ସେ କେବେ ଭାବିନି କେତେ ଦୂର ସଫଳ ହୋଇଛି।

ମିଲି ଆଡକୁ ଦେଖିଲା.... ମନେ ମନେ ହସୁଛି ସେ... ନିହାତି ପରୀ କଣ୍ଢେଇ ସ୍ଵପ୍ନରେ ମସଗୁଲ୍ ଥିବ। କିନ୍ତୁ ସେ କଣ୍ଢେଇଟି ନ ପାଇ ଯଦି ତାର କିଛି ହୋଇଯାଏ ତେବେ? କାହାକୁ ଧରି ବଞ୍ଚିବ ସେ...କଣ ଜବାବ୍ ଦେବ କମଳାକୁ.. ତଳେ ଲଥ୍ ହୋଇ ବସି ପଡିଲା। ସାନ ପିଲାଟାକୁ ଗାଳି ଦେଇ ବଡ ପାପଟେ କଲା ପରି ଲାଗିଲା ତାକୁ।

ବାକ୍ସ ଭିତରୁ ସେ ପାଉଁଜି ହଳକ ଧରି ଝରକା ବାହାରକୁ ଦେଖିଲା। ସିନ୍ଦୂର ଫାଟିଲାଣି, ଆଜି ପରା ମାଆ ଦୁର୍ଗତିନାଶିନୀଙ୍କ ପୂଜା। ଦୁଇ ହାତ ଯୋଡି ପ୍ରାର୍ଥନା କରି କହିଲା--

– ମାଆ ଲୋ....... ମୋ ମିଲିକୁ ରକ୍ଷାକର। ତା ଦାୟୀତ୍ଵ ତୋତେ ଲାଗିଲା।

ମିଲି ଶୋଇଛି ନିଘୋଡ ନିଦରେ। ତା ପାଖରେ ଗୋଡ ହାତ ଲମ୍ବେଇ ଟିକେ ଗଡି ପଡିଲା। ଦେହରେ ହାତ ମାରି ଦେଖିଲା ଭୀଷଣ ତାତି। ଚିରା ଚଦରଟି ମିଲି ଦେହରେ ଘୋଡେଇ ଦେଲା।

--- ବାପା.... ଏ ବାପା ….ମୋ ପରୀ କୁ ଆଣିଲ କୁ ନାହିଁ... ସେ ଖାଲି ମୋ ପାଖକୁ ଆସିବ ବୋଲି ବିକଳ ହେଉଛି। ତାକୁ ସେ ଦୋକାନ ରେ ରହିବାକୁ ଜମା ଭଲ ଲାଗୁନି... ତାକୁ ମୋ ପାଖକୁ ଆଣିଦିଅ ବାପା....ମୁଁ ଆଉ କେବେ କିଛି ମାଗିବିନି, ଏଇଥରଟା ମୋ କଥା ଶୁଣ......

ମଦନା ହଠାତ୍ ଦଉଡିବାକୁ ଆରମ୍ଭ କଲା । ହାତରେ ଥାଏ କମଳାର ପାଉଁଜି ହଳକ। ଦୋକାନ ଭିତରେ ଝଡପରି ପଶି ସେ କଣ୍ଢେଇଟାକୁ ଉଠାଇଲା।

--- ହେଃ ହେଃ ରଖ୍ ତାକୁ। ତୁ ଜାଣିଛୁ ତା ଦାମ୍ କେତେ? ଚୋରଟା ନା କଣ....ସିଧା ଦୋକାନ ଭିତରୁ ଜିନିଷ ଉଠଉଛୁ.. କିଛି କମ୍ ସାହାସ ନାହିଁ ତ ତୋର?

କିଛି ବି କହିଲାନି ମଦନା ପ୍ରତ୍ୟୁତ୍ତରରେ। ସେ ପାଉଁଜି ହଳକ ଦୋକାନୀ ହାତରେ ଧରେଇ କହିଲା---ଭାଇ ଏତିକି ଅଛି ମୋ ପାଖରେ। କଣ୍ଢେଇଟା ନ ନେଲେ ମୋ ଝିଅର ଜୀବ ଚାଲିଯିବ। ଦୟା କର ଟିକେ ମୋତେ।

ଦୋକାନୀଟା କଣ ଭାବିଲା କେଜାଣି ମଦନାକୁ କିଛି ନ କହି ପାଉଁଜି ହଳକ ଡ୍ରୟରରେ ପୁରେଇଲା।

ଭିଡ ଆଡେଇ ଘର ଭିତରେ ପଶି ମଦନା ଦେଖିଲା ମିଲି ଜାକିଜୁକି ହୋଇ ପଡିଛି। ଦେହରେ ପ୍ରାଣ ଅଛି କି ନା ଜାଣିବା କଷ୍ଟ। ମସିଣା ପାଖରେ ବସି ତା ମୁଣ୍ଡରେ ହାତ ଥୋଇଲା।

– ମାଆ ମିଲି ….. ଆଖି ଖୋଲି ଦେଖିଲୁ କିଏ ଆସିଛି। କିନ୍ତୁ ମିଲିର ଶରୀର ପୂର୍ବବତ୍ ନିଶ୍ଚଳ। ଟିକେ ହଲେଇ ଦେଲା ମିଲିକୁ... ମାଆ ଲୋ ଥରେ ଦେଖ୍ .. ମୁଁ ପରା ତୋ ପରୀକୁ ମୋ ସାଙ୍ଗରେ ଘେନି ଆସିଛି।

ସେଇ “ପରୀ” ଶବ୍ଦରେ କି କୁହୁକ ଥିଲା କେଜାଣି ମିଲି କଷ୍ଟରେ ଆଖି ଖୋଲି ଦେଖିଲା। ମୁଣ୍ଡ ହଲେଇ ମଦନାକୁ ଡାକିଲା ପାଖକୁ। ତାର ଥରଥର ହାତରେ ପରୀକୁ ନେଇ ଛାତିରେ ଜାକି ଧରି ଭୋ ଭୋ ହୋଇ କାନ୍ଦି ଉଠିଲା। କେତେ ଗେଲ କରି ପକେଇଲା ତା ମୁହଁ, ଆଖି ଓ ବେକରେ। ପାଖରେ ଜମିଥିବା ଲୋକ ମାନଙ୍କର ଆଖି ତଳ ଓଦା ହେଇସାରିଥିଲା ସେତେ ବେଳକୁ।

ମଦନା ଦେଖୁଥିଲା ମିଲିର ପରମ ତୃପ୍ତ ଚେହେରା। ଶେତା ପଡି ଆସୁଥିବା ଆଖି ଦୁଇଟିରେ ଖୁସିର ଝଲକ ଖେଳି ଆସୁଥିଲା ଧିରେ ଧିରେ।

କାନ ପାଖରେ ଧିର ସ୍ବରରେ କହିଲା ମଦନା

– ମାଆ ଲୋ , ତୋ ମାଆ ଆଣିଦେଇଛି ଏ ପରୀକୁ ତୋ ପାଇଁ।

ମଦନା ମିଲି କଣ୍ଢେଇ

Rate the content


Originality
Flow
Language
Cover design

Comments

Post

Some text some message..